ଆଜି ଶ୍ରୀଲିଙ୍ଗରାଜଙ୍କ ଭୀମକୁଣ୍ଡ ଯାତ୍ରା: ଭୀମକୁଣ୍ଡର ପୁନରୁଦ୍ଧାର କେବେ?

ମୁଆଁ ଭୋଗରେ ଶ୍ରଦ୍ଧାଳୁଙ୍କ ମନ

ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରାଧିପତି ମହାପ୍ରଭୁ ଶ୍ରୀଲିଙ୍ଗରାଜ ଆସନ୍ତାକାଲି ଭୀମଟାଙ୍ଗୀସ୍ଥିତ ଭୀମକୁଣ୍ଡ ଯାତ୍ରା କରିବେ। ପବିତ୍ର ଭୈମ ଏକାଦଶୀ ତିଥି ଅବସରରେ ଅନୁଷ୍ଠିତ ହେଉଥିବା ଏହି ଯାତ୍ରା ମହାପ୍ରଭୁଙ୍କ ସବୁ ଯାତ୍ରା ମଧ୍ୟରେ ଅନ୍ୟତମ। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା’ ପାର୍ବତୀ, ମା’ ଦୁର୍ଗା ଓ ପ୍ରଭୁ ଦୋଳଗୋବିନ୍ଦ ଏହି ଯାତ୍ରାରେ ଏକାଠି ହୋଇ ଭୀମେଶ୍ୱର ମନ୍ଦିରକୁ ଯାତ୍ରା କରିବେ। ଏହି ଉପଲକ୍ଷେ ଭୀମେଶ୍ୱର ମନ୍ଦିର ସମିତି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଦେବଦେବୀମାନଙ୍କୁ ସୁସଜ୍ଜିତ ବିମାନରେ ଉପବେଶନ କରାଇ ଶୋଭାଯାତ୍ରା କରାଯିବ। ଘଣ୍ଟ-ଘଣ୍ଟି, କାହାଳୀ, ମାଦଳ ବାଦ୍ୟ ଓ ବାଣରୋଶଣୀ ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ମୁଆଁ ଭୋଗ ବଣ୍ଟନ କରାଯିବ ବୋଲି ଭୀମେଶ୍ବର ମନ୍ଦିର ସମିତି ପକ୍ଷରୁ ମାନସ ରଞ୍ଜନ ପଟ୍ଟନାୟକ କହିଛନ୍ତି।

ସୂଚନାଯୋଗ୍ୟ ଯେ ଭୀମ ଏକାଦଶୀ ତିଥି‌ରେ ଲିଙ୍ଗରାଜ ମହାପ୍ରଭୁଙ୍କୁ ଭୀମେଶ୍ବର ମନ୍ଦିରରେ ଲାଗି ହେଉଥିବା ମୁଆଁ ଭୋଗ ପାଇବାକୁ ସବୁ ବର୍ଷ ଲୋକେ ଆଗ୍ରହର ସହ ଅପେକ୍ଷା କରିଥା’ନ୍ତି। ତେଣୁ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଦେଖି ମନ୍ଦିର କମିଟି ପକ୍ଷରୁ ଯଥେଷ୍ଟ ମୁଆଁ ଭୋଗ ପ୍ରସ୍ତୁତ ହୋଇଥିବା ସୂଚନା ଦିଆଯାଇଛି।

ଗତ କିଛି ବର୍ଷ ହେଲା, ଭୀମକୁଣ୍ଡର ଅବସ୍ଥା ଏହି ଯାତ୍ରାକୁ କିଛି ମାତ୍ରାରେ ପ୍ରଭାବିତ କରୁଥିବା କୁହାଯାଉଛି। ଦୀର୍ଘ ବର୍ଷ ହେଲା ଭୀମକୁଣ୍ଡ ପୁଷ୍କରିଣୀ ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ଏହି ପୁଷ୍କରିଣୀରୁ ପାଣି ବାହାରିଯିବା ବ୍ୟବସ୍ଥା ନଥିବାରୁ ଅଳିଆ ଆବର୍ଜନା ଜମି ରହି ପାଣିରୁ ପଚା ଦୁର୍ଗନ୍ଧ ବାହାରୁଛି। ପାଣି ବି ନୀଳ ପଡ଼ିଯାଉଛି ଏବଂ ବ୍ୟବହାର ଉପଯୋଗୀ ହେଉନାହିଁ। ଏକାମ୍ର କ୍ଷେତ୍ରର ଅନ୍ୟତମ ପ୍ରସିଦ୍ଧ ଓ ପବିତ୍ର ପୁଷ୍କରିଣୀ ହେଉଛି ଭୀମକୁଣ୍ଡ। ଅଷ୍ଟାଦଶ ଶତାଦ୍ଦୀର ମଧ୍ୟ ଭାଗରେ ଭୀମେଶ୍ବର ମନ୍ଦିର ପ୍ରତିଷ୍ଠା ବେଳେ ଏହି ପୁଷ୍କରିଣୀ ପ୍ରତିଷ୍ଠା ହୋଇଥିଲା ବୋଲି ଐତିହାସିକମାନେ କୁହନ୍ତି। ପୌରାଣିକ ମତ ଅନୁସାରେ, ପଞ୍ଚୁପାଣ୍ଡବଙ୍କ ବନବାସ ବେଳେ ଏଠାରେ ଦ୍ବିତୀୟ ପାଣ୍ଡବ ଭୀମଙ୍କ ପାଦ ଚିହ୍ନ ରହି ଯାଇଛି। ଏଠାରେ ଭୀମ ମହାଦେବଙ୍କୁ ପୂଜା କରିଥିଲେ ବୋଲି ସେବେଠୁ ଭୀମେଶ୍ବର ମହାଦେବ ପୂଜା ପାଉଛନ୍ତି।

ତେଣୁ ପୁଷ୍କରିଣୀର ନାମ ଭୀମକୁଣ୍ଡ ରହିଛି। ପୂର୍ବରୁ ଭୀମ ଏକାଦଶୀ ତିଥିରେ ମହାପ୍ରଭୁ ଏଠାକୁ ଆସିବା ବେଳେ ଏହି ପୁଷ୍କରିଣୀ ପାଣିରେ ସ୍ନାନ କରୁଥିଲେ ଏବଂ ତାଙ୍କ ପୂଜାରେ ଏହି ଜଳ ବ୍ୟବହାର ହେଉଥିଲା। କିନ୍ତୁ ଏବେ ଆଉ ଏହା ସମ୍ଭବ ହୋଇପାରୁନାହିଁ। ପୁଷ୍କରିଣୀର କଦର୍ଯ୍ୟ ଜଳ ପୂଜା ପାଇଁ ବ୍ୟବହାର କରି ହେଉନାହିଁ। ତେଣୁ ଏହି ପୁଷ୍କରିଣୀର ପୁନରୁଦ୍ଧାର ପାଇଁ ବହୁ ବର୍ଷ ହେଲା ଦାବି ହୋଇଆସୁଛି। ଗତ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଏମ୍‌ସି ମେୟର ସୁଲୋଚନା ଦାସ, କର୍ପୋ‌ରେଟର୍‌ ଶିବ ନାରାୟଣ ରାୟ ପ୍ରମୁଖ ଏହି ପୁଷ୍କରିଣୀ ପରିଦର୍ଶନରେ ଆସିଥିଲେ। ବିଏମ୍‌ସି ପକ୍ଷରୁ ଏଠାରେ ଦୁଇଟି ବୋର୍‌ୱେଲ୍‌ କରାଯିବ ଏବଂ ପାଣି ପ୍ରବେଶ କରାଇବା ସହ ନିଷ୍କାସନ କରାଯିବ ବୋଲି କୁହାଯାଇଥିଲା। ସେହିଭଳି ପୋଖରୀ ଚାରିକଡ଼ରେ ଡ୍ରେନ୍‌ କରାଯିବା ସହ ଓ ପୁଷ୍କରିଣୀ ପାଚେରିକୁ ପ୍ଲାଷ୍ଟର କରାଯିବ ବୋଲି କୁହାଯାଇଥିଲା। ମାତ୍ର ଏହା କେବେ ହେବ ବୋଲି ସ୍ପଷ୍ଟ ହୋଇନାହିଁ। ଏନେଇ ବିଏମ୍‌ସି ବଜେଟ୍‌ରେ ବ୍ୟବସ୍ଥା କରାଯାଇଛି ବୋଲି ସ୍ଥାନୀୟ କର୍ପୋରେଟର୍‌ ଶ୍ରୀ ରାୟ କହିଛନ୍ତି।

ସମ୍ବନ୍ଧିତ ଖବର