ବାଲିପାଟଣା: ଆଜି ରାତିରେ ବାଲିପାଟଣା ବନାଞ୍ଚଳ ଅଧୀନ ମଝିହରା ପଞ୍ଚାୟତ ଧାନହରା(ବଙ୍ଗାଳିସାହି)ରେ ବାଘ ଆତଙ୍କ ଖେଳିଯାଇଛି। ବାଘ ଭୟରେ ଗାଁରେ ତାଟିକବାଟ ପଡ଼ିଯାଇଛି। ଲୋକେ ଭୟରେ ବନ ବିଭାଗକୁ ଜଣାଇଥିଲେ ହେଁ ବନ କର୍ମଚାରୀମାନେ ଗାଁରେ ପହଞ୍ଚିନଥିବା ଜଣାପଡ଼ିଛି। ଆଜି ରାତି ପ୍ରାୟ ୧୦ଟା ବେଳେ ଗାଁର କାଳନ୍ଦୀ ଗୁଇଁ ଦାଣ୍ଡକୁ ବାହାରିଥିଲେ। ଏତିକିବେଳେ ବାଘ ଭଳି ଦେଖାଯାଉଥିବା ବନ୍ୟଜନ୍ତୁଟି ଗାଁ ଦାଣ୍ଡରେ ଚାଲୁଥିଲା। ଭୟରେ ରଡ଼ି ଛାଡ଼ି କାଳନ୍ଦୀ ଘର ଭିତରକୁ ପଳାଇଥିଲେ। ତାଙ୍କ ପାଟି ଶୁଣି ଆଉ କିଛି ଲୋକ ଗାଁ ଦାଣ୍ଡକୁ ଚାଲିଆସିଥିଲେ। ସେମାନେ ମଧ୍ୟ ବାଘ ଭଳି ଦେଖାଯାଉଥିବା ଜନ୍ତୁକୁ ଦେଖି ଭୟରେ ଘରେ ପଶି ଯାଇଥିଲେ। କିଛି ଲୋକ ଛାତ ଉପରକୁ ଯାଇ ଜନ୍ତୁଟିକୁ ଚିହ୍ନିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଜନ୍ତୁଟି ଲୋକଙ୍କ ପାଟି ଶୁଣି ନିକଟସ୍ଥ କେନାଲ ଭିତରେ ପଶି ଜଙ୍ଗଲକୁ ପଳାଇଥିଲା। ପରେ ଲୋକେ ଟର୍ଚ୍ଚ ଲାଇଟ୍‌ରେ ଜନ୍ତୁର ପାଦଚିହ୍ନ ପରଖିଥିଲେ। ତାହା ବାଘର ପାଦଚିହ୍ନ ଭଳି ଜଣାପଡ଼ୁଥିଲା। ସୂଚନାଯୋଗ୍ୟ ଯେ ନିକଟସ୍ଥ ଜଙ୍ଗଲରେ ହେଟା ଅଛନ୍ତି। ଛେଳି ମାରିବା ପାଇଁ ହେଟା ଗାଁକୁ ପଶିଆସିଥିବା ସନ୍ଦେହ କରାଯାଉଛି।