ଖଣ୍ଡଗିରି : ଦୁଇ ଦିନ ବିତିଯିବା ପରେ ବି ଡୁମୁଡୁମା ରଘୁନାଥନଗର ଟିଟନ ଓରଫ୍ ଜ୍ୟୋତିରଂଜନ ବଳିୟାରସିଂହ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରିପାରିନାହିଁ। ଏୟାର୍ଫିଲ୍ଡ ଥାନା ପୁଲିସ କେତେଜଣଙ୍କୁୁ ଥାନାକୁ ଆଣି ପଚରାଉଚରା କରୁଥିବାବେଳେ ପ୍ରକୃତ ଗଣ୍ଡଗୋଳକାରୀମାନଙ୍କୁ ଧରିବାରେ ବିଫଳ ହୋଇଛି। ଗଣ୍ଡଗୋଳ ସମୟରେ ଘଟଣାସ୍ଥଳରେ ଥିବା ପପି ସାହୁ ଓ ତାଙ୍କ ମା’ଙ୍କୁ ପୁଲିସ ଜେରା ଚଳାଇଛି। ଟିଟନଙ୍କ ପରିବାର ପକ୍ଷରୁ ପ୍ରାୟ ୨୫ରୁ ୩୦ ଜଣଙ୍କ ନାମରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି। କିନ୍ତୁ ସେମାନଙ୍କ ମଧ୍ୟରୁ ପୁଲିସ କାହାରିକୁ ଗିରଫ କରି ନଥିବାରୁ ରଘୁନାଥନଗରରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅଭିଯୁକ୍ତମାନଙ୍କ ଗିରଫ ଦାବି କରି ଆଜି ରଘୁନାଥନଗରର ବାସିନ୍ଦାମାନେ ୧୬ ନମ୍ବର ଜାତୀୟ ରାଜପଥକୁ ଡୁମୁଡୁମା ଛକରେ ବନ୍ଦ କରି ଦେଇଥିଲେ। ଫଳରେ ପୁଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଥିଲା। ଏଣେ ବାହାଦଲପୁର ଓ ରଘୁନାଥନଗର ମଧ୍ୟରେ ଗଣ୍ଡଗୋଳ ଉପୁଜିବା ଭୟରେ ୨ ପ୍ଲାଟୁନ୍ ପୁଲିସ ମୁତୟନ ହୋଇଛି। ଖଣ୍ଡଗିରି ଥାନା ପୁଲିସ ଏହି ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ ରୋକିବାକୁ ପ୍ରୟାସ କରୁଥିବାବେଳେ ଏୟାର୍ଫିଲ୍ଡ୍ ଥାନା ପୁଲିସ ବାହାଦଲପୁରରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଉଦ୍ୟମ କରୁଛି।
ବାଇକ୍ରୁ ପାଣି ଛିଟିକା ଓ ବଚସାରୁ ହତ୍ୟାକାଣ୍ଡ
ସୂଚନାନୁସାରେ ରବିବାର ରାତି ପ୍ରାୟ ୮ଟା ସମୟରେ ବାହାଦଲପୁରର ପିଣ୍ଟୁ ନାଏକ ଓ ମୃତ ଟିଟନ୍ ସୁନ୍ଦରପଦା-ସରକନ୍ତରା କେନାଲ ରାସ୍ତାରେ ଥିଲେ। ଏହି ସମୟରେ ବାହାଦଲପୁରର ପପି ସାହୁ ନାମକ ଜଣେ ଯୁବକ ତାଙ୍କ ମା’ଙ୍କୁ ନେଇ ସୁନ୍ଦରପଦାରୁ ଘରକୁ ଫେରୁଥିଲେ। ରାସ୍ତାରେ ବାଇକ୍ ଚାଳନାରେ ବ୍ୟତିକ୍ରମ ଯୋଗୁଁ ପାଣି ଛିଟିକି ପଡ଼ିଥିଲା। ଫଳରେ ପପି ମା’ଙ୍କ ଦେହରେ କାଦୁଅ ପାଣି ପଡ଼ିଥିଲା। ଏନେଇ ସେମାନଙ୍କ ଭିତରେ ବଚସା ହୋଇଥିଲା। ଫଳରେ ଟିଟନ ଉଭୟ ପପି ଓ ତାଙ୍କ ମା’ଙ୍କ ଉପରକୁ ହାତ ଉଠାଇଥିଲେ ବୋଲି କୁହାଯାଉଛି। ଏମିତିକି ଟିଟନ ବବିଙ୍କ ବାଇକ୍କୁ କେନାଲ ବନ୍ଧରୁ ତଳକୁ ଠେଲି ଦେଇଥିଲେ। ତେଣୁ ପପି ତାଙ୍କ ଭାଇକୁ ଫୋନ୍ କରି ଜଣାଇଥିଲେ। ଖବର ପାଇ ସରକନ୍ତରା ରେଲ୍େଓ୍ଵ ଲେଭଲ୍ କ୍ରିସିଂ ପାଖରେ ବସିଥିବା କିଛି ଗାଁ ଯୁବକମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ଗାଁ ଯୁବକମାନଙ୍କୁ ଦେଖିବା ପରେ ଟିଟନ ସହ ଥିବା ପିଣ୍ଟୁ ନାଏକ ସେମାନଙ୍କୁ କ୍ଷମା ମାଗି ଗଣ୍ଡଗୋଳ ନ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ଟିଟନ ଗାଁ ଯୁବକମାନଙ୍କ ସହ ମୁକାବିଲା କରିବାକୁ ପ୍ରସ୍ତୁତ ହୋଇ ଯାଇଥିଲେ। ଟିଟନକୁ ଗାଁ ଯୁବକମାନେ ଘେରି ନିର୍ଧୁମ୍ ମାଡ଼ ମାରିଥିଲେ। ସେ ତଳେ ପଡ଼ିଯିବା ପରେ ସମସ୍ତେ ପାର୍ ହୋଇ ଯାଇଥିଲେ। ଖବର ପାଇ ଏୟାର୍ଫିଲ୍ଡ ଥାନା ପିସିଆର୍ ଗୁରୁତର ଆହତ ଅବସ୍ଥାରେ ଟିଟନକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଥିଲେ ବି ସେତେବେଳକୁ ତାର ମୃତ୍ୟୁ ହୋଇସାରିଥିଲା।
ଆକସ୍ମିକ ହତ୍ୟା ନା ଷଡ଼ଯନ୍ତ୍ର!
ଟିଟନଙ୍କ ନିଜ ଘର ପୁରୀ ଗୋଡ଼ାସାହିରେ। ତାଙ୍କ ବାପା ହୁଏ ବଳିୟାରସିଂହ ଜଣେ ବ୍ୟବସାୟୀ। କିନ୍ତୁ ଟିଟନ ରଘୁନାଥନଗରରେ ମାମୁଁ ଘରେ ରହୁଥିଲେ। ଏଠାରେ ସେ ଏକ ଜିମ୍ରେ ଟ୍ରେନର୍ ଥିଲେ ବୋଲି କୁହାଯାଉଛି। ପୂର୍ବରୁ ବାହାଦଲପୁରର କିଛି ଯୁବକଙ୍କ ସହ ତାଙ୍କର ମତଭେଦ ଥିଲା। ତେଣୁ ତାଙ୍କୁ ଯୋଜନାବଦ୍ଧଭାବେ ଡାକି ନେଇ ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଇଛି। କିନ୍ତୁ ପୁଲିସର ଅନୁମାନ ଅନୁସାରେ ଏହା ଏକ ଆକସ୍ମିକ ଗଣ୍ଡଗୋଳ। ପୁଲିସର ତଦନ୍ତ ସରି ନଥିବାରୁ ଗଣ୍ଡଗୋଳର ପ୍ରକୃତ କାରଣ ସ୍ପଷ୍ଟ ନୁହେଁ ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/ARJUNA0TITAN-MURDER-CAS.jpg)