ଆଜି ପୁଣି ହେବ ଟ୍ରାଫିକ୍‌ କଡ଼ାକଡ଼ି, ବସ୍‌ ଗଲା ଫ୍ଲାଏ ଓଭର୍‌ରେ

ଆଚାର୍ଯ୍ୟବିହାର ଓ ବାଣୀବିହାରରୁ ଉଠିବାକୁ ଥିବା ଯାତ୍ରୀ ସତ୍‌ସଙ୍ଗରୁ ଉଠିବେ

ଭୁବନେଶ୍ୱର: ଦୁଇଦିନର ଛୁଟି ପରେ ଆସନ୍ତାକାଲିଠାରୁ ପୁଣି ଥରେ ଟ୍ରାଫିକ କଡ଼ାକଡ଼ି ହେବାକୁ ଯାଉଛି। ନୂଆ ଆଇନ ବଳରେ ଜରିମାନା ଆଦାୟ କରିବା ପାଇଁ ଉଭୟ ଟ୍ରାଫିକ୍‌ ପୁଲିସ ଓ ଆରଟିଓ ପ୍ରସ୍ତୁତ ହୋଇଛନ୍ତି। ସ୍ବତନ୍ତ୍ର ଟିମ୍‌ ଗଠନ କରି ବିଭିନ୍ନ ଛକରେ ପ୍ରସ୍ତୁତ ରହିବା ପାଇଁ ବ୍ୟବସ୍ଥା ହୋଇଛି। ନିର୍ଦ୍ଦିଷ୍ଟ ଛକରେ ଟ୍ରାଫିକ୍‌ ଚେକିଂ ହେଉଥିବାରୁ ଅମାନିଆ ଚାଳକ ସମ୍ପୃକ୍ତ ଛକବାଟେ ଯାଉନାହାନ୍ତି। ସେଥିପାଇଁ ଆସନ୍ତାକାଲି ବିଭିନ୍ନ ସ୍ଥାନରେ ଅଚାନକ୍‌ ଚଢ଼ଉ ପାଇଁ ମଧ୍ୟ ଯୋଜନା ହୋଇଛି। ସ୍ବତନ୍ତ୍ର ମୋବାଇଲ ଟିମ୍‌ ପ୍ରସ୍ତୁତ କରାଯାଇଛି। ପ୍ରଥମେ କିଛିଦିନ ଡ୍ରୋନ୍‌ ଉଡ଼ି ଅମାନିଆ ଚାଳକଙ୍କ ଉପରେ ନଜର ରଖିଥିବା ବେଳେ କିଛି ଦିନ ହେବ ଆଉ ଡ୍ରୋନ୍‌ ଉଡ଼ୁନାହିଁ। ଟ୍ରାଫିକ୍‌ ଶୃଙ୍ଖଳିତ କରିବା ପାଇଁ ସ୍ବତନ୍ତ୍ର ଭାବେ ନିଯୁକ୍ତି ପାଇଥିବା ଆଇପିଏସ୍‌ ଅଫିସର ମଧ୍ୟ ଗୋଟିଏ ଦିନର ତନାଘନା ପରେ ଦେଖା ଯାଉନାହାନ୍ତି। ତେବେ ଛୁଟିରେ ଥିବା ଟ୍ରାଫିକ୍‌ ଡିସିପି ସାଗରିକା ନାଥ ଆସନ୍ତାକାଲି କାର୍ଯ୍ୟରେ ଯୋଗ ଦେବାକୁ ଯାଉଛନ୍ତି। ଡ୍ରୋନ୍‌ ଉଡ଼ାଇବାକୁ ତାଲିମ୍‌ପ୍ରାପ୍ତ କର୍ମଚାରୀ ମଧ୍ୟ ଛୁଟିରେ ଥିଲେ, ସେ ମଧ୍ୟ ଆସନ୍ତାକାଲି କାର୍ଯ୍ୟରେ ଯୋଗ ଦେବେ। ଏଣୁ ଟ୍ରାଫିକ୍‌ ଉପରେ କଡ଼ା ନଜର ରହିବା ସ୍ପଷ୍ଟ ହୋଇଛି। ଘରୁ ଗାଡ଼ି କାଢ଼ିବା ପୂର୍ବରୁ ସମସ୍ତ କାଗଜପତ୍ର ସହ ବାହାରିବା ପାଇଁ ଟ୍ରାଫିକ୍‌ ପୁଲିସ ସଚେତନ କରାଇଛି।

ଅନ୍ୟପଟେ ବାଣୀବିହାର ଓ ଆଚାର୍ଯ୍ୟବିହାର ଛକରେ ଲାଇନ୍‌ ବସ୍‌ଗୁଡ଼ିକ ଜାମ୍‌ କରୁଥିବାରୁ କେତେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବା ପାଇଁ କମିସନରେଟ୍‌ ପୁଲିସ ଯୋଜନା କରିଛି। ଗତକାଲି ଏ ବାବଦରେ ବସ୍‌ମାଲିକମାନଙ୍କ ସହ ଆଲୋଚନା କରିବା ପରେ ଆଜିଠାରୁ ବସ୍‌ଗୁଡ଼ିକ ଫ୍ଲାଏ ଓଭର ଦେଇ ଯାଉଥିବା ପରିଲକ୍ଷିତ ହୋଇଛି। ଆଚାର୍ଯ୍ୟ ବିହାର ଓ ବାଣୀବିହାରରୁ ବସ୍‌ ଧରିବା ପାଇଁ ଚାହୁଁଥିବା ଯାତ୍ରୀ ସତ୍‌ସଙ୍ଗ ବିହାର ପର୍ଯ୍ୟନ୍ତ ଯାଇ ବସ୍‌ ଧରିବେ। ଜୟଦେବ ବିହାର ଛକରୁ ବସ୍‌ ଧରିବାକୁ ଚାହୁଥିବା ଯାତ୍ରୀ ଫ୍ଲାଏ ଓଭରରେ ଥିବା କଟ୍‌ରୁ ବସ ଧରିବେ। ଆଜି ଠାରୁ ବସ୍‌ମାଲିକମାନେ ଏଥିରେ ଅଭ୍ୟସ୍ତ ହେବା ଆରମ୍ଭ କରିଛନ୍ତି। କିନ୍ତୁ ଏଥିପାଇଁ ବ୍ୟାପକ ସଚେତନତା ନଥିବାରୁ ଅନେକ ଯାତ୍ରୀ ଫ୍ଲାଏ ଓଭର ତଳେ ସବୁଦିନ ଭଳି ଅପେକ୍ଷା କରୁଥିବାର ଦେଖାଯାଇଛି।

ସମ୍ବନ୍ଧିତ ଖବର