ଭୁବନେଶ୍ୱର: ରାତି ପାହିଲେ ଛାଡ଼ଖାଇ। ମାସ ସାରା କାର୍ତ୍ତିକ ବ୍ରତ ପାଳିଥିବା ଲୋକେ ଆମିଷ ଟିକେ ଖାଇବା ପାଇଁ ଆଜିଠାରୁ ମେନ୍ୟୁ ପ୍ରସ୍ତୁତ କରିସାରିଲେଣି। କିଏ ମଟନ୍ ଆଣିବାକୁ ସ୍ଥିର କରିଛି ତ କିଏ ଚିକେନ୍; ପୁଣି କାହା ମେନ୍ୟୁରେ ମାଛ ଓ ଅଣ୍ଡା ରହିଛି। ଏମିତିରେ ଆସନ୍ତାକାଲି ଆମିଷ ପାଇଁ ଭଲ ବାର(ବୁଧବାର) ପଡ଼ୁଥିବାରୁ ଆମିଷ ବେପାରୀ ବି ରାତାରାତି ସଜ ହୋଇ ଗଲେଣି।
ଆମିଷ ବଜାରର ସୂଚନା ମୁତାବକ, ଏଥର ଛାଡ଼ଖାଇରେ ମାଛର ଚାହିଦା ବେଶି ରହିବ। ପାଖାପାଖି ଦେଢ଼ କୋଟିରୁ ଊର୍ଦ୍ଧ୍ବ ଟଙ୍କାର କେବଳ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ବିକ୍ରି ହେବ ବୋଲି ମାଛ ବେପାରୀ ଆଶାବାଦୀ ରହିଛନ୍ତି। ସେହିଭଳି ରାଜଧାନୀରେ ୨ ହଜାର କେଜି ଛେଳି ମାଂସ ଓ ୫୦କୁଇଣ୍ଟାଲ କୁକୁଡ଼ା ମାଂସ ବିକ୍ରି ହେବ ବୋଲି ଆକଳନ କରାଯାଇଛି।
ଅଲ୍ ଓଡ଼ିଶା ନନ୍ଭେଜ୍ ଟ୍ରେଡସ୍ ଫେଡେରେସନ୍ର ରାଜ୍ୟ ସଭାପତି ଶେଖ୍ ମୁନ୍ତାକିମ୍ ବକ୍ସ କହିଛନ୍ତି, ଛାଡ଼ଖାଇ ହେଉଛି ଆମିଷ ବେପାରୀଙ୍କ ବେପାରର ମହାପର୍ବ। ଏବର୍ଷ ଛାଡ଼ଖାଇରେ ୪କୋଟିରୁ ଅଧିକ ବେପାର ହେବ ବୋଲି ଆକଳନ କରାଯାଉଛି। ମଟନ୍ କେଜି ପିଛା ୭୫୦ରୁ ୮୦୦ଟଙ୍କା ପର୍ଯ୍ୟନ୍ତ ରହିବ। କେବଳ ମଟନରେ ୧ କୋଟିରୁ ଅଧିକ ଟଙ୍କାର ବେପାର ହେବ ବୋଲି ସେ କହିଛନ୍ତି।
ଏବେ ରାଜଧାନୀର ୪ ନମ୍ବର ହାଟ ମଧ୍ୟରେ ୨୦ଟି ମଟନ୍ ଦୋକାନ ରହିଥିବା ବେଳେ ବଡ଼ଗଡ଼, ସୁନ୍ଦରପଦା, ରେଣ୍ଟାଲ୍, ନୀଳାଦ୍ରିବିହାର, ଖଣ୍ଡଗିରି, ସନ୍ତୋଷୀ ବିହାର, ବାଲିଅନ୍ତା, ହ˚ସପାଳ, ଓସ୍କାର ସିଟି ସମେତ ବିଭିନ୍ନ ସ୍ଥାନରେ ୩ଶହରୁ ଊର୍ଧ୍ବ ଦୋକାନ ରହିଛି। ରାଜଧାନୀବାସୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି କିଛି ଦିନ ତଳୁ ପଶ୍ଚିମବଙ୍ଗରର ନରଖୁଲଡଙ୍ଗା, ମାଲ୍ଦା, କ୍ଷେତ୍ରୀପୁରରୁ ୭୦ପ୍ରତିଶତ ଛେଳି ଆସିଥିବା ବେଳେ ବଲାଙ୍ଗୀର, ନୟାଗଡ଼, ଦଶପଲା, କାକଟପୁର ଓ ନିମାପଡ଼ାରୁ ୩୦ପ୍ରତିଶତ ଛେଳି ଅଣାଯାଇଛି। ଏବେ ବ୍ରଏଲର ଚିକେନ୍ ମୂଲ୍ୟ ୨୨୦ ଟଙ୍କା ରହିଛି। ସେହିଭଳି ବନରାଜ ୩୦୦ ଓ ଦେଶୀ ଚିକେନ୍ର ଦର ୪୫୦ ଟଙ୍କା ରହିବ। ଏହାବ୍ୟତୀତ, ଛାଡ଼ଖାଇରେ ଅନେକ ବାହାଘର ଭୋଜି ରହୁଥିବାରୁ କେବଳ ରାଜଧାନୀରେ ଚିକେନ୍ ବ୍ୟବସାୟ ୫୦କୁଇଣ୍ଟାଲ୍ ଅତିକ୍ରମ କରିବ ବୋଲି ଶ୍ରୀ ବକ୍ସ କହିଛନ୍ତି। ଆନ୍ଧ୍ର ବ୍ୟତୀତ ପିପିଲି ଅଞ୍ଚଳରୁ ବ୍ରଏଲର ଆସିଥିବା ବେଳେ ବାରିପଦାରୁ ଦେଶୀ କୁକୁଡ଼ା ଆସିଛି। କକୁଡ଼ା ମାଂସ ବେପାର ଆସନ୍ତାକାଲି ଦେଢ଼ କୋଟି ଅତିକ୍ରମ କରିବ ବୋଲି ଫେଡେରେସନ୍ ପକ୍ଷରୁ କୁହାଯାଇଛି।
ଛାଡ଼ଖାଇରେ କିନ୍ତୁ ମଟନ ଓ ଚିକେନ୍ ଅପେକ୍ଷା ମାଛର ଚାହିଦା ବେଶି ରହିଥାଏ। ଆନ୍ଧ୍ରପ୍ରଦେଶ ସମେତ ପୁରୀ, ବାଲେଶ୍ବର, ପାରାଦୀପ, ଅସ୍ତରଙ୍ଗ, ବାଲୁଗାଁ, ବ୍ରହ୍ମପୁର, ନୟାଗଡ଼, ଦଶପଲା, ସୋରଡ଼ା ଡ୍ୟାମ୍ରୁ ରାଜଧାନୀକୁ ମାଛ ଆସିଛି। ପ୍ରତିଦିନ ରାଜଧାନୀକୁ ୩ଟି ମାଛ ଗାଡ଼ି ଆସୁଥିବା ବେଳେ ଆସନ୍ତାକାଲି ଛାଡ଼ଖାଇରେ ୧୨ଗାଡ଼ି ମାଛ ଆସିବ ବୋଲି ଶ୍ରୀ ବକ୍ସ କହିଛନ୍ତି।
ଇଲିସିର ଦର ସାଇଜ୍ ଅନୁଯାୟୀ ୮୦୦ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ରହିବ। ସେହିଭଳି ପାମ୍ପ୍ଲେଟ୍ ଦର ୮୦୦ରୁ ୧୬୦୦, ରୋହି, ଭାକୁର-୧୮୦/୨୦୦ଟଙ୍କା, ଜଳଙ୍ଗ-୧୬୦ରୁ ୧୭୦ଙ୍କା, ଚିଙ୍ଗୁଡ଼ି(ଟାଇଗର) ୪୦୦ ଟଙ୍କା ଓ ଛୋଟ ଚିଙ୍ଗୁଡ଼ିର ଦାମ୍ ୨୦୦ରୁ ୨୫୦, ପୋହଳା ୨୦୦ ଟଙ୍କା, ମିରିକାଳି-୨୨୦ ଟଙ୍କା ରହିବ। ଛାଡ଼ଖାଇରେ ବାଗ୍ଦା ଚିଙ୍ଗୁଡ଼ି, କଣ୍ଟାଳି ଓ ଟାଇଗର୍ ଚିଙ୍ଗୁଡ଼ି ମଧୢ ଭଲ ବିକ୍ରି ହେବ। ରୋହି ଓ ଭାକୁର ବ୍ୟତୀତ ମିରିକାଳି, ପୋହଳା, ଗିମାଣି, ଥୋଡ଼ି, ବାଳିଆ, ଜଳଙ୍ଗ, ଆଳି, ସୁର୍ମାଇ, ପାମ୍ପ୍ଲେଟ୍ ଭଳି ମାଛର ଭଲ ବିକ୍ରିବଟା ହେବ ବୋଲି ବସ୍କ କହିଛନ୍ତି।
ଉପକଣ୍ଠରେ ୧୦୦ କ୍ବିଣ୍ଟାଲ ମଟନ୍ ବିକ୍ରି ପାଇଁ ବେପାରୀ ପ୍ରସ୍ତୁତ
ବାଲିଅନ୍ତା: ବାଳକାଟି ବଜାରରେ ଛେଳି ମାଂସ ବ୍ୟବସାୟ କରୁଥିବା ବ୍ୟବସାୟୀ କରିମ, ଅଂଜୁମ, ଆସନ, ବାଦଲ, ବାପି , କାଳିଆ ଓ ମୁନ୍ନା କହିଛନ୍ତି ଯେ ଆସନ୍ତାକାଲି ବାଳକାଟି ଓ ବାଲିଅନ୍ତା ବ୍ଲକ ଅଞ୍ଚଳରେ ପାଖାପାଖି ୧୦୦ କ୍ବିଣ୍ଟାଲ ମଟନ୍ ବିକ୍ରି ହେବାର ଆଶା ଅଛି। ବାଳକାଟି ମାଂସର ବିଶେଷ ଚାହିଦା ଥିବାରୁ ଏଠାରେ ରାଜଧାନୀବାସୀ ବି ଭିଡ଼ ଜମାଇଥା’ନ୍ତି। ତେଣୁ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ଗଞ୍ଜାମ, ବ୍ରହ୍ମପୁର, କଲିକତା, ନୟାଗଡ଼ ଓ କୋଲକାତାରୁ ଛେଳି ମଗାଇଛନ୍ତି। କିଛି ଗ୍ରାହକ ଆଜିଠାରୁ ଅଗ୍ରିମ ଦେଇସାରିଛନ୍ତି।