ଆଜି ଆମ୍ବେଦକରଙ୍କ ଜୟନ୍ତୀ: ଅସ୍ପୃଶ୍ୟ କହି ଜଗନ୍ନାଥ ମନ୍ଦିରକୁ ଛାଡ଼ି ନଥିଲେ
ଭୁବନେଶ୍ବର: ଗୁରୁବାର ସମ୍ବିଧାନ ପ୍ରଣେତା ତଥା ସାମାଜିକ ନ୍ୟାୟ ଆନ୍ଦୋଳନର ପୁରୋଧା ଡ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ। ୧୯୪୫ ମସିହା ଜୁଲାଇ ମାସରେ ତାଙ୍କୁ ଅସ୍ପୃଶ୍ୟ କୁହାଯାଇ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ପ୍ରବେଶ କରାଇ ଦିଆଯାଇନଥିଲା। ତାଙ୍କ ସହିତ ଯାଇଥିବା ଲର୍ଡ ମାଉଣ୍ଟବ୍ୟାଟେନଙ୍କୁ କିନ୍ତୁ ମନ୍ଦିରକୁ ସ୍ବାଗତ କରାଯାଇଥିଲା। ଭାରତରେ ଅନୁସୂଚିତ ଜାତି ମଣିଷଙ୍କ ପ୍ରତି ସେତେବେଳେ ଏଭଳି ଥିଲା ସାମାଜିକ ଏବଂ ଧାର୍ମିକ ଆଭିମୁଖ୍ୟ। ଯାହା ବିରୋଧରେ ଆମ୍ବେଦକର ମୃତ୍ୟୁ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଆମ୍ବେଦକରବାଦୀ ତରଣୀ ସୁନା କହନ୍ତି, ଉଗ୍ର ଜାତିପ୍ରଥା ଯୋଗୁଁ ପୂର୍ବରୁ ଅନୁସୂଚିତ ଜାତି ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶ ନେଇ କଟକଣା ରହିଥିଲା। ମନ୍ଦିର ପ୍ରବେଶର ଅଧିକାର ଦାବିରେ ୧୯୩୦ ମସିହାରେ ଆମ୍ବେଦକର ନାସିକ ସ୍ଥିତ କଲାରାମ ମନ୍ଦିର ପ୍ରବେଶ ପାଇଁ ଲଢ଼େଇ କରିଥିଲେ। ୧୯୩୫ ମସିହା ବେଳକୁ ମନ୍ଦିର ପ୍ରବେଶ ଅଧିକାର ଲଢ଼େଇର ଆବଶ୍ୟକତାକୁ ସେ ଗୌଣ କରି ଦେଇଥିଲେ।
କିନ୍ତୁ ବିଭିନ୍ନ ରାଜ୍ୟର ପ୍ରମୁଖ ଧର୍ମାନୁଷ୍ଠାନରେ ଅନୁସୂଚିତ ଜାତି ବ୍ୟକ୍ତିଙ୍କ ପ୍ରତି ମନ୍ଦିରରେ ଥିବା ବ୍ୟବସ୍ଥା ସମ୍ପର୍କରେ ଜାଣିବାକୁ ଆଗ୍ରହୀ ଥିଲେ। ଲେଖକ ଅଭିରାମ ମଲ୍ଲିକ କହନ୍ତି, ଆମ୍ବେଦକରଙ୍କ ସହିତ ଆଲୋଚନାବେଳେ ଲର୍ଡ ମାଉଣ୍ଟବ୍ୟାଟେନ ବିଶ୍ବାସ ହିଁ କରିନଥିଲେ ଯେ ଅନୁସୂଚିତ ଜାତି ବ୍ୟକ୍ତିଙ୍କୁ ମନ୍ଦିରକୁ ପ୍ରବେଶ କରାଇ ଦିଆଯାଏ ନାହିଁ। ତାଙ୍କୁ ଦେଶର ଜାତି ବ୍ୟବସ୍ଥାର କ୍ରୁର ଚିତ୍ର ଦେଖାଇବା ପାଇଁ ଉଭୟ ପୁରୀ ଜଗନ୍ନାଥ ମନ୍ଦିର ଯାଇଥିବାବେଳେ ଆମ୍ବେଦକରଙ୍କୁ ଅଟକା ଯାଇଥିଲା।
ପ୍ରଫେସର ବସନ୍ତ ମଲ୍ଲିକ କହନ୍ତି, ୧୯୪୫ ମସିହା ନଭେମ୍ବର ୮ ତାରିଖରେ ବନ୍ୟା ନିୟନ୍ତ୍ରଣ ପାଇଁ କଟକରେ ଆୟୋଜିତ ମହାନଦୀ ରିଭର ଭ୍ୟାଲି କନଫରେନ୍ସ ହୋଇଥିଲା। ଏଥିରେ ଶ୍ରମ ମନ୍ତ୍ରଣାଳୟ ସଦସ୍ୟ ଭାବରେ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି ହୀରାକୁଦ ଜଳଭଣ୍ଡାର ପାଇଁ ପ୍ରସ୍ତାବ ଦେଇଥିଲେ। ସେହି ସମୟରେ ସେ ବନ୍ୟା, ମରୁଡ଼ି, ଦୁର୍ଭିକ୍ଷ, ଅପପୁଷ୍ଟି, ମ୍ୟାଲେରିଆ ଏବଂ ଦାରିଦ୍ର୍ୟକୁ ଓଡ଼ିଶାର ମୁଖ୍ୟ ଚ୍ୟାଲେଞ୍ଜ ବୋଲି କହିଥିଲେ। ଏଥିପାଇଁ ଜଳଭଣ୍ଡାର ଆବଶ୍ୟକତାର ମତ ଦେଇଥିଲେ। କଟକ ଏବଂ ସମ୍ବଲପୁର ସ୍ଥିତ ବନ୍ଦୋବସ୍ତ କାର୍ଯ୍ୟାଳୟରେ ହୀରାକୁଦ ଜଳଭଣ୍ଡାର ନିର୍ମାଣରେ ବାବାସାହେବଙ୍କ ଭୂମିକା ନେଇ ଉଲ୍ଲେଖ ରହିଥିବା କୁହାଯାଏ। ୧୯୪୨ରୁ ୪୬ ମଧ୍ୟରେ ଦେଶରେ ହୋଇଥିବା ଜଳସେଚନ ଲକ୍ଷ୍ୟ ନେଇ ଦେଶରେ ହୋଇଥିବା ଭାକ୍ରାନଙ୍ଗଲ, ଦାମୋଦର ଭ୍ୟାଲି ଭଳି ଜଳଭଣ୍ଡାର ପାଇଁ ମଧ୍ୟ ଆମ୍ବେଦକର ପ୍ରସ୍ତାବ ଦେଇଥିଲେ।
ସେଣ୍ଟର ଫର ଆମ୍ବେଦକର ଷ୍ଟଡି ପାଇଁ ୧୦ ବର୍ଷ ହେଲା ଅନୁଦାନ ବନ୍ଦ
ଉତ୍କଳ ବିଶ୍ବବିଦ୍ୟାଳୟରେ ୨୦୦୭ ମସିହାରୁ ରହିଛି ରାଜ୍ୟର ଏକମାତ୍ର ସେଣ୍ଟର ଫର ଆମ୍ବେଦକର ଷ୍ଟଡି। ଏଥି ଅନ୍ତର୍ଗତରେ ୨୦୦୭ ଏବଂ ୨୦୦୮ ମସିହାରେ ଯଥାକ୍ରମରେ ୬ ଏବଂ ୮ ଲକ୍ଷ ଟଙ୍କା ମିଳିଥିଲା। ଏଥିରୁ ଆମ୍ବେଦକରଙ୍କ ବିଚାରର ପ୍ରଚାର-ପ୍ରସାର ପାଇଁ ସେମିନାର ସହିତ ପାଠାଗାର ପ୍ରତିଷ୍ଠା ହୋଇଛି। ୧୦ ବର୍ଷ ହେଲା ୟୁଜିସି ପକ୍ଷରୁ ଏହାର ଅନୁଦାନ ବନ୍ଦ କରି ଦିଆଯାଇଛି। ଏଥିଯୋଗୁଁ ଆମ୍ବେଦକର ଷ୍ଟଡି ସେଣ୍ଟର କେବଳ ନାମକୁ ମାତ୍ର ହୋଇ ରହିଯାଇଛି। ଗବେଷଣା କିମ୍ବା ଆମ୍ବେଦକରଙ୍କ ବିଚାରକୁ ନେଇ କୌଣସି ସେମିନାର ହୋଇପାରୁ ନାହିଁ। ଦେଶର ଦିଲ୍ଲୀ, ଲକ୍ଷ୍ନୌ ସହିତ ବିଭିନ୍ନ ସ୍ଥାନରେ ଆମ୍ବେଦକର ବିଶ୍ବବିଦ୍ୟାଳୟ ଏବଂ ପାଠ୍ୟକ୍ରମ ରହିଛି। ଓଡ଼ିଶାରେ ଏଥିପ୍ରତି ଅବହେଳା କରାଯିବା ଦୁର୍ଭାଗ୍ୟଜନକ।