ଟିପି ସ୍କିମ୍‌ରେ ରାଜସ୍ବ ବିଭାଗବାଧକ

୪ମାସ ହେଲା ଅହମ୍ମଦାବାଦ ବୁଲିକି ଆସିଲେଣି, କାମ ହେଉନି

ଭୁବନେଶ୍ବର: ବିଡିଏର ବହୁ ପ୍ରତୀକ୍ଷିତ ଟାଉନ୍‌ ପ୍ଲାନିଂ ଯୋଜନା(ଟିପି ସ୍କିମ୍‌)ର ପ୍ରଥମ ପ୍ରକଳ୍ପ କେବେ କାର୍ଯ୍ୟକାରୀ ହେବ, ସେନେଇ ଅନିଶ୍ଚିତତା ଦେଖାଦେଲାଣି। ରାଜ୍ୟ ସରକାରଙ୍କ ଦୁଇଟି ବିଭାଗ ମଧ୍ୟରେ ତାଳମେଳ ରହୁ ନଥିବା ଓ ଅସହଯୋଗ ମନୋବୃତ୍ତି ଯୋଗୁଁ ଏବେ ଟିପି ସ୍କିମ୍‌ କାର୍ଯ୍ୟକାରିତା ନେଇ ଅଡ଼ୁଆ ବଢ଼ିବାରେ ଲାଗିଛି। ଟିପି ସ୍କିମ୍‌-୧ରେ ପାଇକରାପୁର ପାଇଁ ଜମି ଜନିତ ସମସ୍ତ ଅଭିଯୋଗର ଶୁଣାଣି ଶେଷ ହେବା ପରେ ରାସ୍ତା ଚିହ୍ନଟ ପ୍ରକ୍ରିୟା ଶେଷ ହେଲା। ଏହାପରେ କାହାକୁ କେତେ ଜମି କେଉଁଠି ମିଳିବ, ସେ କାମ ବି ଚାଲିଥିଲା। କିନ୍ତୁ ଜମି ମାଲିକାନା(ପଟ୍ଟା) କେମିତି ଦେବେ‌, ସେନେଇ ବିଡିଏ କି ରାଜସ୍ବ ବିଭାଗ କର୍ତ୍ତୃପକ୍ଷ କିଛି ବୁଦ୍ଧିବାଟ ନ ପାଇବାରୁ ଏହା ସ୍ଥଗିତ ରହିଛି। ୬ ମାସ ତଳେ ବହୁ ଆଲୋଚନା ପରେ ନିଷ୍ପତ୍ତି ହେଲା ଯେ ଅହମ୍ମଦାବାଦକୁ ଦେଖି ଯେଉଁ ଟିପି ସ୍କିମ୍ ଆରମ୍ଭ ହୋଇଥିଲା, ସେହି ଅନୁଯାୟୀ ଜମି ମାଲିକାନା ଦିଆଯିବ। ଏଥିପାଇଁ ବିଡିଏ ଓ ରାଜସ୍ବ ବିଭାଗର ଏକ ମିଳିତ ଟିମ୍ ଅହମ୍ମଦାବାଦ ବି ଗଲେ। ସେଠାରେ ଅହମ୍ମଦାବାଦ ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷଙ୍କ ସହ ଏନେଇ ଆଲୋଚନା କଲେ। ରାଜସ୍ବ ଓ ବିଡିଏର ଅଧିକାରୀମାନେ ସବୁ ବୁଝିସୁଝି ୪ମାସ ହେଲା ଆସିଲେଣି। କିନ୍ତୁ ଏହାକୁ ଲାଗୁ କରୁନାହାନ୍ତି। ଯେଉଁ ରାଜସ୍ବ ବିଭାଗର ଅଧିକାରୀମା‌ନେ ବୁଲିବାକୁ ଯାଇଥିଲେ, ସେମାନଙ୍କୁ ଟିପି ସ୍କିମ୍ ପାଇଁ ନିୟମ ପରିବର୍ତ୍ତନ ପାଇଁ କହିଲେ, ସେମାନେ କହୁଛନ୍ତି ଆମେ କିଛି କରିପାରିବୁନି। ଯେଉଁ ପଦକୁ ନଜରରେ ରଖି ସେମାନଙ୍କୁ ଅହମ୍ମଦାବାଦ ପଠାଯାଇଥିଲା, ସେହି ପଦରୁ ଏବେ କେତେକଙ୍କର ବଦଳି ହୋଇଗଲାଣି। ତେଣୁ ସେମାନେ କହୁଛନ୍ତି ଉପରିସ୍ଥ ଅଧିକାରୀ ଯାହା କହିବେ, ସେହି ଅନୁଯାୟୀ ହେବ। ଇତି ମଧ୍ୟରେ ରାଜସ୍ବ ସଚିବ ବଦଳି ନୂଆ ସଚିବ ଆସିଲେଣି। କିନ୍ତୁ ସମସ୍ୟାର ବି ସମାଧାନ ହେଉନି। ବରଂ ବୁଲି ଯାଇଥିବା ରାଜସ୍ବ ଅଧିକାରୀ ଏବେ ପୂରା ଖାପଛଡ଼ା ଦେଲେଣି। ଏନେଇ ବିଡିଏ କର୍ତ୍ତୃପକ୍ଷଙ୍କୁ ପଚାରିଲେ ସେମାନେ କହୁଛନ୍ତି ଖୁବ୍ ଶୀଘ୍ର ଟିପି ସ୍କିମ୍‌ର ପ୍ରଥମ ପର୍ଯ୍ୟାୟ ଶେଷ ହେବ। ଟିପି ସ୍କିମ୍‌ର ଭାଗ୍ୟ ‌ଏବେ ରାଜସ୍ବ ବିଭାଗ ଅଧିକାରୀଙ୍କ ଉପରେ ନିର୍ଭର କରୁଥିବାରୁ କାଳେ କିଛି ଅସୁବିଧା ହେବ ବୋଲି ଆଶଙ୍କା କରି ବିଡିଏ କର୍ତ୍ତୃପକ୍ଷ ତାଙ୍କ ଦୋଷ ବି ଦେଉନାହାନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଟିପି ସ୍କିମ୍‌ କାର୍ଯ୍ୟକାରୀ କରିବା ପାଇଁ ରାଜସ୍ବ ନିୟମରେ ପରିବର୍ତ୍ତନ ଅଣାଯିବ। ହେଲେ ରାଜସ୍ବ ବିଭାଗ ଅଧିକାରୀ ସହଯୋଗ କରୁନାହାନ୍ତି। ତେଣୁ ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ଏକ ଉଚ୍ଚସ୍ତର‌ୀୟ ବୈଠକ ବସି ଏନେଇ ଠୋସ୍‌ ନିଷ୍ପତ୍ତି ନେବାକୁ ଯୋଜନା ହେଉଛି। ଆସନ୍ତା ଦୁଇରୁ ତିନିମାସ ମଧ୍ୟରେ ଏହାକୁ ଲାଗୁ କରିବାକୁ କର୍ତ୍ତୃପକ୍ଷ ଆଶା ରଖିଛନ୍ତି।

ରାଜସ୍ବ ନିୟମରେ ପରିବର୍ତ୍ତନ ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ
ରାଜସ୍ବ ବିଭାଗ ଓ ବିଡିଏ ମଧ୍ୟରେ ତାଳମେଳ ରହୁନି

ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଟିପି ସ୍କିମ୍‌ରେ ମୂଳ ଜମିର ନକ୍ସା ସ˚ପୂର୍ଣ୍ଣ ବଦଳି ଯାଇଥିବା ବେଳେ ଏବେ ଜମି ମାଲିକଙ୍କୁ କିପରି ପଟ୍ଟା ପ୍ରଦାନ କରାଯିବ, ସେନେଇ ସମସ୍ୟା ରହିଛି। ଅହମ୍ମଦାବାଦ ଯାଇଥିବା ଟିମ୍ ସେଠାରେ ଟିପି ସ୍କିମ୍ କିପରି ଲାଗୁ ହୋଇଛି, ତାହାକୁ ବୁଝିକି ଆସିଛନ୍ତି। ଏହାକୁ ଆଧାର କରି ଭୁବନେଶ୍ବରରେ ଟିପି ସ୍କିମ୍‌ ଲାଗୁ ହେବ। ଅହମ୍ମଦାବାଦ ଢାଞ୍ଚାରେ ହିଁ ଜମି ମାଲିକାନା ପ୍ରଦାନ କରାଯିବ। ଆମର ରାଜସ୍ବ ନିୟମରେ ଟିପି ସ୍କିମ୍ ନାହିଁ। ତେଣୁ ସମସ୍ୟା ହେଉଛି। ଏହାକୁ ସଂଶୋଧନ କରି ଟିପି ସ୍କିମ୍‌କୁ ସାମିଲ୍ କରାଯିବ। ଏହାପରେ ଆଉ ଜମି ପଟ୍ଟା ଦେବାରେ ସମସ୍ୟା ଉପୁଜିବନି। କିନ୍ତୁ ରାଜସ୍ବ ବିଭାଗ ଯେତେ ଶୀଘ୍ର ନିୟମରେ ପରିବର୍ତ୍ତନ ଆଣିବ, ସେତେ ଜଲ୍‌ଦି ଟିପି ସ୍କିମ୍ କାର୍ଯ୍ୟକାରୀ ହେବ। ସୂଚନାଯୋଗ୍ୟ ଯେ ଟିପି ସ୍କିମ୍‌-୧ରେ ୭୪୬.୭୦ ଏକର ଜମି ଥିବା ବେଳେ ଏଥିରୁ ପାଇକରାପୁରର ୩୧୭.୯୩ ଏକର ଜମିରେ ପ୍ରଥମ ପର୍ଯ୍ୟାୟରେ ଉନ୍ନତୀକରଣ ହେବ। କିନ୍ତୁ ପାଇଲଟ୍‌ ପ୍ରକଳ୍ପ ଭାବେ ଏଥିରୁ ୧୪୫ଏକର ଜମିର ଉନ୍ନତୀକରଣ କରାଯାଇଛି। ଗତ ମାର୍ଚ୍ଚ ୬ ତାରିଖରୁ ଆରମ୍ଭ ହୋଇଥିବା ଜମି ଓ ରାସ୍ତା ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ଏଥିରେ ପ୍ରାୟ ୬୦୦ରୁ ଅଧିକ ହିତାଧିକାରୀଙ୍କ ପାଇଁ ଜମି ଚିହ୍ନଟ କରାଯାଇଛି। ରାସ୍ତା ମଧୢ ନିର୍ମାଣ ସରିଛି। କିନ୍ତୁ ଜମି ଆବଣ୍ଟନ କଲେ ଲୋକଙ୍କୁ ଏହାର ମାଲିକାନା ପାଇଁ ପଟ୍ଟା ଦେବାକୁ ପଡ଼ିବ। ଏହା ବିଡିଏ ଜମି ହୋଇ ନଥିବାରୁ ଏଠାରେ ବିଡିଏ ଆଲଟମେଣ୍ଟ ଲେଟର୍‌ ଦେଇ ପାରିବନି। ତେଣୁ ଏହି ରାଜସ୍ବ ଜମିର ପଟ୍ଟା ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। କିନ୍ତୁ ଏହି ପଟ୍ଟା ପ୍ରସ୍ତୁତ କରିବା ଏବେ କାଠିକାର ପାଠ ହେଲାଣି।

ଦୁଇଟି ବିକଳ୍ପ ଫେଲ୍‌ ମାରିଛି
ଟିପି ସ୍କିମ୍‌-୧ କାର୍ଯ୍ୟକାରୀ ହୋଇଥିବା ଅଞ୍ଚଳରେ ଯାହାର ପୂର୍ବରୁ ଯେଉଁଠି ଜମି ଥିଲା ଏବେ ସେଠାରେ ଆଉ ନାହିଁ। ଜମିର ନକ୍ସା ସ˚ପୂର୍ଣ୍ଣ ଭାବେ ବଦଳି ଯାଇଛି। ତେଣୁ ରାଜସ୍ବ ବିଭାଗର ପରାମର୍ଶ ଲୋଡ଼ା ଯାଇଥିଲା। ଏବେ ଜମି ଦେବାକୁ ହେଲେ ସେଲ୍‌ ଡିଡ୍‌ କରିବାକୁ ହେବ, ନଚେତ୍‌ ସେଟେଲମେଣ୍ଟ ଯୋଜନା କରିବାକୁ ପଡ଼ିବ। ସେଲ୍‌ ଡିଡ୍‌ କଲେ ଜମି ମାଲିକଙ୍କୁ ସରକାରଙ୍କୁ ଷ୍ଟାମ୍ପ୍‌ ଡ୍ୟୁଟି ଦେବାକୁ ପଡ଼ିବ। ହେଲେ ଟିପି ସ୍କିମ୍‌ରେ ବିଡିଏ ପ୍ରତିଶ୍ରୁତି ଦେଇଛି ଯେ ଜମି ମାଲିକଙ୍କର ଟଙ୍କା ଖର୍ଚ୍ଚ ହେବନି। କେବଳ ଯାହା ଜମିରୁ ୪୦% ଅ˚ଶ ରାସ୍ତା ଏବ˚ ଅନ୍ୟାନ୍ୟ ଅଞ୍ଚଳ ଉନ୍ନତୀକରଣ ପାଇଁ ଯିବ। ଏବେ ଷ୍ଟାମ୍ପ୍‌ ଡ୍ୟୁଟି ପାଇଁ ଅର୍ଥ ଦେବାକୁ କହିଲେ, ଲୋକ ବିରୋଧ କରିବାର ସମ୍ଭାବନା ଥିବାରୁ ଏହି ଯୋଜନା କାର୍ଯ୍ୟକାରୀ କରିବା କଷ୍ଟକର। ସେହିପରି ସେଟେଲମେଣ୍ଟ ଅନ୍ୟ ଏକ ଉପାୟ ହୋଇଥିଲେ ହେଁ ଏହା ସହଜ ହେଉନି। ସେଟେଲମେଣ୍ଟ ଗୋଟିଏ ରାଜସ୍ବ ଗ୍ରାମରେ କରିବାର ନିୟମ ଅଛି। ହେଲେ ଟିପି ସ୍କିମ୍‌-୧ରେ ୪ଟି ରାଜସ୍ବ ଗ୍ରାମକୁ ସାମିଲ୍‌ କରି ଜମି ଆବଣ୍ଟନ ହୋଇଛି। ଏପରିକି କେତେକ ହିତାଧିକାରୀଙ୍କୁ ଯେଉଁ ଜମି ଆବଣ୍ଟନ କରିବାକୁ ଚିହ୍ନଟ ହୋଇଛି ସେଥିରୁ କିଛି ଅ˚ଶ ଗୋଟିଏ ରାଜସ୍ବ ଗ୍ରାମରେ ଥିବା ବେଳେ ଆଉ କିଛି ଅନ୍ୟ ଏକ ରାଜସ୍ବ ଗ୍ରାମରେ ରହିଛି। ଏହାଦ୍ବାରା ସେଟେଲମେଣ୍ଟ କରିବା ସମ୍ଭବ ନୁହେଁ।

ପାଇକରାପୁର ଉପରେ ଅନ୍ୟ ଟିପି ସ୍କିମ୍‌ ଭାଗ୍ୟ
ପାଇକରାପୁର ଟିପି ସ୍କିମ୍‌ କାର୍ଯ୍ୟକାରୀ ହେବା ପରେ ଟିପି ସ୍କିମ୍‌-୧ରେ ବାକି ଥିବା ନାରଗୋଦାରେ ୧୪୮.୪୨ଏକର, ସିଜିପୁଟରେ ୧୭୬.୨୦ଏକର, ସହଜପୁରରେ ୧୦୪.୧୭ଏକର ଅଞ୍ଚଳର ଉନ୍ନତୀକରଣ ହେବ। ଏଠାରେ ହିତାଧିକାରୀଙ୍କୁ ପର୍ଯ୍ୟାୟକ୍ରମେ ଜମି ଆବଣ୍ଟନ ଓ ରାସ୍ତା ଚିହ୍ନଟ କରାଯିବ। ଟିପି ସ୍କିମ୍‌-୧ର ସମସ୍ୟା ତୁଟିଲେ ବାକି ଟିପି ସ୍କିମ୍‌ କାର୍ଯ୍ୟ ତୁରନ୍ତ ହୋଇଯିବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି। ତମାଣ୍ତୋ ଓ ବିଜିପୁର ମୌଜାର ୧୯୯ଏକର ଜମିକୁ ନେଇ ଟିପି ସ୍କିମ୍‌-୨ ହେଉଥିବା ବେଳେ ଏଠାରେ ୬୦୪ଜଣ ଜମି ମାଲିକ ଅଛନ୍ତି। ସେହିପରି ଟିପି-୩ ପାଇକରାପୁର ଓ ନୂଆ ଗାଁ ମୌଜାର ୨୮୦ଏକର ଜମିକୁ ନେଇ ହେଉଥିବା ବେଳେ ଏଠାରେ ୧୦୬୦ଜଣ ଜମି ମାଲିକ ଅଛନ୍ତି। ଆଉ ଟିପି-୪ ଶ୍ୟାମସୁନ୍ଦରପୁର ମୌଜାର ୩୭୧ଏକର ଜମିକୁ ନେଇ ହେଉଥିବା ବେଳେ ଏବେ ସୁଦ୍ଧା ଏଠାରେ ୬୯୭ମାଲିକଙ୍କୁ ଚିହ୍ନଟ କରାଯାଇଛି। ଟିପି ସ୍କିମ୍‌ ୧ ଚୂଡ଼ାନ୍ତ ରୂପ ପାଇବା ପରେ ଟିପି ସ୍କିମ୍‌୨, ୩ ଓ ୪ ପାଇଁ ପ୍ରସ୍ତୁତି ଆରମ୍ଭ ହେବ।

ସମ୍ବନ୍ଧିତ ଖବର