ସୁରକ୍ଷା ବଳୟରେ ଭୋଟ୍‌ ଗଣତି କେନ୍ଦ୍ର

ଭୁବନେଶ୍ବର : ଆସନ୍ତା ୨୩ ତାରିଖରେ ହେବାକୁ ଥିବା ଭୋଟ୍‌ ଗଣତି ସମୟରେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ କିମ୍ବା ରାଜନୈତିକ ହିଂସା ନ ଘଟେ, ସେଥିପାଇଁ କମିସନରେଟ୍‌ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି। ବିଜେବି କଲେଜ୍‌ ଆର୍ଟସ୍‌ ବ୍ଲକର ୭ମହଲା ବିଶିଷ୍ଟ ଭୋଟ୍‌ ଗଣତି କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ, ବିଭିନ୍ନ ରାଜନୈତିକ ରାଜ୍ୟ କାର୍ଯ୍ୟାଳୟ ଓ ପ୍ରାର୍ଥୀମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛିନ୍ତି।

ବିଜେବି କଲେଜ୍‌ ଆର୍ଟସ୍‌ ବ୍ଲକରେ ହେବାକୁ ଥିବା ଭୋଟ୍‌ ଗଣତି କେନ୍ଦ୍ରର ସୁରକ୍ଷା ପାଇଁ ୨୧ ପ୍ଲାଟୁନ୍‌ ପୁଲିସ ବଳ ମୁତୟନ କରାଯାଇଛି। ସମସ୍ତ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ୭୦ରୁ ଊର୍ଧ୍ବ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି। ଗଣତି କେନ୍ଦ୍ର ନିକଟରେ ଅସ୍ଥାୟୀ ଭାବେ ଏକ ସ୍ବତନ୍ତ୍ର ପୁଲିସ କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯିବା ସହ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ୬୦ରୁ ଊର୍ଧ୍ବ ବରିଷ୍ଠ ପୁଲିସ ଅଧିକାରୀ ଦ୍ବାୟିତ୍ବ ଦିଆଯାଇଛି ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି କହିଛନ୍ତି।

ଜରୁରୀକାଳୀନ ପରିସ୍ଥିତି ପାଇଁ ସମସ୍ତ ଦିଗ ଉପରେ ନଜର ରଖାଯିବା ସହ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଦ୍ୟୁତ୍‌ ସରବରାହରେ ଯେଭଳି କୌଣସି ପ୍ରକାର ସମସ୍ୟା ଦେଖା ନଯାଏ, ସେଥିପ୍ରତି ଧ୍ୟାନ ଦିଆଯାଇଛି। ୨୪ ଘଣ୍ଟିଆ ବିଦ୍ୟୁତ ସେବା ପାଇଁ ସେସୁକୁ ଚିଠି କରାଯାଇଛି। ଡିଜି ସଂଯୋଗ ପାଇଁ ମଧ୍ୟ ଯୋଜନା କରାଯାଇଛି। ଅଗ୍ନି ନିରାପତ୍ତା ପାଇଁ ଅଗ୍ନିଶମ ବିଭାଗକୁ ସଜାଗ ରହିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି। ସେହିପରି ଏକ ସ୍ବତନ୍ତ୍ର ମେଡିକାଲ୍‌ ଟିମ୍‌ ଓ ଆମ୍ବୁଲାନ୍ସ ମଧ୍ୟ ରଖାଯାଇଛି। ଭୋଟ୍‌ ଗଣତି କେନ୍ଦ୍ର ଓ ଆଖପାଖ ଅଞ୍ଚଳରେ ପ୍ରବେଶ ନେଇ କଟକଣା ଜାରି କରାଯାଇଛି। ଉକ୍ତ ଅଞ୍ଚଳକୁ ଡବଲ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ଚିହ୍ନଟ ହୋଇଥିବା ଅଫିସର, ଏଜେଣ୍ଟଙ୍କୁ ସ୍ବତନ୍ତ୍ର ପରିଚୟପତ୍ର ଦିଆଯାଇଛି। ମୋବାଇଲ୍‌ ଉପରେ ମଧ୍ୟ କଟକଣା ଲଗାଯାଇଛି। କେବଳ ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଫିସର, ଆସିଷ୍ଟାଣ୍ଟ ରିଟର୍ଣ୍ଟିଂ ଅଫିସର୍‌ ଭିତରକୁ ମୋବାଇଲ୍‌ ନେଇପାରିବେ।

ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଭାବେ ଏକ ୪ଜଣିଆ ଭିଡିଓ କ୍ୟାମେରା ଟିମ୍‌ ପ୍ରସ୍ତୁତ କରାଯାଇଛି। ସେମାନେ ଗଣତି ହଲ୍‌ ଓ ଆଖପାଖ ଅଞ୍ଚଳରେ ପହରା ମାରିବେ। ଅପ୍ରୀତିକର ପରିସ୍ଥିତି ଉପୁଜିଲେ ସେମାନେ ସମସ୍ତ ଦୃଶ୍ୟକୁ କଏଦ୍‌ କରିବେ। ଫୁଟେଜ୍‌ ଆଧାରରେ ଘଟଣାର ତଦନ୍ତ କରାଯିବ। ଅପରପକ୍ଷେ ଭୋଟ୍‌ ଗଣତି ଦିନ ମଧ୍ୟ ମଦ ଦୋକାନ ଓ ବାର୍‌ ସବୁକୁ ବନ୍ଦ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ସେହି ଦିନ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଜାରି କରାଯାଇଛି।

ସମ୍ବନ୍ଧିତ ଖବର