ଆଜି ପିତୃ ଦିବସ, ପୁଅରେ ତୁ ଭଲରେ ଥା…

ଭୁବନେଶ୍ବର: ସଞ୍ଜୟକୁ ସେତେବ‌େଳେ ୧୦ କି ୧୧ ବର୍ଷ ହେବ। କହିଲା, ବାପା ମୋର ଗୋଟେ ସାଇକେଲ୍‌ ଦରକାର। ସାଙ୍ଗେସା‌ଙ୍ଗେ ନହେଲେ ବି ଦିନ କେଇଟାରେ ତା’ ପାଇଁ ଛୋଟ ସାଇକେଲ୍‌ଟେ କିଣି ଦେଇଥିଲି। ଆଜିକୁ ସେ ଘଟଣାକୁ ପାଖାପାଖି ୨୦ ବର୍ଷ ବିତିଗଲାଣି। ଏଇ କିଛିଦିନ ତଳେ ତାକୁ ଗୋଟେ ସ୍କୁଟିରେ ଯାଉଥିବା ଦେଖିଲି। ଇଚ୍ଛା ହେଲା ତାକୁ ଅଟକେଇ ଟିକେ ମନ ପୂରେଇ ଦେଖିବି। ସେ କିନ୍ତୁ ମୁହଁ ଆଡ଼େଇ ଚାଲିଗଲା। ବର୍ଷେ କି ଦୁଇବର୍ଷ ନୁହେଁ, ବରଂ ୨୦ ବର୍ଷ ଧରି ଗୋଟିଏ ସହରରେ ବାପ-ପୁଅ ପାଖାପାଖି ରହୁଥିଲେ ସେମାନଙ୍କ ମଧ୍ୟରେ ଯୋଜନ ଯୋଜନର ଦୂରତା। ରାଜଧାନୀରେ ଘରଦ୍ବାର ଥାଇ ଦୁର୍ବିସହ ଜୀବନ ଜିଉଁଥିବା ସେଇ ଅଭାଗା ବାପା ଜଣକ ହେଉଛନ୍ତି ଅଜୟ ନାୟକ।

ଡୁମୁଡୁମା ସରକନ୍ତରାର ବାସିନ୍ଦା ଅଜୟ (୬୭) ବୟସର ଅପରାହ୍‌ଣରେ ପାଦ ଦେଲେଣି। ଗଣ୍ଡଗୋଳ ଯୋଗୁଁ ଘରୁ ବାହାରି ଆସିବା ପରେ ସେ ୨୦ ବର୍ଷ ପାଖାପାଖି ଘରକୁ ଫେରିନାହାନ୍ତି। ଏଣେ ତେଣେ ଛୋଟମୋଟ କାମ କରି କୋଉଠି ମୁଣ୍ଡ ଗୁଞ୍ଜି ଦେଉଥିବା ବ‌େଳେ ଏବେ ଗଣ୍ଡମୁଣ୍ଡାସ୍ଥିତ ଆଶ୍ରୟସ୍ଥଳୀରେ ଦିନ କାଟୁଛନ୍ତି। ଏଣେ ଦେହରେ ରୋଗମାନେ ଘର କରିସାରିଲେଣି। ଦିନଯାକ ସିନା ସୁଖ ଦୁଃଖ ହୋଇ ସମୟ କଟି ଯାଉଛି କିନ୍ତୁ ରାତି ହେଲେ ଅତୀତ ତାଙ୍କୁ ପୀଡ଼ା ଦେଉଛି। ଅଜୟ କୁହନ୍ତି, ପୁଅ ଝିଅଙ୍କୁ ମଣିଷ କରିବି ବୋଲି ବାହାରେ ମୂଲ ଲାଗିଲି। ଖାଲି ପାଦରେ ଖଟିଖଟି ଗୋଡ଼ ଖାଇଯାଇଛି। ରାତି ଜଗୁଆଳି ହୋଇ ରାତି ରାତି ଉଜାଗର ହେଲି। ହେଲେ ଶେଷ‌ରେ କଳହ ଯୋଗୁଁ ପତ୍ନୀ ମୋ ସହ କ୍ରୂର ବ୍ୟବହାର ଦେଖାଇଲେ। ପୁଅ ଝିଅ ବି ମା’ର ପକ୍ଷ ନେଲେ। ମୋ ପିତୃତ୍ବକୁ ସେଇ ମୁହୂର୍ତରେ ଭୁଲିଗଲେ। କିଛି ବର୍ଷ ତଳେ ଝିଅର ବାହାଘର ହୋଇଗଲା। ଅଥଚ ବାପା ହୋଇ ମଧ୍ୟ ମତେ ଲୋ‌ଡ଼ା ଗଲା ନାହିଁ। ମୋ ଜୀବନଟା ହିଁ ଏମିତି। ପୁଅ ହେଲା ପରେ ଖୁସିରେ ଗଦଗଦ ହୋଇଯାଇଥିବା ଛାତି ଆଜି କୋହରେ ଫାଟି ଯାଉଛି। ହେଲେ ଏ କୋହ ଶୁଣିବ ବା କିଏ? ରାତି ହେଲେ ଲୁଚେଇ କାନ୍ଦିବା ଛଡ଼ା ଆଉ କିଛି ଉପାୟ ନାହିଁ।

ଅଜୟ କୁହନ୍ତି, ମୋ ଭାଗ୍ୟ ହିଁ ଛୋଟ। ବୋଧେ ପୂର୍ବ ଜନ୍ମରେ କରିଥିବା କର୍ମର ଫଳ ମୁଁ ଏ ଜନ୍ମରେ ପାଉଛି। ମୋ ପିଲାମାନେ ସିନା ମତେ ପର କରିଦେଲେ, ମୁଁ କିନ୍ତୁ ଗୋଟେ ଗଛ ସଦୃଶ। ଗଛକୁ କ’ଣ କେବେ ‌ଫଳ ଭାରି ଲାଗେ। ଜନ୍ମ ହେବା ପରେ ପୁଅ କି ଝିଅଠୁ କିଛି ପ୍ରାପ୍ୟର ଆଶା ରଖି ସେମାନଙ୍କୁ ଦୁଃଖ ସହି ବଢ଼େଇନଥିଲି। ବରଂ ତା’ଙ୍କ ସ୍ନେହ ଶ୍ରଦ୍ଧା ଟିକେ ମିଳିବ ବୋଲି ଆଶା ରଖିଥିଲି। ଯେତେ ଦିନ ବଞ୍ଚିଥିବି, ଖାଦ୍ୟ ଗଣ୍ଡେ କୋଉଠୁ ନା କୋଉଠୁ ମିଳିଯିବ। ଯୋଉଠି ମୋ ଦୁଇ ଭାଇ ଭଲ ସରକାରୀ ଚାକିରି କରି ମତେ ଅନେଇଲେ ନାହିଁ, ସେଠି ପୁଅଠୁ ବା କ’ଣ ଆଶା ରଖିବି। କିଛି ଦେ କି ନ ଦେ…ଚାହାଁ କି ନ ଚାହାଁ.. ହେଲେ ତୁ ଭଲରେ ଥା। ଜଗନ୍ନାଥ ତାକୁ କୋଟି ପରମାୟୁ ଦିଅନ୍ତୁ।

ସମ୍ବନ୍ଧିତ ଖବର