ବାଲିଅନ୍ତା ବ୍ଲକ ଅଧୀନ ଜୟଦେବ ପୀଠ ନିକଟସ୍ଥ ଦେଉଳି ଅଞ୍ଚଳରେ ବୁଲୁଛି ବାଘ!

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ଜୟଦେବ ପୀଠ ନିକଟସ୍ଥ ଦେଉଳି ଅଞ୍ଚଳରେ ଥିବା ବଣବୁଦାରେ ଗୋଟିଏ ହେଟା ବାଘ ବୁଲୁଥିବା ନେଇ ସ୍ଥାନୀୟ ଅଞ୍ଚଳର ଲୋକ ଦାବି କରିଛନ୍ତି। ଏହି ଖବର ଆଜି ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ସ୍ପଷ୍ଟ ଦିବା ଲୋକରେ କିଛି ଲୋକ ବାଘ ଦେଖିଥିବା ଦାବି କରିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା। ଦେଉଳି ପ୍ରହରାଜ ତୋଟା ଓ ଏହାର ଆଖପାଖ ଅଞ୍ଚଳରେ ବାଘ ବୁଲୁଥିବା ଆଲୋଚନା ହୋଇଥିଲା। ଏମିତିକି ବାଘର ପାଦଚିହ୍ନ ପଡ଼ିଥିବା କିଛି ଲୋକ ପ୍ରଘଟ କରି ଦେଇଥିଲେ। ଖବର ପ୍ରଚାର ହେବା ପରେ ଗ୍ରାମବାସୀମାନେ ବାଘକୁ ମାରିବାକୁ ଠେଙ୍ଗାବାଡ଼ି ଓ କୋଦାଳ ଧରି ମେଳିହୋଇ ବଣବୁଦା ଖୋଜାଖୋଜି କରିଥିଲେ। ଖବର ପାଇ ଫରେଷ୍ଟ ଗାର୍ଡ ବ୍ରଜବନ୍ଧୁ ଡାଳୁଆ ଓ ସ୍କ୍ବାର୍ଡ ଷ୍ଟାଫ ବିଜୟ କୁମାର ମହାନ୍ତି ମଧ୍ୟ ପହଞ୍ଚିଥିଲେ। ବନ ବିଭାଗ କର୍ମଚାରୀଙ୍କ ସମେତ ଗ୍ରାମବାସୀ ଦୀର୍ଘ ୩ ଘଣ୍ଟା କାଳ ଖୋଜାଖୋଜି କରିଥିଲେ। ହେଲେ ବିଭାଗୀୟ କର୍ମଚାରୀମାନେ ବାଘର ପତ୍ତା ପାଇନଥିଲେ। ଶେଷରେ ନିରାଶ ହୋଇ ଫେରିଯାଇଥିଲେ। ମାଟିରେ ପଡ଼ିଥିବା ପାଦଚିହ୍ନ ବଣଭୂଆ କିମ୍ବା ସେହିଭଳି ଜଙ୍ଗଲୀ ଜନ୍ତୁର ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ବନ ବିଭାଗ କର୍ମଚାରୀ ଉକ୍ତ ଜନ୍ତୁଟିକୁ ଠାବ କରିବାରେ ବିଫଳ ହୋଇଥିବାରୁ ଗ୍ରାମବାସୀଙ୍କ ମନରୁ ବାଘ ଭୟ ଦୂର ହୋଇପାରି ନାହିଁ। ଖବର ନେବାରେ ଜଣାପଡ଼ିଛି ଯେ, ଆଜି ପୂର୍ବାହ୍ନରେ ଗ୍ରାମର ଜଟ ମଲ୍ଲିକ ବିଲକୁ ଯାଉଥିବା ବେଳେ ବଣଭିତରକୁ ବାଘ ପଶିଯାଇଥିବା ଦେଖିଥିବା କହିଛନ୍ତି। ଏହାର କିଛି ସମୟ ପରେ ଏଠାରେ ରହୁଥିବା ବୃଦ୍ଧ ଅଗଣା ମଲ୍ଲିକ ଓ ତାଙ୍କ ପତ୍ନୀ ବାଘ ବାଘ ବୋଲି ଚିତ୍କାର କରିଥିଲେ। ପାଟିଶୁଣି ଗ୍ରାମବାସୀମାନେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର