ଭୁବନେଶ୍ୱର: କଟକ ଜିଲ୍ଲା ତିଗିରିଆ ଥାନା ଅଧୀନ ନୂଆପାଟଣା ଗ୍ରାମର ତିଳୋତ୍ତମା ସାମଲ ନ୍ୟାୟ ପାଇଁ ଏବେ ବାର ଦୁଆର ବୁଲୁଛନ୍ତି। ଠକାମିର ଶିକାର ହୋଇଥିବା ତିଳୋତ୍ତମା ୭ ମାସ ହେଲା ବୁଲୁଥିଲେ ହେଁ ପୁଲିସ କି ରାଜନେତା କେହି ବି ଶୁଣୁନାହାନ୍ତି । ତିଗିରିଆ ଥାନା ଅଧିକାରୀଙ୍କଠାରୁ ଆରମ୍ଭ କରି ପୁଲିସ ମହାନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ ବି ନ୍ୟାୟ ମିଳୁନି। ବରଂ ଅସହାୟତାର ସୁଯୋଗ ନେଇ ଦୁର୍ବ୍ୟବହାର ସହ ଶାରୀରିକ ସମ୍ପର୍କ ରଖିବାକୁ ପୁଲିସ ବାବୁ ବାଧ୍ୟ କରୁଥିବା ତିଳୋତ୍ତମା ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ କରିଛନ୍ତି।

Advertisment

ଅଭିଯୋଗ ଅନୁଯାୟୀ କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ମଧୁବନ ଗ୍ରାମର ଜଣେ ସମ୍ପର୍କୀୟ ତିଳୋତ୍ତମାଙ୍କ ଝିଅଙ୍କୁ ଚାକିରି ଦେବାର ପ୍ରଲୋଭନ ଦେଖାଇ ଗତ ଏପ୍ରିଲ ୧୦ ତାରିଖରେ ଦେଢ଼ ଲକ୍ଷ ଟଙ୍କା ନେଇଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ଏକ ଚୁକ୍ତିପତ୍ର ବି ହୋଇଥିଲା। ଟଙ୍କା ନେବାର ୩ ମାସ ପରେ ବି ଝିଅକୁ ଚାକିରି ମିଳି ନଥିଲା। ଏହାପରେ ଟଙ୍କା ମାଗିବାରୁ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ତିଳୋତ୍ତମା ଏବଂ ତାଙ୍କ ଝିଅଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏନେଇ ତିଗିରିଆ ଥାନାରେ ଅଭିଯୋଗ ପରେ ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡ଼ାକି ପଚରାଉଚରା କରିଥିଲା। ୪୫ ଦିନ ମଧ୍ୟରେ ଟଙ୍କା ଫେରସ୍ତ କରିବାକୁ ସମ୍ପୃକ୍ତ ବ୍ୟକ୍ତି ଜଣକ ଥାନାରେ ଏକ ଚୁକ୍ତିନାମାରେ ଦସ୍ତଖତ କରିଥିଲେ। କିନ୍ତୁ ନିର୍ଦ୍ଧାରିତ ସମୟରେ ଫେରାଇ ନ ଥିଲେ। ଏହାପରେ ଆହୁରି ଦୁଇଥର ସମୟ ନେଇଥିଲେ ମଧ୍ୟ ଟଙ୍କା ଫେରାଉନାହାନ୍ତି।

ନ୍ୟାୟ ପାଇଁ ତିଳୋତ୍ତମା ତିଗିରିଆ ଥାନାକୁ ବାରମ୍ବାର ଦଉଡ଼ୁଥିବାବେଳେ ଏହାର ଫାଇଦା ନେଇ ଥାନାର ଜଣେ ପୁଲିସ ଅଧିକାରୀ ତାଙ୍କ ଘରକୁ ଯାଇ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିଲେ ବୋଲି ତିଳୋତ୍ତମା ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ଥାନା ଭିତରେ ବି ଅଧିକାରୀ ଜଣକ ମୋତେ କୁଣ୍ଢାଇ ଧରିବାକୁ ଉଦ୍ୟମ କରିଥିଲେ। ଲୋକ ଲଜ୍ଜା ଭୟରେ ଏଥିରୁ ଦୂରେଇ ରହିଥିଲି। ଏନେଇ ଆଠଗଡ଼ ବିଧାୟକ, ଏସ୍‌ପି, ଡିଜିଙ୍କୁ ଦେଖା କରି ଅଭିଯୋଗ ସମ୍ପର୍କରେ ଜଣାଇଛି। ହେଲେ କେହି ମତେ ନ୍ୟାୟ ଦେଉନାହାନ୍ତି। ଏପଟେ ମୁହଁ ଖୋଲିଲେ ଜୀବନରୁ ମାରିଦେବାକୁ ସମ୍ପୃକ୍ତ ବ୍ୟକ୍ତି ଓ ପୁଲିସ ଅଧିକାରୀ ଜଣକ ଧମକ ଦେଉଥିବା ତିଳୋତ୍ତମା କହିଛନ୍ତି। ଯଦି ତୁରନ୍ତ ନ୍ୟାୟ ନ ମିଳେ ତେବେ ପୁଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଏବଂ ନବୀନ ନିବାସ ସମ୍ମୁଖରେ ସପରିବାର ଆମରଣ ଅନଶନରେ ବସିବେ ବୋଲି ସେ କହିଛନ୍ତି।