ଆଜି ଜମିବ ଛାଡ଼ଖାଇ

ଭୁବନେଶ୍ୱର : ଜିଭ ଆଉ ବୋଲ ମାନୁନି। ମନ ବି ଅଥୟ ହେଲାଣି। କାର୍ତିକ ମାସ ବିନା ଆମିଷରେ ବିତିବା ପରେ ଆସିଛି ଛାଡ଼ଖାଇ। ତେଣୁ ରାତି ପାହିବାକୁ ଚାହିଁ ରହିଛନ୍ତି ସହରବାସୀ। ଛାଡ଼ଖାଇ ପୁଣି ରବିବାରରେ ପଡ଼ିଛି। ଆମିଷ ବାରିକୁ ଛୁଟି। ତେଣୁ ସକାଳ ହେବା କ୍ଷଣି ମଟନ୍‌-ଚିକେନ୍‌-ମାଛ ଦୋକାନରେ ଲାଗିବ ଲମ୍ବା ଲାଇନ୍‌। ଆଉ ଆମିଷ ରଙ୍କୁଣାଙ୍କ ଏହି ଆବଶ୍ୟକତାକୁ ମେଣ୍ଟେଇବା ପାଇଁ ବ୍ୟବସାୟୀମାନଙ୍କୁ ବି ଏବେ ତର ନାହିଁ।

ମଟନ୍‌ ଚାହିଦା ମେଣ୍ଟାଇବ କୋଲକାତା ଖାସି

ମଟନ୍‌ ପାଇଁ ବ୍ୟବସାୟୀମାନେ ଖାସି ମଗେଇ ସାରିଲେଣି। ୪ ନମ୍ବରରେ କେବଳ ୨୦ ମଟନ୍‌ ଦୋକାନ ରହିଥିବା ବେଳେ ଖାସି ପାଇଁ ୪ ନମ୍ବର ହାଟର ଖ୍ୟାତି ରହିଛି। ଭୁବନେଶ୍ୱରରେ ୩୦୦ରୁ ଊର୍ଧ୍ୱ ମଟନ୍‌ ବ୍ୟବସାୟୀ ଥିଲେ ବି ଛାଡ଼ଖାଇରେ ଲୋକଙ୍କ ମଟନ୍‌ ଚାହିଦା ମେଣ୍ଟାଇବା ସହଜ ନୁହେଁ। ଯଦିଓ ମୟୂରଭଞ୍ଜରର ଉଦଳା, ଯଶିପୁର ସୋରର ବାରିକପୁର, ଗଣିଆ ଓ ବାଘମାରିରୁ ଖାସି ଆସି ସାରିଛି ତଥାପି ଚାହିଦା ଏତେ ଯେ, କୋଲକାତାରୁ ଖାସି ମଗାଇବାକୁ ପଡ଼ିଛି ବୋଲି କହିଛନ୍ତି ୪ ନମ୍ବର ମଟନ୍‌ ବ୍ୟବସାୟୀ ସଂଘର ସଭାପତି ଶେଖ୍‌ ସାଜନ୍‌। ତାଙ୍କ କହିବା ମୁତାବକ ଏମିତି ମଟନ୍‌ର ମୂଲ୍ୟ ସାଧାରଣତଃ ୪୫୦ରୁ ୫୦୦ ଟଙ୍କା ଭିତରେ ରହୁଥିବା ବେଳେ କାଲି ମଧ୍ୟ ଏହା ସ୍ଥିର ରହିବ। ମୁଖ୍ୟତଃ ୮ନଂ ଡିଏଭି ସ୍କୁଲ୍‌ ଛକ, ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାର, ବଡ଼ଗଡ଼ ଛକ, ସନ୍ତୋଷୀ ବିହାର, ଓସ୍କାର ସିଟି, ଖଣ୍ଡଗିରି, ବାଲିଅନ୍ତା, ହଂସପାଳ ସମେତ ଅନେକ ସ୍ଥାନରେ ମଟନ୍‌ର ଅଦିନିଆ ଦୋକାନ ବି ଖୋଲିବ। ୪ନଂର ମୁସ୍‌ଲିମ୍‌ ମଟନ୍‌ କାଉଣ୍ଟରର ମୁସ୍‌ଲିମ୍‌ ଖାନଙ୍କ କହିବା ଅନୁଯାୟୀ ସାଧାରଣତଃ ଆମର ଆମିଷ ବାରିରେ ୨ କୁଇଣ୍ଟାଲ୍‌ ମଟନ୍‌ ବିକ୍ରି ହେଉଥିବା ବେଳେ ଛାଡ଼ଖାଇରେ ତାହା ୬ କୁଇଣ୍ଟାଲ୍‌ ଛୁଇଁବ। ଏଥିପାଇଁ ଭୋର୍‌ ୪ଟାରୁ ଅନେକ ମଟନ୍‌ ଦୋକାନ ଖୋଲା ରହିବ ବୋଲି ସେ କହିଛନ୍ତି।

ଦୀଘାରୁ ଆସିଛି ଦେଶୀ କୁକୁଡ଼ା

ଛାଡ଼ଖାଇରେ ଚିକେନ୍‌ର ଚାହିଦା ମଟନ୍‌ ଅପେକ୍ଷା ଅଧିକ ରହିବ। ୪ ନଂ ମଧ୍ୟରେ କେବଳ ୬୦ଟି ଚିକେନ୍‌ କାଉଣ୍ଟର୍‌ ରହିଥିବା ବେଳେ ପୂରା ଭୁବନେଶ୍ୱରକୁ ହିସାବ କଲେ ୧୫୦୦ ହେବ ବୋଲି କହିଛନ୍ତି ୪ନଂ ଚିକେନ୍‌ ବ୍ୟବସାୟୀ ସଂଘର ସମ୍ପାଦକ ପ୍ରଶାନ୍ତ କୁମାର ମଲିଆ। କୁକୁଡ଼ା ପାଇଁ ପୂରା ଭୁବନେଶ୍ୱର ବଜାର ପିପିଲି ଉପରେ ନିର୍ଭରଶୀଳ। ତାଙ୍କ ମତରେ ୮୦ ପ୍ରତିଶତ ଚିକେନ୍‌ର ଚାହିଦା ମେଣ୍ଟାଉଛି ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ହେଉଥିବା କୁକୁଡ଼ା ଫାର୍ମ। ଖାଲି ସେତିକି ନୁହେଁ ଦେଶୀ କୁକୁଡ଼ା ପାଇଁ ପଶ୍ଚିମବଙ୍ଗର ଦୀଘା ହିଁ ଏକମାତ୍ର ଭରସା। ଯଦିଓ ମୟୂରଭଂଜ ଓ କେନ୍ଦୁଝରରୁ କିଛି ଦେଶୀ କୁକୁଡ଼ା ଆସିଛି ତାହା ଦୀଘା ତୁଳନାରେ ବହୁତ କମ୍‌। ବ୍ରଏଲର ଚିକେନ୍‌ ଦର ପୂର୍ବ ଭଳି ୧୪୦ ରହିବ ନଚେତ୍‌ ୧୦-୨୦ ଟଙ୍କା ବୃଦ୍ଧି ପାଇବ ଏବଂ ଦେଶୀ କୁକୁଡ଼ା ଦର ପର ସହିତ ୩୦୦ ଟଙ୍କା ରହିବ ବୋଲି ଶ୍ରୀ ମଲିଆ ସୂଚନା ଦେଇଛନ୍ତି।

ରାତିରୁ ବିକ୍ରି ହେଲାଣି ମାଛ

ଦୀର୍ଘଦିନ ହେଲା ପାଟିରେ ଆମିଷର ସ୍ପର୍ଶ ବାଜି ନଥିବାରୁ କାଲି ଯେମିତି ଆମିଷ ବଜାରର ଭିଡ଼ ଭିତରେ କସରତ କରିବାକୁ ନପଡ଼େ ସେଥିପାଇଁ ଆଜିଠୁ କିଛି ବ୍ୟକ୍ତି ମାଛ କିଣି ଫ୍ରିଜ୍‌ରେ ରଖିଲେଣି। ରାତି ଅଧରେ ସଜ ମାଛ ଆସିବାକୁ ଏବେ ସମସ୍ତଙ୍କ ଅପେକ୍ଷା। ମୁଖ୍ୟତଃ ଇଲିସି ଉପରେ ନଜର ରହିବ। ଏହାର ଦର ସାଇଜ୍‌ ଅନୁସାରେ ୩୦୦ରୁ ନେଇ ୧୮୦୦ ମଧ୍ୟରେ ରହିବ। ସେହିଭଳି ଭାକୁର ଓ ରୋହିର ଦର ୧୨୦ରୁ ନେଇ ୧୬୦ ମଧ୍ୟରେ ରହିବ। ବଡ଼ ଭେକ୍‌ଟି ମାଛର ଦର ୭୦୦ରୁ ୮୦୦ ଟଙ୍କା ମଧ୍ୟରେ ରହିବ। ମିଠା ନଈ ଚିଙ୍ଗୁଡ଼ିର ମଧ୍ୟ ଚାହିଦା ରହିବ। ଟାଇଗର ଚିଙ୍ଗୁଡ଼ି ୧୨୦୦ ଟଙ୍କା, ଚିଲିକା ବାଗ୍‌ଦା ଚିଙ୍ଗୁଡ଼ି ଦର ୧୦୦୦ ଟଙ୍କା, କଣ୍ଟାଳି ଦର ୪୦୦ରୁ ୫୦୦ ଟଙ୍କା ରହିଛି। ସେହିିଭଳି ମିରିକାଳି, ପୋହଳା, ଗିମାଣି, ତୋଡ଼ି, ଶେଉଳ, ବାଳିଆ, ଜଳଙ୍ଗ, ଆଳି, କେରାଣ୍ଡି, କଉ, ମହୁରାଳି ସମେତ ସମୁଦ୍ର ମାଛ ଇଲିସି, ପାମ୍ପଲେଟ୍‌, ସୁର୍‌ମାଇ, କଣି, ପାଣିଆଖିଆ, ଖଣ୍ଡାବାଳିଆ ଆଦିର ଭାଉ ଅଧିକ ରହିବ ବୋଲି ୪ନଂ ମାଛ ବ୍ୟବସାୟୀ ସଂଘର ସଭାପତି ଶେଖ୍‌ ହୋସେନ୍‌ କହିଛନ୍ତି। ମାଛ ମୁଖ୍ୟତଃ ପୁରୀ, ବାଲେଶ୍ୱର, ପାରାଦୀପ, ଅସ୍ତରଙ୍ଗ, ବାଲୁଗାଁ, ବ୍ରହ୍ମପୁର, ନୟାଗଡ଼, ଦଶପଲା, ଭଂଜନଗର, ସୋରଡ଼ା ଡ୍ୟାମ ଓ ଆନ୍ଧ୍ରରୁ ଆସିବ।

ସମ୍ବନ୍ଧିତ ଖବର