କଣ୍ଟ ପୂରିଲା, ଦାଖଲ ହେଲାନି: ଏବେ ବି ବଜାରରେ

୧୦୨୭ ଲାଇସେନ୍ସ ବନ୍ଧୁକ

ଭୁବନେଶ୍ବର: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ ଆୟୋଗ ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀଙ୍କଠାରୁ ବନ୍ଧୁକ ସଂଗ୍ରହ ପାଇଁ କିଛି ଦିନ ତଳେ କମିସନରେଟ୍‌ ପୁଲିସକୁ ନିର୍ଦେଶ ଦେଇଥିଲେ। ପୁଲିସ ପକ୍ଷରୁ ୨୮ ତାରିଖ ପୂର୍ବରୁ ବନ୍ଧକୁ ଦାଖଲ କରିବାକୁ ନୋଟିସ୍‌ କରାଯାଇଥିଲା। ତେବେ ନୋଟିସ୍‌ ଜାରି ହେବାର ୧୫ ଦିନ ବିତି ଯାଇଥିଲେ ସୁଧା ଏ ପର୍ଯ୍ୟନ୍ତ ସମସ୍ତ ବନ୍ଧୁକ ଦାଖଲ ହୋଇପାରିନାହିଁ। ଏବେ ବି ୧୦୨୭ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ଦାଖଲ ହୋଇନାହିଁ। କମିସନରେଟ ପୁଲିସ ପକ୍ଷରୁ ପୁଣି ୭ ଦିନର ମହଲତ ଦିଆଯାଇଛି। ସୂଚନା ଅନୁଯାୟୀ କମିସନରେଟ୍‌ ପୁଲିସ ପକ୍ଷରୁ ୧୭୦୯ଜଣଙ୍କୁ ବନ୍ଧୁକ ଲାଇସେନ୍ସ ପ୍ରଦାନ କରାଯାଇଛି। ନୋଟିସ୍‌ ପ୍ରକାଶ ପାଇବା ପରେ ୬୮୨ଜଣ ବନ୍ଧୁକ ଦାଖଲ କରିଛନ୍ତି। ତେବେ ଖୁବଶୀଘ୍ର ବନ୍ଧୁକ ଦାଖଲ କରିବା ପାଇଁ ଡିସିପି ଅନୁପ ସାହୁ କହିଛନ୍ତି। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀଙ୍କ ତାଲିକାରେ ରାଜଧାନୀର କେତେକ ସିକ୍ୟୁରିଟି ସଂସ୍ଥା, ରାଜନେତା, ସାମ୍ବାଦିକ, ଆଇନଜୀବୀ ଓ ଶିଳ୍ପପତିଙ୍କ ନାଁ ରହିଛି। ସର୍ବାଧିକ ନୂଆପଲ୍ଲୀ, କ୍ୟାପିଟାଲ, ଖଣ୍ଡଗିରି, ବଡ଼ଗଡ଼ ଓ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀ ଅଛନ୍ତି। ଏହି ସବୁ ଅଞ୍ଚଳରେ ଅଧିକାଂଶ ବନ୍ଧୁକ ଫେରାଇ ନାହାନ୍ତି। ଇନଫୋସିଟି ଓ ନନ୍ଦନକାନନ ଥାନା ଅଞ୍ଚଳରେ ଲାଇସେନ୍ସପ୍ରାପ୍ତ ସମସ୍ତ ବନ୍ଧୁକଧାରୀ ନିଜ ବନ୍ଧୁକ ପୁଲିସ ନିକଟରେ ଜମା କରି ସାରିଛନ୍ତି।

ସମ୍ବନ୍ଧିତ ଖବର