‘କଳାମଣ୍ଡଳ’କୁ କଣ୍ଟ ଛାଡ଼ୁନି

ଭୁବନେଶ୍ୱର: ଗଜପତି ନଗରରେ ଚାଲିଥିବା ବହୁପ୍ରତୀକ୍ଷିତ କଳାମଣ୍ଡଳ ନିର୍ମାଣ ଏ ପର୍ଯ୍ୟନ୍ତ ଶେଷ ହୋଇପାରିଲା ନାହିଁ। ସରକାରୀ ଉଦାସୀନତା, ଜମିଜମା ବିବାଦ ଭଳି ବହୁ ଘାତ ପ୍ରତିଘାତର ସମାଧାନ ପରେ ୨୦୧୮ ମସିହାରେ ଏହି ପ୍ରକଳ୍ପର ନିଅଁ ପଡ଼ିଲା। ଯୋଜନାର ୧୫ବର୍ଷ ପରେ ୯.୮୫ ଏକର ଜମିରେ କଳାମଣ୍ଡଳ କାମ ଆରମ୍ଭ ହେଲା। ହେଲେ ଏହା ମଧ୍ୟରେ ୪ ବର୍ଷ ବିତିବାକୁ ବସିଥିଲେ ହେଁ ଏଯାବତ୍‌ କାମ ସରିପାରିଲା ନାହିଁ। ବିଭିନ୍ନ ଆଳ ଦେଖାଇ ଠିକାଦାର ଓ ସଂସ୍କୃତି ବିଭାଗ କଣ୍ଟ ପରେ କଣ୍ଟ ଗଡ଼ାଇ ଚାଲିଛନ୍ତି। ଚଳିତବର୍ଷ ୨୦୨୨ ମାର୍ଚ୍ଚ ସୁଦ୍ଧା କାମ ସାରିବା ପାଇଁ ଶେଷ ସମୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ମାର୍ଚ୍ଚ ଯାଇ ଜୁଲାଇ ସରିବାକୁ ବସିଲାଣି, କାମ ସରିପାରିନାହିଁ। କେବେ କାମ ସରିବ, ତାହାର ମଧ୍ୟ ନିର୍ଦ୍ଦିଷ୍ଟ ଉତ୍ତର କାହାରି ପାଖରେ ନାହିଁ।

କଳା, ସଂସ୍କୃତି, ନାଟକ, ନୃତ୍ୟ, ସଙ୍ଗୀତ ଓ ବିଭିନ୍ନ ସାମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ରାଜଧାନୀରେ ପ୍ରେକ୍ଷାଳୟର ଅଭାବ ଦୂର କରିବାକୁ ୨୦୦୩ ମସିହାରେ ‘କଳାମଣ୍ଡଳ’ର ପରିକଳ୍ପନା କରାଯାଇଥିଲା। କେନ୍ଦ୍ର ସରକାର ଏଥିପାଇଁ ୨ କୋଟି ୩୦ଲକ୍ଷ ଟଙ୍କା ଦେଇଥିଲେ। ଏହା ମଧ୍ୟରେ ୨ ହଜାର ଆସନ ବିଶିଷ୍ଟ ମେଗା ଅଡିଟୋରିୟମ ସମେତ ୫୦୦ ଆସନ ବିଶିଷ୍ଟ ଆମ୍ପି ଥିଏଟର୍‌, ଗୋଟିଏ କଳାଗ୍ରାମ, ସଂଗ୍ରହାଳୟ, ମୁକ୍ତାକାଶ ମଞ୍ଚ, ଅତିଥି ଭବନ କରାଯିବାକୁ ଯୋଜନା କରାଯାଇଥିଲା। ଏହି ଅଡିଟୋରିୟମ୍‌ ନିର୍ମାଣ ହେଲେ ଭୁବନେଶ୍ବରରେ ଅନ୍ତର୍ଜାତୀୟସ୍ତରର ସମ୍ମିଳନୀ ପାଇଁ ବାଟ ଫିଟିବା ସହ ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବାରେ ମଧ୍ୟ ସହାୟକ ହେବ ବୋଲି କୁହାଗଲା।

ପ୍ରସ୍ତାବିତ ଏହି ପ୍ରକଳ୍ପ ପାଇଁ ୨୦୦୬ ମସିହାରେ ସୈନିକ ସ୍କୁଲ୍‌ ନିକଟ ଗଜପତି ନଗରରେ ସରକାର ୧୦ ଏକର ଜମି ଯୋଗାଇଦେଲେ। ମାତ୍ର ପରେ ଜମି ମାଲିକାନାକୁ ନେଇ ବିବାଦ ଉପୁଜିବାରୁ କୋର୍ଟରେ ମାମଲା ଗଡ଼ିଲା। ସଂସ୍କୃତି ବିଭାଗ ମାମଲା ଜିତିବା ପରେ ୨୦୧୮ ଫ୍ରେବୁଆରିରୁ ୯.୮୫ ଏକର ଜମିରେ ଏବେ କଳାମଣ୍ଡଳ କାମ ଚାଲୁ ରହିଛି। ହେଲେ ୪ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଏହାର ନିର୍ମାଣ ସରି ପାରୁନାହିଁ।

୨୦୧୯ ଜୁଲାଇ ୧୫ ସୁଦ୍ଧା ଏହାକୁ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମାତ୍ର ଲଗାତାର ବର୍ଷା ଯୋଗୁଁ କାମ ବାଧାପ୍ରାପ୍ତ ହୋଇଥିବା କୁହାଗଲା। ପୁଣି ବର୍ଷେ ସମୟ ଦିଆଗଲା। ୨୦୨୦ ଜୁଲାଇ ସୁଦ୍ଧା ମାତ୍ର ୬୦% କାମ ସରିଲା। ସମ୍ପୂର୍ଣ୍ଣ ଶେଷ ହେବାକୁ ଓ ଏହାର ଉଦ୍‌ଘାଟନ ପାଇଁ ପୁଣି ଏକ ନୂଆ ତାରିଖ ଠିକ୍‌ କରାଗଲା। ୨୦୨୧ ଡିସେମ୍ବର ସୁଦ୍ଧା ବାକି କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଗଲା। ହେଲେ ତାହା ମଧ୍ୟ ସମ୍ଭବ ହେଲା ନାହିଁ। ତେବେ ୨୦୨୨ ମାର୍ଚ୍ଚ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶେଷ ସମୟ ଦିଆଯାଇଥିଲା। କିନ୍ତୁ ମାର୍ଚ୍ଚ ସରି ଜୁଲାଇ ସରିବାକୁ ବସିଲାଣି, ସେ ନେଇ କେହି ପାଟି ମଧ୍ୟ ଫିଟାଉ ନାହାନ୍ତି।

୫୯ କୋଟି ୮୫ ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା ଏହି କଳାମଣ୍ଡଳ ଭିତରେ ଲଳିତ କଳାମଣ୍ଡଳ, ସଂଗୀତ କଳାମଣ୍ଡଳ, କଳା ଗ୍ରାମ, ଐତିହ୍ୟ ପାର୍କ, କାଫେଟେରିଆ ଓ ଅତିଥି ଭବନର ନିର୍ମାଣ କାମ ଶେଷ ହୋଇଛି। ୬୨ ହଜାର ବର୍ଗଫୁଟ୍‌ ପରିମିତ ଗ୍ରାଉଣ୍ଡ୍‌ ଫ୍ଲୋର୍‌ରେ ପାର୍କିଂ ସୁବିଧା କରାଯିବା ନେଇ ବ୍ୟବସ୍ଥା ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର