‘ପିଠି ଥାପୁଡ଼ାଇ ଭୁଲ୍‌ ଦେଖାଇଦେବା ମଧ୍ୟ ସମାଲୋଚନା’

ଟାଟା ଷ୍ଟିଲ ଭୁବନେଶ୍ବର ସାହିତ୍ୟ ଉତ୍ସବ ଉଦ୍‌ଯାପିତ

ଭୁବନେଶ୍ବର: ଭାଷା ଭିତରେ ଥିବା ପର ଆପଣାର ଭେଦଭାବ ପିଲା ଦିନରୁ ହିଁ ମୋ ଭିତରେ ନଥିଲା। ଓଡ଼ିଆ, ବଙ୍ଗଳା, ଇଂରାଜୀ; ସବୁ ଭାଷାର ସ୍ବତନ୍ତ୍ରତା ରହିଛି। ସବୁ ଭାଷା ପ୍ରତି ମୋର ଅହେତୁକ ଭଲ ପାଇବା ଅଛି। ସପ୍ତମ ଅଧିବେଶନର ଶୀର୍ଷକ ‘ତାଙ୍କ କାହାଣୀ ତାଙ୍କ ଶବ୍ଦ’ ଆଲୋଚନାରେ ବିଶିଷ୍ଟ ଲେଖିକା ଯଶୋଧରା ମିଶ୍ର ଆଜି ଏହା କହିଛନ୍ତି। ଲେଖିକା ହିରଣ୍ମୟୀ ମିଶ୍ରଙ୍କ ସହ କଥୋପକଥନରେ ଶ୍ରୀମତୀ ମିଶ୍ର କହିଥିଲେ, ବାପାଙ୍କ ଚାକିରି କାରଣରୁ ଓଡ଼ିଶାର ଅନେକ ଜାଗାରେ ରହିବାର ସୁଯୋଗ ମିଳିଥିଲା।

ଓଡ଼ିଶା ବାହାରେ ମଧ୍ୟ ରହିଛି। ଏଇଥିରୁ ବିଭିନ୍ନ ଭାଷା ପ୍ରତି ମୋର ଭଲ ପାଇବା ବଢ଼ିଥିଲା। ମଣିଷ ଯେଉଁଠି ରୁହେ, ସେ ସ୍ଥାନକୁ ନିଜର କରିନିଏ। ସବୁ ସ୍ଥାନକୁ ନିଜର କରି ନିଷ୍ଠାର ସହିତ ଲେଖି ଚାଲିବାର ଫଳ ମୁଁ ପାଇଛି। ଏହି ଆଲୋଚନାରେ ଲେଖିକା ସଂଘମିତ୍ରା ମିଶ୍ର କହିଥିଲେ, ମୋ ଜନ୍ମ ଏପରି ଏକ ପରିବାର, ପରିବେଶ ଏବଂ ପରିସ୍ଥିତ‌ିରେ ହୋଇଥିଲା, ଯାହାକୁ ମୁଁ ଈଶ୍ବରଙ୍କ ଆଶୀର୍ବାଦ ବୋଲି ମନେ କରେ। ବାପାଙ୍କଠାରୁ ବିଭିନ୍ନ ପ୍ରତିଷ୍ଠିତ କବି ଓ ଲେଖକଙ୍କ କବିତା, ମା’ଙ୍କଠାରୁ ଗଣକବି ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟ ଶୁଣିଛି। କବିତା ଓ ସଂଗୀତକୁ ଶୁଣି ଶୁଣି ମୁଁ ବଡ଼ ହୋଇଛି। ଘରେ ଏକା ଥିବାରୁ ବହି ପଢ଼ିବାର ମଧ୍ୟ ପର୍ଯ୍ୟାପ୍ତ ସୁଯୋଗ ପାଇଥିଲି।

ସାହିତ୍ୟ ପ୍ରତି ମଧ୍ୟ ଅହେତୁକ ଆଗ୍ରହ ମଧ୍ୟ ବଢ଼ିଥିଲା। ନାଟକ ସମାଲୋଚନା କରିବାର ଆଗ୍ରହ ମୋତେ ମୋ ଛାତ୍ରଛାତ୍ରୀଙ୍କଠାରୁ ମିଳିଥିଲା। ସମାଲୋଚନାର ବାକ୍ୟ ଯେ ସବୁବେଳେ କଟୁ ହେବ, ସେଥିରେ ମୁଁ ଏକମତ ନୁହେଁ। ପିଠି ଥାପୁଡ଼େଇ ଭୁଲ୍‌ ଦେଖାଇ ଦେବାକୁ ମଧ୍ୟ ସମାଲୋଚନା କୁହାଯାଏ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର