ମନ୍ଦିର ପାଚେରୀ ସୁରକ୍ଷା ପାଇଁ, ଡ୍ରେନ୍‌ ଦିଗ ମୋଡ଼ିଦେଲେ

୮୦ ଫୁଟିଆ ରାସ୍ତାକୁ ୫୦ ଫୁଟ୍‌ କରିଦେଲେ, କାହାକୁ ସୁରକ୍ଷା ଦେଉଛନ୍ତି ସରକାରୀ ବାବୁ

ଚନ୍ଦ୍ରଶେଖରପୁର: ବିକାଶ ପାଇଁ ବଳି ପଡ଼ୁଛି ମଠ, ମନ୍ଦିର। ପୁରୀଠାରୁ ଆରମ୍ଭ କରି ଭୁବନେଶ୍ବର ପର୍ଯ୍ୟନ୍ତ; କେଉଁଠି ପୁରୁଣା ମନ୍ଦିର ଧରାଶାୟୀ ହେଉଛି ତ ଆଉ କେଉଁଠି ବର୍ଷ ବର୍ଷ ଧରି ଛିଡ଼ା ହୋଇଥିବା ମଠ ମାଟିରେ ମିଶୁଛି। ଏମିତିକି ସରକାରୀ ଜମି ମାଡ଼ି ବସିଥିବା ମନ୍ଦିର ଉପରେ ବି ବୁଲଡ୍‌ଜୋର ଚଢ଼ାଇବାକୁ ପଛାଉ ନାହାନ୍ତି ସରକାରୀ ବାବୁ। ତେବେ ରାଜ୍ୟ ସରକାରଙ୍କ ନାକ ତଳେ ଏକର ଏକର ସରକାରୀ ଜମି ଉପରେ ତିଆରି ହୋଇଥିବା ମନ୍ଦିର ପାଚେରୀ ଭାଙ୍ଗିବାକୁ କାହା ହାତ ଯାଉନି। ବରଂ ନିର୍ମାଣ ହେଉଥିବା‌ ରାସ୍ତାର ରୂପ ବଦଳାଇ ଦିଆଯାଉଛି। ଏମିତି ସ୍ଥିତି ଉପୁଜିଛି ଇନ୍‌ଫୋସିଟି ଅଞ୍ଚଳରେ।

ସହର ପାଇଁ ଗୋଟିଏ ନିୟମ ଏଠାରେ ଆଉ ଗୋଟେ

ଶୈଳଶ୍ରୀବିହାର ସାଇମନ୍ଦିର ନିକଟରୁ ଇନ୍‌ଫୋସିଟି ଛକ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ୮୦ଫୁଟିଆ ରାସ୍ତାରେ ସରକାରୀ ବାବୁଙ୍କ ଏଭଳି କାରନାମା ଏବେ ପଦାକୁ ଆସିଛି। ଏହି ରାସ୍ତା ନିର୍ମାଣ ଲାଗି ଇଞ୍ଜିନିୟର୍‌ମାନେ ଏଭଳି ରୂପରେଖ ପ୍ରସ୍ତୁତ କରିଛନ୍ତି ଯେ କେଉଁଠି ରାସ୍ତାର ଓସାର ୮୦ ଫୁଟ୍ ତ ଆଉ କେଉଁଠି ୫୦ ଫୁଟ୍‌। ରାସ୍ତାଠାରୁ ଡ୍ରେନ୍‌ର ଉଚ୍ଚତା ୨ଫୁଟ୍‌ ବି ରହିଛି। ୮୦ ଫୁଟ୍‌ର ଏହି ରାସ୍ତାର ଉଭୟପାର୍ଶ୍ବରେ ପ୍ରାୟ ୧୦ ଫୁଟିଆ ଡ୍ରେନ୍‌ ନିର୍ମାଣ କରାଯାଉଛି। ଏହି ଡ୍ରେନ୍‌ ଇନ୍‌ଫୋସିଟି ଛକରୁ ଆରମ୍ଭ ହୋଇ ସାଇ ମନ୍ଦିର ଆଡ଼କୁ ଆସୁଛି। ୭୦୦ ମିଟର ରାସ୍ତାରୁ ୬୫୦ ମିଟର ପର୍ଯ୍ୟନ୍ତ ୮୦ ଫୁଟିଆ ରାସ୍ତା ସହ ଡ୍ରେନ୍‌ ହୋଇ ଆସିଥିବା ବେଳେ ହଠାତ୍‌ ଡ୍ରେନ୍‌ର ଦିଗ ବଦଳି ଯାଇଛି। ଡ୍ରେନ୍‌ ଯିବା ରାସ୍ତାରେ ସାଇ ମନ୍ଦିର ପାଚେରୀ ପଡ଼ୁଥିବାରୁ ତାହାକୁ ଭଙ୍ଗା ଯାଇନି, ବରଂ ରାସ୍ତା ଆଡକୁ ଡ୍ରେନ୍‌ ମଡ଼ାଇ ନିଆଯାଇଛି। ମନ୍ଦିର ସମ୍ମୁଖ ଭାଗ ପାଚେରୀ କଡ଼େ କଡ଼େ ଡ୍ରେନ୍‌ ନେବାକୁ ମସୁଧା କରାଯାଇଛି। ଏମିତିକି କିଛି ବାଟ କାର୍ଯ୍ୟ ମଧ୍ୟ ହୋଇଗଲାଣି। ପ୍ରାୟ ୬୫୦ ଫୁଟ୍‌ ପର୍ଯ୍ୟନ୍ତ ରାସ୍ତାର ଓସାର ୮୦ଫୁଟ୍‌ ରହିଥିବା ବେଳେ ୫୦ ମିଟର ରାସ୍ତାକୁ ଅଣଓସାର କରାଯାଇଛି। ମନ୍ଦିର ପାଚେରୀକୁ ସୁରକ୍ଷା ଦେବାକୁ ଯାଇ ସରକାରୀ ବାବୁମାନେ ସବୁ ନିୟମକୁ ଜଳାଞ୍ଜଳି ଦେଇଦେଇଛନ୍ତି। ଏଥିରେ କାହାର ସ୍ବାର୍ଥ ରହିଛି ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।

ଅଭିଯୋଗ ହୋଇଛି ଯେ ରାଜନୈତିକ ଚାପ ଯୋଗୁଁ ସରକାରୀ ବାବୁମାନେ ସାଇ ମନ୍ଦିର ପାଚେରୀକୁ ନ ଭାଙ୍ଗି ଡ୍ରେନ୍‌ର ଦିଗ ବଦଳାଇ ଦେଇଛନ୍ତି। ଏମିତି କି ପାଚେରୀର ଗୋଟିଏ ପାର୍ଶ୍ବର କିଛି ଅଂଶ ଭାଙ୍ଗିଥିଲେ। କ’ଣ ହେଲା କେଜାଣି ଆଉ ଆଗକୁ ଭାଙ୍ଗି‌ଲେ ନାହିଁ, ବରଂ ରାସ୍ତା ଆଡ଼କୁ ଡ୍ରେନ୍‌ ମଡ଼ାଇ ନିର୍ମାଣ କରୁଛନ୍ତି। ଅଭିଯୋଗ କଲେ କେହି ଶୁଣୁନାହାନ୍ତି। କଳ୍ପନା ଛକରେ ଉତ୍କଳ ଗ୍ୟାଲେରିଆ ମଲ୍‌ର ସୌନ୍ଦର୍ଯ୍ୟୀକରଣକୁ ସୁରକ୍ଷା ଦେବାକୁ ଯାଇ ଯେଉଁଭଳି ବିଏମସି କାର୍ଯ୍ୟାଳୟ, ରାଜ୍ୟ ସଂଗ୍ରହାଳୟ, ବିଜେବି କଲେଜ ପାଚେରୀକୁ ଭାଙ୍ଗିବାକୁ ଚକ୍ରାନ୍ତ ହୋଇଛି, ସେହିଭଳି ଏଠାରେ ମଧ୍ୟ ମନ୍ଦିର ପାଚେରୀ ତଥା ସୌନ୍ଦର୍ଯ୍ୟୀକରଣକୁ ସୁରକ୍ଷା ଦେବାକୁ ଯାଇ ରାସ୍ତାକୁ ସଙ୍କୁଚିତ କରାଯାଉଛି। ମନ୍ଦିର ପାଚେରୀ ପାର୍ଶ୍ବରେ ଯଦି ଡ୍ରେନ୍‌ ଯିବ, ତେ‌ବେ ଭବିଷ୍ୟତରେ ଅନେକ ସମସ୍ୟା ସୃଷ୍ଟି ହେବ। ଟ୍ରାଫିକ୍‌ ସମସ୍ୟା ଉପୁଜିବା ସହ ଦୁର୍ଘଟଣା ବଢ଼ିବ। କାରଣ ଭବିଷ୍ୟତରେ ଏହି ରାସ୍ତା ଜୟଦେବବିହାର-ନନ୍ଦନକାନନ ରାସ୍ତାର ବିକଳ୍ପ ହେବାକୁ ଯାଉଛି। ରାସ୍ତା ନିର୍ମାଣ ଦାୟିତ୍ବରେ ଥିବା ଆର ଆଣ୍ଡ ବି ଡିଭିଜନ୍‌-୩ର ଏଇଇ (ଆସିଷ୍ଟାଣ୍ଟ ଇଞ୍ଜିନିୟର) ଅନୁପ ବେହେରାଙ୍କୁ ଏସମ୍ପର୍କରେ ପଚାରିବାରୁ ସେ କହିଲେ ଯେ ଡ୍ରେନ୍‌ ନିର୍ମାଣ ଚାଲିଛି। ମନ୍ଦିର ପାଚେରୀ ଭଙ୍ଗାଯିବ। ସେମାନେ ଭିତରେ ଆଉ ଏକ ପାଚେରୀ ନିର୍ମାଣ କରୁଛନ୍ତି। ତାହା ସରିବା ପରେ ଏହି ପାଚେରୀକୁ ଭଙ୍ଗାଯାଇ ଡ୍ରେନ୍‌ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯଦି ପାଚେରୀ ଭଙ୍ଗାଯିବ, ତେବେ ପାଚେରୀ ପାର୍ଶ୍ବରେ ଡ୍ରେନ୍‌ ନିର୍ମାଣ ହେଉଛି କାହିଁକି? ସହରର ବିଭିନ୍ନ ସ୍ଥାନରେ ମନ୍ଦିର ଭଙ୍ଗାଯାଉଥିବା ବେଳେ ଏଠାରେ କ’ଣ ପାଇଁ ଅନୁକମ୍ପା ଦେଖାଯାଉଛି?

ସମ୍ବନ୍ଧିତ ଖବର