ଆଜି ବିଶ୍ବ ଐତିହ୍ୟ ଦିବସ: ଐତିହ୍ୟ ପୁଷ୍କରିଣୀ ଅବହେଳିତ

ପୁରୁଣା ଭୁବନେଶ୍ୱର: ପ୍ରତିବର୍ଷ ଏପ୍ରିଲ ୧୮ ତାରିଖରେ ପାଳନ ହେଉଛି ବିଶ୍ବ ଐତିହ୍ୟ ଦିବସ। ସଭା ସମିତି ଭାଷଣବାଜିରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। ହେଲେ ଐହିହ୍ୟସ୍ଥଳ ଓ ଐତିହ୍ୟ ପୁଷ୍କରିଣୀର ସୁରକ୍ଷା ତଥା ସଂରକ୍ଷଣ ଦିଗରେ ସେତେଟା ଉଦ୍ୟମ ହେଉଥିବା ପରିଲକ୍ଷିତ ହେଉନାହିଁ। କେବଳ ଦିବସ ପାଳନରେ ସୀମିତ ରହିଯାଉଛି ଐତିହ୍ୟ ଦିବସ। ଏକାମ୍ର କ୍ଷେତ୍ରର ଐତିହ୍ୟ ପୁଷ୍କରିଣୀର ଅବସ୍ଥାରୁ ଏହା ସ୍ପଷ୍ଟ ଅନୁମେୟ।
ମନ୍ଦିରମାଳିନୀ ସହର ଭୁବନେଶ୍ୱର ମହାନ ଐତିହ୍ୟକୁ ନେଇ ସମୃଦ୍ଧ। ଏଠାରେ ଥିବା କୀର୍ତ୍ତିରାଜି ସହ ଐତିହ୍ୟ ପୁଷ୍କରିଣୀର ରହିଛି ପୁରାତନ କିଂବଦନ୍ତି। ଏହି ଐତିହ୍ୟ ପୁଷ୍କରିଣୀ ଗୁଡ଼ିକ ଏବେ ଅବହେଳିତ ଅବସ୍ଥାରେ ରହିଛି। ସେଗୁଡ଼ିକ ମଧ୍ୟରୁ କେଉଁଠାରେ ଜବରଦଖଲ ହେଉଛି ତ କେଉଁଠାରେ ପରିତ୍ୟକ୍ତ ଅବସ୍ଥାକୁ ଆସିଗଲାଣି। ପାପନାଶିନୀ ପୁଷ୍କରିଣୀର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପାଦୁକ କୁଣ୍ଡ ସହ ସଂଯୋଗ ରହିଛି। ଏଠାରେ ସ୍ନାନ କଲେ ପାପନାଶ ହୁଏ ବୋଲି କୁହାଯାଏ। ହେଲେ ଏଥିରେ ଦଳ ଭାସିବା ସହ ଚାରିପଟ ମରଣାଯନ୍ତା ପାଲଟିଛି।

ସେହିପରି ଏକାମ୍ର କ୍ଷେତ୍ରରେ ଦେବୀ ପାଦହରା ପୁଷ୍କରିଣୀ ଅନ୍ୟତମ। ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଲିଙ୍ଗରାଜ ମନ୍ଦିରର ପୂର୍ବ-ଉତ୍ତର କୋଣରେ ରହିଛି ଏହି ପୁଷ୍କରିଣୀ। ଏହାର ଚାରିପଟେ ରହିଛି ୧୦୮ଶିବଲିଙ୍ଗ ମନ୍ଦିର। ଏଥିମଧ୍ୟରୁ ପ୍ରାୟ ୪୦ଟି ମନ୍ଦିରର ଶିବଲିଙ୍ଗ ନଥିବା ବେଳେ ୨୨ଟି ଭଗ୍ନ ଅବସ୍ଥାରେ ପଡ଼ିରହିଛି। ପୁଷ୍କରିଣୀର ପୁନରୁଦ୍ଧାର ପାଇଁ ଏଏସ୍‌ଆଇ ଏବେ କାମ ଆରମ୍ଭ କରିଥିଲେ ହେଁ ଏହାର ଚାରିପଟେ ଥିବା ଭଗ୍ନ ମନ୍ଦିରର ଉନ୍ନତିକରଣ ହେବ ନାହିଁ ବୋଲି ଏଏସ୍ଆଇ ମନା କରିଛି। ସେହିପରି ପ୍ରସିଦ୍ଧ ପୁଷ୍କରିଣୀ ବିନ୍ଦୁସାଗର ଅବସ୍ଥା ସମସ୍ତଙ୍କୁ ଜଣା। ପ୍ରାୟ ଦେଢ଼ କିଲୋମିଟର ପରଧିରେ ଥିବା ଏହି ପୁଷ୍କରିଣୀକୁ ପ୍ରତ୍ୟେକ ଦିନ ପର୍ଯ୍ୟଟକ ଆସିଥା’ନ୍ତି। ହେଲେ ଏହି ପୁଷ୍କରିଣୀ ଦଳ ଭର୍ତ୍ତି ଯୋଗୁଁ ବହୁ ପର୍ଯ୍ୟଟକ ନାକ ଟେକନ୍ତି। ୨୦୨୧ ଜାନୁଆରି ୯ରେ ଇଣ୍ଡିଆନ ଅଏଲର ସିଏସ୍‍ଆର ପାଣ୍ଠିରୁ ଟଙ୍କା ବ୍ୟୟରେ ଚତୁପାର୍ଶ୍ବରେ ୪ଟି ପାଣି ମଟର ଲଗାଯାଇଥିଲା। ଯାହା ଓଡ଼ିଶା ସେତୁ ନିର୍ମାଣ ନିଗମ ଲିମିଟେଡ୍ ଏବଂ ଓବିସିସି ସହଯୋଗରେ କରାଯାଇଥିଲା।

ବିଏମ୍‌ସି ପକ୍ଷରୁ ଦଳକୁ ସଫେଇ କରାଯାଇଥିଲା। ତେବେ ପୁଣି ବିନ୍ଦୁସାଗରରେ ଚୁଙ୍ଗୁଡ଼ିଆ ଦଳ ଭର୍ତ୍ତି ହୋଇଗଲାଣି। ସେହିପରି ଦୟାନଦୀରେ ପାଣି ପମ୍ପ ଲାଗାଯାଇ ସାମନ୍ତରାପୁର ୱାଟ୍‌କୋ କାର୍ଯ୍ୟାଳୟକୁ ପ୍ରାୟ ୧୭୮୦ମିଟର ପାଇପ୍‌ ବିଛା ସରିଛି। ସେଠାରେ ପାଣି ବିଶୋଧନ କରାଯାଉଛି। ସେଠାରୁ ସାମନ୍ତରାପୁର, ଇଲେକ୍ଟ୍ରି ଅଫିସ୍‌, ନୂଆ ଲିଙ୍ଗରାଜ ମାର୍କେଟ ମଧ୍ୟ ଦେଇ ତୀର୍ଥେଶ୍ବର ରାସ୍ତାରେ ବିନ୍ଦୁସାଗର ଚାରିପଟକୁ ପାଇପ୍‌ ସଂଯୋଗ କାମ ସରିଛି। ବିନ୍ଦୁସାଗର ଚାରିପଟେ ପାଇପ୍‌ ବିଛା ସରିଛି। ହେଲେ ଏହା କାର୍ଯ୍ୟକାରୀ ହୋଇପାରିନାହିଁ। ଏହା ହେଲେ ପ୍ରତିଦିନ ୨୦ଲକ୍ଷ ଲିଟର ପାଣି ବିନ୍ଦୁସାଗରକୁ ଆସିବ।

କେଦାରଗୌରୀ ମନ୍ଦିର ପରିସରରେ ଥିବା ୪ଟି କୁଣ୍ଡର ପୁନରୁଦ୍ଧାର ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧କୋଟି ୩୦ଲକ୍ଷ ଟଙ୍କା ବ୍ୟୟ କରାଯାଇ କାମ ସରିଛି। ତେବେ ଏହାର ମୂଳ ସମସ୍ୟା କୁଣ୍ଡରେ ନୀଳ ପାଣି ଭାସିବା ସମାଧାନ ହୋଇନାହିଁ। ଏକାମ୍ର କ୍ଷେତ୍ରର ଐତହ୍ୟ ପୁଷ୍କରିଣୀ ରାମେଶ୍ବର ପୁଷ୍କରିଣୀ, କୋଟି ତୀର୍ଥେଶ୍ବର ପୁଷ୍କରିଣୀ, ସୂକ୍ଷ୍ମେଶ୍ବର ପୁଷ୍କରିଣୀ, ଗୋସାଗରେଶ୍ବର ପୁଷ୍କରିଣୀ, ଗୋଡ଼ିପୋଖରୀ ଏବେ ଅବହେଳିତ ଅବସ୍ଥାରେ ରହିଛି। ପୁଷ୍କରିଣୀ ଗୁଡ଼ିକର ପୁନରୁଦ୍ଧାର ପାଇଁ ସରକାର ଡିଣ୍ଡିମ ପିଟୁଥିବା ବେଳେ ଜନବସତି ମଧ୍ୟରେ ଏହା ମଶା ବଂଶ ବୃଦ୍ଧି କରୁଛି। ହେଲେ ଏଥିପ୍ରତି କର୍ତ୍ତୃପକ୍ଷଙ୍କ ନିଘା ନାହିଁ।

ଏଏସଆଇ ଭୁବନେଶ୍ବର ସଂଗ୍ରାଧୀକ୍ଷକ ଅରୁଣ କୁମାର ମଲ୍ଲିକ କୁହନ୍ତି, ମନ୍ଦିରମାଳିନୀ ଭୁବନେଶ୍ବରରେ ପ୍ରତିଟି ଦେବାଳୟ ସହିତ ଜଡ଼ିତ ହୋଇ ଥିବା ଐତିହ୍ୟ ପୁଷ୍କରିଣୀର ଜଳ ନିଷ୍କାସନ ଓ ଏହାର ପୁନରୁଦ୍ଧାର ନ ହୋଇପାରିଥିବାରୁ ବର୍ଷାଦିନେ ଅନେକ ମନ୍ଦିରର ଦିଅଁ ଜଳବନ୍ଦୀ ଅବସ୍ଥାରେ ରୁହନ୍ତି। ତେବେ ଉକ୍ତ ପୁଷ୍କରିଣୀ ଗୁଡ଼ିକର ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର କାମ ବିଗତ ବର୍ଷରୁ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ତାହା ସମ୍ପୂର୍ଣ୍ଣ କରାଯିବ। ଦେବୀ ପାଦହରା ପୁଷ୍କରିଣୀ କାମ ଚାଲିଥିବା ବେଳେ ରାମେଶ୍ବର, ବ୍ରହ୍ମେଶ୍ୱର, ପାପନାଶିନୀର ପୁନରୁଦ୍ଧାର ହେବ। ସେହିପରି ଶୁକଶାରି ମନ୍ଦିର ଖନନ କାମ ଚାଲିଥିବା ବେଳେ ଆଗାମୀ ଦିନରେ ଏହା ଭବାନୀ ଶଙ୍କର ମନ୍ଦିର ଓ ଶୁକଶାରି ମନ୍ଦିର ମଝି ରାସ୍ତାଦେଇ ବିନ୍ଦୁସାଗର ଯାଏ ଖୋଳ‌ାଯାଇ ଅନ୍ୟ ମନ୍ଦିର କିଛି ଅଛି କି ନାହିଁ ଏବଂ ବିନ୍ଦୁସାଗର ଓ ଲିଙ୍ଗରାଜ ମନ୍ଦିର ସହିତ ତାହା କିପରି ଜଡ଼ିତ ସେ ବିଷୟରେ ଅଧିକ ଅନ୍ବେଷଣ କରାଯିବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

ଚଳିତ ବର୍ଷ ଐତିହ୍ୟ ଦିବସର ବିଷୟ ‘ଐତିହ୍ୟ ଓ ଜଳବାୟୁ’

ଇଣ୍ଟରନ୍ୟାନାଲ୍ କାଉନ୍‌ସିଲ୍‌ ଫର୍ ମନୁମେଣ୍ଟ୍‌ସ ଆଣ୍ଡ୍ ସାଇଟ୍‌ସ’ ପକ୍ଷରୁ ଚଳିତ ବର୍ଷ ଐତିହ୍ୟ ଦିବସର ବିଷୟ ରହିଛି ‘ଐତିହ୍ୟ ଓ ଜଳବାୟୁ’। ଉକ୍ତ ବିଷୟକୁ ନେଇ ଶ୍ରୀ ମଲ୍ଲିକ କହିଛନ୍ତି, ଐତିହ୍ୟ ଆମକୁ ଜଳବାୟୁ ବିଷୟରେ ସୂଚନା ଦେଇଥାଏ। ପରିବେଶ ପରିବର୍ତ୍ତନ ହେଲେ ଆମ ମୃତ୍ତିକା ଉପରେ ପ୍ରଭାବ ପକାଇବ। ଯାହା ଅନୁରୂପ ଭାବେ ମାନବ ସମାଜକୁ କ୍ଷତି ପହଞ୍ଚାଇବ। ତେଣୁ ପ୍ରତି ଅଞ୍ଚଳର ଘର, ଅଞ୍ଚଳର ଐତିହ୍ୟ ସେ ଅଞ୍ଚଳର ପରିବେଶ ମୁତାବକ ତିଆରି ହୋଇଛି। ଏହାର ଉଦାହରଣ ହାୱା ମହଲ। ହେଲେ ଲୋକେ ଏହାର ଆବଶ୍ୟକତାକୁ ଅନୁଭବ କରି ପାରୁ ନାହାନ୍ତି। କୌଣସି କାରଣ ନଥାଇ ଅଯଥା ବଡ଼ ବଡ଼ ଅଟ୍ଟାଳିକା ତିଆରି କରିଛନ୍ତି। ସେହିପରି ଓଡ଼ିଶାରେ ପ୍ରତି ଐତିହ୍ୟ ସ୍ଥଳୀ ଓ ଘର ପାଖରେ ପୋଖରୀ ରହିଥାଏ।

ଏହା ଲୋକଙ୍କ କାମରେ ଆସିବା ସହିତ ପରିବେଶ ଅନୁକୂଳ ହୋଇ ଥାଏ। ଲୋକେ ଏବେ ନିଜ ଘର ପାଖରେ ଥିବା ପୋଖରୀ ପୋତି ଦେଉଛନ୍ତି। ଯାହାର ପ୍ରଭାବ ଆମେ ଜଳବାୟୁରେ ଦେଖିବାକୁ ପାଉଛୁ। ତେଣୁ ଚଳିତ ବର୍ଷ ଏହାକୁ ନଜରରେ ରଖି ଐତିହ୍ୟ ପୋଖରୀକୁ ପୁନରୁଦ୍ଧାର କରିବା ପାଇଁ ଏଏଏସଆଇ ନିଷ୍ପତ୍ତି ନେଇଛି।

ରାମେଶ୍ବର ପୁଷ୍କରିଣୀ, କେଦାରଗୌରୀ, ଗୋସାଗରେଶ୍ବର ପୁଷ୍କରିଣୀ ସଫା ହେଉନାହିଁ। କର୍ତ୍ତୃପକ୍ଷଙ୍କ ଏଥିପ୍ରତି ନଜର ନାହିଁ।
– ବିଷ୍ଣୁ ପ୍ରସାଦ ମୁଦୁଲି

ବିନ୍ଦୁସାଗର ପାଣିରେ ସ୍ନାନ କରି ହେଉନାହିଁ। ଏହାଦ୍ବାରା ଏକାମ୍ର କ୍ଷେତ୍ରର ଗରିମା ନଷ୍ଟ ହେଉଛି। ପାଣି ଅପରିଷ୍କାର ଯୋଗୁଁ କେବଳ ତୀର୍ଥ ପାଣି ସିଞ୍ଚନ କରୁଛୁ।
– ବାବୁ ଦୁବେ, କୋଲକାତା

ବିନ୍ଦୁସାଗର, ନନ୍ଦକୁଣ୍ଡ ପୁଷ୍କରିଣୀ, ଦେବୀ ପାଦହରା, କେଦାରଗୌରୀ, ଗୋସାଗରେଶ୍ୱର, ରାମେଶ୍ୱର, ଆଦି ୧୫ରୁ ଊର୍ଧ୍ୱ ପୁଷ୍କରିଣୀ ପରିତ୍ୟକ୍ତ ହେବାକୁ ବସିଲାଣି। ଯେଉଁ ମନ୍ଦିରକୁ ପର୍ଯ୍ୟଟକ ଅଧିକ ଆସୁଛନ୍ତି ଏଏସ୍ଆଇ କେବଳ ସେହି ମନ୍ଦିର ବ୍ୟତୀତ ଅନ୍ୟ କିଛି କରୁନାହିଁ।
– ଶରତ ଚନ୍ଦ୍ର ପଣ୍ଡା, ସେବାୟତ

ସମ୍ବନ୍ଧିତ ଖବର