ଆଜି ଗୁରୁ ଦିବସ: ଗୁରୁ ହିଁ ପଥ ପ୍ରଦର୍ଶକ

ମା’ ବାପାଙ୍କ ପରେ ଗୁରୁ ହିଁ ଆମର ମାର୍ଗଦର୍ଶକ ସାଜନ୍ତି। ଆମକୁ ଶିକ୍ଷା ଦିଅନ୍ତି, ମାର୍ଜିତ କରନ୍ତି, ବେଳେବେଳେ ଶୃଙ୍ଖଳିତ କରିବା ପାଇଁ କଠୋର ଅନୁଶାସନରେ ମଧ୍ୟ ରଖନ୍ତି। ଏହାଦ୍ୱାରା ଶିଷ୍ୟ ଦିନେ ସଫଳତା ପାଏ ଓ ଆଗକୁ ବଢ଼େ। ଖାଲି ପାଠପଢ଼ା କ୍ଷେତ୍ରରେ ନୁହେଁ; ସଂଗୀତ, ନୃତ୍ୟ, ଚିତ୍ରକଳାଠାରୁ ଆରମ୍ଭ କରି ଖେଳକୁଦ ପରି ସମସ୍ତ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଆମେ ଗୁରୁଟିଏ ଲୋଡ଼ିଥାଉ। ଏହି କାରଣରୁ ସମାଜ ସବୁବେଳେ ଗୁରୁଙ୍କ ନିକଟରେ ଋଣୀ। ଶିଷ୍ୟର ଚରିତ୍ର ଗଠନ ହେଉ କିମ୍ବା ତାକୁ ଭଲ ମଣିଷ ରୂପେ ଗଢ଼ି ତୋଳିବାରେ ଗୁରୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅସଲ ଗୁରୁ ଶିଷ୍ୟକୁ ପଥ ପ୍ରଦର୍ଶନ କରନ୍ତି ଏବଂ ସେହି ପଥରେ ଯାଇ ଶିଷ୍ୟ ସଫଳତା ପାଏ, ଏପରିକି ବେଳେବେଳେ ଗୁରୁଙ୍କୁ ମଧ୍ୟ ଅତିକ୍ରମ କରିଯାଏ। ଆଜି ଗୁରୁ ଦିବସ ଅବସରରେ ସେମିତି କିଛି ଖ୍ୟାତନାମା ଗୁରୁ-ଶିଷ୍ୟଙ୍କୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା…

ତାଙ୍କ ପରି ଗୁରୁ ମିଳିବା ଭାଗ୍ୟର କଥା
ମୋ ଗୁରୁ ସୁଦର୍ଶନ ସାର୍‌ ଆମ ଗାଁ ପୋଡ଼ତରା ପାଖରେ ଥିବା ଛଇତନାକୁ ଆସି ପଥରରେ କାମ କରୁଥିବା ସମୟରେ ମୁଁ କାମ ଶିଖିବା ପାଇଁ ଆକୃଷ୍ଟ ହୋଇଥିଲି। ସେତେବେଳକୁ ୧୫ ବର୍ଷ ହୋଇଥାଏ। ପରେ ସେ ମୋତେ ନେଇ ତାଙ୍କ ଘର କୁମୁଟିସାହିରେ କାମ ଶିଖାଇଥିଲେ। ମୋର ମନେ ଅଛି, ସେ ପ୍ରଥମେ ମତେ ଏକ ଛୋଟିଆ ପଥରଟିଏ ଦେଇ କହିଥିଲେ କେମିତି କ’ଣ କରିବାକୁ ହେବ ଏବଂ ମୁଁ ତାହା କରିଥିଲି। ତାଙ୍କ ପରି ଗୁରୁ ମିଳିବା ବହୁତ ଭାଗ୍ୟର କଥା। ମୁଁ ସେହି ଭାଗ୍ୟବାନ ପିଲା ଯିଏକି ପ୍ରଥମ ଶିଷ୍ୟ ଭାବେ ତାଙ୍କ ପାଖେ କାମ ଶିଖିଥିଲି। ତାଙ୍କ ଆଶୀର୍ବାଦରେ ଆଜି ମୁଁ ବହୁତ ଆଗକୁ ମଧ୍ୟ ଆସିପାରିଛି। ଭାରତ ତଥା ଭାରତ ବାହାରେ ମଧ୍ୟ କାମ କରିଛି। ଏବେ ମୁଁ ‘ଧ୍ରୁବ ଆର୍ଟ ଇନଷ୍ଟିଚ୍ୟୁଟ୍’ ତାଲିମ କେନ୍ଦ୍ର ମଧ୍ୟ ଖୋଲିଛି। ଏଠାରେ ୨୫ରୁ ୩୦ ପିଲା ମୋ’ଠାରୁ କାମ ଶିଖୁଥିବା ବେଳେ ଅନେକ କାମ ଶିଖି ସଫଳତା ମଧ୍ୟ ହାସଲ କଲେଣି। ସେଦିନ କଥା ଆଜି ବି ମନେ ଅଛି। ଗୋଟେ ସ୍ଥାନରେ ପ୍ରତିଯୋଗିତା ହେଉଥାଏ। ସେ ସମୟରେ ମୋ ଗୁରୁ ସୁଦର୍ଶନ ସାର୍ ମୋ ମୁଣ୍ଡକୁ ଆଉଁସି ଦେଇଥିଲେ ଓ ସେଠାରେ ମୁଁ ଜିତିଥିଲି। ଯେତେବେଳେ ମୁଁ ‘ଶିଳ୍ପୀଶ୍ରୀ ସମ୍ମ‌ାନ’ ମୋ ଗୁରୁଙ୍କ ହାତରେ ପାଇଥିଲି, ସେତେବେଳେ ଏକ ଶିହରଣ ମୋ ଦେହରେ ସୃଷ୍ଟି ହୋଇଥିଲା। ଯାହା ଆଜି ମୋର ବହୁତ ମନେ ପଡ଼େ। ଆଜି ଯଦି ମୋର ପରିବାର ମୋର ରୋଜଗାରରେ ଚଳୁଛନ୍ତି, ସେସବୁ କେବଳ ମୋ ଗୁରୁଙ୍କ ପାଇଁ ସମ୍ଭବ ହୋଇପାରିଛି।
ଧ୍ରୁବ ଚରଣ ସ୍ବାଇଁ, ପ୍ରଖ୍ୟାତ ପ୍ରସ୍ତରଶିଳ୍ପୀ

ସମର୍ପଣ ଓ ଆଗ୍ରହ ଯୋଗୁଁ ଆଜି ସେ ଜଣେ ଉଚ୍ଚକୋଟୀର ଶିଳ୍ପୀ
ମୋ ପାଖରେ ଧ୍ରୁବ ପ୍ରଥମେ କାମ ଶିଖିଥିଲା। ପୁରୀ ପାଖ ଛଇତନାରେ ଥିବା ଧାନ ଜମିକୁ ଯିବା ବେଳେ ସାଙ୍ଗରେ ପଥର ଖଣ୍ଡେ ନେଇ ମୁଁ ଖୋଦେଇ କରି କାମ କରୁଥିବା ବେଳେ ସେ ମତେ ଦେଖିଛି। ମୋ ପାଖେ ଘଣ୍ଟାଘଣ୍ଟା ଧରି ସେ କାମ ଦେଖେ। ତା’ର ଏହି ଆଗ୍ରହ ମୋତେ ତା’ ଆଡ଼କୁ ବେଶ୍‌ ଆକର୍ଷିତ କରିଥିଲା ଓ ସେ ଭବିଷ୍ୟତ‌ରେ ଜଣେ ଭଲ ପସ୍ତରଶିଳ୍ପୀ ହୋଇପାରିବ ବୋଲି ମୋର ବିଶ୍ବାସ ଆସିଥିଲା। ସେ ୨୦ବର୍ଷ ଧରି ମୋ ପାଖେ କାମ ଶିଖୁଥିଲା। ତାର ସମର୍ପଣ ଓ ଆଗ୍ରହ ଯୋଗୁଁ ଆଜି ସେ ଏକ ଉଚ୍ଚକୋଟୀର ଶିଳ୍ପୀ ହୋଇପାରିଛି।
ପଦ୍ମବିଭୂଷଣ ସୁଦର୍ଶନ ସାହୁ, ପ୍ରଖ୍ୟାତ ପ୍ରସ୍ତରଶିଳ୍ପୀ

ପଦ୍ମଶ୍ରୀ ଅରୁଣା ମହା‌ନ୍ତି-ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଜାହ୍ନବୀ ବେହେରା

କଳାକାରର ହୃଦୟ ଥିବା ଜାହ୍ନବୀକୁ ଶିଷ୍ୟା ଭାବେ ପାଇବା ମୋ ଭାଗ୍ୟ
ଗୁରୁ-ଶିଷ୍ୟ ପରସ୍ପର ପାଇଁ ହିଁ ଜନ୍ମ ନେଇଥା’ନ୍ତି। ଗୋଟିଏ ମୁଦ୍ରାର ଦୁଇପାର୍ଶ୍ବ ଭଳି ଉଭୟ ଉଭୟଙ୍କର ପରିପୂରକ। ଜଣେ ଭଲ ଗୁରୁ ବିନା ଜଣେ ଶିଷ୍ୟର ଦୂରଦୃଷ୍ଟି ବିକଶିତ ହେବା, ଶିଷ୍ୟର ପୂର୍ଣ୍ଣାଙ୍ଗ ଉନ୍ନତି ହେବା ଅସମ୍ଭବ। ଠିକ୍‌ ସେହିଭଳି ‌ଜଣେ ଭଲ ଶିଷ୍ୟ ପାଇବା ଗୁରୁଙ୍କ ଭାଗ୍ୟର କଥା। ଗୁରୁ ମାଟିକୁ ନେଇ ଯେତେବେଳେ ମୂର୍ତି ଗଠନ କରେ ସେ ମାଟିର ଉର୍ବରତା, ସହନଶୀଳତା ଓ ଧାରଣା ଶକ୍ତି ହିଁ ତାକୁ ଏକ ଭଲ ମୂର୍ତିରେ ପରିଣତ କରେ। ଠିକ୍‌ ସେହିଭଳି ଜାହ୍ନବୀ। ତାର ହୃଦୟ ଏକ କଳାକାରର ହୃଦୟ। ସେ ନୃତ୍ୟ ପାଇଁ ସମ୍ପୂର୍ଣ୍ଣ ଭାବେ ସମର୍ପିତା। ତା’ର କେବଳ ଶରୀର ନୁହେଁ, ମନ, କାୟା ଓ ବଚ୍ଚନରେ ସେ ନୃତ୍ୟ ସାଧନାକୁ ଆଦରି ନେଇଛି। ଏଣୁ ଏଭଳି ଏକ ଶିଷ୍ୟା ପାଇବା ବି ମୋ ପାଇଁ ଭାଗ୍ୟର କଥା।
ଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତି, ପ୍ରଖ୍ୟାତ ନୃତ୍ୟଶିଳ୍ପୀ

ତାଙ୍କ ଆଲିଙ୍ଗନ ଥିଲା ମୋ ଜୀବନର ଶ୍ରେଷ୍ଠ ସମ୍ମାନ
ପିଲା ବେଳେ ରେଡିଓ ଶୁଣି କବାଟ ଦେଇ ବହୁତ ନାଚେ। ଏହାକୁ ଦେଖି ମୋ ବୋଉ ପାଖରେ ଥିବା ଏକ ନୃତ୍ୟ କେନ୍ଦ୍ର‌ରେ ମୋତେ ଛାଡ଼ିଥିଲେ। ପରେ ଗୁରୁ ରମେଶ ଚନ୍ଦ୍ର ଜେନାଙ୍କ ସହ ଦେଖା ହୁଏ, ସେ ମୋତେ ଓଡ଼ିଶୀ ନୃତ୍ୟ ଶିକ୍ଷାଇଥିଲେ। ପରେ ଗୁରୁ ଯୁଧିଷ୍ଠର ନାୟକ ଓ ଗୁରୁ ରମେଶ ଚନ୍ଦ୍ର ଜେନା ମୋତେ ନେଇ ଓଡ଼ିଶା ଡ୍ୟାନ୍ସ ଏକାଡେମିରେ ପହଞ୍ଚାଇଥିଲେ।

ସେଠାରେ ଗୁରୁ ଗଙ୍ଗାଧର ପ୍ରଧାନ ଓ ଅରୁଣା ମହାନ୍ତିଙ୍କ ସହ ଭେଟ ହୁଏ। ପରବର୍ତ୍ତୀ ସମୟରେ ଗୁରୁ ଅରୁଣା ମହାନ୍ତି ମୋ ଜୀବନର ମାର୍ଗଦର୍ଶକ ପାଲଟି ଯାଇଥିଲେ। ତାଙ୍କଠାରୁ ବ୍ୟକ୍ତିଗତ ଭାବେ ନୃତ୍ୟ ଶିଖିବା ଭିତରେ ସେ ମୋତେ ପରିମାର୍ଜିତ କରିବା ସହ ମୋ ଭିତରେ ଆତ୍ମବିଶ୍ବାସ ଭରି ଦେଇଥିଲେ। ସେ ମୋତେ ନେଇ ବହୁ ଏକକ ନୃତ୍ୟ କରାଇଛନ୍ତି। ଆଜି ଯାହା ବି ପ୍ରଂଶସା ପାଉଛି, ତାହା ଗୁରୁ ଅରୁଣା ମହାନ୍ତିଙ୍କ ପାଇଁ। ୨୦୦୮ରେ ‘କୁରୁ ଯଦୁ ନନ୍ଦନ’ ଗୀତ ଗୋବିନ୍ଦରେ ଓଡ଼ିଶୀ ନୃତ୍ୟ କରିବା ସମୟରେ ପ୍ରଥମ କରି ଗୁରୁ ଅରୁଣା ମହାନ୍ତିଙ୍କୁ ଅନୁରୋଧ କରିଥିଲି ମଞ୍ଚ ସମ୍ମୁଖରେ ରହିବା ପାଇଁ। ଏହା ଯେକୌଣସି ଗୁରୁ ଶୁଣିଲେ ରାଗିବେ କିନ୍ତୁ ସେ ମୋ କଥା ରଖି ମଞ୍ଚ ପଛରେ ରହି ମୋତେ ସେ ସ୍କ୍ରିନ୍‌ରେ ଦେଖିଥିଲେ ଓ ମୋ ନୃତ୍ୟ ସରିବା ପରେ ମୋତେ ସେ ଖୁସିରେ ମଞ୍ଚ ଉପରେ ଆଲିଙ୍ଗନ କରିଥିଲେ। ତାହା ମୋ ପାଇଁ କୌଣସି ବଡ଼ ସମ୍ମାନଠାରୁ କମ୍‌ ନଥିଲା।
ଜାହ୍ନବୀ ବେହେରା, ବିଶିଷ୍ଟ ନୃତ୍ୟଶିଳ୍ପୀ

ଜୀବନରେ ଯାହା ବି କରିଛି ତାଙ୍କରି ଯୋଗୁଁ
ବିନ୍‌ ଗୁରୁ ଜ୍ଞାନ କାହାଁସେ ପାଉଁ…। ହିନ୍ଦୁସ୍ତାନୀ ସଙ୍ଗୀତ ବା ଶାସ୍ତ୍ରୀୟ ସଙ୍ଗୀତ ଶିଖିବାକୁ ହେଲେ ଯେତେବେଳେ ଓଡ଼ିଶା ବାହାରେ ଯାଇ ଶିକ୍ଷାଲାଭ କରିବାକୁ ପଡ଼ୁଥିଲା, ସେ‌‌ତେବେ‌ଳେ ବାହାରୁ ବୃତ୍ତି ପାଇ ଗୁରୁ ଦାମୋଦର ହୋତା ଓ ପ୍ରଖ୍ୟାତ ସଙ୍ଗୀତଶିଳ୍ପୀ ସ୍ବର୍ଗତା ସୁନନ୍ଦା ପଟ୍ଟନାୟକ ଓଡ଼ିଶାକୁ ଆସିଥିଲେ। ଗୁରୁ ଦାମୋଦର ହୋତା ଭଲ ଭଲ ଚାକିରି ଛାଡ଼ି ସେତେବେଳେ ଆମ ଭଳି ପିଲାଙ୍କୁ ସଙ୍ଗୀତ ଶିକ୍ଷା ଦେବା ଆରମ୍ଭ କରିଥିଲେ। କଡ଼ା ଅନୁଶାସନ ଭିତରେ ସେ ଆମକୁ ସଙ୍ଗୀତ ଶିକ୍ଷା ଦେଉଥିଲେ। ଅନୁଶାସନ ଏମିତି ଥିଲା ଯେ କିଛି ଶିଷ୍ୟ ଛାଡ଼ି ପଳାଇବାକୁ ଚାହୁଥିଲେ। କିନ୍ତୁ ତାଙ୍କଠାରୁ ସଙ୍ଗୀତ ଶିଖିଥିବା ସମସ୍ତ ଶିଷ୍ୟ ଆଜି ଦେଶବିଦେଶରେ ପ୍ରସିଦ୍ଧି ଓ ସୁଖ୍ୟାତି ଅର୍ଜନ କରିଛନ୍ତି। ଆଜି ଯେଉଁ ଗୁରୁ ଚିତ୍ତରଞ୍ଜନ ପାଣିଙ୍କୁ ଦେଖୁଛ; ସେ ଗୁରୁ ଦାମୋଦର ହୋତାଙ୍କ ହାତଗଢ଼ା କଳାକାର। ମୁଁ ଜୀବନରେ ଯାହା କିଛି ବି କରିପାରିଛି ତାଙ୍କରି ଯୋଗୁଁ ହିଁ କରିପାରିଛି।
ଚିତ୍ତରଞ୍ଜନ ପାଣି, ଓଡ଼ିଶୀ ସଙ୍ଗୀତ ଗୁରୁ

ପିତାମାତାଠାରୁ ଗୁରୁଙ୍କ ଦାୟିତ୍ବ ଅଧିକ
ବାପା ମା’ ପିଲାକୁ ଜନ୍ମ ଦିଅନ୍ତି ସିନା; କିନ୍ତୁ ଗୁରୁ ସେ ପିଲାକୁ ମଣିଷ କରି ଗଢ଼ି ତୋଳେ। ଏଣୁ ପିତାମାତାଠାରୁ ଗୁରୁଙ୍କ ଦାୟିତ୍ବ ଅଧିକ। ଶିଷ୍ୟକୁ ପୁତ୍ରକନ୍ୟାବତ୍‌ ଭାବି ଗୁରୁ ସ୍ନେହବତ୍ସଳ ହେବା ଉଚିତ, ଶିକ୍ଷା ସମୟରେ କଡ଼ା ଅନୁଶାସନରେ ରଖିଲେ ଯାଇ ଉତ୍ତମ ଓ ମାର୍ଜିତ ଶିଷ୍ୟଟିଏ ଗଢ଼ିହେବ। ଶିଷ୍ୟର ସର୍ବାଙ୍ଗୀନ ଉନ୍ନତି ଗୁରୁର ଏକମାତ୍ର କାମ୍ୟ। ଶିଷ୍ୟର ସମସ୍ତ ଦୁର୍ବଳତାକୁ ବି ଦୂର କରିବା ଗୁରୁଙ୍କ ପ୍ରଥମ କର୍ତ୍ତବ୍ୟ।
ଗୁରୁ ଦାମୋଦର ହୋତା, ପ୍ରଖ୍ୟାତ ଓଡ଼ିଶୀ କଣ୍ଠଶିଳ୍ପୀ

ସମ୍ବନ୍ଧିତ ଖବର