ଆଜି ଖୋଲିପାରେ ସିନେମା ହଲ୍‌, ଶୀଘ୍ର ଚାଲୁ କର ଶୌଚାଳୟ

ଭୁବନେଶ୍ବର: ଟାଙ୍କିରେ ପାଣି ନାହିଁ କି ପମ୍ପ ଚଲାଇବାକୁ ବିଦ୍ୟୁତ ନାହିଁ। ଫଳରେ ପାଣି ପିଇବା ତ ଦୂରର କଥା ଲୋକଙ୍କ ପାଇଁ ଗାଧେଇବା ଏବଂ ଶୌଚ ହେବା କାଠିକର ହୋଇଗଲାଣି। ଶୌଚାଳୟ ଖୋଲା ରହିଲେ, ଅନ୍ତତଃ ଶୌଚ ଓ ଗାଧୁଆ ସମସ୍ୟା କିଛି ପରିମାଣରେ ଦୂର ହୋଇପାରନ୍ତା। କିନ୍ତୁ ସବୁ ସରକାରୀ ଶୌଚାଳୟରେ ଏବେ ତାଲା ଝୁଲୁଛି। ଟାଙ୍କିରେ ପାଣି ନଥିବାରୁ ସେଗୁଡ଼ିକୁ ବନ୍ଦ କରିଦିଆଯାଇଛି। ହେଲେ ପ୍ରଶାସନ ଶୌଚାଳୟଗୁଡ଼ିକୁ ବି ଏଯାଏଁ ପାଣି ଯୋଗାଇବାରେ ବିଫଳ ହୋଇଛି। ସହରର କିଛି ସ୍ଥାନରେ ଇ-ଟଏଲେଟ୍‌ ବ୍ୟବସ୍ଥା ହୋଇଛି, କିନ୍ତୁ ତାହା ବି କାମକୁ ଆସୁନି। ପାଖ‌ରେ ନଦୀ ଥିବାରୁ ପାଣି ଆଣି ଶୌଚାଳୟକୁ ଚାଲୁ କରିବାରେ ସମସ୍ୟା ହେବ ନାହିଁ। କିନ୍ତୁ ସେତିକି ବି ଏଯାଏଁ କରାଯାଇପାରୁନି। ଘର ପାଣି ଟାଙ୍କିରେ ଯାହା କିଛି ପାଣି ଥିଲା ତାହା ଶେଷ ହୋଇ ଯାଇଥିବାରୁ ଲୋକେ ଶୌଚାଳୟକୁ ବିକଳ୍ପ ଭାବେ ବାଛି ନେଇଥିଲେ। ଏହି ଆଶା ନେଇ ଅନେକ ତିନି ଦିନ ହେଲା ଶୌଚାଳୟ ମୁହାଁ ହୋଇଥିଲେ ହେଁ ତାଲା ଝୁଲୁଥିବାରୁ ନିରାଶ ହୋଇ ଫେରୁଛନ୍ତି। ବାତ୍ୟାର ୪ ଦିନ ପରେ ବି ଏହି ମୌଳିକ ସୁବିଧାକୁ ପ୍ରାଥମିକତା ‌ନଦେବା ଭାରି ‌କଷ୍ଟ ଦେଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି।

ସଂଜ ନଇଁଲେ ଛାଇଯାଉଛି ନିରବତା
ଭୁବନେଶ୍ବର: ଦିନରାତି କୋଳାହଳରେ ଫାଟି ପଡ଼ୁଥିବା ରାଜଧାନୀରେ ସଂଜ ନଇଁଲେ ଏକ ଅଜବ ନିରବତା ଖେଳିଯାଉଛି। ବିଦ୍ୟୁତ ସେବା ନଥିବାରୁ ସଂଜ ବୁଡ଼ୁବୁଡ଼ୁ ଦୋକାନରେ ତାଲା ଝୁଲୁଛି। ସ‌ିନେମା ହଲ୍‌ ବି ଅନିର୍ଦିଷ୍ଟ କାଳ ଯାଏଁ ବନ୍ଦ ହୋଇଯାଇଛି। ମନୋରଂଜନ ତ ଦୂରେ ଥାଉ ସହରରେ ଏପରି ଅନ୍ଧକାର ଛାଇଯାଇଛି ଯେ, ଯା-ଆସ ପାଇଁ ବି ଲୋକେ ଆଉ ସୁରକ୍ଷିତ ମଣୁନାହାନ୍ତି। ସନ୍ଧ୍ୟା ନହେଉଣୁ କାମ ସାରି ଘରକୁ ଫେରି ଆସୁଛନ୍ତି। ସଂଜ ବୁଡ଼ୁବୁଡ଼ୁ ଦୁଆର କିଳି ଲୋକେ ଘରେ ରହିବାକୁ ପସନ୍ଦ କରୁଛନ୍ତି। ‌ଏମିତି ବି ଦିନ ଦ୍ବିପ୍ରହରରେ ଲୁଟେରାଙ୍କ ଶିକାର ହେଉଥିବାରୁ ରାତିରେ ନିଜକୁ ସୁରକ୍ଷିତ ନମଣିବା ବଡ଼ କଥା ନୁହେଁ। ଏଣେ ପୁଣି ଅନ୍ଧାର ରାଜୁତି କରୁଥିବାରୁ କୁକୁରଙ୍କ ବିକଟାଳ ରଡ଼ି ଅସ୍ବାଭାବିକ ପରିବେଶ ସୃଷ୍ଟି କରୁଛି। ଗାଁ ମୁଣ୍ଡ ମଶାଣି ଭଳି ହୃଦ୍‌ବୋଧ ହେଉଛି। ସହରରେ ସ୍ମାର୍ଟ ସିଟିର ମୋହର ବାଜିଛି, କିନ୍ତୁ କାମ ଯେଉଁଭଳି ତ୍ବରିତ ଗତିରେ ହେବା କଥା ହେଉନାହିଁ। ଯାହାର ଫଳସ୍ବରୂପ ରାଜଧାନୀର ଏପରି ବିକଳ ଚିତ୍ର ଦେଖିବାକୁ ପଡ଼ିଛି।

ଆଜି ଖୋଲିପାରେ ସିନେମା ହଲ୍‌
ବିଦ୍ୟୁତ ସେବା ବିଛିନ୍ନ ହୋଇଯାଇଥିବାରୁ ବାତ୍ୟା ପରଠୁ ବନ୍ଦ ରହିଥିବା ସିନେମା ହଲ୍‌ ଆଜି ଖୋଲିପାରେ। ଏନେଇ ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକିଂ ଆରମ୍ଭ ହୋଇଛି। ତେବେ କେବଳ ‘ଆଭେଞ୍ଜର୍ସ-ଏଣ୍ଡ୍‌ଗେମ୍‌’ ପାଇଁ ହିଁ ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକିଂ ସମ୍ଭବ ହୋଇଛି। ମହାରାଜାରେ ୫ଟି ସୋ ଏବଂ କେଶରୀରେ ୩ଟି ସୋ’ରେ ଏହି ଚଳଚ୍ଚିତ୍ର ଚାଲିବ ବୋଲି ସୂଚନା ମିଳିଛି। ତେବେ ଅନ୍ୟ ସିନେମା ହଲ୍‌ରେ କେବେ ସିନେମା ଚାଲିବ ସେନେଇ କୌଣସି ନିର୍ଦିଷ୍ଟ ସୂଚନା ମିଳିନାହିଁ।

ଖୋଲିଲା ବିଜ୍ଞାନ କେନ୍ଦ୍ର
ଭୁବନେଶ୍ବର: ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପରିସରକୁ ‘ଫନି’ ଛାରଖାର ‌କରିଦେଇଥିଲେ ହେଁ ଆଜିଠୁ ଏଠାରେ ବୁଲିବାର ସୁଯୋଗ ମିଳିଛି। ଆଜି ୬ ଜଣ ବୁଲିବାକୁ ଆସିଥିବା ସୂଚନା ମିଳିଛି। ତେବେ ଲୋକଙ୍କ ଆଗମନ ସଂଖ୍ୟା କମ୍‌ ରହିବାରୁ ଦ୍ବିପ୍ରହର ପରେ ଆଉ ଟିକେଟ୍‌ କଟାଯାଇନାହିଁ। ଡିଜି ଚାଲିବା ପାଇଁ ଦିନକୁ ୮ ହଜାର ଟଙ୍କା ବ୍ୟୟ କରିବାକୁ ପଡ଼ୁଥିବାରୁ ଦ୍ବିତୀୟାର୍ଧରେ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ରହିଥିଲା। ମାତ୍ର ଆସନ୍ତାକାଲିଠୁ ପର୍ଯ୍ୟଟକମାନେ ଗ୍ୟାଲେରି ବୁଲିବା ସହ ଥ୍ରିଡି ସୋ’ ମଧ୍ୟ ଦେଖିବାର ସୁଯୋଗ ପାଇପାରିବେ। ମଙ୍ଗଳବାରଠାରୁ ଏଠାରେ ବିଜ୍ଞାନ କର୍ମଶାଳା ଆରମ୍ଭ ହେବାକୁ ଯାଉଛି। ୧୨୦ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀ ଏହି କର୍ମଶାଳାରେ ଭାଗ ନେବେ। ତେଣୁ କର୍ମଶାଳା ସହ ସମସ୍ତ ଗ୍ୟାଲେରି ମଧ୍ୟ ବୁଲିବାର ସୁଯୋଗ ମିଳିବ। ପରିସରକୁ ସଫା କରିବା ପାଇଁ ମେସିନ୍‌ କରତ ଓ ଅଧିକ ଦକ୍ଷ ଶ୍ରମିକ ମଗାଯାଇଛି।

ସମ୍ବନ୍ଧିତ ଖବର