ଭୁବନେଶ୍ବର: ଆସନ୍ତା ୧୦ ତାରିଖରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ଏଥିପାଇଁ ଜନତା ମୈଦାନରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ଶପଥ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଦୀର୍ଘ ବର୍ଷ ପରେ ପ୍ରଥମ ଥର ପାଇଁ ବିଜେପି ନୂଆ ସରକାର ଗଠନ କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ବହୁ ଭିଭିଆଇପି, ବିଶିଷ୍ଟ ବ୍ୟକ୍ତି, ଶିଳ୍ପପତି ଯୋଗଦେବେ। ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ହୋଟେଲ୍‌ଗୁଡ଼ିକରେ ଭିଭିଆଇପିଙ୍କ ରହଣି ବ୍ୟବସ୍ଥା ମଧ୍ୟ ହୋଇଛି। ଶପଥ ଗ୍ରହଣ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମାପନ ପାଇଁ କମିସନରେଟ୍‌ ପୁଲିସ ଅଣ୍ଟା ଭିଡ଼ିଛି। ଆଜି ଏସ୍‌ପିଜି ଟିମ୍‌, ଡିଜିପି ଅରୁଣ ଷଡ଼ଙ୍ଗୀ, ପୁଲିସ କମିସନର ସଞ୍ଜୀବ ପଣ୍ଡା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡିସିପି ପ୍ରତୀକ ସିଂହ ଜନତା ମୈଦାନର ସ୍ଥିତି ସମୀକ୍ଷା କରିଛନ୍ତି।

Advertisment

ଜନତା ମୈଦାନ ସୁରକ୍ଷାର ପ୍ରତିଟି ଦିଗ ଉପରେ କମିସନରେଟ୍‌ ପୁଲିସ ନଜର ରଖିଛି। ସମ୍ପୂର୍ଣ୍ଣ ଜନତା ମୈଦାନକୁ ସିସିଟିଭି ନଜରରେ ରଖାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭିଭିଆଇପିଙ୍କ ବିମାନବନ୍ଦରରେ ପହଞ୍ଚିବା ଠାରୁ ହୋଟେଲ୍‌ରେ ରହିବା, ଉତ୍ସବସ୍ଥଳକୁ ଯିବା ଏବଂ ବିମାନବନ୍ଦରକୁ ଫେରିବା ପର୍ଯ୍ୟନ୍ତ ସବୁଠି ପୁଲିସ ଛାଉଣୀ କରାଯିବ। ଟ୍ରାଫିକ୍‌ରେ ସମସ୍ୟା ଦେଖାନଦେବା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଖୋଦ ପୁଲିସ କମିସନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂହ ପ୍ରତିଦିନ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଘନ ଘନ ବୈଠକ କରିବା ସହ ସୁରକ୍ଷା ଦିଗ ଉପରେ ଆଲୋଚନା କରୁଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ୩୫ ହଜାର ଲୋକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏତେ ବଡ଼ ଆୟୋଜନ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି। ଯେକୌଣସି ପରିସ୍ଥିତିର ସାମ୍ନା କରିବା ପାଇଁ ଅଗ୍ନିଶମ ବିଭାଗ ମଧ୍ୟ ସଜାଗ ରହିଛି। ଟ୍ରାଫିକ ପରିଚାଳନା ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ହୋଟେଲ୍‌ଗୁଡ଼ିକରେ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ସେହିପରି ରାଜଧାନୀରେ ରାତ୍ରିକାଳୀନ ପାଟ୍ରୋଲିଂ ସହ ଚେକିଂ ଓ ବ୍ଲକିଂକୁ କଡ଼ାକଡ଼ି କରାଯାଇଛି।