ବାଧକ ସାଜିଛି ଚନ୍ଦ୍ରଗ୍ରହଣ, ମୋକ୍ଷ ପରେ ପୂର୍ଣ୍ଣାହୁତି

ଆଜି ସରିବ ଖଣ୍ଡଗିରି କୁମ୍ଭମେଳା

0

ଖଣ୍ଡଗିରି: ବୁଧବାର ପବିତ୍ର ମାଘ ପୂର୍ଣ୍ଣମୀ ତିଥି ଅବସରରେ ଖଣ୍ଡଗିରି ମହାକୁମ୍ଭ ମେଳା ସରିବ। ସପ୍ତମୀ ତିଥିରୁ ଜପତପ କରୁଥିବା ସାଧୁସନ୍ଥମାନେ ନିଜ ନିଜ ହୋମଯଜ୍ଞର ପୂର୍ଣାହୁତି ସମାପନ କରି ବିଦାୟ ନେବେ। କିନ୍ତୁ ଚନ୍ଦ୍ରଗ୍ରହଣ ଏହି ଉଦ୍‌ଯାପନୀ ଉତ୍ସବରେ ବାଧକ ସାଜିଛି। ପୂର୍ଣ୍ଣମୀ ତିଥିରେ ଯଜ୍ଞ ପୂର୍ଣ୍ଣାହୁତି ହେବା ବିଧି ଥିଲେ ବି ଚନ୍ଦ୍ରଗ୍ରହଣ ପାଇଁ ବିଡ଼ମ୍ବନା ସୃଷ୍ଟି ହୋଇଛି। ତେଣୁ କିଛି ସାଧୁସନ୍ଥ ମଙ୍ଗଳବାର ହୋମଯଜ୍ଞରେ ପୂର୍ଣ୍ଣାହୁତି ଦେଉଥିବାବେଳେ କିଛି ବୁଧବାର ଚନ୍ଦ୍ରଗ୍ରହଣ ମୋକ୍ଷ ପରେ ପୂର୍ଣ୍ଣାହୁତି ଦେବେ ବୋଲି ସ୍ଥିର କରିଛନ୍ତି। ସେଥିପାଇଁ ଆଜି କିଛି ସନ୍ଥ ଶିବିରରେ ଯଜ୍ଞ ପୂର୍ଣ୍ଣାହୁତି ପର୍ବ ଅନୁଷ୍ଠିତ ହୋଇଯାଇଥିବାରୁ ଖଣ୍ଡଗିରି ପାହାଡ଼ ଉପରେ ଦଗ୍‌ଧ ଘୃତର ମହକ ଜଣାପଡ଼ୁଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ପୂର୍ଣ୍ଣାହୁତି। ସେହିଭଳି ବୁଧବାର ଚନ୍ଦ୍ରଗ୍ରହଣ ମୋକ୍ଷ ସନ୍ଧ୍ୟା ପରେ ହେଉଥିବାରୁ ରାତିରେ ଚାଲିବ ଯଜ୍ଞ ପୂର୍ଣ୍ଣାହୁତି। ଯଜ୍ଞ ସରିଲେ ବି ୬ ତାରିଖ ପର୍ଯ୍ୟନ୍ତ ଯାତ୍ର ମେଳା ଚାଲିବ। ମହାସମର ଲାଗି ରହିବ।

ମେଳା ଭିଡ଼ରେ ସ୍ୱେଚ୍ଛାସେବୀ
ଖଣ୍ଡଗିରି ମେଳାରେ ହେଉଥିବା ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ୬ ପ୍ଲାଟୁନ୍‌ ପୁଲିସ ମେଳାରେ ନିୟୋଜିତ ଅଛନ୍ତି। କିନ୍ତୁ ଏଥିରେ ସ୍ୱେଚ୍ଛାସେବୀମାନଙ୍କ ଭୂମିକା ବି କମ୍‌ ନୁହେଁ। କଳିଙ୍ଗ ଗ୍ରାମ ଉନ୍ନୟନ ପରିଷଦର ସଦସ୍ୟମାନେ ଭିଡ଼ ନିୟନ୍ତ୍ରଣରେ ଲାଗି ପଡ଼ିଛନ୍ତି। ଦର୍ଶକଙ୍କ ସୁରକ୍ଷା ଦାୟିତ୍ୱ ନେଇ ସେମାନେ ବେଶ୍‌ ପ୍ରଶଂସିତ ହୋଇଛନ୍ତି। ବରିଷ୍ଠ ସଦସ୍ୟମାନେ ତଦାରଖ କରୁଥିବାବେଳେ ଯୁବ ସଦସ୍ୟମାନେ ଭିଡ଼ ଭିତରେ ବୁଲି କାମ କରୁଛନ୍ତି। ପକେଟମାର୍‌, ମୋବାଇଲ୍‌ ଲୁଟେରାମାନଙ୍କୁ ଧରିବାରେ ସେମାନେ ପୁଲିସକୁ ସହଯୋଗ କରୁଛନ୍ତି। କାହାର କେହି ହଜିଗଲେ, ସେମାନେ ଖୋଜିବାରେ ଲାଗି ପଡ଼ୁଛନ୍ତି। ସେହିଭଳି ବଦ୍‌ମାସମାନଙ୍କୁ ସାବାଡ୍‌ କରିବାରେ ବି ସେମାନଙ୍କ ଭୂମିକା ରହୁଛି। ଲଫଙ୍ଗା ଟୋକାମାନେ ମହିଳା ଓ ଯୁବତୀମାନଙ୍କୁ ଭିଡ଼ରେ ହରକତ କରୁଥିବାବେଳେ ଏହି ସ୍ୱେଚ୍ଛାସେବୀମାନେ ସେମାନଙ୍କୁ ଧରି ପୁଲିସ ସହଯୋଗରେ ସାବାଡ୍‌ କରୁଛନ୍ତି।

ହଜୁଛନ୍ତି, ମିଳୁଛନ୍ତି
ମେଳା ଭିଡ଼ରେ ଛୋଟ ପିଲା ଓ ବୃଦ୍ଧାମାନେ ହଜିବା ଏକ ନିତିଦିନିଆ ଘଟଣା ପାଲଟିଛି। ପ୍ରତିଦିନ ୮/୧୦ ଟି ଏଭଳି ଘଟଣା ଘଟୁଛି। ବିଶେଷକରି ଅପରାହ୍ଣ ଭିଡ଼ରେ ଏଭଳି ଘଟଣାମାନ ଘଟୁଛି। କିନ୍ତୁ ସୌଭାଗ୍ୟକୁ କିଛି ସମୟ ପରେ ସେମାନେ ମିଳି ଯାଉଛନ୍ତି। ବୁଲୁଥିବା ପୁଲିସ କର୍ମଚାରୀ ବା କଳିଙ୍ଗ ଗ୍ରାମ ଉନ୍ନୟନ ପରିଷଦର ସଦସ୍ୟମାନେ ଖୋଜି ଖୋଜି ପାଇ ଯାଉଛନ୍ତି। ମେଳାରେ ପ୍ରତିଷ୍ଠା ହୋଇଥିବା ଅସ୍ଥାୟୀ ଫାଣ୍ଡିରେ ସେମାନଙ୍କ ପୁନର୍ମିଳନ ହେଉଛି। ପୁନର୍ମିଳନ ବେଳର ଦୃଶ୍ୟ ମେଳାରେ ଏକ ବଡ଼ ନାଟକୀୟ ପରିବେଶ ସୃଷ୍ଟି କରୁଥିବା ଫାଣ୍ଡି ଅଧିକାରୀ ଅଶ୍ୱିନୀ କୁମାର ଜେନା କହିଛନ୍ତି।

ଆଜିଠୁ ୭ ପେଣ୍ଡାଲ୍‌ରେ ଯାତ୍ରା

ଭୁବନେଶ୍ୱର: ରାଜଧାନୀର ଯାତ୍ରା ରସିକଙ୍କୁ ଏବେ ଖଣ୍ଡଗିରି ବାଇ କରିଛି। ଯମଜ ପାହାଡ଼ର ପାଦଦେଶରେ ନିରବ ରାତିର ସମ୍ମୋହନୀ ସଂଳାପ ରସିକ ଦର୍ଶକଙ୍କୁ ଶୁଆଇ ଦେଉନି। ଖଣ୍ଡଗିରି କୁମ୍ଭମେଳା ଶେଷ ପାହାଚରେ ପାଦ ଥାପିଥିବା ବେଳେ ଯାତ୍ରା ମହାକୁମ୍ଭ ଶେଷ ଇନିଂସ ଖେଳିବାକୁ ଯାଉଛି। ଆଜି ୬ଟି ଯାତ୍ରା ଦଳ ମଧ୍ୟରୁ ୪ଟି ଯାତ୍ରା ଦଳ ଶେଷ ରାତ୍ରିରେ ନାଟକ ମଞ୍ଚସ୍ଥ କରି ବିଦାୟ ନେଇଛନ୍ତି। ୩୧ ତାରିଖ ରାତିରୁ ନୂଆ ୫ଟି ଯାତ୍ରା ଖଣ୍ଡଗିରି ଯାତ୍ରା ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି। ତେଣୁ ପ୍ରଥମ ପର୍ଯ୍ୟାୟରେ ୬ଟି ପେଣ୍ଡାଲ୍‌ରେ ଯାତ୍ରା ମଞ୍ଚସ୍ଥ ହେଉଥିବା ବେଳେ ୩୧ରୁ ୭ଟି ଦଳ ଯାତ୍ରା ମଞ୍ଚସ୍ଥ କରିବେ।

୩୧ରୁ ୫ ନୂଆ ଯାତ୍ରା ଦଳ
ମହତାବ ପେଣ୍ଡାଲ୍‌ରେ ‘ଯାତ୍ରାଶ୍ରୀ ବିଶ୍ୱ ଦରବାର’ ଗୁପ୍ତ ସମ୍ପର୍କ ନାଟକକୁ ୫ ଦିନ ରିପିଟ୍‌ କରି ବିଶେଷ ଲୋକପ୍ରିୟତା ସାଉଁଟି ବିଦାୟ ନେଇଛି। ୩୧ରୁ ମହତାବ ପେଣ୍ଡାଲ୍‌ରେ ‘ତୁଳସୀ ଗଣନାଟ୍ୟ’ ତା’ର ଚର୍ଚିତ ନାଟକ ‘ଲୁହରେ ଲୁହରେ ଲଭ୍‌ ଷ୍ଟୋରି’କୁ ନେଇ ନାଟକ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ସେହିପରି କେସିଏ ପଡ଼ିଆରେ ‘ଗ୍ରେଟ୍‌ ଇଷ୍ଟର୍ଣ୍ଣ’ ୫ ଦିନ ଧରି ‘କଳାପାଣିର କଳାବତୀ’ ମଞ୍ଚସ୍ଥ କରି ଦର୍ଶକୀୟ ଆଦୃତି ପାଇଥିବା ବେଳେ ୩୧ରୁ ଯାତ୍ରା ମଇଦାନକୁ ଓହ୍ଲାଉଛି ‘ରଙ୍ଗମହଲ’। ଚର୍ଚିତ ନାଟକ ‘ମିଛୁଆ ରାଧୁଆ ଗପ ସରିଲା’ ନାଟକକୁ ନେଇ କେସିଏ ପଡ଼ିଆ ମଞ୍ଚକୁ ଓହ୍ଲାଇବ ବୋଲି ରଙ୍ଗମହଲର ମୁଖ୍ୟ ସତ୍ୟ ଜେନା ସୂଚନା ଦେଇଛନ୍ତି। ସେହିଭଳି ‘କୋଣାର୍କ’ ଗଣନାଟ୍ୟ ୫ରାତି ୨ଟି ନାଟକ ମଞ୍ଚସ୍ଥ କରି ବିଦାୟ ନେଇଥିବା ବେଳେ ୩୧ରୁ ‘ଶିବାନୀ’ ଗଣନାଟ୍ୟ ‘ରୂପ ରାଇଜର ରାଜକୁମାରୀ’ଙ୍କୁ ନେଇ ବରମୁଣ୍ଡା ଦୁର୍ଗାମଣ୍ଡପ ପେଣ୍ଡାଲ୍‌କୁ ଓହ୍ଲାଇବ। ବାଘାଯତୀନ ଲୋକନାଟ୍ୟ ଘାଟିକିଆ ପଡ଼ିଆରେ ୨ଟି ନାଟକ ମଞ୍ଚସ୍ଥ କରିବା ପରେ ‘ସ୍ୱର୍ଣ୍ଣ ମହଲ’ ତା’ର ‘ନିଜ ଶବ ପାଇଁ ନିଜେ କୋକେଇ’ ନାଟକକୁ ନେଇ ମଞ୍ଚକୁ ଓହ୍ଲାଇବାକୁ ସ୍ଥିର କରିଛି। କଳିଙ୍ଗ ପଡ଼ିଆରେ ଏଥର ପ୍ରଥମ ପର୍ଯ୍ୟାୟ ନାଟକ ହୋଇନଥିବା ବେଳେ ୩୧ରୁ କଳିଙ୍ଗ ଗଣନାଟ୍ୟ ନାଟକ ‘ରାଧା ହଜିଗଲା ଅଧା ବାଟରେ’ ନାଟକକୁ ନେଇ ପଦାର୍ପଣ କରିବ ।

୧ରୁ ସାମିଲ୍‌ ହେବେ ଇଷ୍ଟର୍ଣ୍ଣ ବ୍ଲୁ ଓ ଇନ୍ଦ୍ରଭୁବନ
୩୦ରୁ ୪ଟି ଯାତ୍ରା ଦଳ ବିଦାୟ ନେଇଥିବା ବେଳେ ୩୧ରେ ପ୍ରଥମ ପର୍ଯ୍ୟାୟର ଆଉ ୨ଟି ଦଳ ବିଦାୟ ନେବେ। ଜାଗମରା ମେଳଣ ପଡ଼ିଆରେ ‘ଇଷ୍ଟର୍ଣ୍ଣ ରେଡ୍‌’ ୬ଦିନର ନାଟକ ମଞ୍ଚସ୍ଥ ପରେ ୧ରେ ଯୋଗଦେବ ଇଷ୍ଟର୍ଣ୍ଣ ବ୍ଲୁ। ଇଷ୍ଟର୍ଣ୍ଣ ବ୍ଲୁ ‘ନାରୀ ତୁ କେଉଁ ଧାତୁରେ ଗଢ଼ା’ ଏବଂ ‘ସ୍ୱାମୀ ଦୁଇଜଣ ରାମ ରାବଣ’ ନାଟକ ନେଇ ମଞ୍ଚକୁ ଓହ୍ଲାଇବ। ସେହିପରି କେସିଏ ପଡ଼ିଆ (୨)ରେ ଦ୍ୱିତୀୟ ଦଳ ଭାବେ ୧ତାରିଖରୁ ଯାତ୍ରା ଗାଁ ସ୍ଥାନରେ ‘ଇନ୍ଦ୍ର ଭୁବନ’ଚର୍ଚିତ ନାଟକ ‘ସୁନା ହରିଣୀ’ ନେଇ ମଞ୍ଚକୁ ଓହ୍ଲାଇବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.