ଭୁବନେଶ୍ବର: ସତ୍ୟ ପରିବେଷଣ କରିବା ସମ୍ବାଦପତ୍ରର ଦାୟିତ୍ବ। ସତ୍ୟ ପରିବେଷଣ କରିବା ଯାହାର କାର୍ଯ୍ୟ ତାକୁ କଣ୍ଟକିତ ପଥ ଦେଇ ଗତି କରିବାକୁ ପଡ଼ିଥାଏ। ଯିଏ ଯେତେ କଷ୍ଟ ପାଇବ ସେ ହିଁ ସତ୍ୟ ସହିତ ରହିଛି ବୋଲି ମାନିବାକୁ ହେବ ବୋଲି ଦୈନିକ ତ୍ରୈଭାଷିକ ସମ୍ବାଦପତ୍ର ବିଶ୍ବବାଣୀର ୨୦ତମ ପ୍ରତିଷ୍ଠା ଦିବସ ଅବସରରେ ଅତିଥିମାନେ କହିଛନ୍ତି। ଜୟଦେବ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଲେ, ବର୍ତ୍ତମାନ ସମୟରେ ସମ୍ବାଦପତ୍ର ତିଷ୍ଠିବା କଷ୍ଟକର ହୋଇପଡ଼ିଛି। ନାନା ସମସ୍ୟା ଭିତରେ ବିଶ୍ବବାଣୀ ଖବରକାଗଜ ୨୦ବର୍ଷ ପୂରଣ କରିବା ବଡ଼କଥା ବୋଲି କହିବା ସହିତ ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ। ଉଦ୍ଘାଟକ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ସାମଜିକ ଗଣମାଧ୍ୟମ ବର୍ତ୍ତମାନ ସମ୍ବାଦପତ୍ରର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ପାଲଟିଛି। ଛାପା ଗଣମାଧ୍ୟମକୁ ବିଭିନ୍ନ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ୁଛି। ଗୋଟିଏ ଖବରକାଗଜ ପ୍ରକାଶକ, ପାଠକ ଓ ବିଜ୍ଞାପନଦାତାଙ୍କ ଉପରେ ନିର୍ଭରଶୀଳ। ବିଜ୍ଞାପନ ଉପରେ ନିର୍ଭର କଲେ ସମ୍ବାଦପତ୍ର ସ୍ବାଧୀନତା ହରାଇଥାଏ। ଏଣୁ ପାଠକଙ୍କୁ ବାନ୍ଧି ରଖିବା ଲାଗି ସତ୍ୟ ଖବର ପରିବେଷଣ କରିବା ଆବଶ୍ୟକ।
ବିଶିଷ୍ଟ ଅତିଥି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ରଗୁଡ଼ିକ କିଭଳି ବଞ୍ଚି ରହିବେ ସେ ନେଇ ମତ ରଖିଥିଲେ। ବିଶିଷ୍ଟ ଅତିଥି ଭାବେ ଆଇନଜୀବୀ ନିର୍ଭୟ କୁମାର ସମାନ୍ତରାୟ ଓ ଉପଦେଷ୍ଟା ଭାଗବତ ତ୍ରିପାଠୀ ଯୋଗଦେଇ କ୍ଷୁଦ୍ର ମଧ୍ୟମ ପତ୍ରିକା ଓ ସମ୍ବାଦପତ୍ର ପ୍ରତି ସରକାର ଦୃଷ୍ଟି ଦେବାକୁ ନିବେଦନ କରିଥିଲେ। କାର୍ଯ୍ୟକ୍ରମରେ ସନତ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲା ବେଳେ ବିଶ୍ବବାଣୀର ସମ୍ପାଦକ ଅର୍ଜୁନ ମୁଦୁଲି ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ। ଏହି ପରିପ୍ରେକ୍ଷୀ ସମାଜର ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା କୃତୀ ପ୍ରତିଭାମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।