ଆଜି ଚନ୍ଦନ ଯାତ୍ରା, ଚନ୍ଦନ କୁଣ୍ଡରେ ବୁଡ଼ିବେ ଠାକୁର

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆସନ୍ତା କାଲିଠାରୁ ଆରମ୍ଭ ହେବ। ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା, କପିଳନାଥ ଓ ବାସୁଦେବ ବିନ୍ଦୁସାଗରରେ ଚାପ ଖେଳିବାର ପରମ୍ପରା ରହିଛି। ତେବେ କପିଳନାଥ ମହାପ୍ରଭୁ ବିନ୍ଦୁସାଗରକୁ ଯିବା ନେଇ ସନ୍ଦେହ ପ୍ରକାଶ ପାଇଛି। ଚନ୍ଦନ ଯାତ୍ରା ପାଇଁ ଆସନ୍ତାକାଲି ଶ୍ରୀଲିଙ୍ଗରାଜ ମନ୍ଦିରରେ ସମସ୍ତ ନୀତି ସମ୍ପନ୍ନ ପରେ ଦେବଦେବୀ ବିମାନରେ ବିନ୍ଦୁସାଗର ଅଭିମୁଖେ ବାହାରିବେ। ବ୍ରହ୍ମା ଘାଟ କୂଳକୁ ଯିବେ। ସେଠାରେ ଚାପ ଡଙ୍ଗାରେ ପ୍ରଥମେ ପୂଜାପଣ୍ଡା ସେବାୟତ ଛେରାପହଁରା କରିବେ। ପାଳିଆ ବଡ଼ୁ ସେବାୟତ ଠାକୁରଙ୍କୁ ମଣେଇବା ପରେ ଦେବଦେବୀ ଚାପ ଡଙ୍ଗାର ସିଂହାସନରେ ବିରାଜମାନ କରିବେ। ସମ୍ମୁଖ ସିଂହାସନରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ବସିବେ। ସେହିପରି ଦୁଇ କଡ଼ରେ ଥିବା ସିଂହାସନରେ ବାସୁଦେବ ବସି ଯାତ୍ରା କରିବେ। ଅକ୍ଷୟ ତୃତୀୟା ଦିନ ମହାପ୍ରଭୁ ମହନୀ ଘାଟରେ ଭୋଗ ଖାଇବେ। ଏହାପରେ ୮ଘେରା ଭଉଁରି ଖେଳି ଜଗତିକୁ ଯିବେ। ସେଠାରେ ନୀତି ପୂଜା ପରେ ଚନ୍ଦନ ପାଣିରେ ବୁଡ଼ିବେ। ପୁଣି ଜଗତିରୁ ବାହାରି ଜଗତି ଚାରିପଟେ ଡଙ୍ଗାରେ ଭଉଁରି ଖେଳି ମନ୍ଦିର ପ୍ରତ୍ୟାବର୍ତନ କରିବେ।

ସମ୍ବନ୍ଧିତ ଖବର