ଆଜି ଅନ୍ତର୍ଜାତୀୟ ଯୁବ ଦିବସ, ନିଶା ବିରୋଧରେ ଏକ ନିଶା

ଭୁବନେଶ୍ବର: ନିଶାର ଭୟାବହତା ବାବଦରେ ସଚେତନ କରିବାକୁ ଦିନେ ସେ ପୁରୀର ସରକାରୀ ଆୟୁର୍ବେଦ କଲେଜ୍‌କୁ ଯାଇଥାଆନ୍ତି। ପଛ ଆଡ଼ୁ ଜଣେ ଯୁବକ ତାଙ୍କୁ ଡାକି‌ଦେଇ ନମସ୍କାର କଲା। ସେ କହିଲେ, ତୁମେ କ’ଣ ମତେ ଜାଣ? +୨ରେ ପଢ଼ୁଥିବା ସେଇ ଯୁବକ ଜଣକ ତାଙ୍କୁ କହିଲା, ହଁ ସାର୍ ନିଶା ବାବଦରେ ଗୋଟେ ଜାଗାରେ ଆପଣଙ୍କ ଭାଷଣ ‌ଶୁଣିଥିଲି। ଶୁଣିକି ଯିବା ପରେ ମୁଁ ଓ ସେଠି ଉପସ୍ଥିତ ଥିବା ମୋ’ର ୬ ଜଣ ସାଙ୍ଗ ଗୁଟ୍‌ଖା ଛାଡ଼ି ଦେଇଛୁ। ଛୋଟ ପିଲା ଓ ଯୁବପିଢ଼ିଙ୍କୁ ନିଶାର ଚକ୍ରବ୍ୟୁହରୁ ଫେରାଇ ଆଣିବା ପାଇଁ ସମଗ୍ର ଦେଶରେ ନିଜର ପରାମର୍ଶ ବାଣ୍ଟୁଥିବା ସେଇ ଯୁବ ବ୍ୟକ୍ତି ଜଣକ ହେଉଛନ୍ତି ଇମ୍ରାନ୍‌ ଅଲ୍ଲୀ। କଥାରେ ଅଛି, ଉଦ୍ଦେଶ୍ୟ ମହତ୍‌ ଥିଲେ ଫଳ କେବେ ନା କେବେ ମିଳେ। ଏହା ହିଁ ପରିଲକ୍ଷିତ ହୋଇଛି ଇମ୍ରାନ୍‌ ଅଲ୍ଲୀଙ୍କ କ୍ଷେତ୍ରରେ।

ପିଲାବେଳୁ ସମାଜ ମନସ୍କ ଇମ୍ରାନ୍‌ ସମାଜସେବା ପାଠ୍ୟକ୍ରମ ପଢ଼ିବା ଲାଗି ଦିନେ ଭଦ୍ରକରୁ ଭୁବନେଶ୍ବର ଚାଲି ଆସିଥିଲେ। ସପ୍ତାହରେ ୪ଦିନ କ୍ଲାସ୍‌ ହେଉଥିବା ବେଳେ ୨ ଦିନ ସେମାନଙ୍କୁ ବିଭିନ୍ନ ବସ୍ତିକୁ ଯାଇ ସମସ୍ୟା ଅନୁଧ୍ୟାନ କରିବାକୁ କୁହାଯାଇଥିଲା। ଇମ୍ରାନ୍‌ ସହିଦନଗରର ଶାନ୍ତି ପଲ୍ଲୀ ବସ୍ତିକୁ ନିଜର ସର୍ବେକ୍ଷଣ ଅଞ୍ଚଳ ଭାବେ ବାଛି ନେଇଥିଲେ। ସର୍ବେକ୍ଷଣ ମଧ୍ୟରେ ସେ ଜାଣିବାକୁ ପାଇଲେ, ଶାନ୍ତି ନୁହେଁ ଏହା ଅଶାନ୍ତ ପଲ୍ଲୀରେ ପରିଣତ ହୋଇଛି। ଏହାର କାରଣ ହେଉଛି ‘ନିଶା’। ନିଶା ଯୋଗୁଁ ଅନେକଙ୍କ ପରିବାରରେ ଅଶାନ୍ତି। ପିଲାମାନେ ବି ଗୁଟ୍‌ଖା କବଳରେ କବଳିତ। ଏହା ତାଙ୍କୁ ଏତେ ବିବ୍ରତ କରିଥିଲା ଯେ ସେ ସଂକଳ୍ପ ନେଲେ, ନିଶା ବିରୋଧରେ ନିଜର ଯାତ୍ରା ଜାରି ରଖିବେ। ସେବେଠୁ ୧୪ ବର୍ଷ ହେବ ସେ ଜାରି ରଖିଛନ୍ତି ନିଜର ଏହି ମହତ୍‌ ସଂଗ୍ରାମ। ଏଥିପାଇଁ ସେ ଲିମ୍‌କା ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡରେ ମଧ୍ୟ ସ୍ଥାନିତ ହୋଇପାରିଛନ୍ତି।

ତାଙ୍କ ମ‌ତରେ ନିଶା ସେବନ ଯୋଗୁଁ ଦୈନିକ ୨୫୦୦ ଲୋକ ପ୍ରାଣ ହରାଉଛନ୍ତି। ବର୍ଷକୁ ୧୦ ଲକ୍ଷ ଲୋକଙ୍କ ଜୀବନ ହାନି ହେଉଛି। ଏପରିକି ଏଚ୍‌ଆଇଭି ଓ ମ୍ୟାଲେରିଆକୁ ମିଶାଇ ଦୈନିକ ଯେତିକି ଲୋକ ମରୁନାହାନ୍ତି ତାହାଠୁ ବି ଏହି ହାର ଅଧିକ। ଏହି ଲକ୍ଷ୍ୟ ନେଇ ସେ ରାଜ୍ୟର ୧ହଜାରରୁ ଅଧିକ ସ୍କୁଲ୍‌ କଲେଜ୍‌ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ସମଗ୍ର ଦେଶରେ ବିଭିନ୍ନ ଦର୍ଶନୀୟ ସ୍ଥାନରେ ନିଜର ଏହି ଅଭିଯାନକୁ ପହଞ୍ଚାଉଛନ୍ତି। କାଉନ୍‌ସେଲିଂ ସେଣ୍ଟର କରି ଉପାଦେୟ ପରାମର୍ଶ ଦେଉଛନ୍ତି। ନିଶା ବିରୋଧରେ ନିଜର ଅଭିଯାନକୁ ଜାରି ରଖିବା ପାଇଁ ନିୟମିତ ଚାକିରି ନକରି ବିଜେବି କଲେଜ୍‌ରେ ଅତିଥି ଅଧ୍ୟାପକ ଭାବେ ଏମ୍‌ଏସ୍‌ଡବ୍ଲ୍ୟୁ ପାଠ ପଢ଼ାଉଛନ୍ତି।

ଏପରିକି ନିଜର ହେଲ୍‌ମଟେ୍‌ ଓ ବାଇକ୍‌ରେ ତମାଖୁ ବିରୋଧରେ ଉପାଦେୟ ସ୍ଳୋଗାନ୍‌ ଲେଖି ପ୍ରତ୍ୟେକ ଦିନ ଏ ବାବଦରେ ପ୍ରଚାର କରୁଛନ୍ତି। ବାଇକ୍‌ ଯୋଉଠି ଅଟକି ଯାଉଛି ସେଇଠି ଆଲୋଚନା ଆରମ୍ଭ ହୋଇଯାଉଛି। ଦିନେ ସ୍ବାମୀ ବିବେକାନନ୍ଦ ଯୁବବର୍ଗଙ୍କ ଉଦ୍ଦେଶ୍ୟରେ କହିଥିଲେ, ‘ଯିଏ କଥାରେ ବାଦଶାହା ନୁହେଁ, ବରଂ କରିକି ଦେଖାଏ’ ସିଏ ହିଁ ଯୁବକ। ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ମାତ୍ର କେଇ ଜଣ ଯୁବକ ଏଇ ରାସ୍ତାର ପଥିକ ସାଜନ୍ତି। ନିଜ ପାଇଁ ନୁହେଁ, ଅନ୍ୟମାନଙ୍କ ପାଇଁ ବଞ୍ଚନ୍ତି। ଆସନ୍ତାକାଲି ଅନ୍ତର୍ଜାତୀୟ ଯୁବ ଦିବସ ପାଳନ ହେଉଥିବା ବେଳେ ଇମ୍ରାନ ଅଲ୍ଲୀଙ୍କ ଏହି ସଂଗ୍ରାମ ନିଶ୍ଚୟ ଯୁବବର୍ଗଙ୍କ ପାଇଁ ପ୍ରେରଣାଦାୟୀ।

ସମ୍ବନ୍ଧିତ ଖବର