ଭୁବନେଶ୍ୱର: ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି। ଭାଷାର ବିକାଶ ପାଇଁ ସରକାର ବିଭିନ୍ନ ସମୟରେ ବହୁ ଘୋଷଣା କରୁଛନ୍ତି। କିନ୍ତୁ ଭାଷାର ବିକାଶ କ’ଣ ଓ କିପରି ହୋଇଛି, ତାହା କେହି ଅନୁଭବ କରିପାରୁ ନାହାନ୍ତି। ନା ଓଡ଼ିଆ ଭାଷାରେ ସରକାରୀ ଫାଇଲ୍ କାମ ହେଉଛି ନା ଚାକିରି ପାଇଁ ସାକ୍ଷାତକାର, ଅଦାଲତରେ ଏହା ବ୍ୟବହାର ହେଉଛି। ସରକାରୀ ଅବହେଳା ତ ଯାହା ହେଉଛି। ସାଧାରଣ ଜନତା ବି ନିଜ ଉପରୁ ଦାୟିତ୍ୱ ଖସାଇପାରିବେ ନାହିଁ। ଓଡ଼ିଆ ଭାଷାକୁ ଦୈନନ୍ଦିନ ଜୀବନରେ ଯେତିକି ବ୍ୟବହାର କରାଯିବା କଥା, ତାହା ହେଉ ନାହିଁ। ବିଶେଷ କରି ସହରାଞ୍ଚଳରେ ଇଂରାଜୀ ଭାଷାର ବ୍ୟବହାର ଓଡ଼ିଆ ଭାଷାକୁ ଟପିଗଲାଣି। ଆମ ବ୍ୟବସ୍ଥା ଭିତରେ ଏପରି କିଛି ତ୍ରୁଟି ରହିଯାଉଛି ଓ ଆନ୍ତରିକତାର ଅଭାବ ଦେଖାଦେଉଛି, ଯେଉଁଥି ପାଇଁ ଓଡ଼ିଶା ଭିତରେ ଓଡ଼ିଆ ଭାଷାର ବିକାଶ ପାଇଁ ସଂଗ୍ରାମ କରିବାକୁ ପଡ଼ୁଛି। କିଛି ବର୍ଷ ହେବ ଏପରି ଏକ ଲଜ୍ଜାଜନକ ବ୍ୟତିକ୍ରମ ସବୁଠି ଚର୍ଚ୍ଚାର ବିଷୟ ହୋଇଛି। ମାତୃଭାଷାର ଗୁରୁତ୍ୱ ଓ ଏହାର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଫେବ୍ରୁଆରି ୨୧ତାରିଖକୁ ଆନ୍ତର୍ଜାତିକ ମାତୃଭାଷା ଦିବସ ରୂପେ ପାଳନ କରାଯାଉଛି। ଏହି ଅବସରରେ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ମତାମତକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା।
ସରକାର ଭାଷା ନୀତି ଓ ଭାଷା ପରାମର୍ଶଦାତା ରଖିବା ଆବଶ୍ୟକ
ସରକାର ଭାଷାର ପ୍ରଚାର ପ୍ରସାର ପାଇଁ ଅଧିକ ପଦକ୍ଷେପ ନେବା ନିହାତି ଦରକାର। ଆମର ଭାଷା ନୀତି ନାହିଁ କି ସରକାରଙ୍କ ଭାଷା ପରାମର୍ଶଦାତା ନାହାନ୍ତି। ଭାଷାର ଉନ୍ନତି ପାଇଁ ସରକାରୀ କଳ, ପ୍ରଶାସନିକ ବ୍ୟବସ୍ଥା, ରାଜନୈତିକ ଇଚ୍ଛାଶକ୍ତି ଓ ବୁଦ୍ଧିଜୀବୀମାନଙ୍କ ସହଯୋଗ ରହିବା ଦରକାର। ଓଡ଼ିଆ ଭାଷା ଜ୍ଞାନର ଭାଷା ଓ ବିକାଶର ଭାଷା ହେବା ଆବଶ୍ୟକ। ଯଦି ଓଡ଼ିଆ ଭାଷାକୁ ବିକାଶର ଭାଷା ବୋଲି ଚିନ୍ତା କରା ନ ଯିବ, ତା’ ହେଲେ ଅଫିସ କାମରେ ବ୍ୟବହାର ହୋଇପାରିବ ନାହିଁ। ପୃଥିବୀକୁ ରକ୍ଷା କରିବା ପାଇଁ ଜୈବ ବିବିଧତା ପରି ଭାଷା ବିବିଧତା ରହିବା ନିହାତି ଆବଶ୍ୟକ।
ଦେବୀପ୍ରସନ୍ନ ପଟ୍ଟନାୟକ, ଭାଷାବିତ୍
ଓଡ଼ିଆ ଭାଷାକୁ ରାଜଭାଷା କରାଯାଉ
ଆମ ଓଡ଼ିଆ ଭାଷା ଶସ୍ତ୍ରୀୟ ମାନ୍ୟତା ପାଇଛି। ଓଡ଼ିଆ ଭାଷାର ପ୍ରଚାର ପାଇଁ ବିଶ୍ୱବିଦ୍ୟାଳୟ ଓ ସାହିତ୍ୟ ଏକାଡେମି ରହିଥିଲେ ମଧ୍ୟ ତାହା ଏତେ ପରିମାଣରେ ସକ୍ରିୟ ନୁହଁନ୍ତି। ବହୁ ସ୍କୁଲ୍ରେ ସାହିତ୍ୟ ପଢ଼ାଇବା ପାଇଁ ଶିକ୍ଷକ ନାହାନ୍ତି। ଗଣିତ ଓ ଖେଳ ଶିକ୍ଷକ ସାହିତ୍ୟ ପଢ଼ାଉଥିବାର ନଜରକୁ ଆସୁଛି। ଆମ ରାଜ୍ୟରେ ଭାଷାର ବ୍ୟବହାର ଦିନକୁ ଦିନ କମିବାରେ ଲାଗିଲାଣି। ସାହିତ୍ୟ, ରାଜନୀତି, ବ୍ୟବସାୟ ଓ ଶିକ୍ଷାକ୍ଷେତ୍ରରେ ବହୁଳ ଭାବେ ଇଂରାଜୀ ଶବ୍ଦର ବ୍ୟବହାର ହେଉଛି। ସରକାର ତୁରନ୍ତ ଭାଷା ଆୟୋଗ ଗଠନ ସହିତ ଭାଷା ଆଇନ ମାଧ୍ୟମରେ ଉଲ୍ଲଂଘନକାରୀଙ୍କୁ ଦଣ୍ଡଦେବାର ବ୍ୟବସ୍ଥା କରିବା ନିହାତି ଆବଶ୍ୟକ।
ବୈଷ୍ଣବ ଚରଣ ପରିଡ଼ା, ସଭାପତି ଓଡ଼ିଆ ଭାଷା ସୁରକ୍ଷା ସମ୍ମଳନୀ
ଭାଷାର ଉନ୍ନତି ପାଇଁ ଓଡ଼ିଆଙ୍କ ମଧ୍ୟରେ ସଚେତନତା ଲୋଡ଼ା
ଦୁଃଖର ବିଷୟ ଯେ ଶାସ୍ତ୍ରୀୟ ମାନ୍ୟତା ପାଇସାରିବା ପରେ ମଧ୍ୟ ଓଡ଼ିଆ ଭାଷାର ବିକାଶ ପାଇଁ ସଠିକ୍ ପଦକ୍ଷେପ ନିଆ ଯାଉନାହିଁ। ଏଥିପାଇଁ ଓଡ଼ିଆ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପଡ଼ିବ। ଭାଷା ଦିବସରେ ଜନସଚେତନା ଭାଷା ସ୍ୱାଭିମାନ ପାଇଁ ନିହାତି ଜରୁରୀ। ଆଗରୁ ଅଣଓଡ଼ିଆଙ୍କଠାରୁ ଭାଷାକୁ ବଞ୍ଚାଇବା ପାଇଁ ଆନ୍ଦୋଳନ ହେଉଥିଲା। ବର୍ତ୍ତମାନ ଶିକ୍ଷିତ ଓଡ଼ିଆଙ୍କଠାରୁ ଭାଷାକୁ ବଞ୍ଚାଇବା ପାଇଁ ଆନ୍ଦୋଳନ କରିବାର ନିହାତି ଆବଶ୍ୟକତା ରହିଛି। ଭାଷାର ବହୁଳ ବ୍ୟବହାର କଲେ ଭାଷାର ଉନ୍ନତି ହେବ।
ପ୍ରତିଭା ରାୟ, ବିଶିଷ୍ଟ ଲେଖିକା
ଭାଷାର ସୁରକ୍ଷା ପାଇଁ ଭାଷା ଅଦାଲତ ଗଠନ ହେଉ
ଆଇନ ଉଲ୍ଲଂଘନ ଏକ ଧର୍ତ୍ତବ୍ୟ ଅପରାଧ। ଏହି ମୌଳିକ କଥାଟିକୁ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବୁଝିପାରିନାହାନ୍ତି। ପ୍ରାୟ ଦୁଇବର୍ଷ ହେଲାଣି ଭାଷା ଆଇନ ଉଲ୍ଲଙ୍ଘନ କଲେ ଦଣ୍ଡ ବିଧାନ ପାଇଁ କଳାପତକା ଅଭିଯାନ ଚାଲିଛି। କିନ୍ତୁ ଏହା କାର୍ଯ୍ୟକାରୀ ହେଉନାହିଁ। ଭାଷା କମିସନ୍ ଏକ ରାଜନୈତିକ ପ୍ରବଞ୍ଚନା । ଆମର ଦାବି ଭାଷା ଅଦାଲତ ପ୍ରତିଷ୍ଠା କରିବା। ଏହାଦ୍ୱାରା ଭାଷା ଆଇନ ଉଲ୍ଲଂଘନ କରିବା ପାଇଁ କେହି ସାହସ କରିବେ ନାହିଁ।
ସୁବାଷ ଚନ୍ଦ୍ର ପଟ୍ଟନାୟକ, ଆବାହକ, ଭାଷା ଆନ୍ଦୋଳନ
ଭାଷା ଜାତିର ପ୍ରାଣ ସ୍ପନ୍ଦନ
ଭାଷା ଯେକୌଣସି ଜାତିର ପ୍ରାଣ ସ୍ପନ୍ଦନ, ଏହା ଜୀବନଚର୍ଯ୍ୟା ଓ ସମାଜଚର୍ଯ୍ୟାର ସାମଗ୍ରିକ ସ୍ୱର ଓ ସାକ୍ଷର। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାରେ ଚତୁର୍ଥ ବାର୍ଷିକ ପୂର୍ତ୍ତିପାଳନ କରୁଛୁ। କିନ୍ତୁ ଦୀର୍ଘ ଛଅ ଦଶନ୍ଧି ତଳୁ ଭାଷା ଆଇନ କାର୍ଯ୍ୟକାରୀ ହୋଇପାରୁନାହିଁ। ସରକାରୀ ସ୍ତରରେ ଭାଷା ପାଇଁ ନିଆଯାଉଥିବା ପଦକ୍ଷେପ ଓ ଶାସନ କ୍ଷେତ୍ରରେ ଭାଷାର ବ୍ୟବହାର କରାଗଲେ ହେବ ନାହିଁ। ବ୍ୟକ୍ତିଗତ ସ୍ତରରେ ବି ସମସ୍ତଙ୍କ ଉଦ୍ୟମ ରହିବା ଆବଶ୍ୟକ। ଭାଷାକୁ କେବଳ ସାମାଜିକ କାର୍ଯ୍ୟ ଓ ସାହିତ୍ୟରେ ସୀମିତ ରଖିଲେ ହେବ ନାହିଁ। ବିଜ୍ଞାନ, ସାହିତ୍ୟ ଓ ଚିକିତ୍ସା କ୍ଷେତ୍ରରେ ମାତୃଭାଷାର ପ୍ରୟୋଗ କରାଯିବା ଦରକାର।
ଶଙ୍କର୍ଷଣ ପରିଡ଼ା, ଓଡ଼ିଆ ଭାଷା ସଂଗ୍ରାମ ସମିତି
ସାଧାରଣ ଜନତା ବି ସଚେତନ ହୁଅନ୍ତୁ
ଆମେ ନିଜ ମାତୃଭାଷା ପ୍ରତି ପ୍ରତିବଦ୍ଧ ରହିବା ଆବଶ୍ୟକ। ଆମକୁ ବିଭିନ୍ନ ଭାଷା ପଢିବାରେ ଓ ଜାଣିବାରେ ଆପତ୍ତି ନାହିଁ` କିନ୍ତୁ ଫକୀର ମୋହନଙ୍କ କଥା ଅନୁସାରେ ‘ମୋ ମାତୃଭାଷା ମୋତେ ଶ୍ରେଷ୍ଠ’ ହେବା ଆବଶ୍ୟକ। ଭାଷା ପାଇଁ ସରକାର ଅନେକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଐତିହ୍ୟ କ୍ୟାବିନେଟ ଗଠନ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି। କିନ୍ତୁ ସାଧାରଣ ଜନତା ଏ ନେଇ ସଚେତନ ହେବା ଆବଶ୍ୟକ। ଆମର ଦୈନନ୍ଦିିନ ଜୀବନର ପ୍ରତିଟି କାର୍ଯ୍ୟ ମାତୃଭାଷାରେ କରିବା ଆବଶ୍ୟକ। ଭାଷାର ପ୍ରଚାର, ପ୍ରସାର ପାଇଁ ସମସ୍ତେ ନିଜ ନିଜ ବାଟରେ ଉଦ୍ୟମ କରନ୍ତୁ। ଭାଷା ପ୍ରତି ଭଲ ପାଇବା ଓ ସକରାତ୍ମକ ମନୋଭାବ ରହିଲେ ଭାଷାର ଉନ୍ନତିକୁ କେହି ଅଟକାଇ ପାରିବେ ନାହିଁ।
ବିଜୟ ନାୟକ, ନିର୍ଦ୍ଦେଶକ, ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ