ବାଲିପାଟଣାରେ ବାଘ ବୁଲିବା ଘଟଣା: ଧାନହରାରେ ପାଦଚିହ୍ନ କାହାର?

ବାଲିପାଟଣା: ଗତକାଲି ନିମାପଡ଼ା‌ ବ୍ଲକ ନିଆଁଗାରେଡ଼ା‌ ଗାଁରେ ଏକ ବନ୍ୟଜନ୍ତୁର ପାଦଚିହ୍ନ ଦେଖିବାକୁ ମିଳିବା ପରେ ବାଘ ବୁଲୁଥିବା ସନ୍ଦେହ ସୃଷ୍ଟି ହୋଇଥିଲା। ଏଥିସହିତ ପୂର୍ବ ଦିନ ରାତିରେ ଉକ୍ତ ଗାଁର ମନୋରଞ୍ଜନ ପରିଡ଼ାଙ୍କ ଗୁହାଳରେ ୩ଟି ଗାଈ ଓ ଗୋଟିଏ ବାଛୁରୀ ଖଣ୍ଡିଆଖାବରା ହୋଇଥିବାରୁ ଲୋକଙ୍କ ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ଆଜି ପୁଣି ବାଲିପାଟଣା ଧାନହରା ଗାଁରେ ଏଭଳି ଏକ ବନ୍ୟଜନ୍ତୁକୁ ଲୋକେ ଦେଖିବା ପରେ ବାଘ ଚର୍ଚ୍ଚା ଜୋର୍‌ ଧରିଛି।

ସୂଚନାନୁସାରେ ନିମାପଡା ନିଆଁଗୋରଡାରେ ଗତକାଲି ବାଘ ବୁଲୁଥିବା ଖବର ପ୍ରଚାରିତ ହୋଇଥିଲା। ଆଜି ବାଲିପାଟଣା ବ୍ଲକ ମଝିହରା ପଞ୍ଚାୟତ ଧାନହରା ଗ୍ରାମରେ ବାଘ ବୁଲୁଥିବା ଖବର ପ୍ରଚାରିତ ହୋଇଛି। ତେବେ ତାହା ବାଘ କି ହେଟା କେହି ସ୍ପଷ୍ଟଭାବେ କହି ପାରୁନାହାଁନ୍ତି। ବାଘ ଭଳି ଦେଖାଯାଉଥିବା ଜନ୍ତୁଟି କେତେ ଜଣ ଯୁବକଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲା ବୋଲି କୁହାଯାଉଛି। ଗାଁ ଆଖପାଖରେ ତାର ପାଦ ଚିହ୍ନ ପଡିଛି। ସେହିଭଳି କେତେକ ସ୍ଥାନରେ ତା ପାଟିରୁ ଲାଳ ପଡିଛି ଓ ଉକ୍ତ ସ୍ଥାନରୁ ଦୁର୍ଗନ୍ଧ ବାହାରୁଥିବା ଲୋକେ କହିଛନ୍ତି। କିନ୍ତୁ ଗ୍ରାମର ବୟସ୍କ ବ୍ୟକ୍ତିମାନେ ତାହା ଏକ ଗଧିଆ ବୋଲି କହିଛନ୍ତି। ତେବେ ବନାଚଂଳ ଅଧିକାରୀ ଜୟକୃଷ୍ଣ ଯଦୁମଣି ଦାସ ଏହାକୁ ହାଲୁକା ଭାବରେ ନେଇ କହିଛନ୍ତି ଯେ ବଣବୁଦାରୁ ଗଧିଆ ବାହାରି ବୁଲୁଛନ୍ତି। ବନ ବିଭାଗର ଏପରି ହାଲୁକା ମନ୍ତବ୍ୟ କିନ୍ତୁ ସ୍ଥାନୀୟ ଲୋକଙ୍କୁ ବ୍ୟଥିତ କରିଛି। ବାଘ ହେଉ କି ହେଟା ହେଉ, ବନ ବିଭାଗ ଠିକ୍‌ ତଦନ୍ତ କରିବାକୁ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର