ଆଜି ଛାଡ଼ଖାଇ, ବଜାରରେ ପହଞ୍ଚିଲେଣି ଛେଳି, କୁକୁଡ଼ା

ଭୁବନେଶ୍ବର: ସରିଲା କାର୍ତ୍ତିକ। ଧର୍ମ ମାସ ହୋଇଥିବାରୁ ମାସେ ହେଲା ସହରର ଅଧିକ‌ାଂଶ ଲୋକଙ୍କ ପାଟିରେ ଆମିଷ ବାଜି ନଥିଲା। ତେଣୁ ସମସ୍ତଙ୍କ ଅପେକ୍ଷା ଥିଲା ଛାଡ଼ଖାଇକୁ। ଯୋଗ ଏମିତି ଯେ ଏଥର ଛାଡ଼ଖାଇ ବୁଧବାର ପଡ଼ୁଛି। ଯେକୌଣସି ପ୍ରକାରେ ଘରକୁ ଆମିଷ ଆଣିବାକୁ ସମସ୍ତେ ପ୍ରସ୍ତୁତ। କିଏ ମଟନ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲାଣି ତ ଆଉ କିଏ ମାଛରେ ଛାଡ଼ଖାଇ କରିବାକୁ ନିଷ୍ପତ୍ତି ନେ‌ଲେଣି। ଏପଟେ ବୁଧବାର ଛାଡ଼ଖାଇ ପଡ଼ୁଥିବାରୁ ଭଲ ବ୍ୟବସାୟ ହେବ ବୋଲି ଆଶା ବାନ୍ଧି ବସିଛନ୍ତି ଆମିଷ ବ୍ୟବସାୟୀ। ମାସେ ହେଲା ମାନ୍ଦା ପଡ଼ିଥିବା ‌ବେପାର ପୁଣିଥରେ ଚଳଚଞ୍ଚଳ ହୋଇ ଉଠିବ।

ଆବଶ୍ୟକତା ଅନୁଯାୟୀ ଓଡ଼ିଶାରେ ମଟନ୍‌ ଉତ୍ପାଦନ ହେଉନାହିଁ। ତେଣୁ ପ୍ରତିବର୍ଷ ପରି ଏଥର ମଧ୍ୟ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ବିହାର ଉପରେ ନିର୍ଭର କରିବାକୁ ପଡ଼ିଛି। ଏଥର ଛାଡ଼ଖାଇରେ ମଟନ୍‌ ଦାମ୍‌ ବଢ଼ିବା ସମ୍ଭାବନା ରହିଥିବା ୟୁନିଟ୍‌-୪ ମଟନ ବ୍ୟବସାୟୀ ସଂଘର ଜଣେ ସଦସ୍ୟ କହିଛନ୍ତି। କେବଳ ୪ ନମ୍ବରରେ ୨୧ଟି ମଟନ୍‌ ଦୋକାନ ରହିଥିବା ବେଳେ ଭୁବନେଶ୍ବରରେ ପ୍ରାୟ ୨୫୦ କାଉଣ୍ଟର ରହିଛି। କାର୍ତ୍ତିକ ମାସରେ ମଟନ୍‌ କିଲୋ ପିଛା ମୂଲ୍ୟ ୫୫୦ଟଙ୍କା ରହିଥିଲା। କେତେକ ସ୍ଥାନରେ ବ୍ୟବସାୟୀ ୬୦୦ ଟଙ୍କାରେ ବି ବିକ୍ରି କରୁଥିଲେ। ‌ତେବେ ଛାଡ଼ଖାଇରେ କିଲୋ ପିଛା ମୂଲ୍ୟ ୬୦୦ ଟଙ୍କା ଟପି ଯିବାର ସମ୍ଭାବନା ରହିଛି। ‌ଛାଡ଼ଖାଇରେ ଚିକେନ୍‌ର ଚାହିଦା ଅହୁରି ବଢ଼ିଥାଏ। ୪ ନମ୍ବର ମାର୍କେଟରେ କେବଳ ୩୦ଟି ଚିକେନ୍‌ କାଉଣ୍ଟର‌୍‌ ରହିଥିବା ବେଳେ ରାଜଧାନୀରେ ୧୫୦୦ରୁ ଊର୍ଧ୍ବ ଚିକେନ କାଉଣ୍ଟର୍‌ ରହିଛି। କୁକୁଡ଼ା ପାଇଁ ପୂରା ଭୁବନେଶ୍ବର ବଜାର ପିପିଲି ଉପରେ ନିର୍ଭରଶୀଳ। ତେବେ ଗତ ‘ଫନି’ ବାତ୍ୟାରେ ବହୁ ବ୍ୟବସାୟୀଙ୍କ ବେଉସା ବୁଡ଼ି ଯାଇଛି। ଯେତିକି ବି ଫାର୍ମ ହାଉସ୍‌ ରହିଛି, ସେଗୁଡ଼ିକ ଛାଡ଼ଖାଇରେ ଭୁବନେଶ୍ବରକୁ ପର୍ଯ୍ୟାପ୍ତ ଚିକେନ୍‌ ଯୋଗାଇବାକୁ ସକ୍ଷମ ହେବନି। ତେଣୁ ଭୁବନେଶ୍ବର ବଜାରକୁ ଏଥର ଜଗତ୍‌ସିଂହପୁର ଜିଲ୍ଲା, ଖୋର୍ଧା, କଟକ ଉପରେ ନିର୍ଭର କରିବାକୁ ପଡ଼ିବ। ସେହିପରି ଦେଶୀ କୁକୁଡ଼ା ପାଇଁ ପୂର୍ବବର୍ଷ ଭଳି ଏଥର ବି ପଶ୍ଚିମବଙ୍ଗର ଦୀଘା ହିଁ ଏକମାତ୍ର ଭରସା। ବ୍ରଏଲର ଚିକେନ୍‌ ଦର ୨୦୦ ଟଙ୍କା ରହିବ। ଦେଶୀ କୁକୁଡ଼ା ଦର ୪୦୦ ଟଙ୍କା ଛୁଇଁବାର ସମ୍ଭାବନା ରହିଛି।

ମାଛ ଦର ଏଥର ବୃଦ୍ଧି ପାଇପାରେ। କାର୍ତ୍ତିକ ମାସରେ ଭାକୁର ମାଛ କିଲୋ ପିଛା ୨୦୦ଟଙ୍କା ବିକ୍ରି ହେଉଥିଲା। ତେଣୁ ଛାଡ଼ଖାଇରେ ଦର ୨୦ରୁ ୩୦ ଟଙ୍କା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରୋହି କିଲୋ ପିଛା ୧୫୦ରୁ ୧୮୦ଟଙ୍କା ମଧ୍ୟରେ ରହିବ ବୋଲି ବ୍ୟବସାୟୀମାନେ କହିଛନ୍ତି। ଚୂନା ମାଛ କିଲୋ ପିଛା ୨୮୦ରୁ ୩୫୦ ଟଙ୍କା ଭିତରେ ରହିବ। ଛୋଟ ଚିଙ୍ଗୁଡ଼ି କଲୋ ପିଛା ୨୮୦ ଓ ବଡ଼ ଚିଙ୍ଗୁଡ଼ି ୪୦୦ରୁ ଅଧିକ ରହିବ। ଭୁବନେଶ୍ବର ବଜାରକୁ ଏଥର ପୁରୀ, ବାଲେଶ୍ବର, ପାରାଦୀପ, ଅସ୍ତରଙ୍ଗ, ବାଲୁଗାଁ, ବ୍ରହ୍ମପୁର, ନୟାଗଡ଼, ଦଶପଲା, ଭ˚ଜନଗର ଓ ଆନ୍ଧ୍ରରୁ ମାଛ ଆସିବ‌।

ସମ୍ବନ୍ଧିତ ଖବର