ଭୁବନେଶ୍ୱର( ବିବୁଧ ମହାନ୍ତି ): ବିଏମ୍‌ସିରେ ଅଧିକାରୀ-ଲୋକପ୍ରତିନିଧି ବିବାଦ ଉଗ୍ର ରୂପ ନେଇଛି। ଲୋକ ପ୍ରତିନିଧିଙ୍କୁ ସମ୍ମାନ ଦେବାକୁ ସମସ୍ତ ଅଧିକାରୀମାନଙ୍କ ଦୁଇଦିନ ତଳେ କମିସନର ଚିଠି ଲେଖି ଅନୁରୋଧ କରିଥିଲେ ମଧ୍ୟ ତାହାର କିଛି ଫାଇଦା ହୋଇ ନାହିଁ। ଅଧିକାରୀଙ୍କୁ ସମ୍ପୃକ୍ତ ପଦରୁ ହଟାଇବା ପାଇଁ ଅଡ଼ି ବସିଥିବା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ବୁଝାସୁଝା କରିବାକୁ ଯଥା ସମ୍ଭବ ଉଦ୍ୟମ ହୋଇଥିଲେ ମଧ୍ୟ ଫଳ ଶୂନ ହୋଇଛି। ଏଷ୍ଟାବ୍ଲିସ୍‌ମେଣ୍ଟ ଦାୟିତ୍ବରେ ଥିବା ଡେପୁଟି କମିସନର ସେ ଜାଗାରୁ ନ ହଟିଲେ ମୁଁ କର୍ପୋରେସନ ବୈଠକ ଯିବି ନାହିଁ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ କୁମାରେନ୍ଦ୍ର ମହାପାତ୍ର। ଏହି ବିବାଦ ଯୋଗୁ କର୍ପୋରେସନ ବୈଠକ ପୂର୍ବରୁ ବସିବାକୁ ଥିବା ଏଷ୍ଟାବ୍ଲିସ୍‌ମେଣ୍ଟ ଷ୍ଟାଣ୍ଡିଂ କମିଟି ମଧ୍ୟ ବସି ପାରିନାହିଁ। ତାଙ୍କର ଏହି ଚେତାବନୀକୁ ଉପେକ୍ଷା କରି ତଥା ଏହି ଉପବିଭାଗର କୌଣସି ପ୍ରସ୍ତାବ ବିନା ବିଏମ୍‌ସି ମାସିକ ବୈଠକ ଆସନ୍ତାକାଲି(ଶନିବାର) ବସିବାକୁ ଯାଉଛି। ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ଏକାମ୍ର ହଲ୍‌ରେ ଏହି ବୈଠକ ବସିବା ପାଇଁ ସ୍ଥିର ହୋଇଛି।

Advertisment

ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷଙ୍କ ଏଭଳି ଚରମ ନିଷ୍ପତ୍ତିକୁ ନେଇ ଝଡ଼ ଉଠିଛି। ଏଷ୍ଟାବ୍ଲିସ୍‌ମେଣ୍ଟ ଉପବିଭାଗ ଦାୟିତ୍ବରେ ଅଛନ୍ତି ଡେପୁଟି କମିସନର ଗାୟତ୍ରୀ ସାମନ୍ତରାୟ। ତାଙ୍କର ବିଏମ୍‌ସିରୁ ଦୁଇ ଦୁଇ ଥର ବଦଳି ହୋଇଛି। ଆଦର୍ଶ ବିଦ୍ୟାଳୟର ସଂଗଠନ ଉପଦେଷ୍ଟାଙ୍କ ଓଏସ୍‌ଡି ଭାବରେ ତାଙ୍କୁ ବଦଳି କରାଯାଇଥିଲେ ମଧ୍ୟ ତାଙ୍କୁ କମିସନର ରିଲିଭ୍‌ କରୁନାହାନ୍ତି। ଏଷ୍ଟାବ୍ଲିସ୍‌ମେଣ୍ଟ ଉପବିଭାଗର ଦାୟିତ୍ବ ତାଙ୍କ ତିନି ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା ଦିଆଯାଇଛି। ଏବେ ଏହି ଉପବିଭାଗର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ତାଙ୍କ ବଦଳି ଦାବି କରି ବୈଠକ ବର୍ଜନ କରିଛନ୍ତି। ମେୟରଙ୍କ ଠାରୁ ଆରମ୍ଭ କରି କମିସନରଙ୍କ ପର୍ଯ୍ୟନ୍ତ ସେ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ଫଳ ହୋଇ ନାହିଁ। କମିସନର କେବଳ ଗୋଟିଏ ଚିଠି ଲେଖି ଜନପ୍ରତିନିଧିମାନଙ୍କୁ ସମ୍ମାନ ଦେବାକୁ ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି। କିନ୍ତୁ ଏହି ବିବାଦ ସମାଧାନ କରିବାକୁ ଚାହିନାହାନ୍ତି। ବରଂ ଅଧ୍ୟକ୍ଷଙ୍କ ଦାବିକୁ ଉପେକ୍ଷା କରିଛନ୍ତି, ଏଷ୍ଟାବ୍ଲିସ୍‌ମେଣ୍ଟ ଉପବିଭାଗର କୌଣସି ପ୍ରସ୍ତାବ ବିନା କର୍ପୋରେସନ ବୈଠକ ବସିବାକୁ ନିଷ୍ପତ୍ତି ନିଆଯାଇଛି। ସମସ୍ତ ୯ଟି ଯାକ ଷ୍ଟାଣ୍ଡିଂ କମିଟି ବୈଠକ ବସି ପ୍ରସ୍ତାବ ଆସିବା ପରେ କର୍ପୋରେସନ ବୈଠକ ବସିଥାଏ। କିନ୍ତୁ ‌ଜଣେ ଅଧିକାରୀଙ୍କ ପାଇଁ ଏଭଳି ଏକ ଅଲୋଡ଼ା ରେକର୍ଡ ସୃଷ୍ଟି ହେବାକୁ ଯାଉଛି।

ଡେପୁଟି କମିସନରଙ୍କର ଦୁଇ ଦୁଇ ଥର ବଦଳି ହୋଇଛି। ଯଦି ଭଲ କାମ କରୁଥିବା ଯୋଗୁ ତାଙ୍କୁ ରଖାଯାଇଛି, ତେବେ ତାଙ୍କୁ ନେଇ ଏତେ ବିବାଦ କାହିଁକି? ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷଙ୍କ ସହ ତାଙ୍କ ବିବାଦ ବିଏମ୍‌ସିକୁ ନିନ୍ଦିତ କରିଛି। ସମ୍ପୃକ୍ତ ଅଧିକାରୀଙ୍କ ପ୍ରତି ଏତେ ଅନୁକମ୍ପା କାହିଁକି? କାହା ଚାପରେ କମିସନର ଚେପା ହୋଇଯାଇଛନ୍ତି? ସରକାରୀ ଆଦେଶ ଦୁଇ ଦୁଇ ଥର ଅବଜ୍ଞା ହୋଇଥିଲେ ମଧ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଏ ସଂକ୍ରାନ୍ତରେ ନିରବ କାହିଁକି? କଣ ଏହି ଅଦୃଶ୍ୟ ଚାପ ଯାହା ପାଇଁ ଜଣେ ଜନପ୍ରତିନିଧିଙ୍କୁ ଉପେକ୍ଷା କରାଯାଇଛି? ଏଭଳି ଅନେକ ପ୍ରଶ୍ନ ଏବେ କିମସନରଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ବିବାଦକୁ ଟାଣିଛି। କମିଟି ଅଧ୍ୟକ୍ଷ ଶ୍ରୀ ମହାପାତ୍ର କହିଛନ୍ତି, ସେ କାହା କଥା ଶୁଣୁ ନାହାନ୍ତି।

କମିସନର କାହା ଚାପରେ ଚେପା?
ଜଣେ ଅଧିକାରୀ ପାଇଁ ସବୁ ବିଭ୍ରାଟ
ଗାୟତ୍ରୀ ନ ହଟିଲେ ମୁଁ ବୈଠକ ଯିବିନି: ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ

ମନଇଚ୍ଛା କାମ କରୁଛନ୍ତି। ବର୍ଷ ବର୍ଷ ଧରି ଲୋକମାନେ ପେନ୍‌ସନ୍‌ ପାଉ ନାହାନ୍ତି। ସେମାନେ ମୋ ପାଖକୁ ଆସୁଛନ୍ତି। ମୁଁ ଅଭିଯୋଗ କଲେ କାମ ହେଉ ନାହିଁ। ମୋର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ। କିନ୍ତୁ ଲୋକଙ୍କ କାମ ନ ହେଲେ ଆମେ ଆଉ କାହିଁକି ରହିବୁ? ତାଙ୍କର ବଦଳି ହୋଇଛି, ଯଦି ବିଏମ୍‌ସି ତାଙ୍କୁ ରଖିବାର ଅଛି ରଖୁ, ହେଲେ ବିଭାଗ ବଦଳାଇ ଦେଉ। ନାଇଁ ତ’ ଏଥିରେ ବି ଯଦି ବିଏମ୍‌ସି ରାଜି ନାହିଁ ତେବେ ମୋତେ ଏ କମିଟି ଅଧ୍ୟକ୍ଷ ପଦରୁ ଅବ୍ୟାହତି ଦେଉ। ଏ ନେଇ ମୁଁ ମେୟରଙ୍କୁ ଅବଗତ କରାଇଥିଲି। ସେ କମିସନରଙ୍କୁ ମୋ ଦାବି ସମ୍ପର୍କରେ କହିଛନ୍ତି। ଗତକାଲି କମିସନର ଡାକି ଆଲୋଚନା କଲେ। କିନ୍ତୁ ତାଙ୍କୁ ସେ ପଦରୁ ହଟାଇ ନଥିବାରୁ ମୁଁ ମାସିକ ବୈଠକ ନଯିବାକୁ ନିଷ୍ପତ୍ତି ନେଇଛି। ଅନ୍ୟ କେତେକ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷଙ୍କୁ ମଧ୍ୟ ଏନେଇ ମୁଁ ଅବଗତ କରାଇଛି।

ଗତ ୨୪ ତାରିଖରେ ଏଷ୍ଟାବ୍ଲିସ୍‌ମେଣ୍ଟ ଷ୍ଟାଣ୍ଡିଂ କମିଟିର ବୈଠକ ଡକାଯାଇଥିଲା। ପୂର୍ବରୁ ଡେପୁଟି କମିସନର ଓ ଅଧ୍ୟକ୍ଷଙ୍କର ବିବାଦ ‌ହୋଇଥିବାରୁ କମିଟି ଅଧ୍ୟକ୍ଷ ବୈଠକକୁ ଆସିନଥିଲେ। ଏଣୁ ୨୬ ତାରିଖରେ ବସିବାକୁ ଥିବା କର୍ପୋରେସନ ବୈଠକକୁ ତିନିଦିନ ଘୁଞ୍ଚାଇବାକୁ ପଡ଼ିଥିଲା। ଯଦିଓ ଏହାକୁ ବିଏମ୍‌ସି ମାନିନଥିଲା। ବିଏମ୍‌ସି ପକ୍ଷରୁ କୁହାଯାଇଥିଲା କି ଜି-୨୦ ସମ୍ମିଳନୀ ଯୋଗୁ ବୈଠକ ଘୁଞ୍ଚା ଯାଇଛି। ଏଣେ କମିସନର ଚିଠି ଲେଖି ନିର୍ବାଚିତ ଜନପ୍ରତିନିଧିଙ୍କୁ ସମ୍ମାନ ଦେବାପାଇଁ ଅଧିକାରୀ/କର୍ମଚାରୀଙ୍କୁ ଚେତାଇଥିଲେ।