ଆଜି ବିରାଜିବେ ଗଜଲକ୍ଷ୍ମୀ, ବାପୁଜୀ ନଗର ଲକ୍ଷ୍ମୀପୂଜାରେ ଐଶ୍ବର୍ଯ୍ୟ କଳସ ପୂଜା

ମହାମାୟାଙ୍କୁ ମେଲାଣି ପରେ ଗଜଲକ୍ଷ୍ମୀ ରୂପରେ ଧରାବତରଣ କରିବେ ମା’। ହେଲେ ଏଥର ଆଉ ସୁନା ଓ ରୁପା ଅଳଙ୍କାରରେ ସଜେଇ ହେବେ ନାହିଁ ଐଶ୍ବର୍ଯ୍ୟ ଦେବୀ। ‌ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧି ଅର୍ଜନ କରିଥିଲେ ହେଁ ରାଜଧାନୀରେ ବି ମା’ଙ୍କୁ ସ୍ବାଗତ କରିବା ପାଇଁ ଆଡ଼ମ୍ବରପୂର୍ଣ୍ଣ ଆୟୋଜନ ହୁଏ। ରାଜଧାନୀ ଓ ଉପକଣ୍ଠରେ ୫୦ରୁ ଅଧିକ ଅନୁଷ୍ଠାନ ମା’ଙ୍କ ପୂଜା ଆୟୋଜନ କରୁଥିବା ବେଳେ ଏବର୍ଷ କରୋନା କଟକଣା ଦୃଷ୍ଟିରୁ ପୂଜା ଫିକା ପଡ଼ିବ।

ବାପୁଜୀ ନଗର ଲକ୍ଷ୍ମୀପୂଜାରେ ଐଶ୍ବର୍ଯ୍ୟ କଳସ ପୂଜା
ବାପୁଜୀ ନଗରରେ ଆୟୋଜିତ ପୂଜା ରାଜଧାନୀର ସବୁଠୁ ପୁରୁଣା ପୂଜା ଭାବେ ପରିଗଣିତ ହେଉଥିବା ବେଳେ ପୂଜା ପେଣ୍ଡାଲ୍‌ର ଆଡ଼ମ୍ବରପୂର୍ଣ୍ଣ ଆୟୋଜନ ରାଜଧାନୀବାସୀଙ୍କୁ ଆକର୍ଷିତ କରେ। ମାତ୍ର ଏଥର ୫୫ ବର୍ଷରେ ପଦାର୍ପଣ କରିଥିବା ପୂଜା ନିରାଡ଼ମ୍ବରରେ ପାଳନ ହେବ। କେବଳ ମା’ଙ୍କ ଐଶ୍ବର୍ଯ୍ୟ କଳସ ପୂଜା କରାଯିବ। ଭକ୍ତମାନେ ମନସ୍କାମନା ପୂରଣ ପାଇଁ କଳସ ସ୍ଥାପନ ନିମନ୍ତେ ୫ଶହ ଟଙ୍କା ପଇଠ କରିପାରିବେ ବୋଲି ଶିବ ଶଙ୍କର ରଥ କହିଛନ୍ତି। ଗତବର୍ଷ ମା’ ୧୧ଦିନ ରହିଥିବା ବେଳେ ଏଥର ୩ଦିନ ରହିବେ ବୋଲି ସେ କହିଛନ୍ତି।

ରୁପା ଛାଉଣି ଦେଖିବାକୁ ମିଳିବନି
ୟୁନିଟ-୯ ଭୁବନେଶ୍ବର ଫ୍ରେଣ୍ଡ୍‌ସ କ୍ଲବ୍‌ ପକ୍ଷରୁ ଆୟୋଜିତ ପୂଜା ଚଳିତ ବର୍ଷ ୪୦ ବର୍ଷରେ ପଦାର୍ପଣ କରିଥିବା ବେଳେ ଧନଲକ୍ଷ୍ମୀଙ୍କୁ ରୁପା ଛାଉଣି କରାଯାଉଥିଲେ ହେଁ ଏଥର ଏହା ଦେଖିବାକୁ ମିଳିବ ନାହିଁ। ଷୋଡ଼ଶ ଉପଚାର ପୂଜା ସହ ୧୦ ଦିନ ଧରି ପୂଜା ଅନୁଷ୍ଠିତ ହେଉଥିଲେ ହେଁ ଏଥର ମାତ୍ର ୪ଦିନ ପୂଜାରେ ମା’ଙ୍କୁ ବିସର୍ଜନ କରାଯିବ। ମା’ଙ୍କୁ ଖିରି, ଖେଚୁଡ଼ି, ‌ଦହିପଖାଳ ଭୋଗରେ ଆପାୟିତ କରାଯିବ। କିନ୍ତୁ ଭକ୍ତମାନେ ଭୋଗ ପାଇପାରିବେ ନାହିଁ ବୋଲି ସମ୍ପାଦକ ମାରୁତି ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ଅଳ୍ପରେ ହେବ କୁମାରୀ ପୂଜା
ଓୟୁଏଟି, କୃଷିବିହାର ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ମା’ଙ୍କ ପୂଜା ୧୫ବର୍ଷରେ ପଦାର୍ପଣ କରିଥିବା ବେଳେ ବିଶେଷତ୍ବ ହେଉଛି, ଏଠାରେ ବିନା ଚାନ୍ଦାରେ ପୂଜା କରାଯାଇ ଆସୁଛି। ଏହା ବ୍ୟତୀତ ୩୦ରୁ ଅଧିକ କୁନି ଝିଅଙ୍କୁ ନେଇ କୁମାରୀ ପୂଜା କରାଯାଉଥିବା ବେଳେ ଏଥର ଅଳ୍ପ ସଂଖ୍ୟାରେ ଝିଅଙ୍କୁ ନେଇ କୁମାରୀ ପୂଜା ଆୟୋଜନ କରାଯିବ। ଶନିବାର ସନ୍ଧ୍ୟା ଆଳତି ପ‌େର ମା’ମାନେ ତାଙ୍କ ଝିଅଙ୍କୁ ଅଳତା, ନୂଆବସ୍ତ୍ର, ଚନ୍ଦନ, ଚୁଡ଼ି ଓ ଦକ୍ଷିଣା ଦେଇ ପୂଜା କରିବେ। ଏଥର ୪ଦିନରେ ମା’ଙ୍କୁ ବିସର୍ଜନ କରାଯିବ ବୋଲି ପୂଜା କମିଟିର ପ୍ରିୟବ୍ରତ ମଲ୍ଲିକ କହିଛନ୍ତି।

ମିଳିତ ଭସାଣି ବନ୍ଦ
ଭୁବନେଶ୍ବର ଗଜଲକ୍ଷ୍ମୀ ଭସାଣି ସମିତି ପକ୍ଷରୁ ସହିଦ ନଗର ଦୁର୍ଗାପୂଜା ପଡ଼ିଆରେ ଗଜଲକ୍ଷ୍ମୀ ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ଏଠାରେ ୧୨ରୁ ୧୪ ମେଢ଼ର ସମାଗମ ହୁଏ। ମାତ୍ର ଏଥର ଏହା ଦେଖିବାକୁ ମିଳିବ ନାହିଁ ବୋଲି ନାରାୟଣ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ସହିଦନଗର ଗଜଲକ୍ଷ୍ମୀ ପୂଜା ଅବସରରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ବାତିଲ୍‌ କରାଯାଇଛି।

୨ଦିନରେ ବିସର୍ଜନ
ୟୁନିଟ୍‌ ୯ (ଫ୍ଲାଟ୍‌) ଗଜଲକ୍ଷ୍ମୀ ସାଂସ୍କୃତିକ ପରିଷଦର ପୂଜା ୩୬ ବର୍ଷରେ ପଦାର୍ପଣ କରିଥିବା ବେଳେ ସୁଦୃଶ୍ୟ ତୋରଣ ପାଇଁ ଆକର୍ଷଣ ସାଜିଥାଏ। ଏଥର କିନ୍ତୁ ୭ଜଣରେ ପୂଜା ହେବ। ଯଦିଓ ଭୋଗ ବାଣ୍ଟିବାର ବ୍ୟବସ୍ଥା ଅଛି, କିନ୍ତୁ ଲୋକଙ୍କ ଭିଡ଼କୁ ଦେଖି ଏ ସମ୍ପର୍କରେ ପଦକ୍ଷେପ ନିଆଯିବ। ୨ଦିନରେ ମା’ଙ୍କ ବିସର୍ଜନ କରାଯିବ ବୋଲି ଅନୁଷ୍ଠାନର ଚିନ୍ମୟ ମହାପାତ୍ର ଓ ରିଙ୍କୁ ମହାପାତ୍ର ସୂଚନା ଦେଇଛନ୍ତି।

କରୋନା ଦୂର ପାଇଁ ଯଜ୍ଞ
ମାଉସୀ ମା’ ଛକରେ ମା’ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ମା’ଙ୍କ ନିକଟରେ ସର୍ବସାଧାରଣଙ୍କ ମଙ୍ଗଳ କାମନା କରି କରୋନା ଦୂର ପାଇଁ ୧୦ କେ.ଜି ଘିଅରେ ହୋମ କରାଯିବ। ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ବିନ୍ଦୁସାଗରରୁ ତୀର୍ଥ ଜଳ କଳସ ଆଣିବା ପରେ ପୂଜା ଆରମ୍ଭ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି। ତେବେ ଆୟୋଜକ ସଭ୍ୟ ବ୍ୟତୀତ ପୂଜା ମଣ୍ଡପକୁ ଭକ୍ତଙ୍କୁ ବାରଣ କରାଯିବା ସହ ଚଳିତ ବର୍ଷ ପୂଜା ମଣ୍ଡପ ଆଗରେ ପରଦା ଟଣାଯିବ ବୋଲି କୁହାଯାଇଛି।

 

ସମ୍ବନ୍ଧିତ ଖବର