ଆଜି ଅନ୍ତର୍ଜାତୀୟ ପରିବାର ଦିବସ: ପରିବାରରୁ ମିଳୁଛି କରୋନା କାରୁଣ୍ୟର ନିଦାନ

ଭୁବନେଶ୍ବର : ଯୌଥ ପରିବାର ହେଉଛି ଭାରତୀୟ ସଂସ୍କୃତି। ସମୟଚକ୍ରରେ ଗତ କିଛି ଦଶନ୍ଧି ଧରି ଏହି ପରମ୍ପରା ଅବକ୍ଷୟମୁଖୀ ହୋଇଥିଲେ ବି ଆଜି କରୋନା ମହାମାରୀ ପୁଣି ଆମକୁ ସେହି ପ୍ରାଚୀନ ସଂସ୍କୃତିକୁ ଫେରିବା ଲାଗି ରାସ୍ତା ଦେଖାଇଛି। ଏହା ଆଜି ଆମକୁ ନିର୍ଭୟରେ ବଞ୍ଚିବାର ରାହା ଦେଉଥିବା ବେଳେ ପ୍ରତିଟି ଲଢ଼େଇରେ ଟାଣ ହୋଇ ଛିଡ଼ା ହେବାର ସାହସ ଯୋଗାଉଛି।

ଏହି ମହାମାରୀ ଦୁଇ ବର୍ଷ ହେଲା ପରିବାରର ମୂଲ୍ୟ ଓ ସଂଜ୍ଞା ବାବଦରେ ସମସ୍ତଙ୍କୁ ବେଶ୍‌ ଭଲ ଭାବେ ବୁଝାଇ ଦେଇଛି। ବିଶେଷକରି କରୋନା ଆକ୍ରାନ୍ତ ପରିବାର ମାନସିକ ଯନ୍ତ୍ରଣା ‌ଭୋଗୁଥିବା ବେଳେ ଯୌଥ ପରିବାରର ଉପସ୍ଥିତି କିଭଳି ମନରେ ଦମ୍ଭ ଓ ସାହସ ସୃଷ୍ଟି କରୁଛି, ତାହା ଆଜି ବହୁ ଲୋକ ଅଙ୍ଗେ ନିଭାଉଛନ୍ତି। ଏଭଳି ଅସମୟରେ ଏକାଠି ରହିବା ଦ୍ବାରା ପାରିବାରିକ ବନ୍ଧନ ଅଧିକରୁ ଅଧିକ ମଧୁର ହେଉଛି ଓ ଦୁର୍ଭାଗ୍ୟକୁ ଯଦି ଆତ୍ମୀୟଙ୍କୁ ହରାଇବାକୁ ପଡ଼ୁଛି, ସେତେବେ‌ଳେ ନକାରାତ୍ମକ ପ୍ରଭାବ ବହୁ ମାତ୍ରାରେ ଲାଘବ ହୋଇପାରୁଛି। ଆସନ୍ତାକାଲି (ଶନିବାର) ‘ଅନ୍ତର୍ଜାତୀୟ ପରିବାର ଦିବସ’ ଅବସରରେ ପରିବାର ଓ ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏଭଳି ମତ ପୋଷଣ କରିଛନ୍ତି।

କଥାବର୍ତ୍ତା ମାନସିକ ଅବସାଦର ଅବ୍ୟର୍ଥ ଔଷଧ
ପରିବାରରେ ମଣିଷ ବଞ୍ଚେ। ପରିବାର ହିଁ ମାନସିକ ଅବସାଦର ଅବ୍ୟର୍ଥ ଔଷଧ। କାରଣ ପରିବାର କଥାବାର୍ତ୍ତାର ସୁଯୋଗ ସୃଷ୍ଟି କରିଥାଏ। ଏବେ ଯେଉଁ ପ୍ରକାର ମହାମାରୀ ପରିସ୍ଥିତି ଲାଗି ରହିଛି, ଏଥିରେ ପ୍ରାୟ ସମସ୍ତଙ୍କର ମାନସିକ ସ୍ବାସ୍ଥ୍ୟ ବିଗିଡ଼ି ଯାଇଛି। ତେଣୁ ନିଜ ଲୋକ ସହ କଥା ହୋଇଗ‌ଲେ, ବହୁ ମାନସିକ ଯନ୍ତ୍ରଣା ଦୂର ହୋଇଯାଉଛି। ବିଶେଷକରି କରୋନା ରୋଗୀଟିଏ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଆତ୍ମୀୟ ବ୍ୟକ୍ତିଟି ଭାଙ୍ଗି ପଡ଼ୁଛନ୍ତି। ସେଭଳି ସମୟରେ ପାଖରେ ପରିବାରଲୋକଙ୍କ ଉପସ୍ଥିତି ମନୋବଳ ବଢ଼ାଉଛି। ଏବେ ଚାରିଆଡ଼େ ଅବିଶ୍ବାସର ବାତାବରଣ। ଏଣୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବଡ଼ ଭୂମିକା ରହିଛି। ହସ୍ପିଟାଲର ହେଲ୍ପ-ସେଣ୍ଟର ଲଗାତାର ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ତାଙ୍କ ପରିବାରକୁ ସୂଚନା ଦେବା ଉଚିତ। ଏହାଦ୍ବାରା ପରିବାରଲୋକେ ଭୟଭୀତ ହୋଇ ଭାଙ୍ଗି ପଡ଼ିବେ ନାହିଁ କି କ୍ରୋଧର ଶିକାର ହେବେ ନାହିଁ। ଏଥିସହ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କୁ ଯାହା ଭଲ ଲାଗୁଛି, ତାହା କରିବାକୁ ସୁଯୋଗ ମିଳିବା ଉଚିତ। ପରସ୍ପର ମଧ୍ୟରେ କଥାବାର୍ତ୍ତ ହେବା, ଗୀତ ଶୁଣିବା, ଖବରକାଗଜ ଓ ମାଗାଜିନ୍‌ ପଢ଼ିବା ଆଦି କାର୍ଯ୍ୟରେ ସେମାନଙ୍କୁ ମନନିବେଶ କରିବାକୁ ସୁଯୋଗ ମିଳିବା ଉଚିତ। ତେବେ ‌ରୋଗୀ ସମ୍ପର୍କୀୟମାନେ ବାହାରେ କେବଳ ନିଜ ପରିବାରଲୋକଙ୍କ ସହ କଥାବାର୍ତ୍ତା ହୋଇପାରିବା ସୁଯୋଗ ପାଇଲେ ସେମାନଙ୍କର ଦୁଃଖ କଷ୍ଟ ଲାଘବ ହୋଇପାରିବ ଓ ସେମାନେ ମାନସିକ ସ୍ତରରେ ଅଧିକ ସବଳ ହୋଇପାରିବେ।
ଡାକ୍ତର ପ୍ରଶାନ୍ତ କୁମାର ମହାପାତ୍ର, ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ

ପିଲାଙ୍କୁ ଯୌଥ ପରିବାରର ଉପକାରିତା ବୁଝାନ୍ତୁ
ବର୍ତ୍ତମାନ ଲକ୍‌ଡାଉନ୍‌ ଯୋଗୁଁ ସମସ୍ତେ ନିଜ ନିଜ ପରିବାର ସହ ରହିବା ଓ ସମୟ ଅତିବାହିତ କରିବାର ଅବକାଶ ସୃଷ୍ଟି ହୋଇଛି। ଏହାର ଅନେକ ସକାରାତ୍ମକ ଦିଗ ରହିଛି। ପରସ୍ପର ମଧ୍ୟରେ କଥାବାର୍ତ୍ତା‌ ହେବାର ମଉକା ମିଳିଛି। କିନ୍ତୁ ଆଜିର ପିଲାମାନେ ଟିଭି, ମୋବାଇଲ୍‌ ଓ ଅନ୍‌ଲାଇନ୍‌ ଗେମ୍‌ରେ ମଜି ରହି ଏହି ବହୁମୂଲ୍ୟ ସମୟକୁ ନଷ୍ଟ କରି ଦେଉଛନ୍ତି। ଯୌଥ ପରିବାର ଚଳଣି ମଜା ଅନୁଭବ ନଥିବାରୁ କିଛି ପିଲା ନିଜକୁ ଏକୁଟିଆ ରଖିବାକୁ ପସନ୍ଦ କରୁଛନ୍ତି। ଫଳରେ ସେମାନଙ୍କ ଭିତରେ ‘ଆଙ୍ଗ୍‌ଜାଇଟି’ ସୃଷ୍ଟି ହେଉଛି। ଏଥିରୁ ରାଗ, ଦ୍ବୈଷ ଭଳି ଗୁଣ ବଢ଼ୁଛି। କିନ୍ତୁ ଏହି ମଉକାରେ ସେମାନଙ୍କୁ ଯୌଥ ପରିବାରର ଉପକାରିତା ବୁଝାଇବାକୁ ପଡ଼ିବ। ଏଭଳି ପରିବାରରେ ରହିଲେ ସମୟ କେମିତି କଟିଯାଏ, ଜଣାପଡ଼େନି। ତେଣୁ ବର୍ତ୍ତମାନ ସମୟରେ ‌‌ଯୌଥ ପରିବାରରେ ରହିବା ଭଲ। କିନ୍ତୁ ଏହା ସମସ୍ତଙ୍କ ଇଚ୍ଛାନୁସାରେ ହେବା ଆବଶ୍ୟକ। ଜଣଙ୍କର ଇଚ୍ଛାକୁ ଯଦି ଅନ୍ୟ ଜଣଙ୍କ ଉପରେ ଜୋର୍ ଜବରଦସ୍ତି ଲଦି ଦିଆଯାଏ କିମ୍ବା ଜଣଙ୍କୁ ସମସ୍ତେ ମିଶି କେବଳ ଉପଦେଶ ଦିଅନ୍ତି, ତେବେ ସେ କ୍ଷେତ୍ରରେ ଏହା ମାନସିକ ସ୍ଥିତିକୁ ବିଗାଡ଼ିଦିଏ। ତେଣୁ ପରିବାରର ମୁଖିଆମାନେ ଏ ଦିଗକୁ ବି ଦୃଷ୍ଟି ଦେବା ବିଧେୟ।
ପ୍ରଫେସର ପ୍ରତାପ ରଥ, ମନୋବିଜ୍ଞାନୀ

ସମ୍ବନ୍ଧିତ ଖବର