ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ସବୁଠି ଉତ୍ସାହ ଉଦ୍ଦୀପନା

ତପୋବନରେ ଆଦିବାସୀ ଚିତ୍ରକଳା

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ର ମୁଖ୍ୟ। ଦେଶର ଶୀର୍ଷ ପଦରେ ଅଧିଷ୍ଠିତ ହେବା ପରେ ପ୍ରଥମ ଥର ଲାଗି ନିଜ ମାତୃଭୂମିରେ ପାଦ ଥାପିବେ। ତାଙ୍କୁ ଭବ୍ୟ ସ୍ବାଗତ କରିବା ଲାଗି ସବୁଠି ଚାଲିଛି ପ୍ରସ୍ତୁତି। ପ୍ରଶାସନିକସ୍ତରୁ ଆରମ୍ଭ କରି ସ୍କୁଲ ପର୍ଯ୍ୟନ୍ତ। ଭୁବନେଶ୍ବରରୁ ପୁରୀ ପର୍ଯ୍ୟନ୍ତ। ସବୁଠି ସେହି ଗୋଟିଏ ନାଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କେତେବେଳେ କେଉଁଠିକୁ ଯିବେ, କାହାକୁ ଭେଟିବେ ସେନେଇ ସମସ୍ତ ରୂପରେଖ ପ୍ରସ୍ତୁତ ସରିଛି। ପୁଲିସ ପକ୍ଷରୁ କାର୍‌କେଡ୍‌ ରିହରସେଲ୍‌ ଶେଷ ହୋଇଛି। ରାଜଭବନରେ ରାତ୍ରିଯାପନ କରିବାକୁ ଥିବାରୁ ସେଠାରେ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତି ଭାବେ ପ୍ରଥମ ଥର ଆସୁଥିବା ଓଡ଼ିଆ ଝିଅଙ୍କୁ ରାଜଭବନରେ କେଉଁମାନେ ସାକ୍ଷାତ କରିବେ ତାହାର ମଧ୍ୟ ଏକ ଲମ୍ବା ତାଲିକା ପ୍ରସ୍ତୁତ ସରିଛି। ଯେଉଁଥିରେ ନେତା, ମନ୍ତ୍ରୀ, ବିଧାୟକ, ସାଂସଦ, ସାମ୍ବାଦିକ, ସମାଜସେବୀ, କ୍ରୀଡ଼ାବିତ୍‌ ଆଦି ରହିଛନ୍ତି। ଭୁବନେଶ୍ବରରେ ପାଖାପାଖି ଗୋଟିଏ ଦିନ ବିତାଇବାକୁ ଥିବାରୁ ରାଜ୍ୟ ସରକାର ମଧ୍ୟ ଗୁରୁବାରକୁ ଅଧା ଦିନ ଛୁଟି ଘୋଷଣା କରିସାରିଛନ୍ତି।

ସଜେଇ ହେଉଛି ତପୋବନ
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପିଲାଙ୍କ ପାଇଁ ତିଆରି ହୋଇଥିବା ତପୋବନ ଉଚ୍ଚ ବିଦ୍ୟାଳୟକୁ ନଭେମ୍ବର ୧୧ ତାରିଖରେ ରାଷ୍ଟ୍ରପତି ଆସିବେ। ଯେଉଁଥିପାଇଁ ରାଜଭବନଠାରୁ ରାଜ୍ୟ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଚଳଚଞ୍ଚଳ ହୋଇ ପଡ଼ିଛନ୍ତି। ନିର୍ଦ୍ଧାରିତ ପ୍ରୋଟୋକଲ୍ ଏବଂ କାର୍ଯ୍ୟକ୍ରମ ତ୍ରୁଟିଶୂନ୍ୟ ବ୍ୟବସ୍ଥା ପାଇଁ ରାଜ୍ୟ ପ୍ରଶାସନ ଓ ସୁରକ୍ଷା କର୍ମୀ ତତ୍ପର ଅଛନ୍ତି। ବିଦ୍ୟାଳୟକୁ ‌ସଜେଇବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ସେଠାରେ ରହୁଥିବା ଶତାଧିକ ଛାତ୍ରଛାତ୍ରୀ ଆଗ୍ରହର ସହ ରାତିଦିନ ଏକ କରି କାମ କରି ଚାଲିଛନ୍ତି। ବିଦ୍ୟାଳୟ ପାଚେରିରୁ ସିଉଳି ଛଡ଼ାଇ ନୂଆ ରଙ୍ଗ ମାରିବା କାମ ଚାଲିଛି। ଗଛରେ ଆଦିବାସୀଙ୍କ ଚିତ୍ର ଅଙ୍କନ କରୁଛନ୍ତି। ସ୍କୁଲ କାନ୍ଥରେ ବରପୁତ୍ରଙ୍କ ଛବି ବି ଅଙ୍କା ଯାଉଛି। ଉତ୍କଳମଣି ଗୋପବନ୍ଧୁ ଦାସଙ୍କଠାରୁ ଆରମ୍ଭ କରି ଉତ୍କଳ ଗୌରବ ମଧୁସୂଦନ ଦାସ, ଜୟ ରାଜଗୁରୁ, ଦିଲ୍ଲୀପ ତିର୍କୀଙ୍କ ଚିତ୍ର ଶୋଭା ପାଉଛି। ହାତରେ ଆଉ କମ୍‌ ସମୟ ବାକି ରହିଥିବାରୁ କିଛି ଶ୍ରେଣୀ ଗୃହଗୁଡ଼ିକର ସୌନ୍ଦର୍ଯ୍ୟୀକରଣ ହେଉଛି।

ହାତ ତିଆରି ପେଣ୍ଟିଂ ଭେଟିଦେବେ
ମିଳିଥିବା ସୂଚନା ଅନୁଯାୟୀ ରାଷ୍ଟ୍ରପତି ତପୋବନ ବିଦ୍ୟାଳୟରେ ସକାଳ ପ୍ରାୟ ସାଢ଼େ ୯ଟାରେ ପହଞ୍ଚିବେ। କ୍ୟାମ୍ପସରେ କିଛି ସମୟ ବୁଲିବା ପରେ ସେଠାରେ ଥିବା ଏକ ହଲ୍‌ରେ ଛାତ୍ରଛାତ୍ରୀଙ୍କୁ ଭେଟିବେ। ରାଷ୍ଟ୍ରପତି ଯେଉଁ ଛାତ୍ରଛାତ୍ରୀଙ୍କୁ ଭେଟିବେ ସେମାନଙ୍କର କୋଭିଡ୍‌-୧୯ ପରୀକ୍ଷା କରାଯାଇଛି। ସାକ୍ଷାତ ସମୟରେ ଛାତ୍ରଛାତ୍ରୀ ହାତ ତିଆରି ଏକ ପେଣ୍ଟିଂକୁ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବେ। ରାଷ୍ଟ୍ର ମୁଖ୍ୟ କ୍ୟାମ୍ପସକୁ ଆସୁଥିବାରୁ ସେଦିନ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନରେ ନିୟମିତ ଖାଦ୍ୟ ସହ କିଛି ବିଶେଷଖାଦ୍ୟ ପ୍ରଦାନ କରିବାକୁ ସ୍କୁଲ କର୍ତ୍ତୃପକ୍ଷ ଯୋଜନା ପ୍ରସ୍ତୁତ କରିଛନ୍ତି।

୮ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ସେଠାରୁ ଫେରିବା ପରେ ଅପରାହ୍ନରେ ଭୁବନେଶ୍ବରରେ ଥିବା ୮ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। କଳ୍ପନା ଛକରେ ଥିବା ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ସମେତ ସହରର ବିଭିନ୍ନ ସ୍ଥାନରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ସ୍ବଭାବକବି ଗଙ୍ଗାଧର ମେହେର, ସହିଦ୍‌ ଲକ୍ଷ୍ମଣ ନାୟକ, ଭଗବାନ ବିର୍ସା ମୁଣ୍ଡା ଓ ପଣ୍ଡିତ୍‌ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ରାଷ୍ଟ୍ରପତି ଯେଉଁ ସବୁ ସ୍ଥାନକୁ ଯିବେ ସେଠାରେ ପ୍ରତିମୂର୍ତ୍ତି ସଫେଇ କରାଯିବା ସହ ସୌନ୍ଦର୍ଯ୍ୟୀକରଣ କରାଯାଇଛି।

୧୩ଜଣ ସହପାଠିନୀଙ୍କୁ ଭେଟିବେ
୧୯୭୦ରୁ ୧୯୭୪ ମସିହା ପର୍ଯ୍ୟନ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୮ମରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ। ଏହି ସମୟରେ ସେ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀନିବାସରେ ରହିଥିଲେ। ପ୍ରଥମ ଓଡ଼ିଶା ଗସ୍ତ ଅବସରରେ ରାଷ୍ଟ୍ରପତିଙ୍କ ପାଦ ନିଜେ ପଢ଼ୁଥିବା ସ୍କୁଲ୍‌ରେ ପଡ଼ିବ। ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ସେ ଏଠାକୁ ଆସିବାକୁ ଥିବା ବେଳେ, ଚୂଡ଼ାନ୍ତ ପର୍ଯ୍ୟାୟରେ ତାଙ୍କର ସ୍ୱାଗତ ପ୍ରସ୍ତୁତି ରହିଛି। ହଷ୍ଟେଲରେ ସେ ରହୁଥିବା ବିର୍ସାମୁଣ୍ଡା ଓ ତୁଳସୀ ମୁଣ୍ଡା ବ୍ଲକ୍‌କୁ ବି ସଜାଯାଇଛି। ସେ ଶୋଉଥିବା ଖଟକୁ ବି ସେଠି ରଖାଯାଇଛି। ଗସ୍ତ ଅବସରରେ ନିଜର ୧୩ ଜଣ ସହପାଠିନୀଙ୍କୁ ବି ଭେଟିବେ ଦ୍ରୌପଦୀ। ନିଜ ଛାତ୍ରାବସ୍ଥାକୁ ମନେପକାଇ ୫ ଦଶନ୍ଧି ତଳର ପୁରୁଣା ସ୍ମୃତିକୁ ମନେ ପକାଇବେ।

୧୧୩ଜଣଙ୍କ କୋଭିଡ୍‌ ଟେଷ୍ଟ
୧୧ ତାରିଖରେ ରାଷ୍ଟ୍ରପତି ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରିବେ। ସେଠାରେ ୧୦ ମିନିଟ୍‌ ରହିବେ। ତେଣୁ ତାଙ୍କୁ ସ୍ବାଗତ ଲାଗି ବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବିଦ୍ୟାଳୟର ଡ୍ରମ୍‌ ଟିମ୍‌ ପକ୍ଷରୁ ଚାଲିଥିବା ରିହଲସେଲ୍‌ ଶେଷ ହୋଇଛି। ରାଷ୍ଟ୍ରପତି କ୍ୟାମ୍ପସରେ ପହଞ୍ଚିବା କ୍ଷଣି ଏହି ଡ୍ରମ୍‌ ଟିମ୍‌ ତାଙ୍କୁ ପାଛୋଟି ନେବେ। ଛାତ୍ରୀନିବାସ ପରିଦର୍ଶନ ସମୟରେ ଏକ ବୃକ୍ଷରୋପଣ କରିବେ। ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ଉତ୍ସାହିତ ଥିବା ବେଳେ କରୋନା ସତର୍କତା ସୃଷ୍ଟିରୁ ୧୧୩ ଜଣଙ୍କର କୋଭିଡ୍‌ ଟେଷ୍ଟ୍ ହୋଇଛି।

ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ସ୍ବାଗତ କରିବେ
ରାଷ୍ଟ୍ରପତି ପୂର୍ବାହ୍ନରେ ସ୍ବତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ବିପୁଳ ସ୍ବାଗତ କରାଯିବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପୁଲିସ ଡିଜି ସୁନୀଲ୍‌ କୁମାର ବଂଶଲ, ‌ମେୟର ସୁଲୋଚନା ଦାସ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

ସୁରକ୍ଷା କଡ଼ାକଡ଼ି, ରାତିରେ ଯାଞ୍ଚ
ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବୁଧବାର ରାତିରେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାତିରେ ସହର ମଧ୍ୟକୁ ପ୍ରବେଶ କରୁଥିବା ଗାଡ଼ିଗୁଡ଼ିକୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି। ସନ୍ଧ୍ୟା ସମୟରୁ ପ୍ରତି ଛକରେ ପୁଲିସ ଛାଉଣି ହୋଇଛି। ଯଦି କୌଣସି ବ୍ୟକ୍ତିଙ୍କ ଉପରେ ସନ୍ଦେହ ଉପୁଜୁଛି ପୁଲିସ ପକ୍ଷରୁ ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ ହେଉଛି। ବିମାନବନ୍ଦରଠାରୁ ରାଜଭବନ ପର୍ଯ୍ୟନ୍ତ ପୁଲିସ ମୁତୟନ ହୋଇଛନ୍ତି।

ସମ୍ବନ୍ଧିତ ଖବର