ଆଜି ବଡ଼ଦିନ: ମଧ୍ୟରାତ୍ରିରେ ହେଲାନି ଉତ୍ସବ

ଶାନ୍ତି ଓ ପ୍ରେମର ପ୍ରତୀକ ଯୀଶୁ

ଭୁବନେଶ୍ୱର: ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ଭଗବାନ ଯୀଶୁ ଧରାବତରଣ କରିଛନ୍ତି। ତେଣୁ ସବୁଆଡ଼େ ଉତ୍ସବର ମାହୋଲ। ଖୁସିରେ ସାନ୍ତାକ୍ଲସ୍‌ ଆସିବ ଚକୋଲେଟ୍‌ ଓ ଉପହାର ନେଇ। କରୋନା କଟକଣା ଭିତରେ ବି ମାପୁଚୁପି ସଜେଇ ହେଇଛି ରାଜଧାନୀ। ସାଜସଜ୍ଜା ନହେଲେ ବି ପ୍ରଭୁ ଯୀଶୁଙ୍କ ଧରାବତରଣକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି। ଚର୍ଚ୍ଚ ଓ ବଡ଼ ବଡ଼ ସପିଂ ମଲ୍‌ଠାରୁ ଜୁଏଲାରି ଦୋକାନ ପର୍ଯ୍ୟନ୍ତ ସବୁଠାରେ ରଙ୍ଗିନ୍‌ ଆଲୋକମାଳା ଝଲମଲ ହେଉଛି। ଲାଲ୍‌ କୁର୍ତ୍ତା, ପ୍ୟାଣ୍ଟ୍‌ ଓ ଟୋପି ପିନ୍ଧା ସାନ୍ତାକ୍ଲସ୍‌ ବି ଦୋକାନ ସମ୍ମୁଖରେ ଠିଆ ହୋଇ ଗ୍ରାହକଙ୍କୁ ପାଛୋଟି ନେଉଛି। ଏଥର କିନ୍ତୁ ଶିକ୍ଷାନୁଷ୍ଠାନ ଓ ପ୍ଲେ-ସ୍କୁଲ୍‌ ବନ୍ଦ ଥିବାରୁ କୁନି କୁନି ସାନ୍ତାକ୍ଲସ୍‌ଙ୍କ ଦେଖା ମିଳୁନି। ଫ୍ୟାନ୍‌ସି ଡ୍ରେସ୍‌ ପ୍ରତିଯୋଗିତାରେ କୁନି ସାନ୍ତାକ୍ଲସ୍‌, ଯୀଶୁ ଓ ମଦର ମେରିଙ୍କୁ ‌ବି ଦେଖିବାକୁ ମିଳୁନି। ପ୍ରତିବର୍ଷ ଭଳି ବିଦ୍ୟାଳୟକୁ ସାନ୍ତାକ୍ଲସ୍‌ ଆସି ପିଲାମାନଙ୍କ ସହ ନାଚ ଗୀତ କରିବା ସହ ଉପହାର ଓ ଚକୋଲେଟ୍‌ ମଧ୍ୟ ବାଣ୍ଟୁନି। କିନ୍ତୁ ଏସବୁ ଭିତରେ ଉତ୍ସାହ ମରିନି। ଆଜି ଚର୍ଚ୍ଚ ପରିସରରେ ପ୍ରାକ୍‌-ଖ୍ରୀଷ୍ଟମାସ୍‌ ଉତ୍ସବ ପାଳିତ ହୋଇଛି।

ଆଜି ସଂଧ୍ୟାରେ ୟୁନିଟ୍‌-୪ସ୍ଥିତ ୟୁନିୟନ୍‌ ଚର୍ଚ୍ଚ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଚର୍ଚ୍ଚର ପାଳକ ରେଭ୍‌ ଆୟୁବ ଛିଞ୍ଚାଣିଙ୍କ ସୂଚନାନୁସାରେ ଯେହେତୁ କରୋନା ଯୋଗୁଁ ସର୍ବସାଧାରଣଙ୍କ ପାଇଁ ଆମେ ଚର୍ଚ୍ଚ ଖୋଲା ରଖିନାହୁଁ , ଏଣୁ ଏହି କାର୍ଯ୍ୟକ୍ରମ ସଂଧ୍ୟା ୭ଟାରେ ୟୁ-ଟ୍ୟୁବ୍‌ରେ ପ୍ରସାରିତ କରିଛୁ। ଏଥିରେ ଗୀତ, ନାଚ ସହ କାରୋଲ ଗାନ ‌ହେବାର ଦୃଶ୍ୟ ଲୋକମାନେ ଦେଖିପାରିବେ। ଏଥିସହ ରାତି ୧୧ଟାରେ ଭଗବାନ ଯୀଶୁଙ୍କ ପାଇଁ ସମ୍ମୂହ ପ୍ରାର୍ଥନା କରାଯାଇଛି। ଏହା ଭର୍ଚୁଆଲ୍‌ ମାଧ୍ୟମରେ ଅର୍ଥାତ ଜୁମ୍‌ ଆପ୍‌ରେ ଅନୁଷ୍ଠିତ ହୋଇଥିଲା। ଆସନ୍ତାକାଲି ଅର୍ଥାତ ୨୫ ତାରିଖ ଦିନ ହାଇଦ୍ର‌ାବାଦର ଆ‌ଚାର୍ଯ୍ୟ ମଧୁସୂଦନ ଦାସଙ୍କ ଉଦ୍‌ବୋଧନ ପୂର୍ବାହ୍ନ ୧୦ଟାରେ ଇଂରାଜୀ ଓ ଅପରାହ୍‌ଣ ୪ଟାରେ ଓଡ଼ିଆରେ ପ୍ରସାରିତ ହେବ। ସେହିଭଳି ଭିନ୍‌ସେଣ୍ଟ କ୍ୟାଥ୍‌ଲିକ୍‌ ଚର୍ଚ୍ଚରେ ଆଜି ରାତିରେ କୌଣସି ପ୍ରକାର ଉତ୍ସବ ପାଳିତ ହୋଇନାହିଁ। ପ୍ରତିବର୍ଷ ମଧ୍ୟରାତ୍ରିରେ ଯୀଶୁଙ୍କ ଧରାବତରଣ ଉତ୍ସବ ବେଶ୍‌ ଧୂମ୍‌ଧା‌ମ୍‌ରେ ହେଉଥିବା ବେଳେ ଚଳିତ ବର୍ଷ କରୋନା କାରଣରୁ ସେସବୁ ବନ୍ଦ ରହିଛି ବୋଲି କହିଛନ୍ତି ଫାଦର୍‌ ଜନ୍‌ ବାର୍‌ୱା। ଆସନ୍ତାକାଲି ସକାଳ ସାଢ଼େ ୭ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ପ୍ରାୟ ୧୪୦ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ୫ଟି ପୂଜାପାଠ ହେବ ବୋଲି ଫାଦର କହିଛନ୍ତି।

ଶାନ୍ତି ଓ ପ୍ରେମର ପ୍ରତୀକ ଯୀଶୁ
ପ୍ରତିବର୍ଷ ଡିସେମ୍ବର ୨୫କୁ ସାରା ବିଶ୍ବରେ ‘ବଡ଼ଦିନ’ ବା ‘ଖ୍ରୀଷ୍ଟମାସ’ ଭାବେ ପାଳନ କରାଯାଏ। ବିଶେଷକରି ଖ୍ରୀଷ୍ଟ ଧର୍ମାବମ୍ବଲମ୍ବୀଙ୍କ ପାଇଁ ଏହି ଦିନଟି ବର୍ଷର ସବୁଠାରୁ ବଡ଼ ପର୍ବ। ଏହି ଦିନ ସମସ୍ତେ ପରସ୍ପରକୁ କେକ୍‌ ଖୁଆଇ ଖୁସି ବାଣ୍ଟନ୍ତି। ବାସ୍ତବରେ ଏହା ହେଉଛି ଯୀଶୁ ଖ୍ରୀଷ୍ଟଙ୍କ ଧରାବତରଣର ଦିନ। ବାଇବେଲ୍‌ ଅନୁସାରେ, ଯୀଶୁ ଈଶ୍ବରଙ୍କ ସନ୍ତାନ, ଶାନ୍ତି ଓ ପ୍ରେମର ପ୍ରତୀକ। ତେବେ ଯୀଶୁଙ୍କ ଜନ୍ମକୁ ନେଇ ବହୁ ରୋଚକ ତଥ୍ୟ ରହିଛି। ବିଶ୍ବାସ ରହିଛି, ପରମେଶ୍ବର ନିଜ ଦୂତ ଗାବ୍ରିଏଲ୍‌ଙ୍କ ଜରିଆରେ ମେରିଙ୍କ ପାଖକୁ ଏକ ସନ୍ଦେଶ ପଠାଇଥିଲେ। ଜିବ୍ରାଇଲ୍ ମେରିଙ୍କୁ ଦେଖା କରିବା ସହ ତାଙ୍କ ଗର୍ଭରୁ ଈଶ୍ବରଙ୍କ ସନ୍ତାନ ‘ଯୀଶୁ’ଙ୍କ ଜନ୍ମ ହେବ ବୋଲି ବାର୍ତ୍ତା ଦେଇଥିଲେ। ସେ ମଦର ମେରିଙ୍କୁ କହିଥିଲେ, ଜନ୍ମିତ ଶିଶୁଙ୍କ ନାମ ‘ଯୀଶୁ’ ରହିବ। ସେ ଏମିତି ଜଣେ ରାଜା ହେବେ, ଯାହାଙ୍କ ସାମ୍ରାଜ୍ୟର ସୀମା ସରହଦ ରହିବ ନାହିଁ। ସେ ବିଶ୍ବ ଶାନ୍ତି, ମୈତ୍ରୀ ଓ ପ୍ରେମର ପ୍ରତୀକ ହେବ। ଲୋକଙ୍କ ଦୁଃଖ ହରଣ କରିବ।

ଯେତେବେଳେ ମେରିଙ୍କୁ ଏହି ବାର୍ତ୍ତା ମିଳିଥିଲା, ସେ ଅବିବାହିତ ଥିଲେ। ଏହାର କିଛି ଦିନ ପରେ ସେ ଯୋଶେଫ୍‌ଙ୍କୁ ବିବାହ କରିଥିଲେ। ମେରି ଗର୍ଭବତୀ ଥିବା ବେଳେ ସେ ରହୁଥିବା ସହର ନାଜରଥରେ ଜନଗଣନା ଚାଲିଥିଲା। ପୂରା ସହର ଜନଗହଳିପୂର୍ଣ୍ଣ ଥିଲା। ସମସ୍ତ ଧର୍ମଶାଳା, ସାର୍ବଜନିକ ଆବାସ ଗୃହ ଆଦି ଭର୍ତି ହୋଇଯାଇଥିଲା। ଫଳରେ ଜାଗା ଅଭାବରୁ ଏକ ଗୁହାଳ ଘରେ ମଧ୍ୟରାତ୍ରିରେ ଯୀଶୁ ଧରାବତରଣ କରିଥି‌ଲେ। ଜନ୍ମସ୍ଥାନର କିଛି ଦୂରରେ କିଛି ଲୋକ ଛେଳି ଚରାଉଥିଲେ। ଈଶ୍ବରଙ୍କ ଦୂତ ସେମାନଙ୍କୁ କହିଥିଲେ, ସେହି ଗୁହାଳରେ ‘ମାନବ ସମାଜର କଲ୍ୟାଣକାରୀ ତଥା ମୁକ୍ତିଦାତା ଜନ୍ମଗ୍ରହଣ କରିଛନ୍ତି। ସେ ନିଜେ ଈଶ୍ବର’। ଏହା ଶୁଣି ସମସ୍ତେ ଯୀଶୁଙ୍କୁ ଦେଖିବା ପାଇଁ ସେଠାକୁ ଧାଇଁଥିଲେ। ଦେଖୁ ଦେଖୁ ପୂରା ଗୁହାଳ ଦେଖଣାହାରୀଙ୍କ ଭିଡ଼ରେ ପୂରି ଉଠିଥିଲା। କଟକ-ଭୁବନେଶ୍ୱର ଆର୍କବିଶପ ଜନ୍‌ ବାର୍‌ୱା କୁହନ୍ତି, ଡିସେମ୍ବର ପ୍ରଥମ ରବିବାରରୁ ୨୦ ତାରିଖ ପର୍ଯ୍ୟନ୍ତ ସମୟକୁ ଯୀଶୁଙ୍କ ଆଗମନ କାଳ ବୋଲି ବିଶ୍ୱାସ କରାଯାଏ। ଏହି ସମୟରେ ଯୀଶୁଙ୍କ ଧରାବତରଣକୁ ଉତ୍ସାହର ସହ ଅପେକ୍ଷା କରାଯାଏ। କ୍ୟାଥ୍‌ଲିକ୍‌ ମଣ୍ଡଳୀର ଯୁବପିଢ଼ି ଏହି ଅବସରରେ ଘର ଘର ବୁଲି କାରୋଲ୍‌ ଗୀତ ଗାଇ ଯୀଶୁ ଧରାବତରଣ କରୁଛନ୍ତି ବୋଲି ବାର୍ତ୍ତା ଦେଇଥା’ନ୍ତି। ଏହି ସମୟରେ ନିଜ ଦୋଷ ସ୍ୱୀକାର କରିବା ସହ ବିଗିଡ଼ି ଯାଇଥିବା ସମ୍ପର୍କକୁ ସୁଧାରିବାକୁ ଚେଷ୍ଟା କରାଯାଇଥାଏ। ସମସ୍ତଙ୍କୁ ଖୁସିର ବାର୍ତ୍ତା ଦିଆଯାଏ। ଯୀଶୁଙ୍କ ଆଗମନ କାଳରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଚର୍ଚ୍ଚରେ ସମୂହ ପ୍ରାର୍ଥନା କରିବା ସହ ଉପବାସ, ଧ୍ୟାନ ଆଦି କରିଥା’ନ୍ତି। ଚର୍ଚ୍ଚକୁ ଆଡ଼ମ୍ବରରେ ସଜାଯାଇଥାଏ। ଫାଦର୍‌ କୁହନ୍ତି, ଯୀଶୁ ଯେତେବେଳେ ଜନ୍ମଗ୍ରହଣ କରିଥିଲେ, ସେହି ସମୟରେ ଗଛ ପତ୍ରଛଡ଼ା ଦେଇ ଥୁଣ୍ଟା ପ୍ରାୟ ଥିଲା। କିନ୍ତୁ ପାଇନ୍‌ ଜାତୀୟ ବୃକ୍ଷ ସବୁବେଳେ ସବୁଜ। ସବୁଜ ରଙ୍ଗ ଜୀବନର ପ୍ରତୀକ ହୋଇଥିବାରୁ ଖ୍ରୀଷ୍ଟମାସ୍‌ ଟ୍ରି’ର ଏହି ପବିତ୍ର ଦିନରେ ଗୁରୁତ୍ବ ଅଧିକ।

ସମ୍ବନ୍ଧିତ ଖବର