ଖଣ୍ଡଗିରି: ସ୍ମାର୍ଟ ସିଟିରେ ପରିବେଶ ଅନୁକୂଳ ଆଦର୍ଶ ଶ୍ମଶାନ ତିଆରି ହେଲା। କୋଟିକୋଟି ଟଙ୍କା ବ୍ୟୟରେ ସହରର ୩ ପ୍ରମୁଖ ସ୍ଥାନ‌ରେ ଏହାକୁ ନିର୍ମାଣ କରାଗଲା। ମଡେଲ୍‌ ଶ୍ମଶାନ ନିର୍ମାଣ ହେବାର ଦେଢ଼ ବର୍ଷ ବିତିଲାଣି। ହେଲେ  ଏଯାଏଁ ଲୋକଙ୍କ କାମରେ ଆସିଲା ନାହିଁ। ୫ ବର୍ଷ ତ‌ଳେ ଭୁବନେଶ୍ବରର ଆଇଗିଣିଆ, ଜାଗମରା, ପଟିଆରେ  ୩ଟି ଅତ୍ୟାଧୁନିକ ମଶାଣି ତିଆରି ହେଲ‌ା। ଦେଢ଼ ବର୍ଷ ତଳେ ଏଠାରେ ଶବଦାହ ପାଇଁ ବର୍ଣ୍ଣର, ଅସ୍ଥି ସଂଗ୍ରହ ଗୃହ, ଡିଜି ଗୃହ ନିର୍ମାଣ ହୋଇ ସମସ୍ତ ଆନୁଷଙ୍ଗିକ ସାମଗ୍ରୀ ମଧ୍ୟ ଉପଲବ୍ଧ କରାଯାଇଛି। ଏଥିପାଇଁ ଗେଲ୍‌ ଇଣ୍ଡିଆ ସାମାଜିକ ଦାୟିତ୍ବବୋଧ  (ସିଏସ୍‌ଆର୍‌) ପାଣ୍ଠିରୁ ଅର୍ଥ ଯୋଗାଇ ଦେଇଛି। ତେବେ ସମାନ ସମୟରେ କଟକରେ ନିର୍ମାଣ ହୋଇଥିବା ମଶାଣି ୩ ମାସ ତଳୁ କାର୍ଯ୍ୟକ୍ଷମ ହୋଇଛି। ହେଲେ ଭୁବନେଶ୍ବରରେ ଏହା ଏବେ ଖତ ହେବାକୁ ବସିଲାଣି। ବ୍ୟବହାର ହେଉ ନଥିବାରୁ ଏହାର ବର୍ଣ୍ଣରରେ ଧୂଳି ଜମିଗଲାଣି।  ଗ୍ୟ‌ାସ୍‌ ଟାଙ୍କି କଣା ହୋଇଥିବା ନେଇ ମଧ୍ୟ ଅଭିଯୋଗ ହେଉଛି।
ତଥ୍ୟ ଅନୁସାରେ, ଏହି ମେସିନ୍‌ରେ ଗୋଟିଏ ଶବ ପୋଡ଼ିବାକୁ ୪୦ ମିନିଟ୍‌ ସମୟ ‌ଲାଗିବ। ଏଥିପାଇଁ ମାତ୍ର ୧୦ କେଜି ଗ୍ୟାସ୍‌ ବ୍ୟବହାର ହେବ। ମେସିନ୍‌ ଲଗାତାର ୨୪ ଘଣ୍ଟା କାମ କରିପାରିବ। ମେସିନ୍‌ ସହିତ ଡିଜି ସଂଯୁକ୍ତ ହୋଇ ଥିବାରୁ ଲାଇନ୍‌ ନଥିବା ବେଳେ ମଧ୍ୟ ବ୍ୟବହାର କରାଯାଇ ପାରିବ। ଏଥିରେ ଲାଗିଥିବା ୨ଟି ବର୍ଣ୍ଣର, ଶବକୁ ପୋଡ଼ି ପାଉଁଶ କରିଦେବ। ସମସ୍ତ ପାଉଁଶ ଟନେଲ୍‌ ‌ଯୋଗେ ଅସ୍ଥି ସଂଗ୍ରହ ଗୃହରେ ଥିବା ଟ୍ରେ’ରେ ଏକତ୍ରିତ ହେବ। ଗୋଟିଏ ଶବରୁ ସର୍ବାଧିକ ଅଧକେଜି ଅସ୍ଥି ବାହାରିବ। ଏଥିରୁ ପରିବାର ଲୋକେ ଅସ୍ଥି ସଂଗ୍ରହ କରି ପରବର୍ତ୍ତୀ ଶୁଦ୍ଧି କର୍ମ ପାଇଁ ନେଇପାରିବେ।
କାମ ସରିବା ପରେ ଏହାର ସମ୍ପୂର୍ଣ୍ଣ ରକ୍ଷଣାବେକ୍ଷଣା ପାଇଁ ଗେଲ୍‌, ଟେଲିକମ୍ ଇଞ୍ଜିନିୟର କମ୍ପାନିକୁ ଦାୟିତ୍ବ ହସ୍ତାନ୍ତର କରିସାରିଛି। କମ୍ପାନି ପକ୍ଷରୁ ଏହି ଅତ୍ୟାଧୁନିକ ମେସିନ୍‌କୁ ଚଳାଇବା ପାଇଁ ପ୍ରଶିକ୍ଷଣପ୍ରାପ୍ତ ଅପରେଟର୍‌ ଓ ୩ଟି ମଶାଣିର ତଦାରଖ ପାଇଁ ଜଣେ ସୁପରଭାଇଜରଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ୩ ମାସ  ଠିକା ସଂସ୍ଥାର କର୍ମଚାରୀ କାମ କରିବା ପରେ ବିଏମ୍‌ସି ଦାୟିତ୍ବ ନେବାକଥା। କିନ୍ତୁ ‌ଦେଢ଼ ବର୍ଷ ବିତିଥିଲେ ମଧ୍ୟ ଏହା ଶୃଙ୍ଖଳିତ ହୋଇପାରୁନି। ଏଠ‌ାରେ ଖର୍ଚ୍ଚ ହେବାକୁ ଥିବା ଗ୍ୟାସ୍‌, ବିଦ୍ୟୁତ୍‌ ଓ ପରିଚାଳନା ବାବଦ ଅନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ସାଧାରଣ ଲୋ‌କେ ଦେ‌ବେ ନା ବିଏମ୍‌ସି ବହନ କରିବ ତାହା ନିଷ୍ପତ୍ତି ହୋଇ ପାରୁନି।  ଶବଦାହ ପିଛା କେତେ ୟୁଜର୍ସ ଫି ଦେବାକୁ ହେବ ତାହା ବି ଧାର୍ଯ୍ୟ ହୋଇ ନାହିଁ ବୋଲି ଲୋକଙ୍କୁ ହଇରାଣ ହେବାକୁ ପଡ଼ୁଛି।
ପଟିଆ ଜଳିସାହି ଶ୍ମଶାନ ଅକାମୀ ନେଇ ବିଏମ୍‌ସିର ବୈଠକରେ ସ୍ଥାନୀୟ କର୍ପୋରେଟର୍‌ ପ୍ରଶ୍ନ କରିଥିଲେ। ଉତ୍ତ‌ରରେ କୁହାଯାଇଥିଲା, ଜଳିସାହି ଶ୍ମଶାନରେ ଗ୍ୟାସ୍‌ଚାଳିତ ଚୁଲା ଚାଲିବା ପାଇଁ ଡିଜି ସେଟ୍‌ ଓ ଅନ୍ୟାନ୍ୟ ଯନ୍ତ୍ରପାତି କାମ କରୁନାହିଁ। ଏହାର ମରାମତି ପାଇଁ ସମ୍ପୃକ୍ତ ସଂସ୍ଥାକୁ ଏଷ୍ଟିମେଟ୍‌ କରିବାକୁ କୁହାଯାଇଛି। ସେହିପରି ଚୁଲାକୁ ଗେଲ୍‌ ଦ୍ବାରା ଯାଞ୍ଚ କରାଯିବ। ଏନେଇ ବିଏମ୍‌ସିର ଦାୟିତ୍ବରେ ଥିବ‌ା ବରିଷ୍ଟ ଯନ୍ତ୍ରୀ ସ‌‌‌ରୋଜ ମହାପାତ୍ର କହିଛନ୍ତି, ୨ ଦିନ ତଳେ ଆଇଗିଣିଆ ଓ ଜାଗମରା‌ ଅତ୍ୟାଧୁନିକ ଶ୍ମଶାନକୁ ଗ୍ୟାସ୍‌ ସଂଯୋଗ ଦିଆଯାଇଛି। ଏହା ଏବେ କାର୍ଯ୍ୟକ୍ଷମଯୋଗ୍ୟ ହୋଇଛି।