ଖୁଆଡ଼ ପାଚେରି ଡେଇଁଲା ମେଘା

ନନ୍ଦନକାନନରେ ନୂଆ ପ୍ରେମ କାହାଣୀ

ବାରଙ୍ଗ : ଆଜି ନନ୍ଦନକାନନରେ ନଜରକୁ ଆସିଛି ମହାବଳ ବାଘଙ୍କ ଆଉ ଏକ ପ୍ରେମକାହାଣୀ। ପୁରୁଷ ବାଘ ସାହିଲ ସହ ମିଳନ ପାଇଁ ବ୍ୟାକୁଳ ହୋଇ ବାଘୁଣୀ ମେଘା ୧୫ ପୁଟ୍‌ ଉଚ୍ଚର ଜାଲି ପାଚେରିକୁ ଡେଇଁ ଚର୍ଚାକୁ ଆସିଛି। ତେବେ ଆଜି ତାକୁ ମିଳନ ପାଇଁ ସୁଯୋଗ ମିଳି ନାହିଁ।

ଗତ ୨୦୧୦ ମସିହା ମାର୍ଚ ମାସ ୩ ତାରିଖରେ ନନ୍ଦନକାନନର ଧଳା ବାଘୁଣୀ ଗର୍ଭରୁ ସାଧାରଣ ନାଲି ରଙ୍ଗର ମହାବଳ ବାଘ ଔରସରୁ ଜନ୍ମିତ ସାଧାରଣ ନାଲି ରଙ୍ଗର ବାଘୁଣୀ ମେଘା (୭) ସବୁବେଳେ ଚର୍ଚାରେ ରହି ଆସିଛି। ଆଜି ଅପରାହ୍‌ଣରେ ମେଘା ୩୧ ‘କ’ ଖୁଆଡ଼ରୁ ପଛ ପାଖ ୩୨ ‘ଖ’ ଖୁଆଡ଼କୁ ଡେଇଁ ପଡ଼ିଥିଲା। ଧଳା ବାଘୁଣୀ ବିଜୟା ଗର୍ଭରୁ ଜନ୍ମିତ ୨ ବାଘ ଧଳା ରଙ୍ଗର ଆଦ୍ୟାଶା ଓ ସାହିଲଙ୍କ ଖୁଆଡ଼ ମଧ୍ୟକୁ ମେଘାର ଏପରି ଅନୁପ୍ରବେଶରେ ସାହିଲ ଓ ଆଦ୍ୟାଶା ଭୟଭୀତ ହୋଇ ପଡ଼ିଥିଲେ। ସେମାନେ ଗର୍ଜନ କରି ଏଣେତେଣେ ଧାଇଁଥିଲେ। ମେଘା ସେମାନଙ୍କ ସାମ୍ନାସାମ୍ନି ହେବା ପରେ ନିଜର ସୁରକ୍ଷା ପାଇଁ ସେମାନେ କିଛି ସମୟ ତା ସହିତ ଧସ୍ତାଧସ୍ତି ମଧ୍ୟ ହୋଇଥିଲେ। ସେତେବେଳେ ଏ ଦୃଶ୍ୟକୁ ଦେଖି ପର୍ଯ୍ୟଟକମାନେ ହୋ ହଲ୍ଲା କରିଥିଲେ।

ଘଟଣା ଜଣା ପଡ଼ିବା ପରେ ମେଘା ଘର ଦାୟିତ୍ୱରେ ଥିବା ଜନ୍ତୁରକ୍ଷକ ଛେତ ଭୋଇ ଉପସ୍ଥିତ ୩୨ ‘ଖ’ ଖୁଆଡ଼କୁ ଧାଇଁଥିଲେ। ସଙ୍ଗେ ସଙ୍ଗେ ଜନ୍ତୁ ବିଭାଗ ସହକାରୀ ନିର୍ଦ୍ଦେଶକ ଅଞନ କୁମାର ମହାନ୍ତି ଓ ଫରେଷ୍ଟ ଗାର୍ଡ ସୁଶାନ୍ତ କୁମାର ବେହେରାଙ୍କ ସମେତ କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ। ଆଉ ମେଘାକୁ ଘଉଡ଼ାଇ ଉଭୟ ଖୁଆଡ଼ ମଧ୍ୟରେ ଥିବା ପାଚେରିର ଫାଟକ ବାଟେ ସେ ରହୁଥିବା ଖାଦ୍ୟ ଗ୍ରହଣ କକ୍ଷକୁ ଫେରାଇ ଆଣିଥିଲେ। ସେହିପରି ସାହିଲ ଓ ଆଦ୍ୟାଶାକୁ ସେମାନଙ୍କ ରହୁଥିବା ଖୁଆଡ଼ରେ ଥିବା ଖାଦ୍ୟ ଗ୍ରହଣ କକ୍ଷକୁ ଅଣା ଯାଇଥିଲା। ସେଠାରେ ନନ୍ଦନକାନନର ବରିଷ୍ଠ ପ୍ରାଣୀ ଚିକିତ୍ସକ ଡା.ଅନିଲ କୁମାର ଦାସ ଓ ଚିକିତ୍ସକ ଡା.ଶରତ କୁମାର ସାହୁ ୩ଟି ବାଘଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ୩ ବାଘଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ସେମାନଙ୍କ ଆଗ ଗୋଡ଼ରେ ସାମାନ୍ୟ ରାମ୍ପୁଡ଼ା ଚିହ୍ନ ସୃଷ୍ଟି ହୋଇଥିବାରୁ ସେମାନଙ୍କ ଚିକିତ୍ସା ଜାରି ରହିଛି। ଅଦ୍ୟାଶା ଓ ସହିଲଙ୍କୁ ଆଣ୍ଟି ବାୟୋଟିକ୍‌ ଟିକା ଦିଆଯାଇଛି।

ତେବେ ତାରଜାଲି ବାଡ଼ ଉପର ଡେଇଁ ମେଘା କିପରି ଗଲା ତାହା ଯାଣିବା ପାଇଁ ନନ୍ଦନକାନନ ନିର୍ଦେଶକ ଶିଶିର ଆଚାର୍ଯ୍ୟ ଓ ଉପ-ନିର୍ଦେଶକ ଜୟନ୍ତ କୁମାର ଦାଶ ଖୁଆଡ଼ ନିକଟକୁ ଯାଇ ଅନୁଧ୍ୟାନ କରିଛନ୍ତି। ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ମେଘାର ମିଳନ ସମୟ ଆସିଥିବାରୁ ସେ ପୁରୁଷ ସାହିଲ୍‌କୁ ଦେଖି ତାର ଜାଲି ବାଡ଼ ଅତିକ୍ରମ କରିଛି।

୪ ବର୍ଷ ତଳେ ମେଘା ପାଇଁ ପାଚେରି ଡେଇଁଥିଲା ଜଙ୍ଗଲୀ ବାଘ ନନ୍ଦନ

ପ୍ରାୟ ୪ ବର୍ଷ ତଳେ ୨୦୧୩ ମସିହାରେ ମେଘାକୁ କେନ୍ଦ୍ର କରି ଏମିତି ନନ୍ଦନକାନନରେ ଏକ ରୋମାଞ୍ଚକର ପ୍ରେମ କାହାଣୀ ସୃଷ୍ଟି ହୋଇଥିଲା। ନନ୍ଦନକାନନ ଭିତରକୁ ଅନୁପ୍ରବେଶ କରିଥିବା ଏକ ଜଙ୍ଗଲୀ ବାଘ(ନନ୍ଦନ)କୁ ତାକୁ ଦେଖି ତାହା ପ୍ରତି ଆକୃଷ୍ଟ ହୋଇଥିଲା। ଜାଲିର ଭିତର ପାଖରେ ଥିବା ମେଘା ସହ ବାହାର ପାଖରେ ଥିବା ନନ୍ଦନର ମିଳନ ଲାଗି ବ୍ୟାକୁଳତାର ଦୃଶ୍ୟକୁ ଜଣେ ବଙ୍ଗୀୟ ପର୍ଯ୍ୟଟକ କ୍ୟାମେରାରେ ଉତ୍ତୋଳନ କରିଥିଲେ। ପରେ ତା’ର ଗତିବିଧିକୁ ଟ୍ରାକ୍‌ କରି କୌଶଳକ୍ରମେ କର୍ମଚାରୀମାନେ ନନ୍ଦନକୁ ଧରି ପକାଇଥିଲେ ଏବଂ ତା’କୁ ଏକ ଖୁଆଡ଼ ଭିତରେ ରଖିଥିଲେ। ମାତ୍ର ନନ୍ଦନ ୧୮ ଫୁଟ୍‌ ଉଚ୍ଚତା ତାର ଜାଲି ପ୍ରାଚୀର ଡେଇଁ ପଦାକୁ ଚାଲିଯାଇଥିଲା। ପରେ ପୁଣିଥରେ ତାକୁ ଧରା ଯାଇଥିଲା ଏବଂ ତା’ ପାଇଁ ୨୨ ଫୁଟ୍‌ ଉଚ୍ଚର ସ୍ୱତନ୍ତ୍ର ପାଚେରି ନିର୍ମାଣ କରାଯାଇଥିଲା। କାହାଣୀ ଏତିକିରେ ସରି ନ ଥିଲା।

ପରେ ନନ୍ଦନ ଧରା ପଡ଼ିବା ପରେ ମେଘା ସହିତ ମିଳନର ସୁଯୋଗ ନ ଦେଇ କର୍ତୃପକ୍ଷ ଭୋପାଳରୁ ଅଣାଯାଇଥିବା ଜଙ୍ଗଲୀ ବାଘୁଣୀ ସାରା ସହିତ ମିଳନ ପାଇଁ ସ୍ଥିର କରିଥିଲେ। ଯୋଜନା ମୁତାବକ ନନ୍ଦନକୁ ଆଣି ସାରା ପାଖ ଖୁଆଡ଼ରେ ରଖିଥିଲେ। ପ୍ରଥମ ନନ୍ଦନ ସହ ସାରାର ଘନିଷ୍ଠତା ବଢ଼ିବା ଦେଖି ବରଦାସ୍ତ କରି ପାରି ନ ଥିଲା ମେଘା। ଗତ ୨୦୧୪ ମସିହା ଅକ୍ଟୋବର ମାସ ୪ ତାରିଖରେ ସାରା ଅଜାଣତରେ ମେଘା ଘର ଭିତରକୁ ଗୋଡ଼ ଗଳାଇ ବସିଥିବା ଦେଖି ଆକ୍ରମଣ କରିଥିଲା। ମେଘା ଗୋଡ଼କୁ କାମୁଡ଼ି ଗୁରୁତର କରି ତା’କୁ ରାସ୍ତାରୁ ହଟାଇଥିଲା। ଏହାପରେ ତା’କୁ ପ୍ରେମିକ ନନ୍ଦନ ସହିତ ମିଳନର ସୁଯୋଗ ଦେଇଥିଲେ କର୍ତୃପକ୍ଷ। ନନ୍ଦନ ସହ ମିଳନ ପରେ ତା ଔରସରୁ କୁନ୍ଦନ ଓ ବାହୁବଳୀ ନାମକ ଦୁଇ ଶାବକଙ୍କୁ ପ୍ରଥମ ଗର୍ଭରୁ ଗତ ୨୦୧୬ ମସିହା ଏପ୍ରିଲ ୨୦ ତାରିଖରେ ଜନ୍ମ ଦେଇଥିଲା।

ସମ୍ବନ୍ଧିତ ଖବର