ଆଜି ପିତୃ ଦିବସ: ପୁଅ ଥାଇ ବାପା ଅନାଥ

ଭୁବନେଶ୍ୱର: ପୁଅ ଜନ୍ମ ହେବା ପରେ ଗର୍ବରେ ତାଙ୍କ ଛାତି କୁଣ୍ଢେମୋଟ ହେଇଯାଇଥିଲା। ସେଇ ଖୁସିରେ ଘରଘର ବୁଲି ମିଠା ବାଣ୍ଟିଥିଲେ। କହିବା ଆଗରୁ ଖେଳଣା ଆଣି ହାତରେ ଧରେଇ ଦେଇଥିଲେ। ମୂଲ ଲାଗି ସବୁ ଅଳି ଅର୍ଦଳି ପୂରଣ କଲେ। ଅଥଚ ଯୋଉ ପୁଅ ପାଇଁ ସେ ଏତେ କରିଥିଲେ ସେହି ପୁଅ ତାଙ୍କୁ ପରିଣତ ବୟସରେ ରାସ୍ତାକଡ଼ରେ ଫୋପାଡ଼ି ଦେଲା। ୭୮ ବର୍ଷ ବୟସରେ ଉଗ୍ରସେନ ସାହୁଙ୍କୁ ଏବେ ଆଶ୍ରୟସ୍ଥଳୀରେ ଦିନ କାଟିବାକୁ ପଡ଼ୁଛି। ଆସନ୍ତାକାଲି ପିତୃ ଦିବସ ଥିବାରୁ ଆମେ ଭେଟିଥିଲୁ ଏମିତି କିଛି ବାପାଙ୍କୁ। ମୁଣ୍ଡକୁ ହାତ ପାଇଯିବା ପରେ ପୁଅମାନଙ୍କ ଦ୍ୱାରା ଘରୁ ବିତାଡ଼ିତ ହୋଇ କିଏ ମେଡିକାଲ୍‌ର ନିରାଶ୍ରିତ ଓ୍ଵାର୍ଡରେ ମୃତ୍ୟୁକୁ ଅପେକ୍ଷା କରିଛି ତ ଆଉ କେହିକେହି ପ୍ରତିଟି ମୁହୂର୍ତରେ ମରୁଛନ୍ତି।

ପୁରୀ ଜିଲ୍ଲା ମଙ୍ଗଳାହାଟର ଉଗ୍ରସେନ ସାହୁ କାଠ ଚିରି ଏବଂ ଘର ଛପର କରି ପରିବାର ଚଳଉଥିଲେ। ଦୁଇ ପୁଅଙ୍କୁ ସେଇ ମୂଲ ପଇସାରେ ବାହା କରେଇଲେ। ଯେବେ ବଢ଼ନ୍ତା ଝିଅର ବାହାଘର ପାଇଁ ପୁଅମାନଙ୍କୁ କହିଲେ, ପୁଅମାନେ ସଫା ମନା କରିଦେଲେ। କହିଲେ, ମୁଁ ମୋ ପରିବାର ଦେଖିବି ନା ତମ ଝିଅ ବାହାଘର କଥା ବୁଝିବି। ବାହା ହେବା ପରେ ଯେମିତି ବାପା, ମା ଓ ଭଉଣୀ ଆଉ ତା’ ପରିବାରର ମଣିଷ ନଥିଲେ। ପୁଅ ମୁହଁରୁ ଏପରି ଶୁଣି ଉଗ୍ରସେନ ନିଜ ଘର ବିକ୍ରି କରି ଝିଅକୁ ବାହାଦେଲେ। ଏତିକିରେ ପୁଅମାନଙ୍କ ମୁଣ୍ଡକୁ ପିତ୍ତ ଚଢ଼ିଗଲା। ଏବେ ଉଗ୍ରସେନଙ୍କ ଦି ପୁଅ ଶ୍ୱଶୂର ଘରେ ରହୁଛନ୍ତି। ତେଣୁ ଉଗ୍ରସେନ ନିଜ ପତ୍ନୀଙ୍କୁ ତାଙ୍କ ଶଳା ନିକଟରେ ଛାଡ଼ିଦେଲେ ସିନା ନିଜେ କିନ୍ତୁ ଲୋକଲଜ୍ଜା ଯୋଗୁଁ ଆଉ ଶଳା ଘରକୁ ଯାଇ ନପାରି ଆଶ୍ରୟସ୍ଥଳୀରେ ପଡ଼ି ରହିଛନ୍ତି। ପୁଅମାନେ ସିନା ପଚାରିଲେନି, କିନ୍ତୁ ପୁଅମାନଙ୍କ ଦୁର୍ଦଶା କଥା କିଏ କହିଦେଲେ, ତାଙ୍କ ମନ ଛାଟିପିଟି ହୁଏ। ଯେତେହେଲେ ଜନ୍ମକଲା ବାପ ଟି।

ଜଙ୍କିଆସ୍ଥିତ ହଜ ଗ୍ରାମର ପ୍ରମୋଦ ଚନ୍ଦ୍ର ବଡ଼ଜେନା ବି ନିଜର ୨ ପୁଅ ଥାଇ ଏବେ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଡେଷ୍ଟିଚ୍ୟୁଟ୍‌ ଓ୍ଵାର୍ଡରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସେ ମଧୁମେହ ରୋଗରେ ପୀଡ଼ିତ ହେବା ପରଠୁ ତାଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିଲା। କିଛିଦିନ ପରେ ତାଙ୍କ ପୁଅମାନେ ଆଣି ଲକ୍ଷ୍ମୀସାଗର ଛକସ୍ଥିତ ୩ ମୁଣ୍ଡିଆ ମନ୍ଦିର ପାଖେ ଛାଡ଼ି ପଳେଇଲେ। ୬୫ ବର୍ଷୀୟ ପ୍ରମୋଦ ଯୌବନରେ ଆଇଆର୍‌ଏସ୍‌ ହେବାର ଗୌରବ ଅର୍ଜନ କରିଥିଲେ ହେଁ ଆଇଏଏସ୍‌ ପାଇବା ଲକ୍ଷ୍ୟରେ ଚାକିରିରେ ଯୋଗ ଦେଲେନି। ମାତ୍ର ଆଉ କୃତକାର୍ଯ୍ୟ ହୋଇପାରିଲେନି। ତେଣୁ ମିନେରାଲ୍‌ ମେଟାଲ୍‌ ଟ୍ରେଡିଂ କର୍ପୋରେସନ୍‌ ଏବଂ ପରେ ଓଡ଼ିଶା ସ୍ମଲ୍‌ ଇଣ୍ଡଷ୍ଟ୍ରି କର୍ପୋରେସନ୍‌ରେ ଚାକିରି କରି ନିଜ ପରିବାର ଚଳାଉଥିଲେ। କିନ୍ତୁ ଚାକିରି ଚାଲିଯିବା ପରେ ପୁଅ ଓ ପତ୍ନୀଙ୍କ ପାଇଁ ପର ପାଲଟିଗଲେ। ୪ ମାସ ହେଲା ସେ ଏହି ଡେଷ୍ଟିଚ୍ୟୁଟ୍‌ ଓ୍ଵାର୍ଡରେ ରହି ଚିକିତ୍ସିତ ହେଉଥିବା ବେଳେ ବାଉଳି ହେଉଛନ୍ତି। ଯାହାକୁ ଦେଖିଲେ ପଚାରୁଛନ୍ତି, ମୋ’ର କି ଦୋଷ ଥିଲା ? ମତେ କାହିଁକି ଘରୁ ବାହାର କରିଦେଲେ ?

ସମ୍ବନ୍ଧିତ ଖବର