ଭୁବନେଶ୍ବର: ପାର୍ବଣ ଆରମ୍ଭରୁ ରାଜଧାନୀରେ ଡରାଇଲେଣି ଅପରାଧୀ। କେଉଁଠି ବଟି ପାଇଁ ତ କେଉଁଠି ଚାନ୍ଦା ପାଇଁ ଦେଖାଉଛନ୍ତି ଦାଦାଗିରି। ଦଳବଳ ହୋଇ ପହଞ୍ଚି ଯାଉଛନ୍ତି, ନଦେଲେ ଧମକଚମକ ଦେଉଛନ୍ତି। ଆକ୍ରମଣ କରିବାକୁ ବି ପଛାଉ ନାହାନ୍ତି। ଖାଲି ଏତିକି ନୁହେଁ, ଅଭ୍ୟାସଗତ ଅପରାଧୀଙ୍କ ଦୌରାତ୍ମ୍ୟ ବି ବଢ଼ିଚାଲିଛି। କେଉଁଠି ଜମି ପାଇଁ ବୋମା ମାଡ଼ ହେଲାଣି ତ କେଉଁଠି ବନ୍ଧୁକ ଗର୍ଜିଲାଣି। ପୁଣି ବାର୍ରେ ମସ୍ତି କରି ରକ୍ତପାତ ଘଟିଲାଣି।
ଚକେଇସିଆଣିରେ ପୂଜା ମଣ୍ଡପକୁ ନେଇ ଖଣ୍ଡା ବୁଲିବା, ସହିଦନଗର ଅଞ୍ଚଳରେ ଭସାଣିକୁ ନେଇ ଗୋଷ୍ଠୀ ସଂଘର୍ଷ, ସତ୍ୟବିହାର ଅଞ୍ଚଳରେ ଏକ ବାର୍ରେ ନିଶାଡ଼ିଙ୍କ ଆତଙ୍କ, ଭରତପୁର ଅଞ୍ଚଳରେ ବୋମାମାଡ଼ ଗତ କିଛିଦିନ ହେବ ଅପରାଧିଙ୍କ ଏଭଳି ଆତଙ୍କରୁ ରାଜଧାନୀର ଅପରାଧର ଚିତ୍ର ସ୍ପଷ୍ଟ ବାରି ହେଉଛି। ଯାହାକି ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି। ଭାଇଗିରି ଓ ଅପରାଧୀଙ୍କ ଦୌରାତ୍ମ୍ୟ ରୋକିବା ଲାଗି କମିସନରେଟ୍ ପୁଲିସ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଛି। ବିଭିନ୍ନ ଥାନା ଅଞ୍ଚଳରେ ଥିବା ୧୯୦୦ରୁ ଊର୍ଧ୍ବ ଅପରାଧୀଙ୍କ ତାଲିକା କରିଛି। ଖୋଜି ଖୋଜି ସେହି ଅପରାଧୀଙ୍କୁ ବନ୍ଧାଯିବ। ସେମାନଙ୍କୁ ସମ୍ପୃକ୍ତ ଅଞ୍ଚଳରୁ ତଡ଼ିବାଲାଗି ଚିନ୍ତା ମଧ୍ୟ କରାଯାଇଛି। ଗଣେଶ ପୂଜା ପୂର୍ବରୁ ଏହି ସଂଖ୍ୟା ୨୨୦୦ ଥିବା ବେଳେ ସ୍ବତନ୍ତ୍ର ଅଭିଯାନ ମାଧ୍ୟମରେ ୩୦୦ ଅପରାଧୀଙ୍କୁ କମିସନରେଟ୍ ପୁଲିସ ଗିରଫ କରିସାରିଛି।
ତାଲିକାରେ ୧୯୦୦ରୁ ଅଧିକଙ୍କ ନାମ
ତଡ଼ିପାର ହେବେ କୁଖ୍ୟାତ ଅପରାଧୀ
ଭାଇଗିରି ଓ ବଟିକୁ ନାଁ
ସବୁ ଥାନାକୁ ଡିସିପିଙ୍କ ନିର୍ଦ୍ଦେଶ
କଡ଼ାକଡ଼ି ହେବ ପାଟ୍ରୋଲିଂ
ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ବିଏନ୍ଏସ୍ ଦଫା ୧୨୯ ଲଗାଯିବ। ଦରକାର ପଡ଼ିଲେ ଜାତୀୟ ସୁରକ୍ଷା ଆଇନ (ଏନ୍ଏସ୍ଏ) ବଳରେ ବାନ୍ଧିବା ପାଇଁ ସ୍ଥିର କରାଯାଇଛି। ପୂଜା ସମୟରେ ଯେଭଳି କୌଣସି ପ୍ରକାର ଅପ୍ରୀତିକର ସ୍ଥିତି ସୃଷ୍ଟି ନହୁଏ, ଏଥିପାଇଁ ଡିସିପି ଜଗମୋହନ ମୀନା ସମସ୍ତ ଥାନାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଡିସିପିଙ୍କ ବ୍ଲୁ-ପ୍ରିଣ୍ଟ ପରେ ଅଭ୍ୟାସଗତ ଅପରାଧୀ, ଚୋରି, ହତ୍ୟାକାଣ୍ଡ, ରାହାଜାନି ଓ ଗଣ୍ଡଗୋଳ କରି ପୁଲିସ ଫାଇଲରେ ନାଁ ଚଢ଼ିଥିବା ଅପରାଧୀଙ୍କ ଛାତି ଏବେ ଧଡ଼ଧଡ଼ ହେଉଛି।
ସେହିପରି ଦାଗୀ ଅପରାଧୀଙ୍କୁ ସପ୍ତାହକୁ ଥରେ ଥାନାରେ ହାଜିରା ଦେବାକୁ ବାଧ୍ୟ କରାଯିବ।
ଏଥିପାଇଁ ଡିସିପିଙ୍କ ନେତୃତ୍ୱରେ ପ୍ରାଥମିକ ପର୍ଯ୍ୟାୟରେ ଅଭ୍ୟାସଗତ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ୨୫ଟି ଥାନାରେ ୩୦୦ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ପାର୍ବଣରେ ଅପରାଧୀଙ୍କୁ ସାବାଡ଼ ପାଇଁ ଏହି ପ୍ରସ୍ତୁତି କରାଯାଇଛି। ଖଣ୍ଡଗିରି ଓ ସଦିଦନଗର ଥାନାରେ ସର୍ବାଧିକ ଦାଗୀ ଅପରାଧୀ ଥିବା ଜଣାପଡ଼ିଛି। ସେହିପରି ମଞ୍ଚେଶ୍ୱର ଥାନା, ଲକ୍ଷ୍ମୀସାଗର, ନୂଆପଲ୍ଲୀ, ଇନ୍ଫୋସିଟି, ଇନ୍ଫୋଭ୍ୟାଲି, ଏୟାରଫିଲ୍ଡ, ଚନ୍ଦକା ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏମାନଙ୍କ ସଂଖ୍ୟା ମଧ୍ୟ ଚିନ୍ତାଜନକ ରହିଛି। କମିସନରେଟ୍ ପୁଲିସର ଏହି ଅଭିଯାନରେ ଆଗକୁ ଆହୁରି ନାଁ ଯୋଡ଼ାଯିବ। ଅପରାଧ ଛାଡ଼ିପାରୁ ନଥିବା ଅଭ୍ୟାସଗତଙ୍କ ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି। ଏହାଛଡ଼ା ୫ଜଣଙ୍କୁ ତଡ଼ିପାର ପାଇଁ କମିସନରେଟ୍ ପୁଲସି ତାଲିକା କରିଛି। ପାର୍ବଣରେ ଜୋରଜବରଦସ୍ତି ଚାନ୍ଦା ମାଗୁଥିବା ଅସାମାଜିକଙ୍କ ସମ୍ପର୍କରେ ଟୋଲ୍ ଫ୍ରି ନମ୍ବର ୧୧୨ରେ ଅଭିଯୋଗ କରିବା ପାଇଁ ଡିସିପି ଶ୍ରୀ ମୀନା ଲୋକଙ୍କୁ ଅନୁରୋଧ କରିଛନ୍ତି।