ଟାଇମ୍‍ପାସ୍‍ ପୁସ୍ତକପର୍ବ, ‘ପ୍ରଥମ ପ୍ରେମ’ ଓ ‘ତଲାସ’ ଲୋକାର୍ପିତ

ଭୁବନେଶ୍ୱର: ତୂଳୀତଳ୍ପ ଶଯ୍ୟାରେ ଶୋଇ, ଗଗନଶ୍ଚୁମ୍ଭୀ ପ୍ରାସାଦରେ ବସି କବିତା ଲେଖାଯାଇପାରେ, ମାତ୍ର ଗଳ୍ପ ନୁହେଁ। ଗଳ୍ପ ଲେଖିବା ପାଇଁ ଜୀବନର ସୁଖ ଦୁଃଖ, ହସ କାନ୍ଦ, ସ୍ୱପ୍ନ ଓ ସଂଗ୍ରାମକୁ ନେଇ ଗଭୀର ଅନୁଭୂତି ଆବଶ୍ୟକ। ଇଂଜିନିୟର ବିଦ୍ୟାଧର ପଣ୍ଡାଙ୍କ ଯୁଗ୍ମ ଗଳ୍ପ ସଂକଳନ ‘ପ୍ରଥମ ପ୍ରେମ’ ଓ ‘ତଲାସ’କୁ ଲୋକାର୍ପଣ କରି ଅତିଥିମାନେ ଏହା କହିଛନ୍ତି। ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ଟାଇମପାସ୍‍ ପକ୍ଷରୁ ହୋଟେଲ କେଶରୀରେ ଆୟୋଜିତ ପୁସ୍ତକପର୍ବରେ ବିଶିଷ୍ଟ କଥାକାର ଓ ବାଗ୍ମୀ ଅଧ୍ୟାପକ ବିଶ୍ୱରଂଜନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ପୁସ୍ତକର ସମୀକ୍ଷା କରିଥିଲେ କବି ସଂପଦ ନାୟକ ଓ କଥାକାର ମନୋଜ ଦଳବେହେରା। ଲେଖକ ଶ୍ରୀ ପଣ୍ଡା ନିଜ ଗଳ୍ପଲେଖାର ପୃଷ୍ଠଭୂମି ସଂପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମକୁ ଯୁବକବି ବେଦପ୍ରକାଶ ନାୟକ ସଂଚାଳନ କରିଥିବାବେଳେ ସ୍ୱାଗତଭାଷଣ ପ୍ରଦାନ କରିଥିଲେ ଟାଇମ୍‍ପାସ୍‌ର ନିର୍ଦ୍ଦେଶକ ସରୋଜ ବଳ। ଅବିନାଶ ସାହୁ, ବଳରାମ ନାୟକ, ପ୍ରିୟାଂଶୁ ପ୍ରିୟଦେବ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର