ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୨ ନମ୍ବର ‘ଗ’ ଖୁଆଡ଼ରେ ରହୁଥିବା ସାଧାରଣ ନାଲି ରଙ୍ଗର ମହାବଳ ବାଘ ରୋଷନ୍(୧୭) ବାର୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇଛି। ଯେକୌଣସି ମୁହୂର୍ତ୍ତରେ ସେ ଆଖି ବୁଜିପାରେ ବୋଲି ପ୍ରାଣୀ ଚିକିତ୍ସକ କହିଛନ୍ତି। ସେ ଖାଦ୍ୟ ଓ ପାନୀୟ ତ୍ୟାଗ କରିଥିବା ବେଳେ ତା’ର ହୃଦ୍ସ୍ପନ୍ଦନ ମନ୍ଥର ଗତିରେ ଚାଲିଛି। ସୂଚନା ଅନୁଯାୟୀ, ଗତ ୩ ତାରିଖରେ ରୋଷନ୍ ଛୋଟେଇ ଛୋଟେଇ ଚାଲୁଥିବା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନଜରକୁ ଆସିଥିଲା। ଆଗପାଖ ଡାହାଣ ଗୋଡ଼କୁ ସେ ଠିକ୍ ଭାବେ ପକାଇ ଚାଲି ପାରୁନଥିଲା। ସ୍ନାୟୁଗତ ଦୁର୍ବଳତା ହେତୁ ତା’ର ଏପରି ହୋଇଥିବା ଜଣାପଡ଼ିବା ପରେ ଯନ୍ତ୍ରଣା ନିରୋଧକ ଟିକା ଓ ଭିଟାମିନ୍ ଦେଇ ଚିକିତ୍ସା କରାଯାଇଥିଲା। ୪ ତାରିଖରେ ଓୟୁଏଟିର ବିଶେଷଜ୍ଞ ଦଳ ତା’ର ଏକ୍ସ-ରେ’ କରିଥିଲେ। ବାର୍ଧକ୍ୟ ଜନିତ କାରଣରୁ ତାର ଅସ୍ଥି କ୍ଷରଣ ହୋଇଛି ଓ ଫୁସଫୁସ୍ ଟାଣ ହୋଇଯାଇଥିବା ଜଣାପଡ଼ିଥିଲା। ୧୫ ତାରିଖରେ ବିଶେଷଜ୍ଞମାନେ ତା’ର ସ୍ବାସ୍ଥ୍ୟ ପରୀକ୍ଷା କରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ବୋଲି କହିଥିଲେ। ଭିଟାମିନ୍ ଓ ମିନେରାଲ ଦେଇ ତାକୁ ଯଥାସାଧ୍ୟ ବଞ୍ଚାଇ ରଖିବାକୁ ପରାମର୍ଶ ଦେଇଥିଲେ। ସେହି ଅନୁସାରେ ରୋଷନ୍ର ଚିକିତ୍ସା ଚାଲିଥିଲା। ତେବେ ବାଘଟିର ଯଦି ଅନ୍ୟ କିଛି ଆଭ୍ୟନ୍ତରୀଣ ସମସ୍ୟା ଥାଏ, ତେବେ ତାହା ଅନୁସନ୍ଧାନ କରିବା ଏବେ ସମ୍ଭବ ନୁହେଁ। ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦରୁ ଜଣାପଡ଼ିବ ବୋଲି ବିଶେଷଜ୍ଞ ଦଳ କହିଥିଲେ।
ଏବେ ରୋଷନ୍ ମୃତ୍ୟୁ ସହ ସଂଘର୍ଷ କରୁଛି। ୨୦୦୨ ମସିହା ସେପ୍ଟେମ୍ବର ୫ ତାରିଖରେ ନନ୍ଦନକାନନର ସର୍ବାଧିକ ୨୨ବର୍ଷ ବଞ୍ଚି ରେକର୍ଡ କରିଥିବା ଧଳାରଙ୍ଗର ବାଘୁଣୀ ଶ୍ରେୟା ଓ ସାଧାରଣ ନାଲିରଙ୍ଗ ମହାବଳ ବାଘ ରାମର ମିଳନରୁ ରୋଷନ୍ ଜନ୍ମ ନେଇଥିଲା। ଦେଢ଼ ବର୍ଷ ହୋଇଥିବା ବେଳେ ତ୍ରିପାନୋସୋମିଆସିସ୍ ନାମକ ରୋଗରେ ପୀଡ଼ିତ ହୋଇ ସେ ଦୃଷ୍ଟିଶକ୍ତି ହରାଇଥିଲା। ଏହାସତ୍ତ୍ବେ ତାର ୧୦ଟି ଛୁଆର ବାପା ହେବାର ଗୌରବ ରହିଛି। ଅବଶ୍ୟ ସେଥିମଧ୍ୟରୁ ୨୦୧୧ ମସିହାରେ ୫ଟି ଛୁଆଙ୍କର ମୃତ୍ୟୁ ହୋଇଥିଲା ବୋଲି ନନ୍ଦନକାନନର ଉପନିର୍ଦ୍ଦେଶକ ଜୟନ୍ତ ଦାସ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗୟଳ ଶାବକ ଜନ୍ମ
ଏପଟେ ମହାବଳ ବାଘ ରୋଷନ୍ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଅପରପକ୍ଷେ ଆଜି ସନ୍ଧ୍ୟାରେ ୪୨ନମ୍ବର ଖୁଆଡ଼ ମଧ୍ୟରେ ଏକ ଭାରତୀୟ ଗୟଳ ଶାବକ ଜନ୍ମଲାଭ କରିଛି। ଉଭୟ ଶାବକ ଓ ମା’ ଗୟଳ ସୁସ୍ଥ ଅଛନ୍ତି। ଛୁଆ ମା’ଠାରୁ କ୍ଷୀର ପାନ କରୁଛି ଏବଂ ମା’ ଗୟଳ ଛୁଆକୁ ଚାଟି ସଫା କରୁଥିବା ନନ୍ଦନକାନନ କର୍ମଚାରୀ ଦେଖିବାକୁ ପାଇଛନ୍ତି। ଆଜିର ଏହି ଶାବକ ଜନ୍ମ ପରେ ନନ୍ଦନକାନନର ମୋଟ ଗୟଳ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରେ ୨ଟି ମାଈ, ୨ଟି ପୁରୁଷ ଓ ଲିଙ୍ଗ ଚିହ୍ନଟ ହୋଇ ନଥିବା ସଦ୍ୟଜାତ ଶାବକ ରହିଛି।