ରଙ୍ଗମାଟିଆରେ ବାଘ ବୁଲିବା ପ୍ରସଙ୍ଗ: ବାଘ ନୁହେଁ ବିଲୁଆ

ଚନ୍ଦ୍ରଶେଖରପୁର: ରଙ୍ଗମାଟିଆ ଗ୍ରାମରେ ବାଘ ନୁ‌ହେଁ ବିଲୁଆ ବୁଲୁଛି। ଗୋଟିଏ କି ଦୁଇଟି ନୁହେଁ। ପ୍ରତିଦିନ ସନ୍ଧ୍ୟାରେ ମାଳ ମାଳ ବିଲୁଆ ନିକଟରେ ଥିବା ଖୋଲା ପଡ଼ିଆରେ ବୁଲୁଛନ୍ତି। ମରି ପଡ଼ିଥିବା ପଶୁଙ୍କ ମାଂସ ଖାଉଛନ୍ତି। ବେଳେବେଳେ ଗାଁ ଆଡ଼େ ବି ମାଡ଼ି ଆସୁଛନ୍ତି। ତେଣୁ ଲୋକେ ଭୟଭୀତ ହୁଅନ୍ତୁ ନାହିଁ। ରାତିରେ ବିଲୁଆକୁ ବାଘ ଭାବନ୍ତୁ ନାହିଁ। ରଙ୍ଗମାଟିଆ ଗ୍ରାମର ତଳସାହିରେ ବାଘ ବୁଲୁଥିବା ନେଇ ଦୁଇ ଦିନ ହେଲା ସୃଷ୍ଟି ହୋଇଥିବା ଗୁଜବକୁ ଏଭଳି ଢଙ୍ଗରେ ଖଣ୍ଡନ କରିଛି ବନ ବିଭାଗ। ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବାଘ ବୁଲୁଥିବା ନେଇ ପ୍ରଚାର ହେବା ପରେ ତଦନ୍ତ କରାଯାଇଥିଲା। ଗତକାଲି ଦିନ ଓ ରାତିରେ ବନ ବିଭାଗର କର୍ମଚାରୀମାନେ ପହରା ଦେଇଥିଲେ। ଜଙ୍ଗଲ ଭିତରେ ବୁଲି ଖୋଜିଥିଲେ। ଯେଉଁ ସ୍ଥାନରେ କଲରାପତରିଆ ବାଘ ରହନ୍ତି, ସେଭଳି ସ୍ଥାନକୁ ରାତିରେ ଯାଇଥିଲେ। ବହୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ କିଛି ମିଳିନଥିଲା। ଯେଉଁ ପାଦଚିହ୍ନ ନିଆଯାଇଥିଲା, ସେଥିରୁ ବାଘର କୌଣସି ସୁରାକ୍‌ ମିଳିନଥିଲା, ବରଂ ଏକ ଛୋଟ ଜନ୍ତୁର ବୋଲି ଜଣାପଡ଼ିଥିଲା। ପାଦଟି କୁକୁର ପାଦଠାରୁ ଟିକିଏ ବଡ଼ ଥିଲା। ଆଉ ବିଲୁଆ ପାଦ ପରି ଦେଖିବାକୁ ମିଳିଥିଲା। ବନ ବିଭାଗ କର୍ମଚାରୀଙ୍କ ସହ ମଞ୍ଚେଶ୍ବର ଥାନା ପୁଲିସ୍ ପକ୍ଷରୁ ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ କରାଯାଉଥିବା ବେଳେ ବହୁ ବିଲୁଆଙ୍କୁ ଦେଖିବାକୁ ପାଇଥିଲେ।
ଅନ୍ୟପକ୍ଷରେ ସ୍ଥାନୀୟ ଗ୍ରାମର ଯୁବକମାନେ ଉକ୍ତ ଅଞ୍ଚଳରେ ଥିବା‌ ଚୁଆ ନିକଟରେ ଏଲ୍‌ଇଡି ଲାଇଟ୍ ଲଗାଇ ବସିଥିଲେ। ୨ରୁ ୩ଘଣ୍ଟା ମଧ୍ୟରେ ବହୁ ବିଲୁଆଙ୍କୁ ଦେଖିବାକୁ ପାଇଥିଲେ। ବିଲୁଆର ଲାଞ୍ଜ ମଧ୍ୟ ବଡ଼ ଥିଲା। ଏ‌ହାପରେ ଲୋକଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି ହୋଇଛି ଯେ ଗୁରୁବାର ରାତିରେ ରଙ୍ଗମାଟିଆ ଗ୍ରାମର ତଳସାହିରେ ରହୁଥିବା କେଶବ ମନ୍ତ୍ରୀ ସେଦିନ ବିଲୁଆ ଦେଖି ବାଘ ବୋଲି ଭାବିଥିଲେ। ଏଭଳି ଗୁଜବ ପ୍ରଚାର ନକରିବାକୁ ଆଜି ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି।

ସମ୍ବନ୍ଧିତ ଖବର