ପୁରୁଣା ଭୁବନେଶ୍ବର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରିୟ ଶୁଖୁଲି ଭୋଗ ହେଉଛି କୋରାଖଇ। କିନ୍ତୁ ଧନୁ ସଂକ୍ରାନ୍ତିରେ ମହାପ୍ରଭୂଙ୍କ ପାଖରେ ସ୍ବତନ୍ତ୍ର ଭାବେ ଲାଗି ହୁଏ ମୁଆଁ। ମୁଆଁ ବି ଲିଙ୍ଗରାଜଙ୍କ ପ୍ରିୟ ଶୁଖୁଲି ଭୋଗ। ଆସନ୍ତାକାଲି ଧନୁ ସଂକ୍ରାନ୍ତି। ଶ୍ରଦ୍ଧାଳୁମାନେ ଲିଙ୍ଗରାଜ ମନ୍ଦିରେ ଭୋଗ ଲାଗି କରିବେ ଧନୁ ମୁଆଁ। ତେଣୁ ଆଜି ଦିନତମାମ ଲୋକେ ଧନୁ ମୁଆଁ ପାଇଁ କୋରାଖଇ ଦୋକାନରେ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଛି। ପ୍ରତି ଘରେ ଧନୁ ମୁଆଁ ପୂଜା ହେବାର ବିଧି ଥିବାରୁ ଲୋକେ ବଜାରରୁ ମୁଆଁ କିଣିବାରେ ଲାଗିଛନ୍ତି। ପୁରୁଣା ଭୁବନେଶ୍ବରର ବିଭିନ୍ନ କୋରାଖଇ ଦୋକାନରେ ଆଜି ବେଶ୍‌ ଭିଡ଼ ଦେଖିବାକୁ ମିଳିଛି।

Advertisment

ଧନୁ ସଂକ୍ରାନ୍ତି ଉପଲକ୍ଷେ ଏବେ ବଜାରରେ ୫୦୦ ଗ୍ରାମ୍‌ରୁ ଆରମ୍ଭ କରି ୨୦ କେଜିଆ ଧନୁ ମୁଆଁ ବିକ୍ରି ହେଉଛି। ୫୦୦ ଗ୍ରାମ୍‌ ଓ କେଜିକିଆ ମୁଆଁ ବେଶି ବିକ୍ରି ହେଉଛି। ୧୦ କେଜିଆ ଓ ୨୦ କେଜିଆ ମୁଆଁ କେବଳ ବରାଦ ଅନୁସାରେ ପ୍ରସ୍ତୁତ କରାଯାଇଛି। ୫୦୦ ଗ୍ରାମ୍‌ ବିଶିଷ୍ଟ ଧନୁ ମୁଆଁର ଦର ୧୫୦ ଟଙ୍କା, ୨୦୦ ଟଙ୍କା‌ ଓ ୨୫୦ ଟଙ୍କା ରହିଛି। ମୁଆଁ ତିଆରି ଉପାଦାନକୁ ନେଇ ଦର ସ୍ଥିର କରାଯାଉଛି ବୋଲି ମୁଆଁ ତିଆରି କରୁଥିବା କାରିଗରମାନେ କହିଛନ୍ତି।

ପୁରୁଣା ଭୁବନେଶ୍ବର ପ୍ରସିଦ୍ଧ ବଇଆ କୋରାଖିଇ ଦୋକାନର କୌଶିକ କୁମାର ସାହୁଙ୍କ କହିବା କଥା ଲୋକଙ୍କ ଚାହିଦା ଓ ବରାଦ ଅନୁଯାୟୀ ମୁଆଁ ପ୍ରସ୍ତୁତ କରାଯାଉଛି। ଯେଉଁମାନେ ବଡ଼ ମୁଆଁ ଖୋଜୁଛନ୍ତି, ସେମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଉଛି ଏବଂ ତାହାକୁ ପ୍ୟାକ୍‌ କରି ଦିଆଯାଉଛି। ବରାଦ ମୁଆଁ ବିଶେଷକରି ବନ୍ଧୁବାନ୍ଧବଙ୍କ ଘର ପାଇଁ ଲୋକେ କିଣିନେଉଛନ୍ତି। କୋରାଖଇ ପ୍ରସ୍ତୁତି ଯେମିତି ଜଟିଳ, ମୁଆଁ ତିଆରି ବି ସେମିତି କଷ୍ଟକର। ଏଥିପାଇଁ ସ୍ବତନ୍ତ୍ର ଧାନ ଦରକାର। ଧାନରୁ ଖଇ ଭାଜିବା ପରେ ଚିନି ଓ ଗୁଡ଼ ସିରା ପ୍ରସ୍ତୁତ କରି ସେଥିରେ ଖଇକୁ ମିଶାଇବାକୁ ପଡ଼େ। ଏହା ବଡ଼ କାଠିକର କଥା। ଟିକିଏ ପାଗ ଏପଟସେପଟ ହେଲେ ମୁଆଁ ବାନ୍ଧିହୁଏ ନାହିଁ। ସେହିଭଳି ସିରାରେ ଗୁଆଘିଅ ମିଶାଇବା ମଧ୍ୟ ସ୍ବତନ୍ତ୍ର କଳା। ଏହା ପୂର୍ବରୁ ନଡ଼ିଆ ପାତି ପ୍ରସ୍ତୁତ ହୋଇଥାଏ।

ଏହି ଶୁଖିଲା ନଡ଼ିଆ ପାତିକୁ ଗୁଆଘିଅ ଓ ଗୁଡ଼ ସିରାରେ ମିଶାଇ ଏକ ସ୍ବତନ୍ତ୍ର ପାଗ କରି ଭାଜିବାକୁ ପଡ଼େ। ପରେ ଖଇକୁ ସିରା ସହ ମିଶାଇବା ବେଳେ ଏହି ନଡ଼ିଆପାତି ସାଙ୍ଗରେ ଗୋଲମରିଚ, ଗୁଜୁରାତି, ଜାଇଫଳ, କର୍ପୂର ଓ ପାନମଧୁରୀ ଆଦି ପକାଇ ଘାଣ୍ଟିବାକୁ ପଡ଼େ। କାଠ ଚୁଲିରେ ବଡ଼ବଡ଼ କଡ଼େଇରେ ଏହି ମିଶ୍ରଣକୁ ଘାଣ୍ଟିବାକୁ ବହୁ ପରିଶ୍ରମ କରିବାକୁ ପଡ଼େ। ପାଗ ଏପଟସେପଟ ହୋଇଗଲେ, ସ୍ବାଦ ଭଲ ହୁଏନାହିଁ। ତେଣୁ ଏଥିପାଇଁ ଜଗିରଖି ବଡ଼ ସତର୍କତାର ସହ କରିବାକୁ ପଡ଼େ। କୋରାଖଇର ଚାହିଦା ବର୍ଷ ସାରା ରହିଛି। ପୁରୁଣା ଭୁବନେଶ୍ବରର ନାଁ ସାରା ରାଜ୍ୟରେ ରହିଛି। ଏପରିକି ଏହା ରାଜ୍ୟ ବାହାରକୁ, ଏପରିକି ବିଦେଶକୁ ମଧ୍ୟ ଯାଏ। ଅନ୍ୟପକ୍ଷରେ ଧନୁ ମୁଆଁ ବର୍ଷକୁ ଥରେ ହିଁ ଭଲ ଲାଗେ। ବେଳେବେଳେ ଲୋକେ ଅନ୍ୟ ସମୟରେ ମୁଆଁ ବରାଦ କରି କିଣନ୍ତି। କିନ୍ତୁ ଏହା କ୍ବଚିତ।