ଆଜି ଭାଲେଣ୍ଟାଇନ୍‌ ଡେ’: ପ୍ରେମର ତିନିଟି ପବିତ୍ର ସ୍ୱାକ୍ଷର

0

ଆଜି ସାରା ବିଶ୍ୱ ପାଳନ କରୁଛି ଭାଲେଣ୍ଟାଇନ୍‌ ଡେ’ ବା ପ୍ରେମ ଦିବସ। ପ୍ରେମ ଆକାଶରେ ଉଡ଼ି ବୁଲୁଛନ୍ତି ପୁଞ୍ଜାପୁଞ୍ଜା ଲଭ୍‌ ବାର୍ଡ୍‌ସ। କିଏ ଉପହାର ଦେଇ ନିଜ ପ୍ରେମକୁ ବ୍ୟକ୍ତ କରୁଛିି ତ ଆଉ କିଏ ପ୍ରେମର ପୂରା ସପ୍ତାହକୁ ମନଭରି ଉପଭୋଗ କରୁଛି। ଜୀବନରେ ପ୍ରେମ କାହା ପାଇଁ କେମିତି ଆସେ ତାହା କେହି ଜାଣି ନ ଥାନ୍ତି। କିନ୍ତୁ ବେଳେବେଳେ ପ୍ରେମ ଅଦିନିଆ ମେଘ ଭଳି ଏମିତି ଭିଜାଇ ଦେଇଯାଏ ଯେ ଦେହ-ମନ ପବିତ୍ର ହୋଇଯାଏ। ପ୍ରେମର ପବିତ୍ରତାକୁ ଅନୁଭବ କରିଥିବା ଆମ ସହରର ଏମିତି କିଛି ନିଆରା ଯୋଡ଼ିକୁ ନେଇ ପ୍ରଗତି ସାହୁଙ୍କ ସ୍ୱତନ୍ତ୍ର ଉପସ୍ଥାପନା।

ପଞ୍ଚୁଙ୍କୁ ଅଣ୍ଟା ସଳଖିବା ଶିଖେଇଛି ନିଆଶାଙ୍କ ଭଲ ପାଇବା

ରାଜଧାନୀରେ ଠେଲାଗାଡ଼ିରେ ଜଳଖିଆ ବିକ୍ରି କରି ପେଟ ପୋଷନ୍ତି କଟକ ଥୋରିଆସାହିର ପଞ୍ଚୁ ବେହେରା ଓ ନିଆଶା ବେହେରା। ଦୁହିଁଙ୍କୁ ବୟସ ୬୦ ଟପିଲାଣି। ହେଲେ କେହି କାହାରିକୁ ଘଡ଼ିଏ ଛାଡ଼ି ରହିପାରନ୍ତି ନାହିଁ। ବାହାଘର ପୂର୍ବରୁ କେହି କାହାରିକୁ ଦେଖି ନ ଥିଲେ। ହେଲେ ବାହାଘର ପରେ ପ୍ରଥମ ଦେଖାରେ ପଞ୍ଚୁ ଓ ନିଆଶା ପରସ୍ପରକୁ ଭଲ ପାଇ ବସିଥିଲେ। ପଞ୍ଚୁଙ୍କ କହିବାନୁଯାୟୀ ବଡ଼ ଘର, ସୌଖିନ ଜିନିଷ କି ଭଲ ଶାଢ଼ି ଖଣ୍ଡେ ମଧ୍ୟ ନିଜ ପତ୍ନୀଙ୍କୁ ଦେଇପାରିନି। କିନ୍ତୁ ନିଆଶା କେବେ ବି ଏଥିପାଇଁ ଜିଦି କରିନି। ୩୦ବର୍ଷ ଧରି ଏକାଠି ଅଛୁ। ଯେବେ ଋଣ ଭାରରେ ବୁଡ଼ି ଯାଇ ଚିନ୍ତାରେ ଘାରି ହେଉଥିଲି ସେବେ ନିଆଶା ହିଁ ମତେ ଅଣ୍ଟା ସଳଖି ଠିଆ ହେବାକୁ ସାହସ ଦେଲା। ଠେଲା ଗାଡ଼ିରେ ଜଳଖିଆ ବିକ୍ରି କରି ମତେ କରଜ ମୁକ୍ତ କଲା। ତା ହସ ମତେ ଭାରି ଭଲ ଲାଗେ। ହେଲେ ତାକୁ ହସେଇବା ପାଇଁ ମୋ ପାଖରେ ବା କ’ଣ ଅଛି। ମୁଁ କିନ୍ତୁ ଏମିତ ଜଣେ ଜୀବନସାଥୀ ପାଇ ବହୁତ ଖୁସି। ଭଗବାନଙ୍କଠାରେ ଏତିକି କାମନା ପ୍ରତିଟି ଜନ୍ମରେ ନିଆଶା ମୋ ଜୀବନସାଥୀ ହେଉ।

ବ୍ରହ୍ମାନନ୍ଦ ଓ ପ୍ରଭାସିନୀଙ୍କ ଅଦେଖା ପ୍ରେମ

ଦୁନିଆଟା ସେମାନଙ୍କ ପାଇଁ ଅନ୍ଧାର। କିନ୍ତୁ ପ୍ରେମର ରଙ୍ଗ ବେରଙ୍ଗୀ ଦୁନିଆରେ ସେମାନେ ବି ପାଦ ଦେଇଥିଲେ ବିନା ଦ୍ୱିଧାରେ। ପରସ୍ପରର ହାତ ଧରି ଦିହେଁ ଏକାଠି ହୋଇଥିଲେ ହେଁ କାହାକୁ ଆଖି ପୂରେଇ ଦେଖିବାର ସୌଭାଗ୍ୟ ସେମାନଙ୍କ ପାଖେ ନାହିଁ। କିନ୍ତୁ ହୃଦୟର ଡାକ ସେମାନଙ୍କୁ ବାନ୍ଧିଥିଲା ପ୍ରେମର ପବିତ୍ର ବନ୍ଧନରେ। ଏଇ ପ୍ରେମ କାହାଣୀଟି ୟୁନିଟ-୯ସ୍ଥିିତ ସୁଧାନିଧିଶ୍ୱର ବସ୍ତିରେ ରହୁଥିବା ବ୍ରହ୍ମାନନ୍ଦ ସାହୁ ଓ ପ୍ରଭାସିନୀ ସାହୁଙ୍କର। ବ୍ରହ୍ମାନନ୍ଦ ଜନ୍ମରୁ ଦୃଷ୍ଟିହୀନ ହୋଇଥିବାବେଳେ ପ୍ରଭାସିନୀ ୮ବର୍ଷ ବୟସରେ ମୋତିଆବିନ୍ଦୁ ହେବାରୁ ଆଖି ହରେଇଥିଲେ। ତେଣୁ ସେ ଦୃଷ୍ଟିହୀନ ବିଦ୍ୟାଳୟରେ ପାଠ ପଢ଼ିଲେ। ସେଇଠି ହୋଇଥିଲା ବ୍ରହ୍ମାନନ୍ଦଙ୍କ ସହ ପରିଚୟ । ବ୍ରହ୍ମାନନ୍ଦ ଦୃଷ୍ଟିହୀନ ସଂଘରେ ଚାକିରି କରୁଥିବା ବେଳେ କଳାକାର ଭାବେ ହାରମୋନିୟମ ବଜାଇ ଯାହା କିଛି ରୋଜଗାର କରୁଥିଲେ। ସେଇଠି ମିଳାମିଶା ଓ କଥାବାର୍ତ୍ତା ପରେ ପରସ୍ପରଙ୍କୁ ନ ଦେଖି ବି ଭଲ ପାଇ ବସିଲେ। ପ୍ରଥମେ ଘର ଲୋକେ ଉଭୟଙ୍କ ମିଳନ ଲାଗି ରାଜି ହୋଇ ନ ଥିଲେ। କିନ୍ତୁ ଦୁଇଜଣଙ୍କ ଅନାବିଳ ପ୍ରେମ ଆଗରେ ହାର ମାନିଲେ ଦୁଇ ପରିବାର। ୨୦୦୦ ମସିହାରେ ବିବାହ ବନ୍ଧନରେ ବାନ୍ଧି ହେଲେ। ୧୮ବର୍ଷ ହେଲା ସେମାନଙ୍କ ବୈବାହିକ ଜୀବନ କଟିଲାଣି। ଅଭାବ ଅନଟନ ଭିତରେ ଦୁଇ ପୁଅକୁ ପାଠ ପଢ଼ାଇବା ଓ ସଂସାର ରଥକୁ ବୋହିବା କଷ୍ଟ ହେଉଥିଲେ ହେଁ ଏନେଇ କେବେ ଝଗଡ଼ା ହୋଇନାହିଁ। ଆଗରୁ ଯେମିତି ହାତ ଧରି ଭଲ ପାଇଥିଲୁ ଆଜି ଭି ସେମିତି ହାତଧରି ରହିଛୁ ଓ ରହିଥିବୁ।

ବାସୁଦେବ ଓ ମେଘନାଙ୍କ ନିଆରା ପ୍ରେମ କାହାଣୀ

କିନ୍ନରଙ୍କୁ ନେଇ ଏବେ ବି ସମାଜରେ ଏକ ଭିନ୍ନ ମାନସିକତା ବସା ବାନ୍ଧିଛି। କିନ୍ତୁ ବାସୁଦେବ ଜଣେ କିନ୍ନରଙ୍କୁ ପ୍ରେମକରି ଜୀବନସାଥୀ ଭାବେ ବାଛିଛନ୍ତି। ଫେସ୍‌ବୁକ୍‌ରୁ ଆରମ୍ଭ ହୋଇଥିଲା ବାସୁଦେବ ଓ ମେଘନା କିନ୍ନରଙ୍କ ପ୍ରେମ। ମେଘନାଙ୍କୁ ଯେବେ ସାମ୍ନାରେ ଦେଖିଲେ ‘ଓ୍ଵିଲ ୟୁ ମ୍ୟାରି ମି’ କହି ବାସୁଦେବ ମେଘନାଙ୍କୁ ପ୍ରପୋଜ କରିଥିଲେ। ତେବେ ମେଘନାଙ୍କୁ ଏହି ପ୍ରସ୍ତାବ କେମିତି ଅଖାଡ଼ୁଆ ଲାଗିଥିଲା। ତେଣୁ ସେ ବାସୁଦେବଙ୍କୁ ଗାଳିଗୁଲଜ କରିଥିଲେ। ତେବେ ପୂର୍ବରୁ ଥରେ ବିବାହ କରିଥିବା ବାସୁଦେବ ମେଘନାଙ୍କ ପ୍ରେମରେ ଏମିତି ପାଗଳ ଥିଲେ ଯେ, ନିଜ ପୁଅକୁ ଧରି ମେଘନାଙ୍କ ଘରକୁ ଚାଲି ଆସିଥିଲେ। ପ୍ରଥମ ଦେଖାରେ ବାସୁଦେବଙ୍କ ପୁଅ ବି ମେଘନାଙ୍କୁ ମାମା ଡାକିଥିଲା। ଏହି ମାମା ଶବ୍ଦ ହିଁ ଉଭୟଙ୍କୁ ଅଧିକ ନିକଟତର କରାଇଲା। ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ପରସ୍ପରଙ୍କୁ ଭଲ ପାଇ ବସିଲେ। ପ୍ରଥମେ ବାସୁଦେବଙ୍କ ପରିବାର ଏଥିପାଇଁ ସ୍ୱୀକୃତି ଦେଇ ନଥିଲେ। ତେବେ ସବୁ ବାଧାବିଘ୍ନ ସତ୍ତ୍ୱେ ବିବାହ ସମ୍ପନ୍ନ ହୋଇଥିଲା। ବାହାଘର ପ୍ରାୟ ଦେଢ଼ ବର୍ଷ ହୋଇଗଲାଣି କିନ୍ତୁ ମୋ ପ୍ରତି ତାଙ୍କ ଭଲ ପାଇବା ଆଉ ସମ୍ମାନ ଦିନକୁ ଦିନ ବଢ଼ିବାରେ ଲାଗିଛି ବୋଲି କହନ୍ତି ମେଘନା। ବାସୁଦେବଙ୍କର କିନ୍ନରଙ୍କ ପ୍ରତି ଥିବା ମାନସିକତା ଏବଂ ମତେ ଆପଣେଇବାର ସାହସ ହିଁ ତାଙ୍କୁ ଜଣେ ନିଆରା ପ୍ରେମିକ ସଜେଇଥିଲା। ଯାହାକୁ ସମାଜ କେବେ ଭଲ ଆଖିରେ ଦେଖେ ନାହିଁ ଏବଂ ଥଟ୍ଟା ପରିହାସ କରେ ତାକୁ ଏଡାଇ ମତେ ବିବାହ କରିଛନ୍ତି। ମୁଁ ବହୁତ ଭାଗ୍ୟବାନ ଯେ, ବାସୁଦେବଙ୍କ ଭଳି ସ୍ୱାମୀ ପାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.