ଆଜି ଅଶୋକାଷ୍ଟମୀ: ମାଉସୀ ଘର ଯିବେ ଶ୍ରୀଲିଙ୍ଗରାଜ

ପୁରୁଣା ଭୁବନେଶ୍ୱର: ବୁଧବାର ପବିତ୍ର ଅଶୋକାଷ୍ଟମୀ। ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ବରର ରଥଦାଣ୍ଡରେ ଗଡ଼ିବ ରୁକୁଣା ରଥ। ମହାପ୍ରଭୁ ଶ୍ରୀଲିଙ୍ଗରାଜ ଯିବେ ମାଉସୀ ଘର (ରାମେଶ୍ବର ମନ୍ଦିର)। ରଥରେ ଦେବଦେବ ମହାଦେବଙ୍କ ଚଳନ୍ତି ପ୍ରତିମା ପ୍ରଭୁ ଚନ୍ଦ୍ରଶେଖରଙ୍କ ସହ ବିଜେ କରିବେ ପ୍ରଭୁ ବାସୁଦେବ (ଦୋଳଗୋବିନ୍ଦ) ଓ ଦେବୀ ରୁକୁଣା ବା ରୁକ୍ମିଣୀ। ୬ ଦିନ ପାଇଁ ନିଜ ମନ୍ଦିର ଓ ପତ୍ନୀ ଦେବୀ ପାର୍ବତୀଙ୍କୁ ଛାଡ଼ି ଭାଇ ଭଉଣୀଙ୍କ ସହ ମାଉସୀ ଘର ଯିବେ ପ୍ରଭୁ ଶ୍ରୀଲିଙ୍ଗରାଜ। ରାମେଶ୍ବର ମନ୍ଦିରରେ ମାଉସୀ ଘରେ ହେବ ହରି-ହର ଭେଟ। ମାନ କରିବେ ମା’ ପାର୍ବତୀ। ରାଗରେ ରଥ ଭାଙ୍ଗିବେ। ଏମିତିକି ପ୍ରତ୍ୟାବର୍ତ୍ତନ ବେଳେ ମନ୍ଦିର କବାଟ କିଳି ଦିଅନ୍ତି। ପରେ ମାନଭଞ୍ଜନ କରିବେ ପ୍ରଭୁ ଲିଙ୍ଗରାଜ ଓ ମା’ ପାର୍ବତୀ ପୁଣି ମହାଦେବଙ୍କୁ ପାଛୋଟି ନେବେ ମନ୍ଦିରକୁ। ପ୍ରଭୁ ଲିଙ୍ଗରାଜଙ୍କ ଏହି ଦିବ୍ୟ ଲୀଳାଖେଳା ଦର୍ଶନ ପାଇଁ ସବୁ ବର୍ଷ ଭଳି ଏଥର ମଧ୍ୟ ଲକ୍ଷ ଲକ୍ଷ ଭକ୍ତ ତଥା ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିବ। ତେଣୁ ମନ୍ଦିର ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ, ବିଏମ୍‌ସି ଓ କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

କିଂବଦନ୍ତୀ ଯାହା କୁହେ

ରୁକୁଣା ରଥ ଯାତ୍ରାକୁ ନେଇ କିଂବଦନ୍ତୀ ବା ପୁରାଣରେ ବର୍ଣ୍ଣିତ ରହିଛି ଦେବ-ଅସୁର କଳିର କାହାଣୀ। ଅସୁର ରାଜା ତ୍ରିପୁର ବିଜୟୀ ତ୍ରିପୁରାସୁରର ଅତ୍ୟାଚାରରେ ଦେବଲୋକ ଓ ମର୍ତ୍ତ୍ୟଲୋକ ଅତିଷ୍ଠ ହୋଇପଡ଼େ। ତ୍ରିପୁରାସୁରଠାରୁ ବାରମ୍ବାର ପରାଜିତ ହୁଅନ୍ତି ଦେବତାମାନେ। ତେଣୁ ଅନ୍ୟ ଉପାୟ ନପାଇ ଦେବତାମାନେ ମହାଦେବଙ୍କ ଶରଣାପନ୍ନ ହୁଅନ୍ତି ଏବଂ ତ୍ରିପୁରାସୁରକୁ ବଧ କରିବାକୁ ପ୍ରାର୍ଥନା କରନ୍ତି। ଦେବଗଣଙ୍କ ଅନୁରୋଧ ରକ୍ଷା କରି ମହାଦେବ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅନ୍ତି ଏବଂ ଏଥିରେ ତାଙ୍କୁ ସହଯୋଗ କରନ୍ତି ଭଉଣୀ ଶକ୍ତିସ୍ବରୂପିଣୀ ଦେବୀ ରୁକ୍ମିଣୀ। ଯୁଦ୍ଧ ପାଇଁ ଏକ ସ୍ବତନ୍ତ୍ର ରଥ ନିର୍ମାଣ କରନ୍ତି ଦେବଶିଳ୍ପୀ ବିଶ୍ବକର୍ମା। ଉକ୍ତ ରଥରେ ବିଜେ କରି ଭାଇ ଭଉଣୀ ଯୁଦ୍ଧ କ୍ଷେତ୍ରକୁ ଯାଆନ୍ତି ଏବଂ ପ୍ରବଳ ପରାକ୍ରମୀ ତ୍ରିପୁରାସୁରକୁ ନିପାତ କରନ୍ତି। ସେବେଠୁ ଉକ୍ତ ରଥକୁ ରୁକୁଣା ରଥ କୁହାଯାଉଛି।

ଅନ୍ୟପକ୍ଷରେ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ମହାଦେବଙ୍କୁ ଅଶୋକ ଫୁଲ ଲାଗି ବା ସମର୍ପଣ କରାଯିବା ବିଧି ରହିଛି। ପୌରାଣିକ ମତ ଅନୁଯାୟୀ, ରାବଣକୁ ମାରି ପ୍ରଭୁ ଶ୍ରୀରାମ ବ୍ରହ୍ମହତ୍ୟା ପାପ ଅର୍ଜନ କରିଥିଲେ। ଏହି ପାପରୁ ନିସ୍ତାର ପାଇଁ କୁଳଗୁରୁ ବଶିଷ୍ଠଙ୍କ ପରାମର୍ଶକ୍ରମେ ପ୍ରଭୁ ରାମଚନ୍ଦ୍ର ସପରିବାର ଏକାମ୍ର ବନକୁ ଆସି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ପୂଜାର୍ଚ୍ଚନା କରିଥିଲେ। ମହାପ୍ରଭୁ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ ରାମେଶ୍ୱରଠାରେ ଏକ ମନ୍ଦିର ପ୍ରତିଷ୍ଠାପୂର୍ବକ ପୂଜାର୍ଚ୍ଚନା କରିବାକୁ ରାମଚନ୍ଦ୍ରଙ୍କୁ କହିଥିଲେ। ତେଣୁ ସେବେଠୁ ପ୍ରତି ବର୍ଷ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ରାମଚନ୍ଦ୍ରଙ୍କ ଅନୁରୋଧକ୍ରମେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ରାମେଶ୍ୱର ପୀଠକୁ ଆସି ପୂଜା ଗ୍ରହଣ କରନ୍ତି। ଏଥିପାଇଁ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ସାଙ୍ଗରେ ରୁକୁଣା ରଥରେ ଦୋଳଗୋବିନ୍ଦ ଓ ରୁକ୍ମିଣୀଙ୍କୁ ନେଇ ରାମେଶ୍ବର ମନ୍ଦିରକୁ ବିଜେ କରନ୍ତି। କିନ୍ତୁ ମା’ ପାର୍ବତୀ ଏହି ରଥରେ ଆସନ୍ତି ନାହିଁ। ଏଣୁ ମାନ କରନ୍ତି ମା’ ପାର୍ବତୀ। ଅଭିମାନ ଭାଙ୍ଗିବା ପାଇଁ ପ୍ରଭୁ ଲିଙ୍ଗରାଜ ମା’ଙ୍କ ସହ ୨୨ଦିନିଆ ଚନ୍ଦନ ଯାତ୍ରା କରିବାକୁ ପ୍ରତିଶ୍ରୁତି ଦିଅନ୍ତି। ତେଣୁ ଏହି ରଥଯାତ୍ରା ପଛରେ ହରି-ହରଙ୍କ ଲୀଳାଖେଳା ସହ ଭାଇ-ଭଉଣୀ, ପତି-ପତ୍ନୀଙ୍କ ଭିତରେ ଥିବା ଗଭୀର ପବିତ୍ର ପ୍ରେମର ବାର୍ତ୍ତା ରହିଛି। ବଡ଼ କଥା ହେଉଛି, ଏହି ପର୍ବରେ ଶକ୍ତିପ୍ରଦାୟିନୀ ମା’ ଦୁର୍ଗାଙ୍କ ଗାଥା ରହିଥିବା ବେଳେ ସର୍ବତ୍ର ପାଳନ ହେଉଛି ନବରାତ୍ର ମହୋତ୍ସବ ବା ବାସନ୍ତିକ ଦୁର୍ଗାପୂଜା।

ରଥ ପ୍ରତିଷ୍ଠାରେ ଯୋଗଦେଲେ ଗଜପତିଙ୍କ ରାଜଗୁରୁ

ଆଜି ମଧ୍ୟରାତ୍ରରେ ରଥଖଳା‌ରେ ରଥ ପ୍ରତିଷ୍ଠା କରାଯାଇଥିଲା। ବିଧି ଅନୁସାରେ ରଥ ଅଗ୍ରରେ ନେତ ବନ୍ଧା ହେବା ସହ ପ୍ରତିଷ୍ଠା ପୂଜା ସମାହିତ ହୋଇଥିଲା। ଆଜି ସପ୍ତମୀ ତିଥି ପୂଜା ବିଧି ମୁତାବକ କେଦାରଗୌରୀ ନିକଟ ତଥା ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚିକୁଣ୍ଡରୁ ପାଣି ଆସିବା ପରେ କ୍ଷେତ୍ରବାସୀ ବ୍ରାହ୍ମଣ ନିଯୋଗର ସେବାୟତମାନେ ରଥ ପ୍ରତିଷ୍ଠା ପୂଜା କରିଥିଲେ। ଏହି ସମୟରେ ଗଜପତି ମହାରାଜାଙ୍କ ରାଜଗୁରୁ ଉପସ୍ଥିତ ରହି ପ୍ରତିଷ୍ଠା କାମରେ ସହଯୋଗ କରିଥିଲେ। ଏହି ଅବସରରେ ରଥର ନେତ ପୂଜା କରାଯାଇଥିଲା ଏବଂ ପୂଜା ପରେ ରଥ ଶୀର୍ଷରେ ନେତ ବନ୍ଧା ଯାଇଥିଲା।

ସରିଲା ରଥ ନିର୍ମାଣ, ଲାଗିଲା ସିଂହାସନ

ଆଜି ରୁକୁଣା ରଥର ନିର୍ମାଣ କାମ ସରିଛି। ଆସନ୍ତାକାଲି ରଥ ଗଡ଼ିବା ପୂର୍ବରୁ କେବଳ ସଖି ଓ ଘୋଡ଼ା ଖଞ୍ଜାଯିବ। ଆଜି ନେତ ଉତ୍ସବ ଅବସର‌ରେ ରଥ ପ୍ରତିଷ୍ଠା ହେବା ପୂର୍ବରୁ ଅନ୍ୟ ସବୁ କାମ ସରିଛି। ପାର୍ଶ୍ୱମୂର୍ତ୍ତି ସବୁ ଲଗାଯାଇଛି। ସେହିଭଳି ସିଂହାସନ ଲାଗିବା କାମ ବି ସରିଛି। ମୂର୍ତ୍ତି ବାରେଣି, ପ୍ରଭା, ଘୋଡ଼ା ଈଶ ଓ ଚାରି ଦ୍ୱାର ଲଗାଯାଇଛି। ରଥର ସାରଥୀଙ୍କୁ ରଙ୍ଗ କରାଯାଇଛି। ରଥର ଉପର ପଟା, ବେଦୀ ପଟା, ଘଣ୍ଟି ଓରା, ଧ୍ୱଜ ବତା ଲଗାଯିବା ସହ ପେଟି, ଅଁଳା, ମୁଣ୍ଡି, ଝରା ଆଦି ଲାଗିବା କାମ ଶେଷ ହୋଇଛି। ହଳଦିଆ, ନାଲି, ନୀଳ ଓ ଧଳା ରଙ୍ଗର କପଡ଼ାରେ ପ୍ରସ୍ତୁତ ରଥବସ୍ତ୍ରରେ ରଥକୁ ସଜେଇ ଦିଆଯାଇଛି।

ସାଢ଼େ ୧୨ରେ ପହଣ୍ଡି, ସାଢ଼େ ୩ରେ ରଥଟଣା

ନୀତିନିର୍ଘଣ୍ଟ ଅନୁସାରେ ଆସନ୍ତାକାଲି ଅପରାହ୍‌ଣ ସାଢ଼େ ୩ଟାରେ ରଥଟଣା ହେବ। ଭୋର୍‌ ୫ଟାରେ ଠାକୁରଙ୍କ ଆଳତି ଅବକାଶ ନୀତି ସମ୍ପନ୍ନ ହେବ ଓ ସାଢ଼େ ୫ଟାରୁ ଘଣ୍ଟାଏ ପର୍ଯ୍ୟନ୍ତ ଠାକୁରଙ୍କ ସାହାଣମେଲା ରହିବ। ଏହାପରେ ରୋଷହୋମ, ପାକକାର୍ଯ୍ୟ ସମ୍ପନ୍ନ ହୋଇ ଛାମୁ ପରିଷ୍କାର ହେବ। ସକାଳ ୭ଟାରୁ ୮ଟା ଭିତରେ ମହାସ୍ନାନ, ବେଶ, ଦ୍ୱାରପାଳ ଓ ସୂର୍ଯ୍ୟଦେବଙ୍କ ପୂଜା ବିଧିମତେ କରାଯିବ। ଶ୍ରୀଜିଉଙ୍କ ବଲ୍ଲଭ, ମା’ ଗୋପାଳୁଣି (ଭୁବନେଶ୍ୱରୀ) ଠାକୁରାଣୀଙ୍କ ବଲ୍ଲଭ ଆଦି ସମାପନ ପରେ ପୂର୍ବାହ୍ନ ୯ଟା ୧୫ ସୁଦ୍ଧା ସକାଳ ଧୂପ ନୀତି ସରିବ। ଭୋଗ ମଣ୍ଡପ ନୀତି ୯ଟା ୪୫ରେ ଆରମ୍ଭ ହୋଇ ଘଣ୍ଟାକ ଭିତରେ ସରିବ। ଏହାପରେ ଅନ୍ୟାନ୍ୟ ପୂଜାନୀତି ବିଧିମତେ ସମ୍ପନ୍ନ ହୋଇ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ମହାପ୍ରଭୁଙ୍କ ଯାତ୍ରା ପୂଜା ସମାପନ ହେବ। ସାଢ଼େ ୧୨ଟାରୁ ସାଢ଼େ ୧ଟା ମଧ୍ୟରେ ମହାପ୍ରଭୁ ରଥକୁ ପହଣ୍ଡି ବିଜେ କରିବେ। ରଥ ବିଜେସ୍ଥଳୀରେ ଠାକୁରଙ୍କ ପୂଜାର୍ଚ୍ଚନା ନୀତି କାର୍ଯ୍ୟ ଦୁଇ ଘଣ୍ଟା ମଧ୍ୟରେ ସରିବ। ଏହା ପରେ ଚାର ଖୋଲା ହେବ ଏବଂ ସାଢ଼େ ୩ଟାରେ ରଥ ମାଉସୀ ମା’ ମନ୍ଦିର ଅଭିମୁଖେ ଗଡ଼ିବ।

ଚଳଚଞ୍ଚଳ ମା‌ଉସୀ ଘର ରାମେଶ୍ବର ପୀଠ

ବୁଧବାର ମହାପ୍ରଭୁ ଶ୍ରୀଲିଙ୍ଗରାଜ ରୁକୁଣା ରଥ ଚଢ଼ି ମାଉସୀ ଘର ରାମେଶ୍ୱର ପୀଠକୁ ଯାତ୍ରା କରିବେ। ଏଥିପାଇଁ ଆଜିଠୁ ରାମେଶ୍ବର ମନ୍ଦିର ଚଳଚଞ୍ଚଳ ହୋଇଉଠିଛି। ମନ୍ଦିରକୁ ରଙ୍ଗ କରାଯିବା ସହ ଛାମୁଣ୍ଡିଆ କରାଯାଇଛି। ରଙ୍ଗିନ୍‌ ଆଲୋକମାଳାରେ ଝଲସୁଛି ମନ୍ଦିର। ସେହିପରି ଲ‌କ୍ଷ୍ମଣେଶ୍ବର ମନ୍ଦିର, ଭରତେଶ୍ବର ମନ୍ଦିର ଓ ଶତ୍ରୁଘ୍ନେଶ୍ବର ମନ୍ଦିରକୁ ମଧ୍ୟ ରଙ୍ଗିନ୍‌ ଆଲୋକମାଳାରେ ସଜେଇ ଦିଆଯାଇଛି। ରଥଦାଣ୍ଡକୁ ବିଏମ୍‌ସି ସଫା କରିଛି।

ସମ୍ବନ୍ଧିତ ଖବର