ଜିରୋନାଇଟ୍‌ ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ : ମଦ୍ୟପାନ କରି ବାଇକ୍‌ ଚଳାଇଲେ ଜବତ ହେବ ବାଇକ, ଡିଏଲ ବି ରଦ୍ଦ ହେବ

ହୋଟେଲ ଉପରେ ନଜର ରଖିବେ ସାଦା ପୋଷାକଧାରୀ ପୁଲିସ

ଭୁବନେଶ୍ୱର : ଜିରୋନାଇଟ୍‌ ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଭୁବନେଶ୍ବରରେ ପ୍ରାୟ ୧୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ନିୟୋଜିତ ହେବେ। ବିଶେଷ କରି ହେଟେଲ ଗୁଡ଼ିକ ଉପରେ କଡ଼ା ନଜର ରଖାଯିବ। ଏଥିପାଇଁ ଡିସିପି ଅନୁପ ସାହୁ ବିଭିନ୍ନ ଜୋନ୍ ଏସିପି ଓ ଇନ୍ସପେକ୍ଟରମାନଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି।

ଏଥର ନୂଆବର୍ଷ ବୁଧବାର ପଡ଼ୁଥିବାରୁ ତା’ର ଭରପୂର ଉପଭୋଗ କରିବାକୁ ସମସ୍ତେ ଚାହିଁବେ। ଏହି ସମୟରେ ସାମାନ୍ୟ କାରଣରୁ ଗଣ୍ଡଗୋଳ ହେବାର ଆଶଙ୍କା ଥାଏ। ବିଶେଷକରି ନୂଆବର୍ଷ ପା‌ଳନ ପାଇଁ ଯୁବ ପିଢ଼ି ରାତି ଅଧରେ ରାଜରାସ୍ତାକୁ ଚାଲି ଆସିବା ଓ ମଉଜ ମସ୍ତି କରିବାର ସମ୍ଭାବନା ଥିବାରୁ ଆଇନ ଶୃଙ୍ଖଳା ଭଙ୍ଗର ମଧ୍ୟ ଆଶଙ୍କା ରହିଛି। ଏପରିକି କିଛି ଯୁବକ ନିଶାସକ୍ତ ଅବସ୍ଥାରେ ରାତି ଅଧରେ ରାସ୍ତାରେ ନୂଆବର୍ଷ ପାଳନ କରିବାର ପୂର୍ବରୁ ନଜିର ଥିବ‌ାରୁ ସେ ସମୟରେ ପରିସ୍ଥିତି ଜଟିଳ ହେବାର ସମ୍ଭାବନା ବି ରହିଛି। ବିଭିନ୍ନ ତାରକା ହୋଟେଲରେ ଜିରୋନାଇଟ ପାଳନ ହେବା ସହିତ ଅନେକ କ୍ଲବ, କଲୋନି, ଜିମ୍, ବ୍ୟବସାୟ ପ୍ରତିଷ୍ଠାନଗୁଡକରେ ଭୋଜିଭାତ ମଧ୍ୟ ହୋଇଥାଏ। ଏସବୁକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ସ୍ବତନ୍ତ୍ର ବନ୍ଦୋବସ୍ତ କରାଯାଇଛି।

ରାଜଧାନୀକୁ ୬ଟି ଜୋନ୍‌ରେ ବିଭକ୍ତ କରାଯାଇଛି
ଭୁବନେଶ୍ବରକୁ ୬ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ଜଣେ ଜଣେ ଆଡିସନାଲ ଡିସିପି ରୢାଙ୍କର ଅଧିକାରୀ ଏହି ଜୋନ୍‌ ଦାୟିତ୍ବରେ ରହିବେ। ସେହିପରି ରାଜଧାନୀରେ ୪୦ଟି ପାଖାପାଖି ସମ୍ବେଦନଶୀଳ ଛକ ଓ ସ୍ଥାନ ଚିହ୍ନଟ ହୋଇଛି। ସେ ସବୁ ସ୍ଥାନରେ ଜିରୋନାଇଟ ପାଳନ ବେଳେ ପୁଲିସ ପକ୍ଷରୁ ବ୍ରିଦିଂ ଆନାଲାଇଜର ସହଯୋଗରେ ବ୍ଲକି˚ ଓ ଚେକିଂ କରାଯିବ। ଯେଉଁମାନେ ମଦ୍ୟପାନ କରି ଗାଡ଼ି ଚଳାଉଥିବେ ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ ସାଙ୍ଗକୁ ଗାଡ଼ି ଚାଳକଙ୍କୁ ଗିରଫ କରାଯିବ। ଆବଶ୍ୟକ ହେଲେ ସେମାନଙ୍କୁ ଜେଲ୍ ପଠାଇ ଦିଆଯିବ। ବଡ଼ କଥା‌ ହେଉଛି ମଦ ପିଇ ବାଇକ୍‌ କିମ୍ବା କାର ଚଳାଉଥିବା ଧରାପଡ଼ିଲେ ଗାଡି ଜବତ କରାଯିବା ସହିତ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ସଂଧ୍ୟାରୁ ପିସିଆର ଭ୍ୟାନ, ଥାନା ଗାଡ଼ି ଓ ବାଇକ୍‌ରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବ। ଯେଉଁମାନେ ବିନାନୁମତିରେ ଜିରୋନାଇଟ ପାଳନ କରୁଥିବେ ସେମାନଙ୍କ ବିରୋଧରେ ମଧ୍ୟ
କମିସନରେଟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ବାଣଫୁଟାରେ କଟକଣା
ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣ ଫୁଟା, ନାଚ ଗୀତ ଉପରେ ମଧ୍ୟ କଟକଣା ରହିଛି। ଏସବୁ ନିୟମକୁ ଯିଏ ଫା‌ଙ୍କିବ ପୁଲିସ ସେମାନଙ୍କୁ ଆବଶ୍ୟକ ହେଲେ ଗିରଫ କରାଯିବ। ଏସବୁର ଯାଞ୍ଚ ପାଇଁ ଥାନା ଇନ୍ସପେକ୍ଟର ନିଜେ ପାଟ୍ରୋଲିଂ କରିବା ସହିତ ଥାନା ଅଫିସରମାନଙ୍କୁ ମଧ୍ୟ ଏଥିରେ ସାମିଲ୍ କରାଇବେ। ସାଧାରଣ ଲୋକ ମଧ୍ୟ ଚାହିଁଲେ ସେ ନିଜ ଅଭିଯୋଗ ପୁଲିସ କଣ୍ଟ୍ରୋଲ୍ ରୁମ ନମ୍ବର ୧୦୦କୁ କଲ୍ କରି ଜଣାଇ ପାରିବେ।

୩୫ଟି ଦୁର୍ଘଟଣାପ୍ରବଣ ଛକରେ ବ୍ୟାରିକେଡ ନିର୍ମାଣ ହେବ
ଚଳିତବର୍ଷ ଦୁର୍ଘଟଣାକୁ ରୋକିବା ଲାଗି ଖଣ୍ତଗିରି, ଖାରବେଳନଗର, ଲିଙ୍ଗରାଜ, ଚନ୍ଦ୍ରଶେଖରପୁର, ନୂଆପଲ୍ଲୀ, କ୍ୟାପିଟାଲ ଥାନା ଅଧୀନରେ ଥିବା ୩୫ଟି ଦୁର୍ଘଟଣାପ୍ରବଣ ଛକ ଚିହ୍ନଟ ହୋଇଛି। ସେଠାରେ ବ୍ୟାରିକେଡ ବ୍ୟବସ୍ଥା କରାଯିବ। ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର, ଖାରବେଳନଗର, ଲକ୍ଷ୍ମୀସାଗର ଥାନା ଅଧୀନରେ ବହୁ ତାରକା ହୋଟେଲ୍‌ ଓ ବାର୍‌ ଥିବାରୁ ସେ ସବୁ ଅଞ୍ଚଳ ଉପରେ ପୁଲିସ୍‌ ବେଶି ନଜର ରଖିବ। ବିଭିନ୍ନ ହୋଟେଲ୍‌ ନିକଟରେ ସାଦା ପୋଷାକରେ ପୁଲିସ୍‌ ମୁତୟନ ହେବେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର