ଭୁବନେଶ୍ବର: ସରକାରୀ ବସ୍ରେ ବେଆଇନ୍ ଭାବେ ଚାଲାଣ ହେଉଥିଲା ଗୁଟ୍ଖା। ଆଜି ରାଜ୍ୟ ଜିଏସ୍ଟି ଏନ୍ଫୋର୍ସମେଣ୍ଟ ୱିଙ୍ଗ କ୍ରାଉନ୍ ହୋଟେଲ୍ ନିକଟରେ ଏକ ସରକାରୀ ବସ୍କୁ ଯାଞ୍ଚ ବେଳେ ଏହା ଜଣାପଡ଼ିଛି। ବ୍ରହ୍ମପୁରର ପଲ୍ଲବୀ ଡିଲକ୍ସ ମିକ୍ସ ନାମକ ଏକ ସଂସ୍ଥା ଏଭଳି କାରବାର ଚଳାଇଥିବା ଜଣାପଡ଼ିଛି। ବିଭାଗ ପକ୍ଷରୁ ବସ୍ ଓ ଲକ୍ଷାଧିକ ଟଙ୍କାର ଗୁଟ୍ଖା ଜବତ କରିବା ସହ ବସ୍ ଚାଳକ ଓ କଣ୍ଡକ୍ଟର୍କୁ ଅଟକ ରଖାଯାଇଛି। ସୂଚନା ମୁତାବକ, ସୋମବାର ରାତିରେ ବ୍ରହ୍ମପୁରରୁ-କଟକ ଆସୁଥିବା ଓଏସ୍ଆର୍ଟିସି ବସ୍ରେ ବିପୁଳ ପରିମାଣର ଗୁଟ୍ଖା ଆସୁଥିବା ଜିଏସ୍ଟି ଏନ୍ଫୋର୍ସମେଣ୍ଟ ୱିଙ୍ଗ ଖବର ପାଇଥିଲା। ବିଳମ୍ବିତ ରାତିରେ ବିଭାଗର ଏକ ଟିମ୍ କ୍ରାଉନ୍ ହୋଟେଲ୍ ନିକଟରେ ଛକି ରହିଥିଲା। ବସ୍ ପହଞ୍ଚିବା ପରେ ବିଭାଗୀୟ ଅଧିକାରୀମାନେ ସେଠାରେ ବସ୍କୁ ଅଟକାଇଥିଲେ। ବସ୍କୁ ଯାଞ୍ଚ ବେଳେ ସେଠାରୁ ୩୬ ବସ୍ତା ଗୁଟ୍ଖା ବାହାରିଥିଲା। ଅଧିକାରୀମାନେ କଣ୍ଡକ୍ଟର୍ଙ୍କୁ ଇନ୍ଭଏସ୍ ଓ ୱେ ବିଲ୍ ମାଗିଥିଲେ। ହେଲେ ସେମାନେ ଏସବୁ କିଛି ଦେଖାଇପାରି ନଥିଲେ। ଜବତ ହୋଇଥିବା ଗୁଟ୍ଖାର ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ତେବେ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଜିନିଷ କାରବାର ପାଇଁ ୱେ ବିଲ୍ର ଆବଶ୍ୟକତା ଥିଲେ ମଧ୍ୟ ଏମାନେ କୌଣସି ବିଲ୍ ଦେଖାଇପାରି ନଥିଲେ। ଫଳରେ ବିଭାଗ ବସ୍ ଓ ଗୁଟ୍ଖାକୁ ଜବତ କରି ସହିଦନଗର ଥାନା ସ୍ଥିତ ବିଭାଗ କାର୍ଯ୍ୟାଳୟକୁ ଆଣିଥିଲା। ସେହିପରି ବସ୍ରେ ଥିବା ଯାତ୍ରୀମାନଙ୍କୁ ଅନ୍ୟ ଏକ ବସ୍ରେ କଟକ ପଠାଯାଇଥିଲା। ପଚରାଉଚରା ବେଳେ ଚାଳକ ଓ କଣ୍ଡକ୍ଟର କହିଥିଲେ ଯେ ଆମକୁ ସାଦା ପାନମସଲା ଅଛି କହି ବସ୍ତା ଲୋଡ୍ କରିଥିଲେ। ବସ୍ତା ପିଛା ୬୦ଟଙ୍କା ଦେଇଥିଲେ। ଆଗରୁ ମଧ୍ୟ ଉକ୍ତ ବସ୍ରେ ଗୁଟ୍ଖା ଚାଲାଣ କରାଯାଇଥିବା ଉଭୟ ମାନିଛନ୍ତି। ଏନେଇ ଯୁଗ୍ମ ବାଣିଜ୍ୟକର ଆୟୁକ୍ତ, ପ୍ରବର୍ତ୍ତନ ଚକଲା କମିସନର ପ୍ରାଣକୃଷ୍ଣ କଅଁର ଗୁଟ୍ଖା କମ୍ପାନିର ମାଲିକ ନରେନ୍ଦ୍ର ସ୍ବାଇଁଙ୍କୁ ନୋଟିସ୍ କରିଛନ୍ତି। ଅନ୍ୟପଟେ ସରକାରୀ ବସ୍ରେ ବାରମ୍ବାର ବେଆଇନ୍ ଗୁଟ୍ଖା ଚାଲାଣ ହୋଉଥିଲେ ମଧ୍ୟ ଓଏସ୍ଆର୍ଟିସି ଅଧିକାରୀ କିଛି ଟେର୍ ପାଇ ନଥିଲେ। ବସ୍ଗୁଡ଼ିକୁ କାହିଁକି ରିତିମତ ଯାଞ୍ଚ କରାଯାଉ ନାହିଁ ବୋଲି ପ୍ରଶ୍ନ ଉଠିଛି। ଏହାକୁ ନେଇ ଓଏସ୍ଆର୍ଟିସି ଅଧିକାରୀଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଛି।
ସରକାରୀ ବସ୍ରେ ଗୁଟ୍ଖା ଚାଲାଣ
୧୫ଲକ୍ଷ ଟଙ୍କାର ଗୁଟ୍ଖା ଜବତ, ଚାଳକ ଓ କଣ୍ଡକ୍ଟର ଅଟକ
/sambad/media/post_attachments/wp-content/uploads/2019/01/Untitled-15-18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)