ଭୁବନେଶ୍ବର: ତିନି ମାସ ତଳେ ଭୁବନେଶ୍ବର-ପୁରୀ ବସ୍ ଚଳାଳଚକୁ ନେଇ ଦେଖା ଦେଇଥିବା ବିବାଦର ସ୍ଥାୟୀ ସମାଧାନ ପାଇଁ ପରିବହନ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗ କଳ୍ପନା ଓ ବରମୁଣ୍ଡା ଛକରେ ୫ଟି ସିସିଟିଭି ଲଗାଇଛି। ବିଶେଷକରି କଳ୍ପନା ଛକ ଉପରେ ଗୁରୁତ୍ବ ଦିଆଯାଇଛି। କଳ୍ପନା ଛକର ଉଭୟ ପାର୍ଶ୍ୱରେ କ୍ୟାମେରା ଲଗା ଯାଇଥିବା ବେଳେ ବରମୁଣ୍ଡାର ଗୋଟିଏ ପାର୍ଶ୍ୱରେ ଅର୍ଥାତ୍ ବରମୁଣ୍ଡାରୁ ପୁରୀ ଯିବା ବାଟରେ କ୍ୟାମେରା ଲଗାଯାଇଛି। ପୁରୀ ଯିବା ପାଇଁ ସମସ୍ତ ଗାଡ଼ିଗୁଡ଼ିକ କଳ୍ପନା ଛକ ଦେଇ ଯାଉଥିବାରୁ ସେଠାରେ ଅଧିକ ସିସିଟିଭି ଲଗାଯାଇ ବସ୍ଗୁଡ଼ିକ ଉପରେ ନଜର ରଖାଯାଇଛି। ଅଧିକାଂଶ ସମୟରେ ବସ୍ ଜାମ୍ ଯୋଗୁଁ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ପରିବହନ ପକ୍ଷରୁ ପ୍ରତ୍ୟେକ ବସ୍ ପାଇଁ ଅଲଗା ଅଲଗା ସମୟ ନିର୍ଦ୍ଧାରଣ କରାଯାଇଥିଲେ ମଧ୍ୟ କେହି ମାନୁନାହାନ୍ତି। ବସ୍ଗୁଡ଼ିକ ମନଇଚ୍ଛା ଛକ ଉପରେ ଠିଆ ହୋଇ ରହୁଛି। ପାସେଞ୍ଜର ଭର୍ତ୍ତି ନ ହେବା ଯାଏ, ଗାଡ଼ି ଗଡ଼ୁନାହିଁ। ଆଗ ଗାଡ଼ି ଓ ପଛ ଗାଡ଼ି ମଧ୍ୟରେ ସମୟ ବ୍ୟବଧାନ ରହୁନି, ଯାହାକୁ ନେଇ ଗାଡ଼ିମାଲିକଙ୍କ ମଧ୍ୟରେ ବିବାଦ ଦେଖାଯାଉଛି। ଏମିତିକି ମାରପିଟ୍ ଭଳି ପରିସ୍ଥିତି ଉପୁଜୁଛି। ଖାଲି ସେତିକି ନୁହେଁ, ବସ୍ ଭିଡ଼ ଯୋଗୁଁ ସେଠାରେ ଅଧିକାଂଶ ସମୟରେ ଟ୍ରାଫିକ୍ ସମସ୍ୟା ଦେଖିବାକୁ ମିଳୁଛି। ଜାମ୍ ଯୋଗୁଁ ଲୋକମାନଙ୍କୁ ଏହି ରାସ୍ତା ଅତିକ୍ରମ କରିବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ବସ୍ ଚଳାଚଳକୁ ନେଇ ବସ ସଂଘ ମାଲିକଙ୍କ ମଧ୍ୟରେ ବିବାଦ ଯୋଗୁଁ ଏହାର ପ୍ରଭାବ ସିଧାସଳଖ ଯାତ୍ରୀଙ୍କ ଉପରେ ପଡ଼ୁଛି। ସେମାନଙ୍କ ବିବାଦ ଯୋଗୁଁ ବସ ସଂଘଗୁଡ଼ିକ ବସ୍ ଚଳାଚଳ ବନ୍ଦ କରିଦେଉଛନ୍ତି। ଫଳରେ ପୁରୀ ଯିବା ପାଇଁ ବସ୍ ନ ପାଇ ଯାତ୍ରୀମାନଙ୍କୁ ହନ୍ତସନ୍ତ ହେବାକୁ ପଡ଼ୁଛି। ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ପରିବହନ ବିଭାଗ ଏଭଳି ଯୋଜନା କରିଛି। ଏହାଦ୍ୱାରା କେଉଁ ଗାଡ଼ି କେଉଁ ସମୟରେ ଷ୍ଟାଣ୍ଡରେ ପହଞ୍ଚିବ? କେତେବେଳେ ଷ୍ଟାଣ୍ଡରୁ ଛାଡ଼ିବ? ସର୍ବାଧିକ କେତେ ସମୟ ଷ୍ଟାଣ୍ଡରେ ରହିବ? ଏସବୁ ନେଇ ପରିବହନ ବିଭାଗର ସ୍ବତନ୍ତ୍ର ରୁଟ୍ ଚାର୍ଟ ପ୍ରସ୍ତୁତ କରିଛି। ସେହିପରି କେଉଁ ଗାଡ଼ିର ପରମିଟ୍ ଅଛି? କେଉଁ ଗାଡ଼ିର ପରମିଟ୍ ନଥାଇ ଚାଲୁଛି? କିମ୍ବା କେଉଁ ଗାଡ଼ିକୁ ପରମିଟ୍ ମଳିଥିଲେ ମଧ୍ୟ ଗାଡ଼ି ଚାଲୁ ନାହିଁ? ଆଦି ସମସ୍ତ ଦିଗ ଉପରେ ନଜର ରହିବ। ଯେଉଁମାନେ ନିୟମ ଉଲ୍ଲଙ୍ଘନ କରିବେ, ସେମାନଙ୍କ ବିରୋଧରେ କୋର୍ଟରେ ମାମଲା କରାଯିବ। ଦରକାର ପଡ଼ିଲେ ଆଇନ ଉଲଂଘନ କରୁଥିବା ବସ୍ଗୁଡ଼ିକର ପରମିଟ୍କୁ ରଦ୍ଦ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ଏଥିପାଇଁ ଆର୍ଟିଓ-୧ ଓ ପରିବହନ କମିସନର୍ଙ୍କ ନିକଟରେ ଦୁଇଟି କଣ୍ଟ୍ରୋଲ୍ ରୁମ୍ କରାଯାଇଛି। ୱେବ୍ ମାଧ୍ୟମରେ ବସ୍ଗୁଡ଼ିକ ଉପରେ ନଜର ରଖାଯିବ। ତେବେ ଗତ ସପ୍ତାହେ ହେବ, ଏହି ପ୍ରକ୍ରିୟାକୁ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଇଛି। ଆସନ୍ତା ଶୁକ୍ରବାରଠାରୁ ଏହାକୁ ବିଧିବଦ୍ଧ ଭାବେ ଲାଗୁ କରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ-୧ ପ୍ରଦୀପ ମହାନ୍ତି କହିଛନ୍ତି। ଯେଉଁମାନେ ନିୟମ ଉଲ୍ଲଙ୍ଘନ କରିବେ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ପୁରୀ ବସ୍ ପାଇଁ କଟକଣା, କଳ୍ପନା ଓ ବରମୁଣ୍ଡାରେ ଲାଗିଲା ୫ ସିସିଟିଭି
ନିୟମ ଉଲ୍ଲଙ୍ଘନ କଲେ ରଦ୍ଦ ହୋଇପାରେ ପରମିଟ୍
/sambad/media/post_attachments/wp-content/uploads/2018/12/Untitled-18-14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)