ଟିଟୋ- ସରକାରୀ ବାବୁ ଲିଙ୍କ୍‌, କାହା ଚାପରେ ଚପିଗଲା ତଦନ୍ତ

ମାମଲାକୁ ଦେଢ଼ ବର୍ଷ ବିତିଲାଣି, ପୁଳା ପୁଳା ପ୍ରମାଣ ଦେଇଥିଲା ଏସଟିଏଫ୍

ଭୁବନେଶ୍ବର: ଖୁବ୍ କମ୍ ସମୟ ମଧ୍ୟରେ ଶହ ଶହ କୋଟି ଟଙ୍କାର ମାଲିକ ହୋଇଯାଇଥିଲା ଗ୍ୟାଙ୍ଗଷ୍ଟର୍‌ ସୟଦ ଉସ୍‌ମାନ୍‌ ଅଲ୍ଲୀ ଓରଫ ଟିଟୋ। ସରକାରୀ ବାବୁଙ୍କୁ ହାତ କରି ହାତେଇଥିଲା ବାଲିଘାଟ, ଜଳସମ୍ପଦ, ରାସ୍ତା ଓ ଗୃହ ନିର୍ମାଣ, କେନ୍ଦ୍ରାପଡ଼ା ପୌରପରିଷଦ ଟେଣ୍ଡର, ଟ୍ରାନ୍ସପୋର୍ଟ ଅନୁମତି। ଏସବୁ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ଟିଟୋ ଓ ତା’ର କମ୍ପାନିକୁ ଅହେତୁକ ଅନୁକମ୍ପା ଦେଖାଇଥିଲେ। କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଦ୍ବାରା ଟିଟୋ ଗିରଫ ହେବା ପରେ ଏ ସମ୍ପର୍କରେ ପୁଳାପୁଳା ତଥ୍ୟ, ପ୍ରମାଣ ମିଳିଥିଲା। ଏ ସବୁର ଦସ୍ତାବିଜ୍ ପ୍ରସ୍ତୁତ କରି ଭିଜିଲାନ୍ସ ମୁଖ୍ୟାଳୟକୁ ଦେଇଥିଲା ଏସଟିଏଫ୍। ଦସ୍ତାବିଜ୍ ପାଇବା ପରେ ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲା ଭିଜିଲାନ୍ସ ସେଲ୍। କେନ୍ଦ୍ରାପଡ଼ା ତହସିଲ, ପୌରପରିଷଦ, ଆରଟିଓ, ଧର୍ମଶାଳା ତହସିଲ କାର୍ଯ୍ୟାଳୟ ସମେତ ଏକାଧିକ ସରକାରୀ କାର୍ଯ୍ୟାଳୟରେ ଚଢ଼ଉ କରିଥିଲା। ଥରେ କି ଦୁଇ ଥର ନୁହେଁ, ପ୍ରାୟ ୪ ଥର ଚଢ଼ଉ କରିଥିଲା ଭିଜିଲାନ୍ସ। କିଛି ପ୍ରମାଣ ହାତରେ ଲାଗିବା ପରେ ୨୦୧୮ଡିସେମ୍ବରରେ ଦୁଇଟି ମାମଲା ରୁଜୁ କରିଥିଲା। କେନ୍ଦ୍ରାପଡ଼ା ତହସିଲ ଓ ପୌରପରିଷଦ କାର୍ଯ୍ୟାଳୟ ବିରୋଧରେ କିଛି ତଥ୍ୟ ପ୍ରମାଣ ମଧ୍ୟ ଲାଗିଥିଲା। କିନ୍ତୁ ଏହା ପରଠାରୁ କ’ଣ ହେଲା କେଜାଣି, ହଠାତ୍ ତଦନ୍ତ ଅଟକି ଗଲା। ଚୁପଚାପ୍ ବସି ପଡ଼ିଲା ଭିଜିଲାନ୍ସ।

ଭିଜିଲାନ୍ସ‌ରେ ମାମଲା ରୁଜୁ ହେବାକୁ ଦେଢ଼ ବର୍ଷ ବିତି ଯାଇଥିଲେ ମଧ୍ୟ ତଦନ୍ତ ଫାଇଲରେ ଡୋରି ବନ୍ଧା ହୋଇଯାଇଛି। ଟିଟୋର କଳା ସାମ୍ରାଜ୍ୟକୁ ଯେଉଁ ବାବୁମାନେ ଧଳା କରିଥିଲେ, ସେମାନେ ଖୁଲମ୍‌ଖୁଲା ବୁଲୁଥିଲେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାହସ କରୁନି ଭିଜିଲାନ୍ସ। ଖାଲି ସରକାରୀ ଲିଙ୍କ ନୁହେଁ, କୋଟି କୋଟି ଟଙ୍କାର ରାଜସ୍ବ ହରାଇଥିଲେ ସରକାର। ତେବେ ଜଣେ ଗ୍ୟାଙ୍ଗଷ୍ଟର୍‌କୁ ସହାୟତା ଯୋଗାଇଥିବା ବାବୁଙ୍କ ପ୍ରତି କାହିଁକି ଏତେ ଅନୁକମ୍ପା ଦେଖାଉଛି ଭିଜିଲାନ୍ସ? ନା କୌଣସି ଚାପରେ ଭିଜିଲାନ୍ସ ତଦନ୍ତ ବନ୍ଦ କରିଦେଇଛି?

ଆଇନଜୀବୀ ଚିତ୍ତରଞ୍ଜନ ଦାଶ କହିଛନ୍ତି, ଏହି ମାମଲାରେ ଭିଜିଲାନ୍ସ ଉପରେ ଅଦୃଶ୍ୟ ଚାପ ରହିଛି। ଫଳ‌ରେ ତଦନ୍ତ ଅଧାରେ ଅଟକି ଯାଇଛି। ସରକାରୀ ଲିଙ୍କ୍‌ର ପ୍ରମାଣ ମିଳିଥିଲେ ମଧ୍ୟ ତଦନ୍ତ ଫାଇଲ ବନ୍ଦ ହୋଇଯିବା ନେଇ ବହୁ ପ୍ରଶ୍ନବାଚୀ ଛିଡ଼ା ହୋଇଛି। ସେପଟେ ଭିଜିଲାନ୍ସ ନିର୍ଦେଶକଙ୍କ ସହ ଯୋଗାଯୋଗ ହୋଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ଟିଟୋ ମାମଲା‌ରେ ରାଜନୈତିକ ଲିଙ୍କ ନେଇ ବେଶ୍ ଚର୍ଚା ହୋଇଥିଲା। ନିର୍ଦିଷ୍ଟ ରାଜନେତାଙ୍କ ଚାପ ଯୋଗୁଁ ଟିଟୋ ମାମଲା ଆଗକୁ ବଢ଼ି ପାରି ନ ଥିବା ଅଭିଯୋଗ ହୋଇଥିଲା। ଟିଟୋକୁ ଏନ୍‌କାଉଣ୍ଟର୍‌ର ନେତୃତ୍ବ ନେଇଥିବା ତତ୍କାଳୀନ ଡିଆଇଜି ହିମାଂଶୁ ଲାଲଙ୍କର ଏସ୍‌ଟିଏଫ୍‌ରେ ଯୋଗ ଦେବାର ତିନି ମାସ ଭିତରେ ବଦଳିକୁ ନେଇ ମଧ୍ୟ ବିଭିନ୍ନ ଆଲୋଚନା ଜୋର୍ ଧରିଥିଲା।

ସୂଚନାଯୋଗ୍ୟ, ୨୦୧୮ ମସିହା ଜୁନ୍ ୩୦ ତାରିଖରେ ଟିଟୋକୁ ଗିରଫ କରିଥିଲା ଏସ୍‌ଟିଏଫ୍‌। ଏହାପରେ ଟିଟୋ ସାମ୍ରାଜ୍ୟର ପର୍ଦାଫାସ୍ ହେବା ସହ ସରକାରୀ ଲିଙ୍କ ପଦାକୁ ଆସିଥିଲା। ତିନୋଟି ଜିଲ୍ଲାରେ ୩୦ରୁ ଅଧିକ ବାଲିଘାଟ ହାତେଇଥିଲା ଟିଟୋ। କେବଳ କେନ୍ଦ୍ରାପଡ଼ା ଜିଲ୍ଲାରେ ୧୦ରୁ ଅଧିକ ବାଲିଘାଟ ନେଇଥିଲା। ସେହିପରି ଶତାଧିକ ଗାଡ଼ିର ପରମିଟ୍ ମଧ୍ୟ ପାଇଥିଲା। ତା’ ସହ କେନ୍ଦ୍ରାପଡ଼ା ପୌରପରିଷଦ ସମେତ ଏକାଧିକ ସରକାରୀ କାର୍ଯ୍ୟାଳୟରୁ ଟେଣ୍ଡର୍ ନେଉଥିଲା। ହତ୍ୟା, ଦାଦାବଟି, ଗୁଳିକାଣ୍ଡ, ଟେଣ୍ଡର ଫିକ୍ସିଂ ଭଳି ସଂଗିନ ମାମଲା ଥାଇ ଟିଟୋ କୌଶଳକ୍ରମେ ଟେଣ୍ଡର, ବାଲିଘାଟ ପାଇବା ସାଧାରଣରେ ପ୍ରଶ୍ନ ଛିଡ଼ା କରିଥିଲା।

ସମ୍ବନ୍ଧିତ ଖବର