ଆଜି ଆୟୁର୍ବେଦ ଦିବସ: କରୋନା ପରେ ବଢ଼ିଛି ବିଶ୍ବାସ

ଭୁବନେଶ୍ୱର: ଖାଦ୍ୟପେୟ‌ରେ ଅନିୟମିତତା, ଅସନ୍ତୁଳିତ ଆହାର, ମୋବାଇଲ୍‌ ମାୟାରେ ରାତିଅଧ ଯାଏ ଉଜାଗର ରହିବା, ଘଣ୍ଟାଘଣ୍ଟା ଧରି ଅଫିସ୍‌ରେ ବସି ରହିବା ଆଦି ବହୁ ଦୁରାରୋଗ୍ୟକୁ ଜନ୍ମ ଦେଇଥାଏ। ସ୍ବାସ୍ଥ୍ୟ ପ୍ରତି ଦିନଦିନ ଧରି ଅବହେଳା ମେଦବହୁଳତା, ମଧୁମେହ, ଅର୍ଶ, ମଳକଣ୍ଟକ, ଆଣ୍ଠୁଗଣ୍ଠିଜନିତ ଓ ବିଭିନ୍ନ ପ୍ରକାର ଚର୍ମରୋଗର କାରଣ ହୋଇଥାଏ। ଏଲୋପାଥି ଚିକିତ୍ସା ବିଜ୍ଞାନରେ ଏହି ସବୁ ରୋଗ ମଧ୍ୟରୁ କିଛି ରୋଗର ଅସ୍ତ୍ରୋପଚାର ଆବଶ୍ୟକ ପଡ଼ୁଥିବା ବେଳେ ଆଉ କିଛିକୁ ନିୟନ୍ତ୍ରଣରେ ରଖିବା ପାଇଁ ଆଜୀବନ ଔଷଧର ସହାୟତା ନେବାକୁ ପଡ଼ୁଛି। କିନ୍ତୁ ଶରୀରକୁ କୌଣସି ଆଘାତ ନ ଦେଇ କିମ୍ବା ଆଜୀବନ ଔଷଧ ନ ଖାଇ, ଏଭଳି କିଛି ଆୟୁର୍ବେଦ ଚିକିତ୍ସା ଅଛି, ଯାହାଦ୍ବାରା ଏସବୁ ରୋଗରୁ ମୁକ୍ତି ମିଳି ପାରୁଛି। ପଞ୍ଚକର୍ମ ଓ କ୍ଷାରସୂତ୍ର ଭଳି ଆୟୁର୍ବେଦିକ ଚିକିତ୍ସା ପଦ୍ଧତିରେ ଏସବୁ ରୋଗକୁ ବିନାଶ କରାଯାଇପାରୁଛି ବୋଲି ଆୟୁର୍ବେଦିକ ଡାକ୍ତରମାନେ ଦାବି କରୁଛନ୍ତି। ଏଥିପାଇଁ, ଏହି ଚିକିତ୍ସାଦ୍ବୟ ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି। ବିଶେଷକରି ରାଜଧାନୀ‌‌ରେ ଆୟୁର୍ବେଦିକ ହସ୍ପିଟାଲଗୁଡ଼ିକରେ ଏହି ଦୁଇଟି ଚିକିତ୍ସା ପାଇଁ ଲୋକଙ୍କ ଗହଳି ଜମୁଥିବା ପରିଲକ୍ଷିତ ହେଉଛି।

ଲୋକପ୍ରିୟ ହେଉଛି ପଞ୍ଚକର୍ମ ଓ କ୍ଷାରସୂତ୍ର ଚିକିତ୍ସା

ବିଶିଷ୍ଟ ଆୟୁଷ ଡାକ୍ତର ବାସୁଦେବ ପ୍ରଧାନଙ୍କ ମତରେ, ଆୟୁର୍ବେଦରେ ଜଟିଳରୁ ଜଟିଳତମ ରୋଗ ଚିକିତ୍ସାର ଅତି ସରଳ ଉପାୟମାନ ରହିଛି। ଯାହାକୁ ଆମ ପୂର୍ବଜମାନେ ବ୍ୟବହାର କରି ସୁସ୍ଥ ଓ ନିରୋଗ ରହିବା ସହ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ବଞ୍ଚି ପାରୁଥିଲେ। ଏବେକା ସମୟରେ ମଧୁମେହ, ଅର୍ଶ, ମେଦବହୁଳ, ଆଣ୍ଠୁଗଣ୍ଠିବାତ, ସ୍ତ୍ରୀ ରୋଗ, ନିଦ୍ରାହୀନତା, ଚର୍ମ ରୋଗ ଭଳି ସମସ୍ୟା ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଛି। କିନ୍ତୁ ପଞ୍ଚକ୍ରମ, କ୍ଷାରସୂତ୍ର ଭଳି ଚିକିତ୍ସା ଦ୍ବାରା ଏହାକୁ ଭଲ କରାଯାଇପାରିବ। ପଞ୍ଚକ୍ରମ ହେଉଛି ପାଞ୍ଚଟି କ୍ରମ ଯଥା ନସ୍ୟ, ବମନ, ରକ୍ତମୋକ୍ଷଣ, ବିରେଚନ ଓ ବସ୍ତି। ନସ୍ୟ ଅର୍ଥ ନାକରେ ଔଷଧ ପକାଇବା, ବମନ ଅର୍ଥ ବାନ୍ତି କରାଇବା ଆଦି। ସେହିପରି ମଳଦ୍ୱାର ସଂକ୍ରାନ୍ତୀୟ ରୋଗ (ଅର୍ଶ, ମଳକଣ୍ଟକ, ଅମ୍ଳ ପିତ୍ତ, କୋଷ୍ଠକାଠିନ୍ୟ)ର ନିଦାନ କ୍ଷେତ୍ରରେ କ୍ଷାରସୂତ୍ର ଚିକିତ୍ସା ଏକ ସଫଳ ଚିକିତ୍ସା ଭାବରେ ପରିଗଣିତ ହେଉଛି। ଏହି ଚିକିତ୍ସା ପରେ ଭବିଷ୍ୟତରେ ଆଉ ରୋଗୀକୁ ସେ ପ୍ରକାର ରୋଗର ସମ୍ମୁଖୀନ ହେବାକୁ ପଡ଼େ ନାହିଁ।

ସେହିପରି ଭରତପୁରଠାରେ ଅବସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦ ଅନୁସନ୍ଧାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡା. ଏମ୍‌.ଏମ୍‌ ରାଓ କହିଛନ୍ତି ଯେ ଖାଲି ପଞ୍ଚକର୍ମ କି କ୍ଷାରସୂତ୍ର ନୁହେଁ, କରୋନା ମହାମାରୀ ପରେ ଆୟୁର୍ବେଦ ଚିକିତ୍ସା ଉପରେ ଲୋକଙ୍କ ବିଶ୍ବାସ ବଢ଼ିଛି। ଏବେ ଏହି ପ୍ରତିଷ୍ଠାନକୁ ଆଗ ଅପେକ୍ଷା ବହୁ ରୋଗୀ ବିଭିନ୍ନ ସମସ୍ୟା ନେଇ ଆସୁଛନ୍ତି। ୨୦୨୦-୨୧ରେ ଓପିଡିରେ ୧୪,୫୬୭ ରୋଗୀ ଚିକିତ୍ସା ହୋଇଥିବା ବେଳେ ୨୦୨୧-୨୨ରେ ତାହା ବଢ଼ି ୧୭,୨୩୪ ହୋଇଛି। ପଞ୍ଚକ୍ରମ ବିଭାଗରେ ଗତବର୍ଷ ପ୍ରାୟ ୫ହଜାର ରୋଗୀ ଚିକିତ୍ସିତ ହୋଇଥିଲେ। ଚଳିତ ବର୍ଷ ପ୍ରତି ମାସରେ ଏଠାକୁ ପ୍ରାୟ ୭୦୦ ରୋଗୀ ଆସୁଛନ୍ତି। ସେହିପରି ୨୦୨୨ ଆରମ୍ଭରୁ ଓପିଡିରେ ପ୍ରତିଦିନ ପ୍ରାୟ ୧୫୦ ରୁ ୧୬୦ଜଣ ରୋଗୀ ଆସୁଛନ୍ତି। ମହାମାରୀ ପୂର୍ବରୁ ଇନ୍‌ଡୋର୍‌ରେ ବହୁ ଶଯ୍ୟା ଖାଲି ପଡ଼ୁଥିଲା। ମାତ୍ର ମହାମାରୀ ପରଠାରୁ ସେଥିରେ ବ୍ୟାପକ ପରିବର୍ତ୍ତନ ଦେଖାଦେଇଛି। ୯୦ରୁ ୯୫ପ୍ରତିଶତ ଶଯ୍ୟା ପୂର୍ଣ୍ଣ ରହୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର