ଆଜି ବାହୁଡ଼ିବେ ଶ୍ରୀଲିଙ୍ଗରାଜ

ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଆସନ୍ତା ବୁଧବାର ଅନୁଷ୍ଠିତ ହେବ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ରଥ ସିଂହାସନ ମୋଡ଼ ଓଲଟା କରାଯାଇଛି। ଆସନ୍ତା କାଲି ଭୋରୁ ଚାରାମାଳ ବନ୍ଧା ହେବ। ଆଜି ରାମେଶ୍ୱର ମନ୍ଦିରରେ ଠାକୁରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମି ଥିବା ଦେଖାଯାଇଥିଲା। ରାମେଶ୍ୱର ପୀଠରେ ଅଷ୍ଟପ୍ରହର ନାମ ସଂକୀର୍ତନ ଚାଲିଛି। ଆସନ୍ତାକାଲି ଭୋର ୫ଟାରେ ମଙ୍ଗଳ ଆଳତି ଓ ଅବକାଶ କରାଯିବା ପରେ ସାଢ଼େ ୫ଟାରେ ରୋଷ ହୋମ କରାଯିବ। ଏହା ପରେ ସାଢ଼େ ୫ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନ ହେବ। ସାଢ଼େ ୧୧ଟାରେ ଅଧରପଣା ଲାଗି ହେବ। ମଧ୍ୟାହ୍ନ ସାଢ଼େ ୧୨ଟାରୁ ୨ଟା ମଧ୍ୟରେ ପହଣ୍ଡି କରାଯିବା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। ଏହାପରେ ଚାରମାଳା ଖୋଲାଯାଇ ସାଢ଼େ ୨ଟାରୁ ରଥ ଟଣା ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ବିଭୂତି ନୂଆ ଡାହୁକ
ପୁରୁଣା ଭୁବନେଶ୍ୱର:ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଡାହୁକ ନୃସିଂହ ଖୁଣ୍ଟିଆଙ୍କୁ ଅବ୍ୟାହତି ଦିଆଯିବା ପରେ ଆଜି ନୂଆ ଡାହୁକଙ୍କୁ ନିଯୁକ୍ତି ଦିଆଯାଇଛି। ଶ୍ରୀ ଖୁଣ୍ଟିଆଙ୍କ ପୁଅ ବିଭୂତି ଭୂଷଣ ଖୁଣ୍ଟିଆ ଏହି ଦାୟିତ୍ଵ ବୁଧବାରଠାରୁ ସମ୍ଭାଳିବେ। ପୁରୁଣା ଡାହୁକଙ୍କ ବୟସ ଅଧିକ ଯୋଗୁଁ ମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ୍‌ କରାଯାଇ ଅବ୍ୟାହତି ଦିଆଯାଇଛି। ତାଙ୍କ ବଦଳରେ କିଏ ଏହି କାର୍ଯ୍ୟ କରିବ ଶ୍ରୀ ଖୁଣ୍ଟିଆ ଆଜି ମନ୍ଦିର କାର୍ଯ୍ୟାଳୟରେ ଲେଖିକି ଜଣାଇଥିଲେ। ଏହା ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତିଙ୍କ ସହ ଆଲୋଚନା କରାଯାଇଥିଲା। ଏହା ପରେ ବିଭୂତିଙ୍କୁ ଆଜି ମନ୍ଦିର ପ୍ରଶାସନ ପକ୍ଷରୁ ନିଯୁକ୍ତି କରାଯାଇଛି ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା କହିଛନ୍ତି।

ସମ୍ବନ୍ଧିତ ଖବର