ରାଜଧାନୀରେ ଟିଟାନସ୍ ଅଭାବ

୧୦ମାସ ହେଲାଣି ଟିଟାନସ୍ କିଣି ପାରୁନି ଔଷଧ ନିଗମ

ଭୁବନେଶ୍ବର: ରାଜଧାନୀରେ ଉତ୍କଟ ହେଲାଣି ଟିଟାନସ୍ ଇଞ୍ଜେକ୍‌ସନ୍‌ର ଅଭାବ। କ୍ୟାପିଟାଲ ହସ୍ପିଟାଲକୁ ଛାଡ଼ି ଦେଲେ ଅନ୍ୟ କୌଣସ ସିଏଚ୍‌ସି କିମ୍ବା ପିଏଚ୍‌ସିରେ ଟିଟାନସ୍ ମିଳୁନି। ଯାହାବି ମିଳୁଛି ତାହା ରୋଗୀଙ୍କୁ ଯଥେଷ୍ଟ ହେଉନାହିଁ। ଏପରିକି ଖୋଲା ବଜାର‌ର ମଧ୍ୟ ଏହାର ଘୋର ଅଭାବ ଦେଖା ଦେଲାଣି। ସାମାନ୍ୟ ଖଣ୍ଡିଆ ପାଇଁ ଆବଶ୍ୟକ ପଡ଼ୁଥିବା ଟିଟାନସ୍‌କୁ ନେଇ ରାଜ୍ୟ ଔଷଧ ନିଗମ ଗତ ୧୦ମାସ ହେବ ସମସ୍ୟାରେ ପଡ଼ିଛି। ଧାର୍ଯ୍ୟ ଦରରେ ‌ଔଷଧ କମ୍ପାନି ଟିଟାନସ୍‌ ଦେବାକୁ ରାଜି ହେଉ ନ ଥିବା ବେଳେ ଏହି ସମସ୍ୟା ଦୂର ହେବା ପାଇଁ ଆହୁରି ମାସେରୁ ଅଧିକ ସମୟ ଲାଗିବ ବୋଲି କୁହାଯାଉଛି। ରାଜ୍ୟ ଔଷଧ ନିଗମ ପ୍ରତିବର୍ଷ ଅଧିକ ସଂଖ୍ୟାରେ ଔଷଧ କିଣିବା ପାଇଁ ନିଷ୍ପତ୍ତି ନେଉଥିବା ବେଳେ ସାଧାରଣଭାବେ ଆବଶ୍ୟକ ଟିଟାନସ୍‌୍ଇ ଇଞ୍ଜେକସନ୍‌ର ଅଭାବ କିଭଳି ଦୂର କରାଯିବ ସେ ଦିଗରେ ଆଗ୍ରହ ଦେଖାଉ ନାହିଁ। ସୂଚନା ଅନୁଯାୟୀ, ଟିଟାନସ୍‌ ଇଞ୍ଜେକସନ୍ ପାଇଁ ରାଜ୍ୟ ଔଷଧ ନିଗମରେ ଗତ ୩ଟି ଟେଣ୍ଡର ପ୍ରକ୍ରିୟାରେ ଜଣେ ମାତ୍ର ଆବେଦନକାରୀ କମ୍ପାନି ରହିଥିଲେ।। ଟିଟାନସ ପାଇଁ କେନ୍ଦ୍ର ଔଷଧ ଦର ନିୟନ୍ତ୍ରକ କର୍ତୃପକ୍ଷ ବା ଏନ୍‌ପିପିଏ ୫.୮୩ ଟଙ୍କା ଧାର୍ଯ୍ୟ କରିଛନ୍ତି। ତେବେ ନିଗମରୁ ହୋଇଥିବା ଟେଣ୍ଡର୍‌ରେ ଆବେଦନକାରୀ କମ୍ପାନି ପକ୍ଷରୁ ଏଥିପାଇଁ ୮ଟଙ୍କା ରଖାଯାଇଥିଲା। ତେବେ ଏନ୍‌ପିପିଏର ଧାର୍ଯ୍ୟ ଦରଠାରୁ ଏହା ଯଥେଷ୍ଟ ଥିବାରୁ ନିଗମ ଏହାକୁ କିଣି ନ ଥିଲା। ଚଳିତବର୍ଷ ଆରମ୍ଭରୁ ଔଷଧ ନିଗମ ପକ୍ଷରୁ ଟିଟାନସ୍‌ର ଯୋଗାଣ ଏକପ୍ରକାର ବନ୍ଦ ହୋଇଯାଇଛି। ଅପରପକ୍ଷରେ ଟିଟାନସ୍‌କୁ ନେଇ ଅଚଳାବସ୍ଥା ପରେ ଦିଲ୍ଲୀ ହାଇକୋର୍ଟ ଏନ୍‌ପିପିଏ ପକ୍ଷରୁ ଧାର୍ଯ୍ୟ ଦରରେ ପରିବତର୍ନ ଆଣିବା ପାଇଁ ନିର୍ଦେଶ ଦେଇଥିଲେ। ଏବେ ୭.୭୭ଟଙ୍କାରେ ସଂପୃକ୍ତ କମ୍ପାନି ଇଞ୍ଜେକସନ୍ ଯୋଗାଇବା ପାଇଁ ରାଜି ହୋଇଛି। ତେବେ ଟେଣ୍ଡର୍‌ ପ୍ରକ୍ରିୟା କାର୍ଯ୍ୟକାରୀ ହୋଇ ଟିଟାନସ୍‌ ଇଞ୍ଜେକସନ୍‌ର ଅଭାବ ଦୂର ହେବା ପାଇଁ ୧ମାସରୁ ଅଧିକ ସମୟ ଲାଗିବ ବୋଲି କୁହାଯାଉଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଡାକ୍ତରଖାନାଗୁଡ଼ିକୁ ଦିଆଯାଉଥିବା ୨୦ପ୍ରତିଶତ ଅତିରିକ୍ତ ଅର୍ଥରୁ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ ଟିଟାନସ୍‌ ଇଞ୍ଜେକସନ୍ କିଣୁଥିବା ଜଣାପଡ଼ିଛି। ତଥାପି ଏହା ଯଥେଷ୍ଟ ହେଉନାହିଁ। ତେବେ ରାଜଧାନୀରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବା ପିଏଚ୍‌ସି ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବା ସିଏଚ୍‌ସିରେ ଟିଟାନସ୍‌ର ଉତ୍କଟ ଅଭାବ ଦେଖା ଦେଇଛି। କିଛି ପିଏଚ୍‌ସି ବା ସିଏଚ୍‌ସି ନିଜ ରୋଗୀ କଲ୍ୟାଣ ସମିତି ବା ଆରକେଏସ୍ ପାଣ୍ଠିରୁ କିଛି ଟିଟାନସ କିଣୁଥିଲେ ହେଁ ସବୁ ସମୟରେ ଏହା ଲୋକଙ୍କୁ ମିଳୁନାହିଁ। ଖୋଲା ବଜାରରେ ମଧ୍ୟ ଟିଟାନସ୍‌ର ଅଭାବ ବଢ଼ିବାରେ ଲାଗିଛି। ଟିଟାନସ୍‌ର ବଜାର ଦର ଅଧିକ ନ ଥିଲେ ହେଁ, ଆବଶ୍ୟକ ପରିମାଣରେ ଉପଲବ୍ଧ ନ ହେବାକୁ ନେଇ ସଂକଟ ଦେଖା ଦେଇଛି। ରାଜ୍ୟ ଔଷଧ ନିଗମର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଏନ୍‌ପିପିଏ ପକ୍ଷରୁ ଟିଟାନସ୍‌ ପାଇଁ ଯେତିକି ଦର ଧାର୍ଯ୍ୟ ହୋଇଛି ‌ସେହି ଦରରେ ଇଞ୍ଜେକସନ୍ ଯୋଗାଇବା ପାଇଁ କମ୍ପାନି ରାଜି ହୋଇ ନ ଥିଲା। ଫଳରେ ନିଗମ ଗତ ୧୦ ମାସ ହେବ ଟିଟାନସ୍‌ କିଣିପାରୁ ନାହିଁ। ଯାହାଫଳରେ ଟିଟାନସ୍‌ର ଅଭାବ ସୃଷ୍ଟି ହୋଇଛି। ତେବେ ଏନ୍‌ପିପିପଏ ନିଜ ଧାର୍ଯ୍ୟ ଦରରେ ପରିବର୍ତନ କରିବା ପରେ ଏହାକୁ କିଣିବା ପାଇଁ ପାଇଁ ଟେଣ୍ଡର କରାଯାଇଛି। ଖୁବଶୀଘ୍ର ଟିଟାନସ୍‌ର ଅଭାବ ଦୂର ହେବ ବୋଲି ଅଧିକାରୀ କହିଛନ୍ତି।

୨୦୧୮/୧୯ରେ ୬୪୦ ପ୍ରକାରର ଔଷଧ ଚିହ୍ନଟ କରିଛି ନିଗମ :
୨୦୧୮/୧୯ବର୍ଷରେ ରାଜ୍ୟ ଔଷଧ ନିଗମ ୬୪୦ ପ୍ରକାରର ଔଷଧକୁ ଚିହ୍ନଟ କରିଛି। ପ୍ରଥମ ପର୍ଯ୍ୟାୟରେ ୬୦୪ ପ୍ରକାରର ଔଷଧ କିଣାଯିବାକୁ ନିଷ୍ପତ୍ତି ନିଆଯାଇଛି। ସେଥିରେ ୩୨୬ ପ୍ରକାରର ଅତ୍ୟାବଶ୍ୟକ ଔଷଧ ରହିଥିବା ବେଳେ ୬୫ଟି କର୍କଟ ନିରୋଧୀ ଔଷଧ, ୪୨ ପ୍ରୋଗ୍ରାମ ଔଷଧ, ୮୫ଟି ଖାଇବା ଯୋଗ୍ୟ, ୪୩ ମାନସିକ ସ୍ବାସ୍ଥ୍ୟ ଓ ୩୩ଟି ଅଣ ଅତ୍ୟାବଶ୍ୟକ ଔଷଧ ରହିଛି। ୨୦୧୭/୧୮ବର୍ଷରେ ନିଗମ ୫୯୩ ପ୍ରକାରର ଔଷଧ ଚିହ୍ନଟ କରିଥିଲା। ରାଜ୍ୟ ଔଷଧ ନିଗମ ପକ୍ଷରୁ ପ୍ରତିବର୍ଷ ଔଷଧର ସଂଖ୍ୟା ବଢ଼ିବାରେ ଲାଗିଛି। ମାତ୍ର ଅଧିକାଂଶ ସମୟରେ ଔଷଧ ଉପଲବ୍ଧ ନ ହେବା ଓ ଅନେକ ସମୟରେ ନିମ୍ନମାନର ଔଷଧ ଚିହ୍ନଟ ହେବାକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଉଛି। କିଛି ମାସ ପୂର୍ବରୁ ରାଜ୍ୟରେ ଓଆରଏସ୍ ସଂକଟ ଦେଖା ଦେଇଥିବା ବେଳେ ଏବେ ଟିଟାନସ୍ ଅଭାବ ଦେଖା ଦେଇଛି।

ସମ୍ବନ୍ଧିତ ଖବର