ରଙ୍ଗିନ୍ ଆଲୋକମାଳାରେ ଝଲସୁଛି ରାଜଧାନୀ। ଫୁଲ, ଫଳ ଠାରୁ ଆରମ୍ଭ କରି ଗଣପତି ମୂର୍ତି ଆଦି ଦୋକାନ ବଜାରର ଶୋଭା ବଢ଼ାଉଛି। ଗଳିକନ୍ଦିରେ ସୁସଜ୍ଜିତ ତୋରଣ ଅପେକ୍ଷା କରି ରହିଛି ପାର୍ବତୀ ନନ୍ଦନଙ୍କୁ। କାରଣ ରାତି ପାହିଲେ ବିରାଜିବେ ସିଦ୍ଧି ଓ ବୁଦ୍ଧିର ଦେବତା। ପୂଜା ପାଇବେ ଅଗ୍ରପୂଜ୍ୟ। ଏଥିପାଇଁ ଶିକ୍ଷାନୁଷ୍ଠାନ, ଯୁବ ସଂଗଠନ, କ୍ଲବ୍ ସବୁ ଉତ୍ସବମୁଖର। ମୂର୍ତିଠୁ ତୋରଣ ପର୍ଯ୍ୟନ୍ତ ସବୁଥିରେ ଝଲସିବ ନିଆରାପଣ। ଆଜି ରବିବାରିଆ ଛୁଟି ସହ ପାଗ ଅନୁକୂଳ ଥିବାରୁ ବଜାର ଓ ପୂଜା ମଣ୍ଡପ ଥିଲା ଚଳଚଞ୍ଚଳ। ବ୍ୟବସାୟୀଙ୍କୁ ଫୁର୍ସତ ନଥିଲା କି ପୂଜା ମଣ୍ଡପର କର୍ମକର୍ତାଙ୍କୁ ତର ନଥିଲା। କିଣାକିଣି ପାଇଁ ୟୁନିଟ୍-୧ ହାଟ ଓ ୟୁନିଟ୍-୨ ମାକେର୍ଟ ବିଲ୍ଡିଂରେ ନାହିଁ ନ ଥିବା ଗହଳି ଲାଗିଥିଲା। ଜନପଥ ସମେତ ସହରର ପ୍ରମୁଖ ବଜାରଗୁଡ଼ିକରେ ଖଚାଖଚ୍ ଭିଡ଼ ଲାଗିଥିଲା। ଆଜି ପୋଷାକ ଦୋକାନରେ ଗ୍ରାହକଙ୍କ ବେଶ୍ ଭିଡ଼ ଜମିଥିବା ବେଳେ ସିଲେଇ ଦୋକାନ, ବୁଟିକ୍ ଓ ବିୟୁଟି ପାର୍ଲରରେ ସମ ଭାବେ ଗହଳି ଦେଖିବାକୁ ମିଳିଥିଲା। ମାର୍କେଟ ବିଲ୍ଡିଂ ଓ ବିଭିନ୍ନ ସପିଂ ମଲ୍ ସମ୍ମୁଖରେ ଥିବା ମେହେନ୍ଦି ବେପାରୀ ବେଶ୍ ଦୁଇ ପଇସା ଲାଭ କରିଥିଲେ। ମୋଟ୍ ଉପରେ ସମସ୍ତଙ୍କ ପ୍ରସ୍ତୁତି ଆଜି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା।
ବଜାରରେ ଅସମ୍ଭାଳ ଭିଡ଼
ବିଘ୍ନ ବିନାଶକଙ୍କ ଆବାହନ ପାଇଁ ଧୂପ, ଦୀପ, ଅଗରୁ, ଚନ୍ଦନ, ସିନ୍ଦୂରଠାରୁ ଆରମ୍ଭ କରି ସରା, ଘଡ଼ି, ଧାନ, ପଞ୍ଚଶସ୍ୟ, ରାଶି, ହୋମକାଠ ଏସବୁ ସଂଗ୍ରହରେ ଲାଗି ପଡ଼ିଥିଲେ ଭକ୍ତକୂଳ। ୧୦ରୁ ୫୦ ଟଙ୍କା ମଧ୍ୟରେ ପ୍ୟାକେଟ କରି ଏସବୁ ବିକ୍ରି କରାଯାଉଥିବା ବେଳେ ଗ୍ରାହକ ନିଜ ଚାହିଦା ଅନୁଯାୟୀ ଖୋଲା ମଧ୍ୟ କିଣୁଥିଲେ। ଏପରିକି କଦଳୀ ବାହୁଙ୍ଗି, ଆମ୍ବ ଡାଳ, ଦୁବଘାସ, ବରକୋଳି ପତ୍ର ଓ କଇଁଫୁଲର ପସରା ବି ୟୁନିଟ୍-୧ ହାଟରେ ଦେଖିବାକୁ ମିଳିଥିଲା। ସେହିପରି ପୂଜାରେ ଫୁଲର ଚାହିଦା ବି ଢେର ବଢ଼ିଯାଇଛି। ଗତ ୨ ମାସ ହେଲା ଫୁଲ ଦର ଆକାଶଛୁଁଆ ଥିଲେ ମଧ୍ୟ ପାର୍ବଣ ଋତୁକୁ ନଜରରେ ରଖି ଫୁଲ ଦର ଚଢ଼ା ରହିଛି। ଏହାକୁ ନଜରରେ ରଖି ଫୁଲମାଳ ପିଛା ୫ଟଙ୍କା ଲେଖାଏଁ ବୃଦ୍ଧି ପାଇଥିବା ବେଳେ ଗେଣ୍ଡୁ ମାଳ ୪୫-୫୦ ଟଙ୍କା ରହିଛି।